ସମାଜ ଡିଜିଟାଲ ଡେସ୍କ: ଚମ୍ପିଆନ୍ସ ଟ୍ରଫିର ବୁଧବାର ଅନୁଷ୍ଠିତ ୨ୟ ସେମିଫାଇନାଲ ମ୍ୟାଚରେ ନ୍ୟୁଜିଲାଣ୍ଡ ୫୦ ରନରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି। ନ୍ୟୁଜିଲାଣ୍ଡ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୬ ଉଇକେଟ ହରାଇ ୩୬୨ ରନ ସଂଗ୍ରହ କରିଥିଲା। ୩୬୩ ରନ ବିଜୟଲକ୍ଷ୍ୟକୁ ପିଛା କରି ଦକ୍ଷିଣ ଆଫ୍ରିକା ଦଳ ୫୦ ଓଭରରେ ୯ ଉଇକେଟ ହରାଇ ୩୧୨ ରନ କରିବାକୁ ସକ୍ଷମ ହୋଇଥିଲା। ଡେଭିଡ ମିଲରଙ୍କ ଲଢ଼ୁଆ ଶତକ ସତ୍ବେ ଦଳ ବିଜୟ ହାସଲ କରିପାରି ନ ଥିଲା।
ଟସ ଜିତି ପ୍ରଥମେ ବ୍ୟାଟିଂ ଆରମ୍ଭ କରିଥିବା ନ୍ୟୁଜିଲାଣ୍ଡ ରଚିନ ରବୀନ୍ଦ୍ର(୧୦୮) ଏବଂ କେନ୍ ୱିଲିୟମସନ(୧୦୨)ଙ୍କ ଶତକ ବଳରେ ୩୬୨ ରନର ବିଶାଳ ସ୍କୋର କରିଥିଲା। ଏହାର ଜବାବରେ ଦକ୍ଷିଣ ଆଫ୍ରିକା ଭଲ ଆରମ୍ଭ କରିଥିଲେ ହେଁ ପ୍ରଭାବୀ ପ୍ରଦର୍ଶନ କରିପାରି ନ ଥିଲା। ମିଲରଙ୍କ ଶତକ(୧୦୦), ଅଧିନାୟକ ଟେମ୍ବା ବବୁମା(୫୬) ଏବଂ ରେସି ଭାନ ଡେର ଡସେନ(୬୯)ଙ୍କୁ ଛାଡ଼ିଦେଲ ଅନ୍ୟ କୌଣସି ଖେଳାଳି ଭଲ ପ୍ରଦର୍ଶନ କରିପାରି ନ ଥିଲେ। ନ୍ୟୁଜିଲାଣ୍ଡ ତରଫରୁ ମିଚେଲ ସାଣ୍ଟନର ସର୍ବାଧିକ ୩ ଉଇକେଟ ନେଇଥିବାବେଳେ ମ୍ୟାଟ ହେନରୀ ଓ ଗ୍ଲେନ ଫିଲ୍ଲିପ୍ସ ୨ଟି ଲେଖାଏ ଏବଂ ମାଇକେଲ ବ୍ରେସୱେଲ ଓ ରଚିନ ରବୀନ୍ଦ୍ର ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ। ନ୍ୟୁଜିଲାଣ୍ଡ ଫାଇନାଲରେ ଭାରତକୁ ଭେଟିବ। ଆସନ୍ତା ରବିବାର ଦିନ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ।