Sunday, February 23, 2025
Home ଆମ ଓଡ଼ିଶା ୫୦ ପ୍ରତିଶତ ପଦ ଶୂନ୍ୟ, ପ୍ରଶିକ୍ଷଣରୁ ବଞ୍ଚିତ ଚାଷୀ, ବନ୍ଦ ହେବ ‘ୱାଲମି’

୫୦ ପ୍ରତିଶତ ପଦ ଶୂନ୍ୟ, ପ୍ରଶିକ୍ଷଣରୁ ବଞ୍ଚିତ ଚାଷୀ, ବନ୍ଦ ହେବ ‘ୱାଲମି’

by
0 comment

ଫୁଲନଖରା: କୃଷିଜୀବୀଙ୍କ ସମେତ ବିଭାଗୀୟ ଯନ୍ତ୍ରୀ ଓ ଉପଖଣ୍ଡ ଅଧିକାରୀଙ୍କୁ ବୈଷୟିକ ତଥା ଉପଯୋଗୀ ତାଲିମ ପ୍ରଦାନ କରିବା ଲକ୍ଷ୍ୟ ନେଇ ପ୍ରତାପନଗରୀଠାରେ ପ୍ରତିଷ୍ଠା ହୋଇଥିଲା ଜଳ ଓ ମୃତ୍ତିକା ପରିଚାଳନା ପ୍ରତିଷ୍ଠାନ ‘ୱାଲମି’। ଦୀର୍ଘ ୪୦ ବର୍ଷର ଏହି ପୁରାତନ ପ୍ରତିଷ୍ଠାନ ଖୋଦ୍‌ ସରକାରୀ ଅବହେଳା ଯୋଗୁଁ ନିଜ ଲକ୍ଷ୍ୟଠାରୁ ଦୂରେଇବାରେ ଲାଗିଛି। ଏମିତିକି ପ୍ରତିଷ୍ଠାନ ବନ୍ଦ ହେବା ସ୍ଥିତିକୁ ଆସିଗଲାଣି। ବହୁବିଧ ଅବ୍ୟବସ୍ଥା ମଧ୍ୟରେ ଗତି କରୁଥିବା ଏହି ପ୍ରତିଷ୍ଠାନରେ କର୍ମଚାରୀ ଅଭାବ ପ୍ରମୁଖ ସମସ୍ୟା ହୋଇଛି। ସେଥିଯୋଗୁଁ ଚାଷୀଙ୍କୁ ତାଲିମ କାର୍ଯ୍ୟକ୍ରମ ମଧ୍ୟ ଏକରକମ ବନ୍ଦ ହେରଇଗଲାଣି। ମଞ୍ଜୁରପ୍ରାପ୍ତ ପଦରୁ ୫୦ ପ୍ରତିଶତ ପଦ ଖାଲି ପଡ଼ିଥିବାବେଳେ ସରକାରଙ୍କ ପକ୍ଷରୁ ନୂତନ ନିଯୁକ୍ତି ନେଇ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ।

କଟକ ମହାନଗର ନିଗମ (ସିଏମସି) ଅନ୍ତର୍ଗତ ୫୮ ନଂ ୱାର୍ଡ଼ର ପ୍ରତାପନଗରୀଠାରେ ୧୯୮୪ ମସିହାରେ ଏହି ପ୍ରତିଷ୍ଠାନ ପ୍ରତିଷ୍ଠା ହୋଇଥିଲା। ପ୍ରାୟ ୫୨ ଏକର ପରିମିତ ଜମିରେ ସ୍ଥାପିତ ଏହି ପ୍ରତିଷ୍ଠାନ ରାଜ୍ୟ ଜଳସମ୍ପଦ ବିଭାଗ ଅଧୀନରେ ପରିଚାଳିତ। ଏହାରି ପରିସରରେ ଏକ ବୃହତ୍ ସମ୍ମିଳନୀ କକ୍ଷ ସମେତ ପ୍ରଶିକ୍ଷଣ ଗୃହ, କର୍ମଚାରୀଙ୍କ ପାଇଁ ବାସଗୃହ ଏବଂ ବିଭିନ୍ନ କାର୍ଯ୍ୟାଳୟ ଅଛି; ହେଲେ ଏସବୁକୁ କାମରେ ଲଗାଇବା ପାଇଁ ଯେମିତି ସରକାରଙ୍କର ଆଗ୍ରହ ନାହିଁ। ପୂର୍ବରୁ ଏହି ପ୍ରତିଷ୍ଠାନରେ ୨୦୦ କର୍ମଚାରୀ କାର୍ଯ୍ୟ କରୁଥିଲେ। ଏବେ ସେମାନଙ୍କ ସଂଖ୍ୟା ହ୍ରାସ ପାଇ ୭୦ରେ ପହଞ୍ଚିଲାଣି। ଦରମା, ନିଯୁକ୍ତି ଓ ଅବସରକାଳୀନ ଭତ୍ତାକୁ ନେଇ ୧୫୦ରୁ ଊର୍ଦ୍ଧ୍ବ ମାମଲା ଏବେ ଅଦାଲତରେ ବିଚାରାଧୀନ ରହିଛି। ଦୀର୍ଘବର୍ଷ ହେଲା ନୂତନ ନିଯୁକ୍ତି ମଧ୍ୟ ହେଉନାହିଁ।

