Sunday, January 12, 2025
Home ସମ୍ପାଦକୀୟ ସରସ ରସ: ବେଦନା ଯେବେ ଔଷଧ ହୁଏ

ସରସ ରସ: ବେଦନା ଯେବେ ଔଷଧ ହୁଏ

by
0 comment

ଆମ ଭିତରୁ ପ୍ରାୟ ସମସ୍ତେ କେବେ ନା’ କେବେ କିଛି ଅସହଜ ଓ ବେଦନାସିକ୍ତ ମୁହୂର୍ତ୍ତକୁ ସାମ୍ନା କରିଛନ୍ତି ଓ ସେଥିରୁ ମୁକୁଳିବାକୁ ବେଶ୍‌ କିଛି ସଂଘର୍ଷ କରିବାକୁ ପଡ଼ିଛି। ଏପରି ଏକ ପରିସ୍ଥିତିରେ ପଡ଼ିଲେ ପୁରୁଷ ଅପେକ୍ଷା ନାରୀଟିଏ ଅଧିକ ଧୌର୍ଯ୍ୟର ସହିତ ପରିସ୍ଥିତିକୁ ସାମ୍ନା କରିଥାଏ, କାରଣ ନାରୀ ପୁରୁଷଠାରୁ ମାନସିକ ସ୍ତରରେ ଅଧିକ ଶକ୍ତିଶାଳୀ। ଏପରି ଅକଳ ଅବସ୍ଥାରେ ପଡ଼ିଲେ ନାରୀର ମାନସିକ ସ୍ଥିତି କ’ଣ ହୋଇପାରେ, କିଛି ଚିତ୍ର ଓ ଚରିତ୍ର ମାଧ୍ୟମରେ ବୁଝିବାକୁ ଚେଷ୍ଟା କରିବା।

କୁହତ ଦେଖି, ନିଜର ଜରାୟୁକୁ ଭଡ଼ାରେ ଦେଇ ଅନ୍ୟ ଦୁଇଜଣଙ୍କର ଜୈବିକ ସଂତାନକୁ ଜନ୍ମଦେଇଥିବା ‘ସରୋଗେଟ୍’ ମା’ଟିଏ ଯଦି ତୁମେ ହୋଇଥାଅ, ନାହିନାଡ଼ ଲାଗିଥିବା ଅବସ୍ଥାରେ ତୁମଠାରୁ ଦୂରେଇ ନିଆଯାଇଥିବା ସେ ସନ୍ତାନକୁ କୋଡ଼ିଏ ବର୍ଷ ପରେ ସାମ୍ନାରେ ପାଇଲେ ତୁମର ଅନୁଭବ କ’ଣ ହେବ? ଅବିଶ୍ବାସ ଓ ଆଶ୍ଚର୍ଯ୍ୟର ଏକ ଆବର୍ତ୍ତ ମଧ୍ୟରେ ସମସ୍ତ ଆବେଗ ତୁମର ଏକତ୍ର ହେବାରେ ଲାଗିବ। ନଅମାସ ପେଟ ଭିତରେ ପିଲାଟି ଥିବା ସମୟର ସ୍ମୃତି ସାମ୍ନାକୁ ଆସି ତୁମକୁ ବ୍ୟଥିତ କରିଦେବ। ତାକୁ ଟିକିଏ ଛୁଇଁବାକୁ ଇଚ୍ଛା କରି ମଧ୍ୟ ଛୁଇଁ ପାରୁନଥିବ। ସାମ୍ନାରେ ତୁମକୁ ରୋକି ରଖିଥିବ ଗୋଟିଏ ଅଦୃଶ୍ୟ କାଚ କାନ୍ଥ। ତୁମେ ମିଛ ମା’ଟିଏ ବୋଲି କେବେ ବି ନିଜକୁ ସ୍ବୀକୃତି ଦେଇପାରୁନଥିବ। ଓଠ ପାଖରେ କିଲ୍‌ବିଲ୍ କରୁଥିବା ଶବ୍ଦମାନଙ୍କୁ ଢୋକିଦେବାବେଳେ ଭାବୁଥିବ, ମତେ ଚିହ୍ନି ନପାରିଲେ କ’ଣ ହେଲା, ମୋ ରକ୍ତକୋଷର ତୁ ହିଁ ତ’ ଭଗ୍ନାଂଶଟିଏ! ମୋ ଜରାୟୁ ଭିତରେ କେତେ ଯେ ଲାତ ସହିଛି ତୋ କୁନି ପାଦର। ନାହିନାଡ଼ଦେଇ କେତେ ଯେ ରକ୍ତ ବୁହାଇ ଦେଇଛି ତୋର କଅଁଳ ଶିରାପ୍ରଶିରାରେ। ସାମ୍ନାରେ ଠିଆହୋଇ ସେ ମଧ୍ୟ ଜାଣିପାରୁନଥିବ ତା’ର ଏ ଅଜଣାପଣକୁ ଜୀବିତ ରଖିବାକୁ କେତେ କେତେ ମୂଲ୍ୟ ଦେବାକୁ ପଡ଼ିଛି ତୁମକୁ। ସେଠାରେ ନିର୍ବାକ୍ ଠିଆ ହୋଇ ତୁମେ ବରଫର ମୂର୍ତ୍ତି ପାଲଟିଯିବ ଓ ମସ୍ତିଷ୍କ ତୁମର ଅସମ୍ବନ୍ଧିତ ଟୁକୁରା ଖଣ୍ଡରେ ପରିଣତ ହେବା ପରି ଅନୁଭବ ହେବ। ତଥାପି ତୁମେ ନିଜକୁ ସମ୍ଭାଳିନେବ।

କୁହତ ଦେଖି, କେଉଁ ଏକ ଅଶୁଭ ଅପରାହ୍‌ଣରେ ବଳାତ୍କାରର ଶିକାର ହୋଇଥିବା ନାରୀଟିଏ ଯଦି ତୁମେ ହୋଇଥାଅ, କୋଡ଼ିଏ ବର୍ଷ ପରେ ସେ ବଳାତ୍କାରୀକୁ ଏକ ରେଷ୍ଟୁରାଣ୍ଟରେ ଦେଖି ତୁମର ଅନୁଭବ କ’ଣ ହେବ? ତୁମର ଛାତିର ସ୍ପନ୍ଦନ ଅଚାନକ ବଢ଼ିଯିବ ଓ ନିଜ ଭିତରେ ତୁମେ ଏକ ଶକ୍ତ ଧକ୍‌କା ଅନୁଭବ କରିବ। କିଛି କ୍ଷଣ ସ୍ତବ୍‌ଧ ରହିଯାଇ ମସ୍ତିଷ୍କରେ ଉଷ୍ମ ରକ୍ତର ଏକ ବିସ୍ଫୋରଣ ହେବାର ଅନୁଭବ କରିବ। କିଛି କରିପାରୁନଥିବାର ହତାଶା ତୁମକୁ ଆଚ୍ଛନ୍ନ କରିଦେବ। ଅପରାଧୀଟି ନିଜ ପରିବାର ସହିତ ଟେବୁଲ ସାମ୍ନାରେ ବସିଥିଲେ ମଧ୍ୟ ଏକ ଅହେତୁକ ଆଶଙ୍କାରେ ତୁମେ ଫସିରହିବ ଓ ପୃଥିବୀର ଆଦିମତମ ସତ୍ୟର ସେଇ କଦାକାର ମୁହୂର୍ତ୍ତର ଚେହେରାଟି ଆଉ ଥରେ ଆଖିରେ ତୁମର ନାଚିଯାଉଥିବ। ପରିସ୍ଥିତି ଏମିତି ଥିବ, ଯେମିତିକି ବିଜୁଳିର ଝଟ୍‌କା ଆକାଶକୁ ଦୁଇଭାଗ କରିସାରିବା ପରେ ପୁଣି ଥରେ ଅନ୍ଧାର ଘୋଟିଯାଇଛି। ଭିତରେ ଭିତରେ ତୁମେ ଛଟପଟ ହେଉଥିବ ନିବୁଜ ମନର ଅସ୍ଥିର କୋହରେ କିମ୍ବା କିଛି ପ୍ରଳୟ ଘଟାଇ ପାରୁନଥିବାର ଜ୍ବାଳାରେ। ବ୍ୟତିବ୍ୟସ୍ତ ହେଉଥିବ, ନିରବତାର ସିନ୍ଦୁକ ଭିତରେ ଲୁଚାଇ ରଖିଥିବା ସେ ବହଳ ଅନ୍ତର୍ଦାହ ପରିବାର ସାମ୍ନାରେ କାଳେ ଇଡ଼ିଯିବକି ଆଉ! ତଥାପି ତୁମେ ନିଜକୁ ସମ୍ଭାଳିନେବ।

