Sunday, February 23, 2025
Home ସମ୍ପାଦକୀୟ ସରଳ ବିଚାର: ଷ୍ଟାଚ୍ୟୁ ଯେବେ ଧରାଶାୟୀ ହୁଏ

ସରଳ ବିଚାର: ଷ୍ଟାଚ୍ୟୁ ଯେବେ ଧରାଶାୟୀ ହୁଏ

by
0 comment

ସରଳ ବିଚାର: ଷ୍ଟାଚ୍ୟୁ ଯେବେ ଧରାଶାୟୀ ହୁଏ

ତିନିଟି କୃଷି ଆଇନକୁ ପ୍ରତ୍ୟାହାର କରିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମ ଥର ଲାଗି ଟେଲିଭିଜନ୍‌ରେ ଦେଶବାସୀଙ୍କୁ କ୍ଷମା ପ୍ରାର୍ଥନା କରିବା ପରେ ଗଲା ଅଗଷ୍ଟ ୩୦ ତାରିଖରେ ମହାରାଷ୍ଟ୍ରର ଏକ ଜନସଭାରେ ଦ୍ୱିତୀୟ ଥର ଲାଗି ସର୍ବ ସମକ୍ଷରେ କ୍ଷମା ପ୍ରାର୍ଥନା କରିଛନ୍ତି।

 profile image

Updated

 ସରଳ ବିଚାର: ଷ୍ଟାଚ୍ୟୁ ଯେବେ ଧରାଶାୟୀ ହୁଏ

ତିନିଟି କୃଷି ଆଇନକୁ ପ୍ରତ୍ୟାହାର କରିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମ ଥର ଲାଗି ଟେଲିଭିଜନ୍‌ରେ ଦେଶବାସୀଙ୍କୁ କ୍ଷମା ପ୍ରାର୍ଥନା କରିବା ପରେ ଗଲା ଅଗଷ୍ଟ ୩୦ ତାରିଖରେ ମହାରାଷ୍ଟ୍ରର ଏକ ଜନସଭାରେ ଦ୍ୱିତୀୟ ଥର ଲାଗି ସର୍ବ ସମକ୍ଷରେ କ୍ଷମା ପ୍ରାର୍ଥନା କରିଛନ୍ତି। ଏଥର କ୍ଷମା ପ୍ରାର୍ଥନାର କାରଣ ଥିଲା ମହାରାଷ୍ଟ୍ରରେ ମାତ୍ର ୯ ମାସ ତଳେ ତାଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିବା ଛତ୍ରପତି ଶିବାଜୀଙ୍କର ଏକ ପ୍ରତିମୂର୍ତ୍ତି ବା ଷ୍ଟାଚ୍ୟୁ ଖଣ୍ଡବିଖଣ୍ଡିତ ହୋଇ ଧରାଶାୟୀ ହୋଇଯିବା। ଉଲ୍ଲେଖଯୋଗ୍ୟ ଯେ ୨୦୨୩ ମସିହା ଡିସେମ୍ୱର ୪ ତାରିଖରେ ‘ନୌବାହିନୀ ଦିବସ’ ଉପଲକ୍ଷେ ମହାରାଷ୍ଟ୍ରର ସିନ୍ଧୁଦୁର୍ଗ ଜିଲ୍ଲାର ରାଜକୋଟ ଦୁର୍ଗରେ ଛତ୍ରପତି ଶିବାଜୀଙ୍କର ଏକ ୩୫ ଫୁଟ ଉଚ୍ଚତା ବିଶିଷ୍ଟ ଷ୍ଟାଚ୍ୟୁର ଅନାବରଣ କରାଯାଇଥିଲା। ଏତେ ଶୀଘ୍ର ପ୍ରତିମୂର୍ତ୍ତିଟି