ଆମେରିକୀୟ ମୁଦ୍ରା ‘ଡଲାର୍’ ପ୍ରତି ସମସ୍ତଙ୍କର ଯେତିକି ଆକର୍ଷଣ, ତାକୁ ପାଇବା ଲାଗି ସେତିକି ଉତ୍ସାହ ମଧ୍ୟ। ଭାରତୀୟ ମୁଦ୍ରା ସହ ୧ଡଲାରର ବିନିମୟ ମୂଲ୍ୟ ଦେଖିଲେ ୧ ଡଲାର୍ର ମୂଲ୍ୟ ୮୩ ଟଙ୍କାରୁ ମଧ୍ୟ ଅଧିକ। ବେଳେ ବେଳେ ମନରେ ପ୍ରଶ୍ନ ଆସେ, ଆମର ୧ ଟଙ୍କା ଯଦି ୧ ଡଲାର୍ ସହ ସମାନ ହୋଇ ଯାଆନ୍ତା, ତେବେ ଆମେ କ’ଣ ଆମେରିକା ଭଳି ଧନୀ ରାଷ୍ଟ୍ର ହୋଇଥାଆନ୍ତେ? ଆସନ୍ତୁ ଜାଣିବା ଟଙ୍କା, ଡଲାର୍ ତୁଳନାରେ ଏତେ ଦୁର୍ବଳ ହେଲା କେମିତି? ଯଦି ଟଙ୍କା ଦୁର୍ବଳ ହୋଇ ନ ଥା’ନ୍ତା, ତେବେ କ’ଣ ହୋଇଥା’ନ୍ତା?
Sambad is now on WhatsApp
Join and get latest news updates delivered to you via WhatsApp
ସସ୍ମିତା ସାହୁ
ସ୍ବାଧୀନତା ପରଠାରୁ ବହୁବର୍ଷ ପର୍ଯ୍ୟନ୍ତ ୧ ଡଲାର୍ର ବିନିମୟ ମୂଲ୍ୟ ୪ରୁ ୫ ଟଙ୍କା ଭିତରେ ଥିଲା। ୧୯୫୦ ମସିହା ପରେ ଦେଶର ସର୍ବାଙ୍ଗୀନ ବିକାଶ ପାଇଁ ସରକାର ବହୁ ଟଙ୍କା ଖର୍ଚ୍ଚ କରିଥିଲେ। ସେହି ତୁଳନାରେ ରାଜସ୍ବ ସଂଗ୍ରହ ହୋଇ ନ ପାରିବାରୁ ବିଦେଶରୁ ଋଣ କରିବାକୁ ବାଧ୍ୟହେଲେ ସରକାର। ପୁଣି ଋଣ ଫେରସ୍ତ ପାଇଁ ସରକାରଙ୍କ ପାଖରେ ସମ୍ବଳ ନ ଥିବାରୁ ଟଙ୍କାର ମୂଲ୍ୟକୁ ହ୍ରାସ କରିବାକୁ ପଡ଼ିଲା। ଏହାପରେ ୧୯୬୦ରୁ ୧୯୭୦ ମସିହା ମଧ୍ୟରେ ଚୀନ୍ ଓ ପାକିସ୍ତାନ ସହ ଯୁଦ୍ଧ ଲାଗିବାରୁ ଦେଶକୁ ପୁଣି ଅର୍ଥନୈତିକ କ୍ଷତି ସହିବାକୁ ହେଲା। ଏଥିପାଇଁ ବାହ୍ୟଋଣ ନେବାକୁ ପଡ଼ିଲା ଓ ଦେଶର ଅର୍ଥନୈତିକ ଅଭିବୃଦ୍ଧି ଲାଗି ବିଦେଶୀ ନିବେଶର ଆବଶ୍ୟକତା ଦେଖାଦେଲା। ଫଳରେ ସରକାର ଟଙ୍କାର ବଦଳ ମୂଲ୍ୟ (ଏକ୍ସଚେଞ୍ଜ୍ ରେଟ୍) କମାଇ ୧ ଡଲାର୍କୁ ୭ ଟଙ୍କା ୫୦ ପଇସା ସହ ସମାନ କରିଦେଲେ। ୧୯୭୩ ମସିହା ଆଡ଼କୁ ବିଶ୍ବରେ ଏକ ବଡ଼ ତୈଳ ସଙ୍କଟ ଦେଖାଗଲା। ଏହା ପ୍ରଭାବରେ ଭାରତ ଆମଦାନି କରୁଥିବା ତୈଳର ମୂଲ୍ୟ ମହଙ୍ଗା ହେଲା ଓ ଭାରତୀୟ ମୁଦ୍ରାର ଦାମ୍ ଆହୁରି କମିଗଲା। ଦେଶର ଜନସଂଖ୍ୟା ବଢ଼ି ଚାଲିଥାଏ। ଦୁର୍ବଳ ଅଭିବୃଦ୍ଧି ହାର ଓ କ୍ରମାଗତ ମୁଦ୍ରାସ୍ଫୀତିକୁ ନେଇ ଅର୍ଥ ବ୍ୟବସ୍ଥା ଚାପରେ ଥାଏ। ୧୯୮୪ ମସିହାରେ ଦେଶର ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ଫଳରେ ଭାରତୀୟ ଅର୍ଥନୀତି ଉପରେ ବିଦେଶୀ ପୁଞ୍ଜିନିବେଶକାରୀଙ୍କର ଯେଉଁ ଭରସା ଥିଲା, ତାହା ଭାଙ୍ଗିଯାଇଥିଲା। ଟଙ୍କାର ଦାମ୍ ଆହୁରି ଖସିଲା। ୧୯୯୦ ମସିହା ବେଳକୁ ୧ ଡଲାର୍ ୧୭ ଟଙ୍କା ୫୦ ପଇସା ହୋଇଗଲା। ୧୯୯୧ ମସିହା ବେଳକୁ ଦେଶର ରାଜକୋଷ ଏକପ୍ରକାର ଦେବାଳିଆ ସ୍ଥିତିକୁ ଆସିଗଲା। ଫଳରେ ଅର୍ଥନୈତିକ ଉଦାରୀକରଣ କରାଗଲା ଏବଂ ଟଙ୍କାକୁ ‘ଫ୍ଲୋଟିଂ ଏକ୍ସଚେଞ୍ଜ୍ ରେଟ୍’ରେ ରଖିଦିଆଗଲା। ବଜାରର ଚାହିଦା ଓ ଯୋଗାଣ (ଡିମାଣ୍ଡ୍ ଓ ସପ୍ଲାଏ) ଅନୁସାରେ ଟଙ୍କାର ବିନିମୟ ମୂଲ୍ୟ ବଢ଼ିଲା ଓ କମିଲା। ଏହି କ୍ରମରେ ଦିନକୁ ଦିନ ଟଙ୍କା ଦୁର୍ବଳ ହିଁ ହୋଇଚାଲିଛି।
ଦୁର୍ବଳ ଟଙ୍କା ଅର୍ଥନୀତି ପାଇଁ ଲାଭକାରୀ!
