ଖଣ୍ଡଗିରି: କୋରଡ଼କଣ୍ଟା ଗାଁରେ କାହିଁ କେଉଁ କାଳରୁ ଗ୍ରାମଦେବତୀ ରୂପେ ମା’ ଭୁଆସୁଣି ପୂଜା ପାଉଛନ୍ତି। ବମିଖାଲ ଭୁଆସୁଣିଙ୍କ ଭଉଣୀ ହେଉଛନ୍ତି କୋରଡ଼କଣ୍ଟା ମା’ ଭୁଆସୁଣି। ମା’ କେଉଁଠୁ ଆସିଲେ, ତାଙ୍କୁ କିଏ ଆଣିଥିଲା କେହି ଜାଣନ୍ତି ନାହିଁ। ହେଲେ ପୁରୁଖା ଲୋକଙ୍କ କହିବା ଅନୁଯାୟୀ ପୂର୍ବେ ମା’ ବିରାଟ ଓସ୍ତଗଛ ମୂଳେ ଆତ୍ମଗୋପନ କରିଥିଲେ। ସେତେବେଳେ ପ୍ରଥମକରି କୋରଡ଼କଣ୍ଟାରେ ଜେନା ପରିବାର (କ୍ଷତ୍ରିୟ) ଆସି ଗାଁରେ ବସବାସ କଲେ। ଗ୍ରାମର ନାମ କୋରଡ଼କଣ୍ଟା ଦେଲେ। ସ୍ବର୍ଗତ ଶତ୍ରୁଘ୍ନ ଜେନା, କାଳନ୍ଦୀ ଜେନା, ବିକେଇ ଜେନା ପ୍ରଥମେ ମା’ଙ୍କୁ ପାଇ ତାଙ୍କ ପୂଜା କରୁଥିଲେ। ପରେ ମହାରଣା, କରଣ, ମହାନ୍ତି, ବେହେରା, ଭୋଇ ସମ୍ପ୍ରଦାୟ ବ୍ୟକ୍ତି ଆସି ବସବାସ କଲେ ଏବଂ ମା’ଙ୍କୁ ପୂଜା କଲେ। ସେତେବେଳେ ସ୍ବର୍ଗତ ଶତ୍ରୁଘ୍ନ ଜେନା ରାଜାଙ୍କ ଖଜଣା ଆଦାୟ କରୁଥିଲେ। ୧୯୯୯ ମସିହା ମହାବାତ୍ୟାରେ ମନ୍ଦିର ଓ ଓସ୍ତଗଛ ଭାଙ୍ଗିଯିବାରୁ ତାଙ୍କ ପରିବାରର ସ୍ବର୍ଗତ ମୃତ୍ୟୁଞ୍ଜୟ ଜେନା ଓ ତାଙ୍କ ପୁଅ ନିରଞ୍ଜନ ଜେନା ମା’ଙ୍କ ପାଇଁ ମନ୍ଦିର ନିର୍ମାଣ କଲେ। ମା’ଙ୍କର କୁନି ପଥର ମୂର୍ତ୍ତି ଓ କଳାଘୋଡ଼ା ଧଳାଘୋଡ଼ା ଏବେ ପୂଜା ପାଉଛନ୍ତି। ମା’ଙ୍କ ପାଖରେ ଏବେ ଖଣ୍ଡାୟତ ପରିବାର ଖଣ୍ଡା ପୂଜା କରନ୍ତି। ସେହିପରି ଦଶହରା, ଷୋଳପୂଜା ଭଳି ସବୁ ପୂଜା କରାଯାଏ।
ଦଶହରାରେ ପାଣିକଖାରୁ ବଳି ପଡ଼ୁଛି। ମା’ଙ୍କ ମନ୍ଦିରର ବାର୍ଷିକ ଉତ୍ସବ ଏପ୍ରିଲ ୨ ତାରିଖରେ ପାଳିତ ହେଉଛି। ରାମ ନବମୀରେ ମଧ୍ୟ ବଡ଼କରି ମହୋତ୍ସବ ପାଳିତ ହୁଏ। ଅକ୍ଷୟ ତୃତୀୟାରେ ଏଠାରେ ପୂଜା କରାଯାଏ। ଏବେ ଗାଁର ମୂଳ ବାସିନ୍ଦାଙ୍କ ସହ ପାଖରେ ଗଢ଼ିଉଠିଥିବା ବିଭିନ୍ନ ଆପାର୍ଟମେଣ୍ଟ ଓ କଲୋନି ଲୋକେ ମଧ୍ୟ ମା’ଙ୍କୁ ଗ୍ରାମଦେବତୀ ରୂପେ ପୂଜା କରୁଛନ୍ତି। ବିବାହ, ବ୍ରତଘର ହେଲେ ପ୍ରଥମେ ମା’ଙ୍କୁ ନିମନ୍ତ୍ରଣ କରାଯାଏ। ବିବାହ ବେଳେ ପୀଠରେ ଦିଅଁ ମଙ୍ଗୁଳା କରାଯାଏ। ଯେକୌଣସି ମାଙ୍ଗଳିକ କାର୍ଯ୍ୟ ହେଲେ, ଆଗେ ମା’ଙ୍କ ପାଖରେ ପୂଜା କରାଯାଏ। କାହାର କିଛି ଜିନିଷ ହଜିଲେ କିମ୍ବା ଯେ କୌଣସି ବିପଦ ପଡ଼ିଲେ ମା’ଙ୍କ ପାଖରେ ଅଧିଆ ପଡ଼ି ଲୋକେ ମାନସିକ କରନ୍ତି। ସବୁ ପୂର୍ଣ୍ଣିମା ଓ ଅମାବାସ୍ୟାରେ ଏଠାରେ ବିଶେଷ ପୂଜା ହୋଇଥାଏ। ଠାକୁରାଣୀଙ୍କ ଝାମୁଯାତ୍ରା, ଯଜ୍ଞ ଓ ଦଶହରା ପୂଜା ମଧ୍ୟ ଜାକଜମକରେ ହୁଏ। ଠାକୁରାଣୀଙ୍କୁ ରାମଚନ୍ଦ୍ର ପଣ୍ଡା ପୂଜା କରୁଥିଲେ। ତାଙ୍କ ଦେହାନ୍ତ ପରେ ୩୦ ବର୍ଷ ହେଲା ନାରାୟଣ ପଣ୍ଡା ପୂଜା କରୁଛନ୍ତି। ଗ୍ରାମର ଅଜୟ କୁମାର ଜେନାଙ୍କ କହିବା କଥା, ଲୋକଙ୍କ ବିଶ୍ବାସ ମା’ ଅଛନ୍ତି ବୋଲି ଗାଁରେ ଏକତା ଅଛି। କେବେ ବିଭ୍ରାଟ ହୋଇନାହିଁ। ସେହିପରି ମନ୍ଦିର ପାଖରେ ଶହେ ବର୍ଷ ତଳେ ମହାରଣା ଜମିରେ ହଳ କରିବା ବେଳେ ପାତାଳ ଫୁଟି ଅର୍ଦ୍ଧକପାଳେଶ୍ବର ଠାକୁର ମଧ୍ୟ ଆବିର୍ଭାବ ହୋଇଛନ୍ତି। ଗ୍ରାମବାସୀଙ୍କ ବିଶ୍ବାସ, ଠାକୁରଙ୍କ ମନ୍ଦିର ପାଖରୁ ଧୂଳି ନେଇ ମୁଣ୍ଡରେ ମାରିଲେ ମୁଣ୍ଡବିନ୍ଧା କମିଯାଏ।
ରିପୋର୍ଟ: ହରପ୍ରିୟା ପୃଷ୍ଟି
ଫଟୋ: ନରସିଂହ ପରିଡ଼ା