କୁହତ ଦେଖି, ତୁମର ଶତ ଅନିଚ୍ଛା ଓ ପ୍ରୟାସକୁ ଅଣଦେଖା କରି ତୁମକୁ ପରିତ୍ୟାଗ କରି ଚାଲିଯାଇଥିବା ପୂର୍ବତନ ପତିଙ୍କ ସହିତ କୋଡ଼ିଏ ବର୍ଷ ପରେ ଯଦି ଏକ ରେଷ୍ଟୁରାଣ୍ଟରେ ପ୍ରଥମ ଥର ପାଇଁ ଦେଖା ହୋଇଯାଏ, ମନର ଅବସ୍ଥାକୁ ତୁମେ କେମିତି ଅନୁଭବ କରିବ? ଗୋଟିଏ ଫମ୍ପା ଖାଲିପଣ ମନରେ ତୁମର ଉତ୍ପନ୍ନ ହେବ ଓ ସେ ଶୂନ୍ୟତା ମଧ୍ୟରେ ମିଶି ରହିଥିବ କିଛି ଉଷ୍ମ ଦୀର୍ଘଶ୍ବାସ। ଏକ ଉଦାସଭାବ ତୁମକୁ ଆଚ୍ଛନ୍ନ କରିଦେବ। ଅତୀତର କିଛି ସ୍ମୃତି ଉଜ୍ଜୀବିତ ହୋଇଯିବ। ପାଖରେ ଥିବା ତା’ ପରିବାରକୁ ଦେଖି ଲୋକଟି ସଂପର୍କରେ ଜାଣିବାକୁ ତୁମେ କୌତୂହଳୀ ହେବ। ଅତୀତର କିଛି ତିକ୍ତ ଅନୁଭୂତି ମନେ ପକାଇ ମନ ବିଷାକ୍ତ ହୋଇଉଠିବ ଓ ପରେ ପରେ ତୁମେ ଆତ୍ମବିଚାରର ଅନ୍ତିମ ବିରୋଧାଭାଷରେ ଫସିଯିବ। ଭାବନା ଓ ଭାବପ୍ରବଣତା ସହିତ ଏକାତ୍ମ ନହେବାପାଇଁ ତୁମେ ନିଜକୁ ବୁଝାଇଦେବ। ହୃଦୟର କେଉଁ ଗୋଟେ ନିବୁଜ ଅଳିନ୍ଦ ମଧ୍ୟରେ ବନ୍ଦ ପଡ଼ିଥିବା ନଷ୍ଟ ଲିପିର ଶିଳାଲେଖ ଉପରୁ ଧୂଳି ଝାଡ଼ି ଦେଉଦେଉ ମନେମନେ ଲୋକଟି ଉଦ୍ଦେଶ୍ୟରେ ହୁଏତ ସ୍ବଗତୋକ୍ତି କରିବ, ‘ଚୁଟି ଧଳା ଦିଶିଲାଣି, ରଙ୍ଗ ଲଗଉନ କାହିଁକି’? କ୍ଷଣିକ ଭାବନା ଓ ଭାବପ୍ରବଣତା ସହିତ ଅନ୍ତରଙ୍ଗ ନହେବାପାଇଁ ଆତ୍ମସଚେତନ ହୋଇ ତୁମେ ନିଜକୁ ସମ୍ଭାଳିନେବ।