ରାଜ୍ୟର ଚାଷୀ ଓ କୃଷି ଅଧିକାରୀଙ୍କୁ ପୂର୍ବ ଭଳି ଆଉ ନିୟମିତ ତାଲିମ ଦିଆଯାଉନାହିଁ। କେବଳ କଟକ ଓ ଏହାର ସନ୍ନିକଟ ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ, ଖୋର୍ଦ୍ଧା, ନୟାଗଡ଼ ଓ ଢେଙ୍କାନାଳ ଅଞ୍ଚଳର କିଛି ହାତ ଗଣତି ଚାଷୀ ଓ ପାଣିପଞ୍ଚାୟତ କାର୍ଯ୍ୟକର୍ତ୍ତାଙ୍କୁ ଏଠାରେ ନାମକୁ ମାତ୍ର ତାଲିମ ଦିଆଯାଉଛି। ଶିକ୍ଷାନବିସ ଓ କର୍ମଚାରୀଙ୍କ ରହଣି ନିମନ୍ତେ ୧୬୦ଟି ଆବାସିକ ଘର ରହିଥିଲେ ମଧ୍ୟ ସେଥିମଧ୍ୟରୁ ୧୦୦ଟି ଖାଲି ପଡ଼ିଛି। କେତେକ ଘରକୁ ଜବର ଦଖଲ କରାଯାଇଥିଲାବେଳେ ଆଉ କିଛି ଘରକୁ ଭଡ଼ାରେ ଦିଆଯାଇଥିବା ଅଭିଯୋଗ ହେଉଛି। ପ୍ରତିଷ୍ଠାନ ପରିସରରେ ଥିବା ଏକାଧିକ ଅଟ୍ଟାଳିକା ଜରାଜୀର୍ଣ୍ଣ ଅବସ୍ଥାକୁ ଆସିଗଲାଣି। ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ଜଳସମ୍ପଦ ବିଭାଗ ମୁଖ୍ୟଯନ୍ତ୍ରୀ ଏହାର ନିର୍ଦେଶକ ରୂପେ ଅତିରିକ୍ତ ଦାୟିତ୍ବ ତୁଲାଇବା ବ୍ୟବସ୍ଥା ରହିଥିଲାବେଳେ ଦୀର୍ଘଦିନ ଧରି ଉକ୍ତ ପଦ ଖାଲି ପଡ଼ିଛି; ଫଳରେ ପ୍ରତିଷ୍ଠାନର ପରିଚାଳନା କ୍ଷେତ୍ରରେ ସମସ୍ୟା ଦେଖାଦେଉଛି। ସର୍ବୋପରି ପ୍ରତିଷ୍ଠାନ ସ୍ଥାପନର ଉଦ୍ଦେଶ୍ୟ ପାଳନ ହେଉନଥିବାରୁ ସରକାରୀ ତହବିଲରୁ ଖର୍ଚ୍ଚ ହେଉଥିବା ବିପୁଳ ଅର୍ଥ ପାଣିରେ ପଡ଼ିବା ସାର ହେଉଛି।

ଉଲ୍ଲେଖଯୋଗ୍ୟ ଯେ ୨୦୦୫ରେ ଏପରି ଏକ ସଂସ୍ଥାର ସେପରି କିଛି ଆବଶ୍ୟକତା ନାହିଁ ବୋଲି ସରକାର ଅନୁଭବ କରିବାରୁ ଏହାକୁ ବନ୍ଦ କରିବା ପାଇଁ ଉଦ୍ୟମ କରିଥିଲେ; ମାତ୍ର ତତ୍କାଳୀନ କଟକ-ଚୌଦ୍ବାର ବିଧାୟକ ପ୍ରଭାତ ରଞ୍ଜନ ବିଶ୍ବାଳ ଓ ଆଉ କିଛି ବ୍ୟକ୍ତିଙ୍କ ଉଦ୍ୟମ କ୍ରମେ ତାହା ସ୍ଥଗିତ ରହିଥିଲା। ଚାଷୀଙ୍କ ସ୍ବାର୍ଥ ଦୃଷ୍ଟିରୁ ‘ୱାଲମି’ ପରି ଏକ ବୃହତ୍ ପ୍ରତିଷ୍ଠାନର ପୁନରୁଦ୍ଧାର ସହ ଏହାର ପୂର୍ଣ୍ଣାଙ୍ଗ ପରିଚାଳନା କରାଯିବା; ନଚେତ୍‌ ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରି ସେଠାରେ ସରକାରଙ୍କର ଅନ୍ୟ କୌଣସି ବିଭାଗ ଖୋଲିବା କିମ୍ବା କୌଣସି ଏକ ବେସରକାରୀ ସଂସ୍ଥାକୁ ଭଡ଼ା ସୂତ୍ରରେ ପ୍ରଦାନ କରିବା ଦିଗରେ ସରକାର ସୁଚିନ୍ତିତ ପଦକ୍ଷେପ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od