ଧରାଶାୟୀ ହୋଇଯିବା ପରେ ନୌବାହିନୀ ଓ ମହାରାଷ୍ଟ୍ର ରାଜ୍ୟ ସରକାର ପରସ୍ପରକୁ ଦୋଷାରୋପ କରୁଛନ୍ତି। ମରାଠୀମାନଙ୍କ ସକାଶେ ଶିବାଜୀ ଦେବତୁଲ୍ୟ ମାନ୍ୟତା ପାଉଥିବାରୁ ଏ ଘଟଣା ପରେ ରାଜନୀତି ମଧ୍ୟ ସରଗରମ ହୋଇଛି। ତାଙ୍କ ପ୍ରତିମୂର୍ତ୍ତିର ଏଭଳି ଦୁର୍ଦ୍ଦଶାକୁ ଏକ ଅଶୁଭ ଲକ୍ଷଣ ଭାବେ ବିବେଚନା କରାଯାଉଛି। ଆଉ ମାତ୍ର ୨ରୁ ୩ ମାସ ମଧ୍ୟରେ ସେଠାରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବାରୁ ଶିବାଜୀଙ୍କ ଷ୍ଟାଚ୍ୟୁ ଭୂପତିତ ହେବା ମହାରାଷ୍ଟ୍ରର ରାଜନୀତିରେ ଏକ ଉଦ୍‌ବେଳନ ସୃଷ୍ଟି କଲାଣି। ପ୍ରାୟ ଅଢ଼େଇ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରତିମୂର୍ତ୍ତିର ନିର୍ମାଣରେ ବ୍ୟାପକ ଦୁର୍ନୀତି ହୋଇଥିବାର ଅଭିଯୋଗ ମଧ୍ୟ ଶୁଣିବାକୁ ମିଳିଲାଣି। ଏଭଳି ସ୍ଥଳେ ଭାରତରେ ପ୍ରତିମୂର୍ତ୍ତି ସ୍ଥାପନର ଧାରା, ଉଦ୍ଦେଶ୍ୟ ଓ ଔଚିତ୍ୟକୁ ନେଇ ଏକ ଆଲୋଚନା କରାଯାଇପାରେ। 
ଆମ ଦେଶରେ ଅସଂଖ୍ୟ ଷ୍ଟାଚ୍ୟୁ ରହିଛି ଏବଂ ନୂଆ ନୂଆ ପ୍ରତିମୂର୍ତ୍ତିମାନ ସ୍ଥାପିତ ହୋଇ ଚାଲିଛି। କେବଳ ଦିବଂଗତ ମହାନ ଜନନାୟକମାନଙ୍କ ପ୍ରତିମୂର୍ତ୍ତି ନୁହେଁ, କେତେକ ସ୍ଥାନରେ ଶାସନ କ୍ଷମତାରେ ଥିବା ନେତା ନିଜ ପ୍ରତିମୂର୍ତ୍ତି ମଧ୍ୟ ସ୍ଥାପନ କରିଛନ୍ତି। ୧୯୮୪ ମସିହାରେ ବାଲେଶ୍ୱର ଜିଲ୍ଲାର ବସ୍ତା ନିକଟସ୍ଥ ଦାଣ୍ଡି ଗାଁରେ ସୋଭିଏତ୍ ରୁଷିଆର କନ୍‌ସଲ୍ ଜେନେରାଲଙ୍କ ଦ୍ୱାରା ଲେନିନ୍‌ଙ୍କ ଏକ ଷ୍ଟାଚ୍ୟୁର ଉନ୍ମୋଚନ ବିଷୟ ବିବାଦୀୟ ହୋଇ ଉଠିବାରୁ ତୁରନ୍ତ ମହାତ୍ମା ଗାନ୍ଧୀଙ୍କର ଏକ ଷ୍ଟାଚ୍ୟୁ ଅଣାଯାଇ ଏକ ସଙ୍ଗେ ଦୁଇଟି ଷ୍ଟାଚ୍ୟୁର ଉନ୍ମୋଚନ କରାଯାଇଥିଲା। ଭାରତୀୟ ସଂସ୍କୃତିରେ ମୂର୍ତ୍ତି ପୂଜା ଏକ ଅବିଚ୍ଛେଦ୍ୟ ଅଂଶ ହୋଇଥିଲେ ହେଁ ତାହା ସାଧାରଣତଃ ଦେବଦେବୀମାନଙ୍କ ହୋଇଥାଏ। ଭାରତର ପ୍ରାଚୀନ ମନ୍ଦିର ଗାତ୍ରରେ ସାଧାରଣ ମନୁଷ୍ୟ ବା ପଶୁପକ୍ଷୀଙ୍କ ମୂର୍ତ୍ତି ଖୋଦିତ ହୋଇଥିଲେ ହେଁ ଯେଉଁ ସମ୍ରାଟମାନେ ତାହା ନିର୍ମାଣ କରାନ୍ତି, ସେମାନଙ୍କ ପ୍ରତିମୂର୍ତ୍ତି ଦେଖିବାକୁ ମିଳେ ନାହିଁ। ସମ୍ରାଟ ଅଶୋକଙ୍କ ଆନୁକୂଲ୍ୟରେ ପ୍ରସ୍ତର ସ୍ତମ୍ଭମାନ ନିର୍ମିତ ହୋଇଥିଲା, କିନ୍ତୁ କେଉଁଠି ହେଲେ ତାଙ୍କ ପ୍ରତିକୃତି ନାହିଁ। ଦ୍ୱିତୀୟ ଶତାବ୍ଦୀର କୁଶାଣ ସମ୍ରାଟ କନିଷ୍କଙ୍କ ମସ୍ତକବିହୀନ ମୂର୍ତ୍ତିଟି ହେଉଛି ସମ୍ଭବତଃ ଭାରତର କୌଣସି ରାଜାଙ୍କର ସର୍ବପୁରାତନ ପ୍ରତିମୂର୍ତ୍ତି। ତାହା କୌଣସି ସର୍ବସାଧାରଣ ସ୍ଥାନରେ ସ୍ଥାପିତ ହୋଇ ନ ଥିଲା; ତାହା ଏକ କାନ୍ଥରେ ଖୋଦେଇ ହୋଇଥିବା ଜଣାପଡ଼େ। ଓଡ଼ିଶାର ସର୍ବପୁରାତନ ପ୍ରତିମୂର୍ତ୍ତିଟି ପିପିଲି ବ୍ଲକ୍‌ର ବାଗେଶ୍ୱରପୁର ଗାଁରୁ ମିଳିଥିଲା, ଯାହା ଥିଲା ୧୦ ଇଞ୍ଚ ଉଚ୍ଚତା ବିଶିଷ୍ଟ ଏବଂ ତାହା ବୌଦ୍ଧଧର୍ମର ପୂଜ୍ୟ ଅବଲୋକିତେଶ୍ୱର ପଦ୍ମପାଣିଙ୍କର ବୋଲି କୁହାଯାଏ। ଭାରତରେ ଯବନ ଶାସନ କାଳରେ ମଧ୍ୟ ରାଜାରାଜୁଡ଼ାଙ୍କର ପ୍ରତିମୂର୍ତ୍ତି ସ୍ଥାପନାର ପରଂପରା ନ ଥିଲା। ବିଶିଷ୍ଟ ବ୍ୟକ୍ତିମାନଙ୍କ ପ୍ରତିକୃତି ସ୍ଥାପନ କରିବା ମୂଳତଃ ପାଶ୍ଚାତ୍ୟ ଦେଶରେ ଦେଖାଯାଇଥାଏ ଏବଂ ସେହି କ୍ରମରେ ବ୍ରିଟିସ ଶାସନାଧୀନ ଭାରତରେ ଏହାର ପ୍ରବେଶ ଘଟିଥିଲା। ୧୯୩୪ ମସିହାରେ ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ବଡ଼ଦାଣ୍ଡରେ ଗାନ୍ଧୀଜୀଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। ପ୍ରକାଶ ଥାଉ କି ୧୯୨୮ ମସିହାରେ ଗୋପବନ୍ଧୁଙ୍କ ମହାପ୍ରୟାଣ ହୋଇ ସାରିଥିଲା। ଭାରତରେ ଗାନ୍ଧୀଜୀଙ୍କ ପ୍ରଥମ ପ୍ରତିମୂର୍ତ୍ତି ତାଙ୍କ ମୃତ୍ୟୁର ୧୩ ଦିନ ପରେ ଅର୍ଥାତ୍‌ ୧୯୪୮ ମସିହା ଫେବ୍ରୁଆରି ୧୨ ତାରିଖ ଦିନ ତାମିଲନାଡୁର ଭେଲୋର ନିକଟସ୍ଥ ରାନିପେଟ ବସ୍‌ଷ୍ଟାଣ୍ଡରେ ସ୍ଥାପିତ ହୋଇଥିଲା। ତେବେ ସ୍ୱାଧୀନତା ପରେ କ୍ରମେ ନିଜ ନିଜ ପ୍ରିୟ ନେତାଙ୍କର ଷ୍ଟାଚ୍ୟୁ ସ୍ଥାପନ କରି ସମ୍ମାନ ପ୍ରଦର୍ଶନ କରିବା ନିୟମିତତାରେ ପରିଣତ ହୋଇଗଲା, ଯାହା ଏବେ ସୁଦ୍ଧା ଅବ୍ୟାହତ ଅଛି। କିନ୍ତୁ ଅସହିଷ୍ଣୁତା, ଅାକ୍ରୋଶ, ମତାଦର୍ଶ ପାର୍ଥକ୍ୟ ଏପରିକି ଅବହେଳା କାରଣରୁ ବହୁ ପ୍ରତିମୂର୍ତ୍ତି ଖଣ୍ଡିତ, ବିକୃତ ଓ ବିବର୍ଣ୍ଣ ମଧ୍ୟ ହେଉଛନ୍ତି। 
ତେବେ କେବଳ ଭାରତରେ ନୁହେଁ, ସାରା ବିଶ୍ୱର ବିଭିନ୍ନ ସ୍ଥାନ ଓ ସମୟରେ ପ୍ରତିକୃତିଗୁଡ଼ିକ ଆକ୍ରୋଶର ଶରବ୍ୟ ହୋଇଥାଆନ୍ତି, ଯେମିତି ଏବେ ବାଂଲାଦେଶରେ ବଙ୍ଗବନ୍ଧୁ ଶେଖ ମୁଜିବୁର ରହମନଙ୍କ ବିଶାଳ ପ୍ରତିକୃତିଗୁଡ଼ିକୁ ଉତ୍ତ୍ୟକ୍ତ ଜନତାଙ୍କ ଦ୍ବାରା ଭୂଲୁଣ୍ଠିତ କରି ଦିଆଗଲା! କମ୍ୟୁନିଷ୍ଟ ଶାସନର ପତନ ପରେ ବିଭିନ୍ନ ଦେଶରେ ଲେନିନ୍‌, ଷ୍ଟାଲିନ୍‌ ଓ ଅନ୍ୟମାନଙ୍କ ଷ୍ଟାଚ୍ୟୁ ଜନ ଆକ୍ରୋଶର ଶିକାର ହୋଇ ଧରାଶାୟୀ ହୋଇଥିଲେ। ବର୍ଣ୍ଣବୈଷମ୍ୟ ଅଭିଯୋଗରେ ଲଣ୍ଡନରେ ଚର୍ଚ୍ଚିଲ୍‌ଙ୍କ ଷ୍ଟାଚ୍ୟୁ ଆକ୍ରମଣର ଶରବ୍ୟ ହୋଇଛି। ବେଳେବେଳେ ବିଭ୍ରାନ୍ତିମୂଳକ ବ୍ୟାଖ୍ୟାନ ଦ୍ବାରା ଭୁଲ୍‌ ବୁଝାମଣା ସୃଷ୍ଟି ହୋଇଥାଏ, ଯେମିତି ବର୍ଣ୍ଣବୈଷମ୍ୟର ତୀବ୍ର ବିରୋଧୀ ମହାତ୍ମା ଗାନ୍ଧୀଙ୍କୁ କେତେକ ସ୍ଥାନରେ ବର୍ଣ୍ଣବୈଷମ୍ୟବାଦୀ ରୂପେ ଚିତ୍ରଣ କରାଯାଉଛି। ଏହି କାରଣରୁ ଦକ୍ଷିଣ ଆଫ୍ରିକାର ଜୋହାନ୍‌ସବର୍ଗରେ ଗା‌ନ୍ଧୀଜୀଙ୍କ ପ୍ରତିମୂର୍ତ୍ତିକୁ ବିକୃତ କରିଦିଆଯାଇଥିଲା ଏବଂ ଛାତ୍ର ତଥା