କୋଡ଼ିଏ ବର୍ଷ ପରେ ମଧ୍ୟ ଏ ଚରିତ୍ର ତିନିଟି ନିଜକୁ ଅକସ୍ମାତ ଆବିଷ୍କାର କରିବାର ଚେଷ୍ଟାରେ ନିଜ ଭିତରେ ଗୋଟିଏ ଅସ୍ପୃଶ୍ୟ ଛାଇକୁ ପୁନର୍ଜୀବିତ କରିବାର ନିଷ୍ଫଳ ପ୍ରୟାସ କରିଛନ୍ତି। ଏ ଚିତ୍ରର ଚରିତ୍ରମାନେ କହିପାରିବେ କି, ଏମିତି ଏକ ଅସହଜ ପରିସ୍ଥିତିକୁ ସାମ୍ନା କଲାବେଳେ ହୃଦୟ ଖୋଜୁଥିବା ପ୍ରଶ୍ନରେ ସେମାନେ ନିଜେ ଛନ୍ଦିହୋଇ ଯାଇନାହାନ୍ତି କି? ନା’ ମୋଟେ ନୁହେଁ। ଏଇଥିପାଇଁ ହୋଇନାହାନ୍ତି ଯେ, ବେଳେବେଳେ ପ୍ରଶ୍ନ ନିଜେ ଉତ୍ତର ପାଲଟିଯାଏ ଏବଂ ଉତ୍ତର ମଧ୍ୟରେ ପ୍ରଶ୍ନ ଲୁଚିଯାଏ। କୋଡ଼ିଏ ବର୍ଷ ମଧ୍ୟରେ ସୁନ୍ଦର ପ୍ରତିମାଟିଏ ହୋଇସାରିବା ପରେ ସେମାନଙ୍କ ଅତୀତର ସେଇ ପ୍ରସ୍ତର ଜୀବନର ଆର୍ତ୍ତନାଦ ଶୁଣିବ ବା କିଏ? ଆବଶ୍ୟକ ବା କ’ଣ? ସେମାନେ ଠିକ୍ ବୁଝିଛନ୍ତି ଯେ ଭାବନାର ମୂଲ୍ୟାୟନ କରିବା କ୍ଷତିକାରକ। ତେଣୁ, ପରିସ୍ଥିତିକୁ ତା’ ନିଜସ୍ବ ମୂଲ୍ୟର ଆଧାରରେ ଗ୍ରହଣ କରିନେବାକୁ ସେମାନେ ଚାହିବେ। ମନକୁ ବୁଝାଇଦେବେ ଯେ ଭାବାବେଗକୁ ମୂଲ୍ୟାୟନ କରି ସେଥିରେ ଛାପା ଲଗାଇବାର ଅର୍ଥ ଜୀବନର ଗତିରୋଧ କରିବା। ଜଳ ବିନ୍ଦୁବିନ୍ଦୁ ହୋଇ ଭୂମିରେ ପଡ଼ିଲେ ତାକୁ ଉତ୍ତପ୍ତ ଧରିତ୍ରୀର ଜ୍ବାଳା ସହ୍ୟ କରିବାକୁ ପଡ଼େ, ମାତ୍ର ସେଇ ଜଳବିନ୍ଦୁ ନଦୀରେ ପରିଣତ ହୋଇଗଲା ପରେ ଆଉ ନଥାଏ ବିନ୍ଦୁର ବେଦନା। ଠିକ୍ ସେହିପରି ଅନେକ ଅଣପ୍ରଶମିତ ଯନ୍ତ୍ରଣା ଏକତ୍ର ହେଲେ ତାହା ଆଉ ଯନ୍ତ୍ରଣା ହୋଇ ନରହି ପାଲଟିଯାଏ ସେଇ ଯନ୍ତ୍ରଣାର ମହୌଷଧି। “ଇସରତ୍-ଏ-କତରା ହୈ ଦରିୟା ମୈଁ, ଫନା ହୋ ଜାନା/ ଦର୍ଦ୍ଦ କା ହଦ୍ ସେ ଗୁଜରନା ହୈ ଦବା ହୋ ଜାନା।” ମିର୍ଜା ଗାଲିବଙ୍କର ଏ କବିତାକୁ ଜଣେ ନାରୀଠାରୁ ଅଧିକ ବୁଝିଛି ବା କିଏ?
ମୋ: ୯୩୩୭୬୪୮୬୩୮

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od