ମାଲକାନଗିରି: ଆଉ ଦିନକ ପରେ ମତଦାନ ହେବ। ମଇଦାନରେ ଓହ୍ଲାଇଥିବା ପ୍ରାର୍ଥୀମାନେ ଆଜି ସଂଧ୍ୟାରେ ତାଙ୍କର ଶେଷ ପ୍ରଚାର ଶେଷ କରିଛନ୍ତି। ଆସନ୍ତାକାଲି ଭିତିରିଆ ପ୍ରଚାର ଚାଲିବ। ଯାହାକୁ ପ୍ରଶାସନ ବି ଅଣଦେଖା କରେ। ତେବେ ଜିଲ୍ଲାର ସବୁଠାରୁ ସମ୍ବେଦନଶୀଳ ବ୍ଲକ ଥିଲା ଚିତ୍ରକୋଣ୍ଡା। କିନ୍ତୁ ଏଥର ସ୍ଥିତି ବଦଳିଛି। ଚିତ୍ରକୋଣ୍ଡା ବ୍ଲକରେ ରହିଥିବା ସମସ୍ତ ୫୦ଟି ବୁଥରେ ଏଥର ନିର୍ବାଚନ ହେବ। ବିଶେଷକରି ସ୍ବାଭିମାନ ଅଂଚଳରେ ଏଥର ପ୍ରଥମ କରି ସାଧାରଣ ନିର୍ବାଚନ ହେବ।ଯାହାକୁ ନେଇ ସ୍ଥାନୀୟ ଲୋକେ,ପ୍ରଶାସନ ଏବଂ ପୁଲିସ ବେଶ ଖୁସି ଜାହିର କରିଛନ୍ତି। ଏପରିକି ସ୍ବାଭିମାନ ଅଂଚଳର ସବୁଠାରୁ ଦୁର୍ଗମ ତଥା ନକ୍ସଲ ଗଡ ଭାବେ ପରିଚିତ ଯନ୍ତ୍ରୀ ପଞ୍ଚାୟତର ଦୁଇଟି ସ୍ଥାନରେ ବୁଥ ହେବ। ଗୋଟିଏ ଯନ୍ତ୍ରୀ ଏବଂ ଅନ୍ୟଟି ସନ୍ୟାସୀଗୁଡା। ଏହି ଦୁଇଟି ଯାକ ସ୍ଥାନକୁ ନକ୍ସଲ ନିଜର ଗଡ ବନାଇଥିଲେ। ଏଠାରେ ବହୁ ହତ୍ୟା ଏବଂ ଏନକାଉଣ୍ଟର ମଧ୍ୟ ହୋଇଛି। ସୀମାନ୍ତ ଆନ୍ଧ୍ରକୁ ଲାଗି ରହିଥିବାରୁ ଏଠାରେ ନକ୍ସଲଙ୍କ ଗତିବିଧି ବେଶୀ ରହିଥାଏ।
Sambad is now on WhatsApp
Join and get latest news updates delivered to you via WhatsApp
ତେବେ କଡା ସୁରକ୍ଷାରେ ଏଥର ଯନ୍ତ୍ରୀରେ ମତଦାନ ହେବ ବୋଲି ପୁଲିସ ଏସପି ନୀତିଶ ଵାଧଵାନି କହିଛନ୍ତି। ପ୍ରକାଶ ଥାଉକି ସ୍ବାଭିମାନ ଅଂଚଳର ୯ଟି ପଞ୍ଚାୟତ ଯଥା ଯନ୍ତ୍ରୀରେ ୨ଟି ବୁଥ,ଅଣ୍ଡ୍ରାପାଲୀରେ ଗୋଟିଏ,ପଣସପୁଟରେ ୪ଟି,ଧୂଳିପୁଟରେ ୬ଟି,ବଡପଡାରେ ୨ଟି,ଗାଜଲମାମୁଡିରେ ୨ଟି,ଯଡାମ୍ବରେ ୨ଟି ଏବଂ ରାଲଗେଡାରେ ୨ଟି ବୁଥ କରାଯାଇଛି।ମୋଟ ସ୍ବାଭିମାନ ଅଂଚଳରେ ୨୩ଟି ବୁଥ ରହିଛି। ସବୁ ବୁଥ ସମ୍ବେଦନଶୀଳ ରହିଥିବା ବେଳେ ବିଏସଏଫ,ଏସଓଜି,ଡିଭିଏଫ ଯବାନ ସଂପୂର୍ଣ୍ଣ ସ୍ବାଭିମାନ ଅଂଚଳକୁ ଘେରି ରହିଛନ୍ତି। ସୀମାନ୍ତ ଆନ୍ଧ୍ରକୁ ଲାଗି ରହିଥିବାରୁ ନକ୍ସଲଙ୍କ ସମସ୍ତ ଗତିବିଧି ଉପରେ ଗୁଇନ୍ଦା ସଜାଗ ରହିଛି।
ପ୍ରତ୍ୟେକ ବୁଥରେ ୬ ଜଣ ପୁଲିଂ ଅଧିକାରୀଙ୍କ ସହ ଜଣେ ପୁଲିସ କର୍ମଚାରୀ ଦାୟୀତ୍ବରେ ରହିଛନ୍ତି।ଚିତ୍ରକୋଣ୍ଡାରେ ୫୦ଟି ବୁଥ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀରେ ହୋଇଥିବା ବେଳେ ୪ଟି ମାଲକାନଗିରି ନିର୍ବାଚନ ମଣ୍ଡଳୀର ବୁଥ ରହିଛି।ତେଣୁ ୨୪ ଜଣ ମାଇକ୍ରୋ ଅବଜରଭର ଦାୟିତ୍ୱରେ ଥିବା ବେଳେ ୨୩ଟି ସ୍ଥାନରେ ଲାଇଭ ଟେଲିକାଷ୍ଟ କରାଯାଉଛି। ନକ୍ସଲ ପ୍ରବଣ ଯନ୍ତ୍ରୀକୁ ଆସନ୍ତାକାଲି ସକାଳେ ପୁଲିଂ ଅଧିକାରୀମାନେ ଯିବାର ବ୍ୟବସ୍ଥା କରାଯାଇଥିବା ବ୍ଲକ ନିର୍ବାଚନ ଅଧିକାରୀ ତଥା ବିଡିଓ ତନ୍ମୟ ପାତ୍ର ପ୍ରକାଶ କରିଛନ୍ତି। ପ୍ରଥମ କରି ନିଜ ଅଂଚଳରେ ବୁଥ ହେଉଥିବାରୁ ଲୋକେ ବେଶ ଖୁସି ଅଛନ୍ତି।ଏଥର ସ୍ବାଭିମାନ ଅଂଚଳରେ ଭଲ ମତଦାନ ହେବାର ସମ୍ଭାବନା ରହିଛି। ଏଥର ସ୍ବାଭିମାନ ଅଂଚଳରେ ପୁଲିସ ଓ ପ୍ରଶାସନ କେତେ ସଫଳ ହେଉଛନ୍ତି ଦେଖିବାକୁ ବାକି ରହିଲା।