ବାରିପଦା: ମହିଳା ସଶକ୍ତୀକରଣ ନାଁରେ ଭୋଟ୍ ବ୍ୟାଙ୍କ ତିଆରି କରୁଥିଲେ ବିଜେଡି ସରକାର। ମିସନଶକ୍ତି ନୁହେଁ, ମହାଜନି କାରବାର ଚଳାଉଥିଲେ। କେବଳ ସ୍ଲୋଗାନରେ ମହିଳା ସଶକ୍ତୀକରଣକୁ ସୀମିତ ରଖିଥିଲେ। ମହିଳାଙ୍କୁ ଦଳୀୟ କାର୍ଯ୍ୟକ୍ରମରେ ନିୟୋଜିତ କରି ନିଜସ୍ବ ଫାଇଦା ଉଠାଇ ଚାଲିଥିଲେ। ମୟୂରଭଞ୍ଜ ଜିଲ୍ଲା ସଦର ମହକୁମା ବାରିପଦାସ୍ଥିତ ଛଉପଡ଼ିଆରେ ବୁଧବାର ଆୟୋଜିତ ସମାବେଶରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‘ସୁଭଦ୍ରା’ ଯୋଜନାରେ ହିତାଧିକାରୀଙ୍କୁ ଟଙ୍କା ବଣ୍ଟନ କରି ଏହିପରି ଢଙ୍ଗରେ ପୂର୍ବର ବିଜେଡି ସରକାରକୁ ଟାର୍ଗେଟ୍ କରିଛନ୍ତି।
ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କାର୍ଯ୍ୟକ୍ରମ ଅବସରରେ ‘ସୁଭଦ୍ରା’ ଯୋଜନା ପରିପ୍ରେକ୍ଷୀରେ ସରକାରଙ୍କ ପ୍ରତିବଦ୍ଧତା ସମ୍ପର୍କରେ ସୂଚନା ଦେଇଥିଲେ। ସେ କହିଥିଲେ, ଆଜି ‘ସୁଭଦ୍ରା’ ଯୋଜନାର ପ୍ରଥମ କିସ୍ତିରେ ଦ୍ୱିତୀୟ ପର୍ଯ୍ୟାୟରେ ୩୫ ଲକ୍ଷରୁ ଅଧିକ ଯୋଗ୍ୟ ହିତାଧିକାରୀଙ୍କ ଖାତାକୁ ୫ ହଜାର ଟଙ୍କା ଲେଖାଏଁ ଯାଇଛି। ୪ ମାସ ମଧ୍ୟରେ ଏଯାଏଁ ୬୦ ଲକ୍ଷରୁ ଊର୍ଦ୍ଧ୍ବ ମହିଳାଙ୍କୁ ପ୍ରଥମ କିସ୍ତିର ରାଶି ଯୋଗାଇ ଦେଇ ରାଜ୍ୟ ସରକାର ଏକ ଇତିହାସ ସୃଷ୍ଟି କରିଛନ୍ତି। ସେହିପରି, ଏଯାବତ୍ ୧ କୋଟି ୫୦ ହଜାର ମହିଳା ସୁଭଦ୍ରାରେ ପଞ୍ଜୀକୃତ ହୋଇଛନ୍ତି। ୨ଟି ପର୍ଯ୍ୟାୟରେ ମୋଟ ୬୦ ଲକ୍ଷ ମହିଳାଙ୍କୁ ‘ସୁଭଦ୍ରା’ ସହାୟତା ରାଶି ମିଳିଛି। ସମୁଦାୟ ୧୭୫୦ କୋଟି ଟଙ୍କା ମହିଳାମାନଙ୍କ ବ୍ୟାଙ୍କ ଖାତାକୁ ଯାଇଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସୂଚନା ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ୧୦ ଜଣ ହିତାଧିକାରୀଙ୍କୁ ସୁଭଦ୍ରା ସହାୟତା ଚେକ୍ ପ୍ରଦାନ କରିଥିଲେ।
ଏଠି ମହାଜନି କାରବାର ଚାଲିଥିଲା
୧ କୋଟି ୫୦ ହଜାର ମହିଳା ‘ସୁଭଦ୍ରା’ରେ ପଞ୍ଜୀକୃତ
ମୟୂରଭଞ୍ଜ ପାଇଁ ପ୍ରସ୍ତୁତ ହୋଇଛି ମାଷ୍ଟର୍ପ୍ଲାନ୍
ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ
ରିଂ ରୋଡ ଓ ସ୍ବାସ୍ଥ୍ୟ
ଭିତ୍ତିଭୂମି ସୁଦୃଢ଼ ହେବ
ସୁଭଦ୍ରା ଯୋଜନାର ଅଗ୍ରଗତି ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆହୁରି ମଧ୍ୟ କହିଥିଲେ, ଏହି ଯୋଜନାରେ ଏଯାଏଁ ୧ କୋଟି ୬୦ ଲକ୍ଷ ଫର୍ମ ବଣ୍ଟନ ହୋଇସାରିଛି। ସେଥିମଧ୍ୟରୁ ୧ କୋଟି ୩୦ ହଜାରରୁ ଊର୍ଦ୍ଧ୍ବ ହିତାଧିକାରୀ ଆବେଦନ କରିଛନ୍ତି। ପଞ୍ଜୀକରଣ ପାଇଁ ରାଜ୍ୟରେ ୨୮ ହଜାର ୪୦ରୁ ଅଧିକ ଜନସେବା କେନ୍ଦ୍ର ଓ ୧୦ ହଜାର ୫୫ରୁ ଅଧିକ ମୋ ସେବାକେନ୍ଦ୍ର କାର୍ଯ୍ୟ କରୁଛି। ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷରୁ ଊର୍ଦ୍ଧ୍ବ ହିତାଧିକାରୀଙ୍କୁ ୫ ହଜାର ଟଙ୍କାର ପ୍ରଥମ କିସ୍ତି ସହାୟତା ପ୍ରଧାନମନ୍ତ୍ରୀଙ୍କ କରକମଳରେ ହସ୍ତାନ୍ତର କରାଯାଇଥିଲା।
ମୟୂରଭଞ୍ଜ ଜିଲ୍ଲାରେ ଆଜି ପର୍ଯ୍ୟନ୍ତ ୫ ଲକ୍ଷ ୭୮ ହଜାର ୧୭୮ ଜଣ ହିତାଧିକାରୀ ସୁଭଦ୍ରା ଯୋଜନାରେ ପଞ୍ଜୀକରଣ କରିଛନ୍ତି। ସେଥିମଧ୍ୟରୁ ୧ ଲକ୍ଷ ୩୭ ହଜାର ୮୧୬ ଜଣ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଅର୍ଥ ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସୁଭଦ୍ରା ଯୋଜନାରେ ପଞ୍ଜୀକୃତ ପ୍ରଥମ ହିତାଧିକାରୀ ଖୋର୍ଦ୍ଧା ଜିଲ୍ଲା ଭୁବନେଶ୍ବର ବ୍ଲକ ବସୁଆଘାଇ ପଞ୍ଚାୟତର ଉମାରାଣୀ ମହାନ୍ତି ଓ ୧ କୋଟି ସଂଖ୍ୟାରେ ପଞ୍ଜୀକୃତ ହିତାଧିକାରୀ ସୁନ୍ଦରଗଡ଼ ଜିଲ୍ଲାର ନୂଆଗାଁ ବ୍ଲକ୍ ସୁରୁଡା ଗ୍ରାମର ଦୟାମଣି କୁଜୁରଙ୍କୁ ସମ୍ମାନିତ କରିଥିଲେ। ସୁବର୍ଣ୍ଣରେଖା, ବୁଢାବଳଙ୍ଗ ରିଂ ରୋଡ ଓ ସ୍ବାସ୍ଥ୍ୟ ଭିତ୍ତିଭୂମି ହେବ ସୁଦୃଢ଼ ହେବାସହ ମୟୂରଭଞ୍ଜ ଜିଲ୍ଲାର ବିକାଶ ପାଇଁ ମାଷ୍ଟରପ୍ଲାନ ପ୍ରସ୍ତୁତ ହୋଇଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସୂଚନା ଦେଇଥିଲେ।
ପ୍ରାରମ୍ଭରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଅବସରରେ ପ୍ରଥମେ ବାରିପଦା ପୌରପାଳିକା ପ୍ରାଙ୍ଗଣରେ ଅବସ୍ଥାପିତ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସମାବେଶରେ ଅନ୍ୟତମ ଅତିଥି ଭାବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗଦେଇ କହିଥିଲେ, ଓଡ଼ିଶାରେ ଶହେ ଦିନ ସରକାରରେ ‘ସୁଭଦ୍ରା’ ଭଳି ଏକ ଜନକଲ୍ୟାଣକାରୀ ଯୋଜନା ଆରମ୍ଭ ହୋଇଛି। ଆଗରୁ ଏଭଳି କୌଣସି ଯୋଜନା ନଥିଲା ଯେଉଁଥିରେ ୧ କୋଟିରୁ ଅଧିକ ମହିଳା ସାମିଲ ହୋଇଥିଲେ। ଏହି ସୁଭଦ୍ରା ଯୋଜନାକୁ ମୟୂରଭଞ୍ଜର ଆଦିମ ଜନଜାତି ମହିଳାମାନେ ଆପଣେଇଛନ୍ତି। ମହିଳାଙ୍କ ବିକାଶକୁ ‘ସୁଭଦ୍ରା’ ନୂଆ ଦିଶା ଦେଖାଇବ ଓ ବିକାଶର ମୂଳ ପିଣ୍ଡ ହେବ ବୋଲି ଶ୍ରୀମତୀ ପରିଡ଼ା ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ଜଙ୍ଗଲ, ପରିବେଶ, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ ଏହି ଯୋଜନାକୁ ଐତିହାସିକ ବୋଲି ବର୍ଣ୍ଣନା କରିଥିଲେ। ରାଜ୍ୟ ସରକାର ନାରୀ, ଚାଷୀ ଓ ଗରୀବଙ୍କୁ ସମ୍ମାନ ଦେଉଛନ୍ତି ବୋଲି ସେ କହିଥିଲେ।
ଗୃହ ନିର୍ମାଣ ଓ ନଗର ଉନ୍ନୟନ, ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ମୟୂରଭଞ୍ଜକୁ ଏକ ବିକଶିତ ଜିଲ୍ଲା ଭାବେ ଗଠନ କରିବା ପାଇଁ ଦଳମତ ନିର୍ବିଶେଷରେ ଏକଜୁଟ୍ ହେବାକୁ ଆହ୍ୱାନ କରିଥିଲେ। ଏହି ପରିପ୍ରେକ୍ଷୀରେ ମୟୂରଭଞ୍ଜ ଜବାହର ନବୋଦୟ ବିଦ୍ୟାଳୟର ଷଷ୍ଠ ଶ୍ରେଣୀର ଛାତ୍ରୀ ପରୀରୂପା ମହାନ୍ତ ତୃତୀୟ ଶ୍ରେଣୀ ବୃତ୍ତି ପରୀକ୍ଷାରେ ପାଇଥିବା ଅର୍ଥରାଶି ଆଜି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କୁ ହସ୍ତାନ୍ତର କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ସମାବେଶରେ ସାଂସଦ ମମତା ମହାନ୍ତ, ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ମୟୂରଭଞ୍ଜ ସାଂସଦ ନବ ଚରଣ ମାଝୀ, ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ଉଦଳା ବିଧାୟକ ଭାସ୍କର ଚନ୍ଦ୍ର ମଢ଼େଇ, ବାରିପଦା ବିଧାୟକ ପ୍ରକାଶ ସୋରେନ, ବଡ଼ସାହି ବିଧାୟକ ସନାତନ ବିଜୁଳି, ସାରସକଣା ବିଧାୟକ ଭାଦବ ହାଁସଦା, କରଞ୍ଜିଆ ବିଧାୟକ ପଦ୍ମଚରଣ ହାଇବୁରୁ, ରାଇରଙ୍ଗପୁର ବିଧାୟକ ଜଲେନ ନାଏକ, କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ବି. ପରମେଶ୍ବରନ ପ୍ରମୁଖ ଯୋଗଦେଇ ‘ସୁଭଦ୍ରା’ ଯୋଜନା ସମେତ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଲୋକାଭିମୁଖୀ ଯୋଜନା ସଂପର୍କରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶୋଭା ଶର୍ମା ସ୍ୱାଗତ ଭାଷଣ ଦେଇଥିବା ବେଳେ ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସୟ ଧନ୍ୟବାଦ ଅର୍ପଣ କରିଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଉକ୍ତ ସମାବେଶରେ ହଜାର ହଜାର ହିତାଧିକାରୀ, ସାଧାରଣ ଜନତା ସାମିଲ ହୋଇଥିଲେ।