ବେଳେ ବେଳେ ମନରେ ପ୍ରଶ୍ନ ଉଠେ, ଟଙ୍କାକୁ ଅଧିକ ଶକ୍ତିଶାଳୀ କରିବାର ଆବଶ୍ୟକତା ରହିଛି କି ଏକ ଦୁର୍ବଳ ଟଙ୍କା ଆମ ପାଇଁ ଲାଭକାରୀ! ତେବେ ଏହାର ଉତ୍ତର ଏତେ ସହଜ ନୁହେଁ। ସାଧାରଣତଃ କୌଣସି ଦେଶର ମୁଦ୍ରାର ବିନିମୟ ମୂଲ୍ୟ କମିଲେ ରପ୍ତାନି ଲାଭଜନକ ହୁଏ। ଏଣୁ ରପ୍ତାନି ଆୟ ବୃଦ୍ଧିକୁ ଲକ୍ଷ୍ୟରେ ରଖି କେହି କେହି ଦେଶ ନିଜ ମୁଦ୍ରାର ବିନିମୟ ମୂଲ୍ୟକୁ ଦୁର୍ବଳ ରଖିବାକୁ ପସନ୍ଦ କରନ୍ତି। ‘ଚୀନ୍’ ଅଧିକ ସାମଗ୍ରୀ ଉତ୍ପାଦନ କରିଥିବାରୁ ନିଜ ମୁଦ୍ରା ‘ଉଆନ୍’ର ବିନିମୟ ମୂଲ୍ୟକୁ ଜାଣିଶୁଣି ଦୁର୍ବଳ ରଖିଥିବା କୁହାଯାଏ। ଫଳରେ ଚୀନ୍ରୁ ସାମଗ୍ରୀ କିଣିବା ଶସ୍ତା ପଡ଼ିଥାଏ ଓ ଅଧିକାଂଶ ଦେଶ ଚୀନ୍ ସାମଗ୍ରୀ ଉପରେ ନିର୍ଭର କରିଥା’ନ୍ତି। ଏହା ଚୀନ୍ ଅର୍ଥନୀତି ପାଇଁ ବେଶ୍ ଲାଭଦାୟକ ହୋଇଛି। ଯେଉଁ ଦେଶ ଆମଦାନି ଉପରେ ନିର୍ଭରଶୀଳ, ସେମାନେ ନିଜ ମୁଦ୍ରାକୁ ଶକ୍ତିଶାଳୀ କରିବାକୁ ଚାହାନ୍ତି। ଫଳରେ ବାହାର ଦେଶରୁ ସାମଗ୍ରୀ କିଣିବା ବେଳେ ତାହା ସେମାନଙ୍କୁ ଶସ୍ତା ପଡ଼ିଥାଏ। ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକରୁ ବର୍ତ୍ତମାନ ଭାରତ ଅଧିକ ତୈଳ ଆମଦାନି କରୁଛି। ଯଦି ଆମ ଦେଶର ମୁଦ୍ରାର ବିନିମୟ ମୂଲ୍ୟ ଅଧିକ ହୋଇଥା’ନ୍ତା, ତେବେ ତୈଳ କିଣିବା ଆମକୁ ଶସ୍ତା ହୋଇଥା’ନ୍ତା।
ଭାରତର ସ୍ଥିତି କେଉଁଠି?
ଭାରତ ଅଧିକାଂଶ ସାମଗ୍ରୀ ଆମଦାନି କରିଥାଏ। ମାତ୍ର ଅର୍ଥନୈତିକ ଅଭିବୃଦ୍ଧି ପାଇଁ ରପ୍ତାନି ଜରୁରି । କିଛି ଅର୍ଥନୈତିକ ବିଶେଷଜ୍ଞ ଦେଶର ରପ୍ତାନି ଆୟ ବୃଦ୍ଧିକୁ ଅଧିକ କରିବାକୁ ଟଙ୍କାର ବିନିମୟ ମୂଲ୍ୟକୁ ଆହୁରି କମାଇବାକୁ ପରାମର୍ଶ ଦିଅନ୍ତି। କିନ୍ତୁ କିଛି ବିଶେଷଜ୍ଞ ଏହା ବିରୋଧରେ ମତ ଦିଅନ୍ତି। ସେମାନଙ୍କ ମତରେ ଟଙ୍କା ଆହୁରି ଦୁର୍ବଳ ହେଲେ ଦେଶ ପୁଣି ଏକ ଅର୍ଥନୈତିକ ସଙ୍କଟ ଭିତରକୁ ଚାଲିଯିବ। ଅନ୍ୟ ପକ୍ଷରେ ଜାପାନ ଭଳି ମଧ୍ୟ କିଛି ରାଷ୍ଟ୍ର ଅଛନ୍ତି, ଯେଉଁମାନେ ବିକଶିତ ରାଷ୍ଟ୍ର ହେଲେ ହେଁ ସେମାନଙ୍କ ମୁଦ୍ରାର ବିନିମୟ ମୂଲ୍ୟ ଭାରତୀୟ ମୁଦ୍ରାଠାରୁ ବି କମ୍ ରହିଛି। ଏଣୁ ମୁଦ୍ରାର ମୂଲ୍ୟ ଅଧିକ ବା କମ୍ ହେବା ହେବା ଦେଶ ବିକଶିତ କି ନୁହେଁ, ତାହାର ସୂଚକାଙ୍କ ନୁହେଁ।
୧ ଡଲାର୍ ଯଦି ୧ ଟଙ୍କା ସହ ସମାନ ହୋଇଥାଆନ୍ତା!
