ପୁରୀ: ଆଗାମୀ ୨୩ ତାରିଖ ଦିନ ଶ୍ରୀଜଗନ୍ନାଥ ମନ୍ଦିର ଭିତର ଏବଂ ବାହାର ରତ୍ନଭଣ୍ଡାରରୁ ପୁରୁଣା ସିନ୍ଦୁକ ସମେତ କାଠ ଆଲମାରିଗୁଡ଼ିକୁ ସ୍ଥାନାନ୍ତର କରାଯିବ। ସେଗୁଡ଼ିକୁ ନେଇ ନୀଳାଦ୍ରି ବିହାର ସଂଗ୍ରହାଳୟ ନିକଟ ଏକ କୋଠରି ଭିତରେ ରଖାଯିବ। ଏଥିପାଇଁ ସେଦିନ ୧ଟାଠାରୁ ସିନ୍ଦୁକ ଓ ଆଲମାରିଗୁଡ଼ିକ ସ୍ଥାନାନ୍ତର
ଶେଷ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ତେବେ ମହାପ୍ରସାଦ କିଣିବାକୁ ଚାହୁଁଥିବା ବ୍ୟକ୍ତିମାନେ ସିଂହଦ୍ବାର ଏବଂ ବାଇଶି ପାହାଚ ଦେଇ ଆନନ୍ଦ ବଜାରକୁ ଯାଇ ପାରିବେ।
ରାଜ୍ୟ ସରକାର ଅନୁମୋଦନ କରିଥିବା ନୂତନ ମାର୍ଗଦର୍ଶିକା ଅନୁଯାୟୀ ରତ୍ନଭଣ୍ଡାର ଭିତରୁ ଖାଲି ସିନ୍ଦୁକ ଓ ଆଲମାରିଗୁଡ଼ିକ ସ୍ଥାନାନ୍ତର କରାଯିବ। ସେଥିରେ ଥିବା ମୂଲ୍ୟବାନ ଅଳଙ୍କାରଗୁଡ଼ିକୁ ଅସ୍ଥାୟୀ ରତ୍ନଭଣ୍ଡାରକୁ ଗତ ମାସ ୧୮ ତାରିଖରେ ସ୍ଥାନାନ୍ତର କରାଯାଇଥିଲା। ସିନ୍ଦୁକ ଓ ଆଲମାରିଗୁଡ଼ିକ ସ୍ଥାନାନ୍ତର ସମୟରେ ମହାପ୍ରଭୁଙ୍କ ସେବାପୂଜା ଯେପରି ବାଧାପ୍ରାପ୍ତ ନହୁଏ ସେଥିପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି।