ଭୁବନେଶ୍ବର: କର୍ତ୍ତୃପକ୍ଷଙ୍କ ଠାରୁ ଅନୁମତି ନନେଇ ବେଆଇନ ଭାବେ ଭୂତଳ ଜଳ ବ୍ୟବହାର କରୁଛନ୍ତି ବିଲ୍ଡର। ରାଜଧାନୀର ଅନେକ ଆପାର୍ଟମେଣ୍ଟକୁ ଏଭଳି ବେଆଇନ ପାଣି ଯୋଗାଣ ହେଉଛି। ଫଳରେ ଭୁବନେଶ୍ବର ଭୂତଳ ଜଳ ଭୟଙ୍କର ଭାବରେ ପ୍ରଭାବିତ ହୋଇଛି। ଏଭଳି ଏକ ମାମଲାରେ ଟ୍ରାଇଡେଣ୍ଟ ପ୍ରପର୍ଟିଜ୍ ପ୍ରାଇଭେଟ୍ ଲିମିଟେଡ୍କୁ ପରିବେଶ କ୍ଷତିପୂରଣ ଦେୟ ବାବଦକୁ କେନ୍ଦ୍ରୀୟ ଭୂତଳ ଜଳ କର୍ତ୍ତୃପକ୍ଷ(ସିଜିଡବ୍ଲୁଏ) ୩କୋଟି ୫୬ ଲକ୍ଷ ୬୭ହଜାର ଟଙ୍କା ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଧାର୍ଯ୍ୟ ସମୟରେ ଏହା ଦାଖଲ ନ ହେବାରୁ ଏହି ବେଆଇନ ବୋର୍ୱେଲ୍କୁ ସିଲ୍ କରିବାକୁ ନିଷ୍ପତ୍ତି ନେଇଛି ସିଜିଡବ୍ଲୁଏ। ଫଳରେ ସେଠାରେ ବାସ କରୁଥିବା ପ୍ରାୟ ୪ ହଜାର ବାସିନ୍ଦା ଚିନ୍ତାରେ ପଡ଼ିଛନ୍ତି। ଅନ୍ୟପଟେ ଏତେ ମୋଟାଅଙ୍କର ଜରିମାନା ହୋଇଥିବାରୁ ଅନ୍ୟ ବିଲ୍ଡରମାନେ ମଧ୍ୟ ପ୍ରମାଦ ଗଣୁଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଟ୍ରାଇଡେଣ୍ଟ ପ୍ରପର୍ଟିଜ୍ ପ୍ରାଇଭେଟ୍ ଲିମିଟେଡ୍ର ‘ଟ୍ରାଇଡେଣ୍ଟ ଗ୍ୟାଲାକ୍ସି’ ନାମକ ଏକ ପ୍ରକଳ୍ପ ପାଇକରାପୁର ଫେଜ୍-୧ରେ ରହିଛି। ଏହି ପ୍ରକଳ୍ପ ପାଇଁ ଆବଶ୍ୟକ ହେଉଥିବା ପାଣି ବୋର୍ୱେଲ୍ ଖୋଳି ସମ୍ପୃକ୍ତ ବିଲ୍ଡର ଯୋଗାଉଛି। ଭୂତଳ ଜଳ ଏଭଳି ବ୍ୟବହାର ନେଇ କଟକଣା ରହିଛି। ଏଥିପାଇଁ ସିଜିଡବ୍ଲୁଏ ଠାରୁ ଏନ୍ଓସି ଆଣିବାକୁ ହୁଏ। କିନ୍ତୁ ୨୦୨୦ ମସିହାରୁ ଏହି ବିଲ୍ଡର ଏନ୍ଓସି ନନେଇ ଭୂତଳ ଜଳ ଶୋଷୁଥିଲା। ଅଭିଯୋଗ ହେବା ପରେ କର୍ତ୍ତୃପକ୍ଷ ଚଢ଼ଉ କରିଥିଲେ। ଚଢ଼ଉ ବେଳେ ଏହି ବେଆଇନ କାରବାର ବିଷୟରେ ଜଣା ପଡ଼ିଥିଲା। ଏଣୁ କର୍ତ୍ତୃପକ୍ଷ ୨୦୨୦ ମସିହାରୁ ୨୦୨୪ ମେ’ ମାସ ପର୍ଯ୍ୟନ୍ତ ୪ ବର୍ଷ ଭୂତଳ ଜଳ କେତେ ଚୋରି ହୋଇଛି ତାହାର ହିସାବ କରିଥିଲେ। ଦୈନିକ ୧ କିଲୋଲିଟର ପିଛା ୪୫ଟଙ୍କା ହିସାବରେ ୩କୋଟି ୫୬ ଲକ୍ଷ ୬୭ହଜାର ଟଙ୍କା ଧାର୍ଯ୍ୟ ହୋଇଥିଲା।
ଗତ ଏପ୍ରିଲ୍ ୨ ତାରିଖରେ ସିଜିଡବ୍ଲୁଏ ଟ୍ରାଇଡେଣ୍ଟ ପ୍ରପର୍ଟିଜ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲେ। ବେଆଇନ ବୋର୍ୱେଲ୍ ଖୋଳି ଭୂତଳ ଜଳ ବ୍ୟବହାର କରୁଥିବାରୁ କାହିଁକି ସେ ବୋର୍ୱେଲ୍ ସିଲ୍ କରି ଦିଆନଯିବ ଓ ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବ, ସେ ନେଇ ୧୫ ଦିନ ଭିତରେ ଉତ୍ତର ଚାହିଥିଲେ। କିନ୍ତୁ ଏ ନେଇ କୌଣସି ସନ୍ତୋଷଜନକ ଉତ୍ତର ନ ପାଇବାରୁ ସିଜିଡବ୍ଲୁଏ ସମ୍ପୃକ୍ତ ଆପାର୍ଟମେଣ୍ଟରେ ଚଢ଼ଉ କରି ବେଆଇନ ଜଳ ଉତ୍ତୋଳନ ନେଇ ପ୍ରମାଣ ପାଇଥିଲେ ଓ ଜରିମାନା ଅର୍ଥ ଜମା କରିବା ପାଇଁ ମେ’ ୭ ତାରିଖରେ କର୍ତ୍ତୃପକ୍ଷ ନୋଟିସ୍ କରିଥିଲେ। ନୋଟିସ୍ର ୩୦ ଦିନ ଭିତରେ, ବା ଜୁନ୍ ୭ ତାରିଖ ସୁଦ୍ଧା ଏହି ଅର୍ଥ ଜମା କରିବାକୁ କୁହାଯାଇଥିଲା। କିନ୍ତୁ ସଂସ୍ଥା ଏ ନେଇ କୌଣସି ଯୋଗାଯୋଗ କରି ନଥିଲା କିମ୍ବା ଅର୍ଥ ମଧ୍ୟ ଜମା କରିନଥିଲା। ଏଣୁ ଆଇନ ଅନୁଯାୟୀ ସମ୍ପୃକ୍ତ ସଂସ୍ଥାଠାରୁ ଜରିମାନା ଅର୍ଥ ଆଦାୟ କରାଯିବ ଓ ବେଆଇନ ବୋର୍ୱେଲ୍କୁ ସିଲ୍ କରାଯିବ ବୋଲି କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି। ତା’ସହିତ କଟକ ଜିଲ୍ଲାପାଳଙ୍କୁ ଏହି ବୋର୍ୱେଲ୍ ସିଲ୍ କରିବା ଓ ସମ୍ପୃକ୍ତ ବୋର୍ୱେଲ୍କୁ ଦିଆଯାଇଥିବା ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରିବାକୁ ଚିଠି ଲେଖିଛନ୍ତି। କର୍ତ୍ତୃପକ୍ଷ ଦର୍ଶାଇଛନ୍ତି ସେ ଏଭଳି ବେଆଇନ ବୋର୍ୱେଲ୍ ସିଲ୍ କରିବାକୁ ଆଇନ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ କ୍ଷମତା ପ୍ରଦାନ କରିଛି। ଟ୍ରାଇଡେଣ୍ଟ ଗ୍ୟାଲାକ୍ସି ୱେଲ୍ଫେୟାର ଆସୋସିଏସନ ପକ୍ଷରୁ କୁହାଯାଇଛି, ବିଲ୍ଡର ଏଭଳି ବେଆଇନ ଭାବରେ ସଂଯୋଗ ନେବା ଉଚିତ ନଥିଲା। ଏବେ ପାଣି ସଂଯୋଗ ବିଚ୍ଛିନ୍ନ ହେଲେ ସେଠାରେ ବାସ କରୁଥିବା ୪ ହଜାର ଲୋକ କଣ କରିବେ? ପାଣି ସଂଯୋଗ ରହିଲେ ବା କଟିଲେ ବିଲ୍ଡରର କିଛି ଯାଏ ଆସେ ନାହିଁ। କେବଳ ରହୁଥିବା ଲୋକ ହିଁ ଫସିବେ। ଏଣୁ ଏହା କିଭଳି ସମାଧାନ ହେବ ସେ ନେଇ ବିଲ୍ଡର ତତ୍ପରତା ପ୍ରକାଶ କରିବାକୁ ସଂଘ ଦାବି କରିଛି।