ବିଦେଶ ଭ୍ରମଣ ଶସ୍ତା ହୋଇଥା’ନ୍ତା। ଲକ୍ଷ ଲକ୍ଷ ଟଙ୍କା ବଦଳରେ ମାତ୍ର କିଛି ହଜାର ଟଙ୍କାରେ ଆମେରିକା କିମ୍ବା ୟୁରୋପ୍ ଭ୍ରମଣ ହୋଇଥା’ନ୍ତା।
ଆଇଫୋନ୍ ଭଳି ବିଦେଶୀ ବିଳାସ ସାମଗ୍ରୀ ଶସ୍ତାରେ ଆମଦାନି କରିହୁଅନ୍ତା। ପେଟ୍ରୋଲ୍/ଡିଜେଲ୍ ତଥା ଅନ୍ୟାନ୍ୟ ଆମଦାନି ସାମଗ୍ରୀ ମଧ୍ୟ ଶସ୍ତା ହୁଅନ୍ତା।
ବିଦେଶରେ ପାଠପଢ଼ା ଖର୍ଚ୍ଚ ବି କମ୍ ହୋଇଥା’ନ୍ତା।
ଭାରତର ଜିଡିପିର ପ୍ରାୟ ୬୦% ସର୍ଭିସ୍ ସେକ୍ଟର୍ରୁ ହିଁ ଆସିଥାଏ। ଏହି ସର୍ଭିସ୍ ସେକ୍ଟର୍ ୩୨% ଭାରତୀୟଙ୍କୁ ରୋଜଗାର ପ୍ରଦାନ କରିଥାଏ। ବିଦେଶରୁ କମ୍ପାନିମାନେ ଭାରତରେ କାର୍ଯ୍ୟାଳୟ, କଲ୍ ସେଣ୍ଟର୍ ଓ ଆଇଟି ସେଣ୍ଟର୍ ଓ କାରଖାନା ଆଦି ଖୋଲି ଲୋକଙ୍କୁ ରୋଜଗାର ସୁବିଧା ଦେଇଥା’ନ୍ତି। ଯଦି ୧ ଟଙ୍କା ୧ ଡଲାର୍ ସହ ସମାନ ହୋଇଯାଏ, ଏହି ବିଦେଶୀ କମ୍ପାନିମାନଙ୍କୁ ଭାରତୀୟଙ୍କୁ ରୋଜଗାର ଦେବା ଅଧିକ ମହଙ୍ଗା ହୋଇପଡ଼ିବ। ଫଳରେ ସେମାନେ ଭାରତରେ କମ୍ପାନି ଖୋଲି ଲାଭବାନ୍ ହେବେନାହିଁ ଓ ଆମର ୩୨% ଲୋକ ବେରୋଜଗାର ହେବା ଆଶଙ୍କା ସୃଷ୍ଟିହେବ। ଦେଶରେ ଅର୍ଥନୈତିକ ସଙ୍କଟ ଦେଖାଦେବ। ୨୦୦୮ ମସିହାରେ ବିଶ୍ବରେ ଅର୍ଥନୈତିକ ମାନ୍ଦାବସ୍ଥା ସମୟରେ ଏଭଳି ଏକ ସଙ୍କଟ ସୃଷ୍ଟି ହୋଇଥିଲା। ଅନେକ ଆମେରିକୀୟ କମ୍ପାନି ସେ ସମୟରେ ଦେବାଳିଆ ହୋଇଯିବା ଫଳରେ ଭାରତରେ ସେମାନେ ଖୋଲିଥିବା ସମସ୍ତ କାର୍ଯ୍ୟାଳୟ ବନ୍ଦ ହୋଇଯାଇଥିଲା। ଅନେକ ଭାରତୀୟ ବେରୋଜଗାର ହୋଇଯାଇଥିଲେ।