ଭୁବନେଶ୍ୱର: ସଂଘର୍ଷର ଅନ୍ୟନାମ ସଫଳତା। ଦୃଢ଼ ଇଚ୍ଛାଶକ୍ତି ବଳରେ ଦୀର୍ଘ ୫ ବର୍ଷର ଲଢ଼େଇ ପରେ ଓଏଏସ୍ ପାଇଛନ୍ତି କୋରାପୁଟର ବୋରିଗୁମ୍ମାରେ ରହୁଥିବା ଅନୁଶ୍ରବ ଗନ୍ତାୟତ। ରାଉରକେଲା ସ୍ଥିତ ନିଟ୍ରୁ କୃତିତ୍ୱର ସହ ଡିଗ୍ରି ହାସଲ କରିଥିବା ଅନୁଶ୍ରବ ୨୦୧୭-୧୮ ବର୍ଷର ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷା ଦେଇଥିଲେ। ଲିଖିତ ଓ ମୌଖିକ ପରୀକ୍ଷାରେ ସେ ୧୩୬୫ ନମ୍ବର ରଖିଥିଲେ ମଧ୍ୟ ତାଙ୍କ ନାମ ମେଧା ତାଲିକାରୁ ବାଦ୍ ଦେଇ ୧୩୦୨ରୁ ୧୦୬୫ ମଧ୍ୟରେ ନମ୍ବର ରଖିଥିବା ପ୍ରାର୍ଥୀ ଏହି ତାଲିକାରେ ସ୍ଥାନୀତ ହୋଇଥିଲେ। ଏଭଳି ଆକ୍ରୋଶମୂଳକ କାର୍ଯ୍ୟକଳାପର ପ୍ରତିବାଦରେ ଅନୁଶ୍ରବ ଲୋକସେବା ଆୟୋଗଙ୍କ ଠାରୁ ଆରମ୍ଭ କରି ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବଙ୍କ ନିକଟରେ ନ୍ୟାୟ ପାଇଁ ନିବେଦନ କରିଥିଲେ। ଘଟଣା ଅନୁଧ୍ୟାନ ପରେ ଅନୁଶ୍ରବଙ୍କ ନାମ ମେଧା ତାଲିକାର ଅସଂରକ୍ଷିତ ପ୍ରାର୍ଥୀ ହିସାବରେ ଗ୍ରହଣ କରିବାକୁ ସାଧାରଣ ପ୍ରଶାସନ ବିଭାଗ ଓ ମୁଖ୍ୟ ଶାସନ ସଚିବ ଆୟୋଗଙ୍କୁ ଚିଠି ଲେଖିଥିଲେ। ଏପରିକି ସ୍ୟାଟ୍ ମଧ୍ୟ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆୟୋଗଙ୍କୁ ଆଦେଶ ଦେଇଥିଲେ। ଏସବୁ ସତ୍ତ୍ୱେ ଅନୁଶ୍ରବଙ୍କୁ ବାଦ୍ ଦେଇ ତାଙ୍କ ଠାରୁ କମ୍ ମାର୍କ ପାଇଥିବା ପ୍ରାର୍ଥୀଙ୍କୁ ଓଏଏସ୍, ଓପିଏସ୍, ଓଏଫ୍ଏସ୍ ଆଦି ପଦପଦବୀରେ ନିଯୁକ୍ତି ଦିଆଯାଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ଏଣୁ ଆୟୋଗଙ୍କ ଏତାଦୃଶ କାର୍ଯ୍ୟକଳାପରେ ହତୋତ୍ସାହିତ ହୋଇ ଅନୁଶ୍ରବ ଓଡ଼ିଶା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ରାଜ୍ୟ ସରକାର ତାଙ୍କ ସତ୍ୟପାଠରେ ଅନୁଶ୍ରବ ଓଏଏସ୍ ପାଇବା ପାଇଁ ଯୋଗ୍ୟ ବୋଲି ସ୍ୱୀକାର କରିବା ପରେ ହାଇକୋର୍ଟ ଗତ ଡିସେମ୍ବର ମାସରେ ୫୬ ପୃଷ୍ଠା ସମ୍ବଳିତ ରାୟ ପ୍ରକାଶ କରିଥିଲେ। ୨୦୧୯ ଜୁନ୍ ମାସରେ ଯେଉଁ ମେଧା ତାଲିକା ପ୍ରସ୍ତୁତ ହୋଇଥିଲା ସେଥିରେ ଅନୁଶ୍ରବଙ୍କ ନାମ ଯଥାସ୍ଥାନରେ ରଖି ଦୁଇମାସ ମଧ୍ୟରେ ଅସଂରକ୍ଷିତ ପ୍ରାର୍ଥୀ ଭାବରେ ଓଏଏସ୍ ପ୍ରଥମ ଶ୍ରେଣୀ କନିଷ୍ଠ ବର୍ଗରେ ନିଯୁକ୍ତି ଦେବା ପାଇଁ ଆଦେଶ ଦେଇଥିଲେ। ତା’ ସହିତ ଅନୁଶ୍ରବଙ୍କ ଚାକିରି କାଳ ବରିଷ୍ଠତା ଓ ବେତନ ଆଦି ୨୦୧୯ ମସିହାରୁ ସ୍ଥିର କରିବାକୁ ଆଦେଶ ହୋଇଥିଲା। ତାଙ୍କ ଠାରୁ ଯଦି କେହି କମ୍ ମେଧା ସମ୍ପନ୍ନ ପ୍ରାର୍ଥୀ ଯଦି ପଦୋନ୍ନତି ପାଇଥା’ନ୍ତି ତେବେ ସେହିଦିନ ଠାରୁ ଅନୁଶ୍ରବଙ୍କୁ ମଧ୍ୟ ପଦୋନ୍ନତି ସହ ଅନ୍ୟାନ୍ୟ ସୁବିଧା ଦେବାକୁ କୁହାଯାଇଥିଲା। ଜଣେ ମେଧାବୀଙ୍କୁ ଏଭଳି ମାନସିକ ନିର୍ଯାତନା ଦିଆଯାଇଥିବାରୁ ତାଙ୍କୁ ୧ଲକ୍ଷ ଟଙ୍କା ପ୍ରଦାନ କରିବାକୁ ମଧ୍ୟ ହାଇକୋର୍ଟ ଆଦେଶ ଦେଇଥିଲେ। ରାୟ ପ୍ରକାଶର ଦୁଇମାସ ମଧ୍ୟରେ ଏହାକୁ କାର୍ଯ୍ୟକାରୀ କରିବା ସହ ୨୦୨୪ ମାର୍ଚ୍ଚ ୩୧ ସୁଦ୍ଧା ଏହି ଆଦେଶ ପାଳନ ହୋଇଥିବା ନେଇ ହାଇକୋର୍ଟରେ ରିପୋର୍ଟ ଦାଖଲ କରିବାକୁ କୁହାଯାଇଥିଲା।
ହାଇକୋର୍ଟଙ୍କ ରାୟ ପ୍ରକାଶ ପାଇବା ପରେ ଓଡ଼ିଶା ଲୋକସେବା ଆୟୋଗ ମେଧା ତାଲିକା ସଂଶୋଧିତ କରି ଯଥା ସ୍ଥାନରେ ଅନୁଶ୍ରବଙ୍କ ନାମ ସ୍ଥାନିତ କରିଥିଲେ। ଏପଟେ ରାଜ୍ୟ ସରକାର ଅର୍ଥ ବିଭାଗ, ସାଧାରଣ ପ୍ରଶାସନ ବିଭାଗ, ମୁଖ୍ୟ ଶାସନ ସଚିବ ଓ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ନେଇ ଅନୁଶ୍ରବଙ୍କୁ ନିଯୁକ୍ତି ଦେବା ପାଇଁ ରାଜସ୍ୱ ବିଭାଗକୁ ଚିଠି ଲେଖିଥିଲେ। ଗତ ୨୪ ତାରିଖରେ ତାଙ୍କୁ ଓଏଏସ୍ ଚାକିରିରେ ନିଯୁକ୍ତି ଦିଆଯାଇ ପୁରୀ ଜିଲ୍ଲାପାଳଙ୍କ ଅଧୀନରେ ତାଲିମ ନେବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଗୁରୁବାର ବା ୨୫ ତାରିଖରେ ଅନୁଶ୍ରବ ଚାକିରିରେ ଯୋଗ ଦେଇଛନ୍ତି।