Wednesday, January 15, 2025
Wednesday, January 15, 2025
Home Latest ସୁନାବେଶରେ ବ୍ରହ୍ମାଣ୍ଡଗୋସାଇଁ: ଭକ୍ତି ଭାବରେ ବୁଡ଼ିଲା ବଡ଼ଦାଣ୍ଡ, ଦର୍ଶନ କଲେ ୧୨ ଲକ୍ଷ ଶ୍ରଦ୍ଧାଳୁ

ସୁନାବେଶରେ ବ୍ରହ୍ମାଣ୍ଡଗୋସାଇଁ: ଭକ୍ତି ଭାବରେ ବୁଡ଼ିଲା ବଡ଼ଦାଣ୍ଡ, ଦର୍ଶନ କଲେ ୧୨ ଲକ୍ଷ ଶ୍ରଦ୍ଧାଳୁ

by
0 comment

ସୁନାବେଶରେ ବ୍ରହ୍ମାଣ୍ଡଗୋସାଇଁ: ଭକ୍ତି ଭାବରେ ବୁଡ଼ିଲା ବଡ଼ଦାଣ୍ଡ, ଦର୍ଶନ କଲେ ୧୨ ଲକ୍ଷ ଶ୍ରଦ୍ଧାଳୁ

ପୁରୀ: ମଥାରେ ସୁବର୍ଣ୍ଣର କିରୀଟ। କାନରେ ସୁବର୍ଣ୍ଣର କୁଣ୍ଡଳ। ଅଣ୍ଟାରେ ସୁବର୍ଣ୍ଣର କମରପଟି, ପାଦରେ ସୁବର୍ଣ୍ଣର ଶ୍ରୀପୟର। ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ଶ୍ରୀହସ୍ତରେ ସୁବର୍ଣ୍ଣର ହଳ ଓ ମୂଷଳ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀହସ୍ତରେ ସୁବର୍ଣ୍ଣର ଚକ୍ର ଓ ରୁପାର ଶଙ୍ଖ। ମା’ ସୁଭଦ୍ରାଙ୍କ ସୁବର୍ଣ୍ଣର ତଡ଼ଗି(କର୍ଣ୍ଣାଳଙ୍କାର)। ଗଳାରେ ରତ୍ନଖଚିତ ଘାଗଡ଼ା ମାଳି, ବାହାଡ଼ା ମାଳି, ତାବିଜ ମାଳି, ହରିଡ଼ା କଦମ୍ୱ ମାଳି, ବାଘନଖୀ ମାଳି, ସେବତୀ ମାଳି। ତା’ସହ ତିଳକ, ଆଡ଼କାନି, ସୂର୍ଯ୍ୟ-ଚନ୍ଦ୍ର, ଅଳକା, ଓଡ଼ିଆଣୀ, ମୟୂରଚନ୍ଦ୍ରିକା ଆଦି ଆଭୂଷଣ।

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

ଚରଣରୁ ମସ୍ତକ, ଏପରି ମହଣ ମହଣ ସୁବର୍ଣ୍ଣ ଅଳଙ୍କାରରେ ଆଭୂଷିତ ହୋଇ ଅଗଣିତ ଭକ୍ତଙ୍କୁ ରଥ ଉପରୁ ଦର୍ଶନ ଦେଇଛନ୍ତି ମର୍ତ୍ତ୍ୟବୈକୁଣ୍ଠର କ୍ଷେତ୍ରାଧିପତି। ଧରାପୃଷ୍ଠରେ ଆଜି ଏଭଳି ମାନବୀୟ ଲୀଳା କରିଛନ୍ତି କୋଟି କୈବଲ୍ୟନାଥ ବ୍ରହ୍ମାଣ୍ଡଗୋସାଇଁ। ଆତୁର ଭକ୍ତ ବି ମହାବାହୁଙ୍କ ଏହି ଅପୂର୍ବ ଲୀଳା ଓ ରୂପ ସଂଦର୍ଶନ କରି ଅଭିଭୂତ ହୋଇଛନ୍ତି। ଏହି ଦିବ୍ୟଦର୍ଶନ ପାଇ କୋଟି ଜନ୍ମର ପୂଣ୍ୟ ଲଭିଛନ୍ତି। ଏଥିପାଇଁ ବଡ଼ଦାଣ୍ଡ ଲୋକାରଣ୍ୟ ହୋଇଛି। ୧୨ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଠାକୁର ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ଏଭଳି ଅପୂର୍ବ ସୁନାବେଶରେ ଦର୍ଶନ ପାଇ କୃତାର୍ଥ ହୋଇଛନ୍ତି। ସେପଟେ ଆଜି ଛୁଟିଦିନ ଥିବାରୁ ସକାଳୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଶ୍ରୀକ୍ଷେତ୍ରକୁ ଭକ୍ତଙ୍କ ସୁଅ ଛୁଟିଛି। ସଂଧ୍ୟାରୁ ସଂପୂର୍ଣ୍ଣ ବଡ଼ଦାଣ୍ଡ ଜନସମୁଦ୍ର ପାଲଟିଛି। ନବଦିନାତ୍ମକ ଶ୍ରୀଗୁଣ୍ଡିଚା ଯାତ୍ରା ସାରି ଶ୍ରୀମନ୍ଦିର ସିଂହଦ୍ୱାରକୁ ବାହୁଡ଼ିବା ପରେ କର୍କଟ ସଂକ୍ରାନ୍ତି ଓ ଦିନ କ୍ଷୟ କାରଣରୁ ଗତକାଲି ମହାପ୍ରଭୁ ରଥାରୂଢ଼ ହୋଇ ଭକ୍ତଙ୍କୁ ଦର୍ଶନ ଦେଇଥିଲେ। ଆଜି ମାନବଦେହୀ ଠାକୁରେ ଅପରୂପ ଓ ଅନନ୍ୟ ସୁନାବେଶରେ ଦର୍ଶନ ଦେଇଛନ୍ତି।

ଆଜି ଆଷାଢ଼ ଶୁକ୍ଳ ଏକାଦଶୀ ତିଥିରେ ସିଂହଦ୍ୱାରରେ ଦଣ୍ଡାୟମାନ ତିନିରଥରେ ବଡ଼ଠାକୁର ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅତୀବ ରମଣୀୟ ସୁନ‌ାବେଶ ଅନୁଷ୍ଠିତ ହୋଇଥିଲା। ଏଥିପାଇଁ ବଡ଼ଦାଣ୍ଡରେ ଭକ୍ତିମୟ ପରିବେଶ ଦେଖିବାକୁ ମିଳିଥିଲା। ଭକ୍ତଙ୍କ ହରିବୋଲ, ହୁଳହୁଳି, ଜୟ ଜଗନ୍ନାଥ ଡାକରେ ଚାରିଦିଗ ପ୍ରକମ୍ପିତ ହୋଇଥିଲା। ବର୍ଷକ ପରେ ଭାବ ବିନୋଦିଆ କାଳିଆ ସାଆନ୍ତଙ୍କୁ ସୁନାବେଶରେ ଦେଖି ଭାବବିହ୍ବଳ ହୋଇଛନ୍ତି ଭକ୍ତ। ଅପୂର୍ବ ବେଶ ଦର୍ଶନ କରି ଭକ୍ତିଭାବରେ ଭିଜିବା ସହ ଝରାଇଛନ୍ତି ଆନନ୍ଦାଶ୍ରୁ। ସୁନାବେଶ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ହୋଇଥିଲା। ନୀତି ଅନୁପାଳନରେ ସଂପୃକ୍ତ ପାଳିଆ ସେବକମାନେ ଅନ୍ୟ ପାଳିଆ ସେବକଙ୍କ ପାଇଁ ଉଦାହରଣ ସାଜିଛନ୍ତି। ନିର୍ଘଣ୍ଟ ସମୟ ଅନୁସାରେ ଆଜି ସମସ୍ତ ନୀତିକାନ୍ତି ସମାପନ ହୋଇଛି।

ସକାଳ ୬ଟା ୪୦ରେ ତିନିରଥରେ ମଙ୍ଗଳ ଆଳତି ଶେଷ ପରେ ୬ଟା ୫୦ରୁ ୭ଟା ୧୦ରେ ଭିତରେ ମଇଲମ, ତଡ଼ପଲାଗି, ୮ଟା ୫୫ରେ ବେଶଶେଷ, ପରେ ପୂର୍ବାହ୍ଣ ୧୦ଟାରୁ ୧୦ଟା ୨୫ ଭିତରେ ଗୋପାଳବଲ୍ଲଭ ନୀତି ଶେଷ ହୋଇଥିଲା। ମହାସ୍ନାନ ଅନ୍ୟାନ୍ୟ ନୀତି ବଢ଼ି ସାଢ଼େ ୪ଟାରୁ ୪ଟା ୪୦ ଭିତରେ ସର୍ବାଙ୍ଗ ନୀତି ପରେ ସୁନାବେଶ ଆରମ୍ଭ ହୋଇଥିଲା। ଶ୍ରୀମନ୍ଦିର ଭଣ୍ଡାର ଘରୁ ସୁବର୍ଣ୍ଣର ଅଳଙ୍କାର ବାଇଶିପାହାଚ ଦେଇ ଆସିବା ପରେ ଦଇତାପତି ଓ ପୁଷ୍ପାଳକ ସେବକମାନେ ରଥ ଉପରେ ବିଜେ ତିନିଠାକୁରଙ୍କୁ ରତ୍ନଖଚିତ ସୁବର୍ଣ୍ଣ ଅଳଙ୍କାର ଲାଗି କରିଥିଲେ। ସଂଧ୍ୟା ୬ଟାରେ ସୁନାବେଶ ଶେଷ ପରେ ଅପରୂପ ସୌନ୍ଦର୍ଯ୍ୟରେ ଦର୍ଶନ ଦେଇଥିଲେ ଚତୁର୍ଦ୍ଧା ବିଗ୍ରହ। ପ୍ରଥମେ ବଡ଼ଠାକୁରଙ୍କୁ ଅଳଙ୍କାର ଲାଗି ପରେ ଦେବୀ ସୁଭଦ୍ରା ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କଠାରେ ଅଳଙ୍କାର ଲାଗି ହୋଇଥିଲା।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od