Saturday, February 22, 2025
Home ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଘୋଷଣା: ରାଜ୍ୟର ପ୍ରତି ପଞ୍ଚାୟତରେ ହେବ ଆରୋଗ୍ୟ ମନ୍ଦିର

ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଘୋଷଣା: ରାଜ୍ୟର ପ୍ରତି ପଞ୍ଚାୟତରେ ହେବ ଆରୋଗ୍ୟ ମନ୍ଦିର

by
0 comment

ବାରିପଦା/ଶୁଳିଆପଦା: ରାଜ୍ୟର ପ୍ରତି ପଞ୍ଚାୟତରେ ପ୍ରତିଷ୍ଠା ହେବ ଆରୋଗ୍ୟ ମନ୍ଦିର। ଏଠାରେ ଜଣେ ଲେଖାଏଁ ଡାକ୍ତର, ଯୋଗ ଶିକ୍ଷକ, ଫାର୍ମାସିଷ୍ଟ, ଜିଏନ୍‌ଏମ୍‌, ଏନ୍‌ଏନ୍‌ଏମ୍‌ଙ୍କୁ ନିଯୁକ୍ତି ଦିଆଯିବ। ଏଥିପାଇଁ ରାଜ୍ୟ ସରକାର ବଜେଟ୍‌ ପ୍ରସ୍ତୁତ କରିଛନ୍ତି। ସେହିପରି ଚଳିତବର୍ଷ ରାଜ୍ୟରେ ୫୦୦୦ ଡାକ୍ତର ଓ ୩୦୦୦ ହଜାର ପାରାମେଡିକାଲ କର୍ମଚାରୀ ନିଯୁକ୍ତି କରିବାକୁ ଯୋଜନା ରହିଥିବା ବେଳେ ଏହି ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଅଳ୍ପ ଦିନ ମଧ୍ୟରେ ଏନେଇ ବିଜ୍ଞପ୍ତି ବାହାରିବ। ଅନୁଗୁଳ ଓ କନ୍ଧମାଳ ଜିଲ୍ଲାର ନୂଆ ମେଡିକାଲ କଲେଜରେ ଆସନ୍ତା ଶିକ୍ଷାବର୍ଷରୁ ଶିକ୍ଷାଦାନ ଆରମ୍ଭ କରାଯିବ। ରାଜ୍ୟରେ ଗୋପବନ୍ଧୁ ଆରୋଗ୍ୟ ସ୍ବାସ୍ଥ୍ୟକାର୍ଡ ଲାଗୁ ହେବ, ଯାହା ସାରା ଭାରତରେ ୨୭ ହଜାର ହସ୍ପିଟାଲରେ କାର୍ଯ୍ୟକ୍ଷମ ହେବ। ବୁଧବାର ଦିନ ଦିନିକିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସି ଏଭଳି ଘୋଷଣା କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ।

ରହିବେ ଡାକ୍ତର, ଫାର୍ମାସିଷ୍ଟ, ଯୋଗ ଶିକ୍ଷକ, ସ୍ବାସ୍ଥ୍ୟକର୍ମୀ
ଆସନ୍ତା ବର୍ଷରୁ ଅନୁଗୁଳ, କନ୍ଧମାଳ ମେଡିକାଲ କଲେଜରେ ଶିକ୍ଷାଦାନ 
ପିଆର୍‌ଏମ୍‌ ମେଡିକାଲ ହେବ ସୁପର ସ୍ପେସାଲିଟି ହସ୍ପିଟାଲ୍‌
୨୦୨୫-୨୬ ଶିକ୍ଷାବର୍ଷରୁ ପିଜି ପାଠ୍ୟକ୍ରମ ଓ ବିଏସ୍‌ସି ନର୍ସିଂ

ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ବ୍ଲକ୍‌ ବାଘଡ଼ାଠାରେ ୧୪ କୋଟି ଟଙ୍କାର ସ୍ବାସ୍ଥ୍ୟ ଭିତ୍ତିଭୂମିର ଭିତ୍ତିପ୍ରସ୍ତର ପକାଇବା ସହ ୫ କୋଟି ଟଙ୍କାର ଭିତ୍ତିଭୂମିର ଶୁଭ ଉଦ୍‌ଘାଟନ କରିଥିଲେ ମନ୍ତ୍ରୀ। ଏହି ଅବସରରେ ଆୟୋଜିତ ସମାରୋହରେ ଯୋଗଦେଇ ସ୍ବାସ୍ଥ୍ୟମନ୍ତ୍ରୀ କହିଥିଲେ, ରାଜ୍ୟରେ ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବାକୁ ମୋହନ ସରକାର ପ୍ରତିଶ୍ରୁତିବଦ୍ଧ। ଏହି କ୍ରମରେ ଆଜି ମୟୂରଭଞ୍ଜରେ ୧୦ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ଆସନ୍ତା ୨ ବର୍ଷ ମଧ୍ୟ‌ରେ ଏହାକୁ ଲୋକାର୍ପଣ କରିବାକୁ ଆସିବି। ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ୍‌ କଲେଜ ଓ ହସ୍ପିଟାଲକୁ ସୁପର୍‌ ସ୍ପେସାଲିଟି ହସ୍ପିଟାଲ କରିବା ପାଇଁ ଯୋଜନା ସରିଛି। ଖୁବ୍‌ଶୀଘ୍ର ଏଦିଗରେ କାର୍ଯ୍ୟ ଆରମ୍ଭ ହେବ। ଏବେ ଏଠାରେ କେବଳ ଏମ୍‌ବିବିଏସ୍‌ ପାଠ୍ୟକ୍ରମ ଚାଲିଥିବା ବେଳେ ଖୁବ୍‌ଶୀଘ୍ର ପିଜି ପାଠ୍ୟକ୍ରମ ପାଇଁ ନାମଲେଖା ଆରମ୍ଭ ହେବ। ଏଥିସହ ୨୦୨୫-୨୬ ଶିକ୍ଷାବର୍ଷରେ ଏଠାରେ ବିଏସ୍‌ସି ନର୍ସିଂ ଖୋଲିବାକୁ ସରକାର ମନସ୍ଥ କରିଛନ୍ତି ବୋଲି ମନ୍ତ୍ରୀ କହିଥିଲେ।

ଏହି ସଭାରେ ନଗର ଉନ୍ନୟନ ମନ୍ତ୍ରୀ ଡା. କୃଷ୍ଣଚନ୍ଦ୍ର ମହାପାତ୍ର, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ, ବଡ଼ସାହି ବିଧାୟକ ସନାତନ ବିଜୁଳି, ଉଦଳା ବିଧାୟକ ଭାସ୍କର ମଢ଼େଇ, କରଞ୍ଜିଆ ବିଧାୟକ ପଦ୍ମଚରଣ ହାଇବୁରୁ, ରାଇରଙ୍ଗପୁର ବିଧାୟକ ଜଲେନ ନାଏକ, ବାରିପଦା ବିଧାୟକ ପ୍ରକାଶ ସୋରେନ, ସାରସକଣା ବିଧାୟକ ବାଦବ ହାଁସଦା, ରାଜ୍ୟସଭା ସାଂସଦ ମମତା ମହାନ୍ତ, ଲୋକସଭା ସାଂସଦ ନବଚରଣ ମାଝୀ ପ୍ରମୁଖ ମଞ୍ଚାସୀନ ଥିଲେ।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od