ଅଧ୍ୟାପକମାନଙ୍କ ପ୍ରବଳ ବିରୋଧ ହେତୁ ଘାନା ବିଶ୍ୱବିଦ୍ୟାଳୟ ପରିସରରୁ ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତିକୁ ଅପସାରଣ କରିବାକୁ ପଡ଼ିଥିଲା। ନିକଟରେ ବେଲ୍‌ଜିଅମ୍‌ର ରାଜା ଦ୍ୱିତୀୟ ଲିଓପୋଲ୍‌ଡଙ୍କ ଷ୍ଟାଚ୍ୟୁ ଜନଆକ୍ରୋଶର ଶିକାର ହୋଇଛି।
ଆଫଗାନିସ୍ତାନ ତାଲିବାନ ଶାସନାଧୀନ ହେବା ପରେ ଷଷ୍ଠ ଶତାବ୍ଦୀରେ ନିର୍ମିତ ଦୁଇ ପ୍ରାଚୀନ ବାମିୟାଁ ବୁଦ୍ଧ ମୂର୍ତ୍ତିକୁ ମାର୍ଚ୍ଚ ୨, ୨୦୦୧ ମସିହାରେ ତୋପ ଯୋଗେ ଧ୍ୱଂସ କରିଦିଆଯାଇଥିଲା। ସେଠାରେ ମନୁଷ୍ୟାକୃତିର ସବୁ ପ୍ରତିମୂର୍ତ୍ତିକୁ ଧ୍ୱଂସ କରିବାକୁ ତାଲିବାନ ଶାସକ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। 
ଇରାକରେ ସଦ୍ଦାମ ହୁସେନ ଓ ଲିବ୍ୟାରେ କର୍ନେଲ ମୁଆମର ଗଦ୍ଦାଫିଙ୍କ ଷ୍ଟାଟ୍ୟୁ ମଧ୍ୟ ଅନୁରୂପ ଦଶା ଭୋଗିଛନ୍ତି। 
କହିବା ବାହୁଲ୍ୟ ଯେ କୌଣସି ରାଷ୍ଟ୍ରରେ ରାଜନୈତିକ ମତାଦର୍ଶରେ ପରିବର୍ତ୍ତନ ଘଟିଲେ ନୂଆ ମତାଦର୍ଶର ଆଦର୍ଶ ପୁରୁଷମାନଙ୍କ ପ୍ରତିକୃତିମାନ ଗଢ଼ି ଉଠୁଥିବା ବେଳେ ପୁରୁଣା ମତାଦର୍ଶର ସ୍ମାରକୀ ପ୍ରତିମୂର୍ତ୍ତିମାନ ଭୂଲୁଣ୍ଠିତ ହେବାରେ ଲାଗନ୍ତି। ଏ ସବୁ କଲାବେଳେ ଅତୀତର ତ୍ରୁଟି ମାର୍ଜନା କରାଯାଉଛି ବୋଲି ଦ୍ବାହି ଦିଆଯାଏ। ଉତ୍ତରପ୍ରଦେଶ‌ର ମୁଖ୍ୟମନ୍ତ୍ରୀ ଥିବା ବେଳେ ମାୟାବତୀ ନିଜର ଓ ତାଙ୍କ ଗୁରୁ କାଂଶୀରାମଙ୍କ ଅନେକ ବିଶାଳ ପ୍ରତିମୂର୍ତ୍ତିମାନ ସ୍ଥାପନ କରାଇ ସମାଲୋଚନାର ଶିକାର ହୋଇଥିଲେ; କାରଣ ତହିଁରେ ରାଜ୍ୟ ରାଜକୋଷର ପ୍ରଚୁର ବିତ୍ତ ବ୍ୟୟ କରାଯାଇଥିଲା। ଆମ ରାଜ୍ୟରେ ନିଜ ପ୍ରତିମୂର୍ତ୍ତି ନିଜେ ସ୍ଥାପନ କରିଥିବା ମହାନ ବ୍ୟକ୍ତି ଥିଲେ ବ୍ୟାସକବି ଫକୀର ମୋହନ। ଯଦିଓ ତାଙ୍କର ଅକ୍ଷୟ କୀର୍ତ୍ତି ତାଙ୍କୁ ସମସ୍ତ ଓଡ଼ିଆ ଜାତି ଲାଗି ପ୍ରାତଃ ସ୍ମରଣୀୟ କରି ରଖିଛି ଏବଂ ଚିରନ୍ତନ କାଳ ଯାଏ ରଖିବ ମଧ୍ୟ, ଅନେକଙ୍କ ମତରେ ସେ ବୋଧହୁଏ ଭାବି ନେଇଥିଲେ ଯେ ତାଙ୍କ ଅବର୍ତ୍ତମାନରେ ଏହି ପ୍ରତିମୂର୍ତ୍ତି ହିଁ ତାଙ୍କୁ ସ୍ମରଣଯୋଗ୍ୟ କରି ରଖିପାରେ! ତେବେ ଅନେକ ବିଷୟ ବିଶେଷଜ୍ଞ ଏହି ଧାରଣା ସହିତ ଏକମତ ନ ହୋଇ କହନ୍ତି ଯେ ଶାନ୍ତିନିକେତନରୁ ପ୍ରଶିକ୍ଷଣ ପ୍ରାପ୍ତ ଜଣେ କଳାକାରଙ୍କୁ କାର୍ଯ୍ୟ ଯୋଗାଇବା ଲାଗି ଅଗତ୍ୟା ଫକୀରମୋହନ ନିଜ ପ୍ରତିମୂର୍ତ୍ତି ଗଢ଼ିବା କାମରେ ତାଙ୍କୁ ନିୟୋଜିତ କରିଥିଲେ।
ପାଶ୍ଚାତ୍ୟରେ ଅତିକାୟ ଷ୍ଟାଚ୍ୟୁ ନିର୍ମାଣ ସହିତ ପରୋକ୍ଷରେ ଅହମିକା ପ୍ରଦର୍ଶନର ଉଦ୍ୟମ ଦେଖିବାକୁ ମିଳେ। ଏହା ସେହି ରାଷ୍ଟ୍ର ସକାଶେ ପରିଚୟ ମଧ୍ୟ ହୋଇଥାଏ, ଯେମିତି ଯୁକ୍ତରାଷ୍ଟ୍ର ଆମେରିକାର ‘ଷ୍ଟାଚ୍ୟୁ ଅଫ୍‌ ଲିବର୍ଟି’। ଏବେ ତାହାକୁ ଅତିକ୍ରମ କରିଛି ଗୁଜରାଟରେ ନିର୍ମିତ ସର୍ଦ୍ଦା‌ର ବଲ୍ଲଭ ଭାଇ ପଟେଲଙ୍କ ପୂର୍ଣ୍ଣ ଅବୟବ ପ୍ରତିମୂର୍ତ୍ତି, ଯାହା ‘ଷ୍ଟାଚ୍ୟୁ ଅଫ୍‌ ୟୁନିଟି’ ଭାବେ ପରିଚିତ ଏବଂ ଯାହାର ଉଚ୍ଚତା ୧୮୨ ମିଟର। ଆମ ଦେଶ ଓ ରାଜ୍ୟରେ ପୂଜ୍ୟପୂଜା ନାମରେ ହଜାର ହଜାର ପ୍ରତିମୂର୍ତ୍ତି ନିର୍ମାଣ କରାଯାଏ ଏବଂ ତହିଁରେ ଶହ ଶହ କୋଟି ଟଙ୍କା ବ୍ୟୟ ମଧ୍ୟ କରାଯାଏ। କିନ୍ତୁ ତହିଁରୁ ଅନେକ ପ୍ରତିମୂର୍ତ୍ତି ଅବହେଳିତ ହୋଇ ପଡ଼ି ରହୁଥିବା ବେଳେ ଅନେକ ପ୍ରତିମୂର୍ତ୍ତିର ନିର୍ମା‌ଣରେ ଟଙ୍କା ହେରଫେର କରାଯାଉଥିବାରୁ ସେଗୁଡ଼ିକର ସ୍ଥାୟିତ୍ବ ସନ୍ଦେହାସ୍ପଦ ହୋଇଯାଏ, ଯାହା ଛତ୍ରପତି ଶିବାଜୀଙ୍କ ପ୍ରତିମୂର୍ତ୍ତି ଭାଙ୍ଗି ପଡ଼ିବାରେ ଘଟିଥିବ ବୋଲି କୁହାଯାଉଛି! ଅନେକଙ୍କ ମତରେ ପାଶ୍ଚାତ୍ୟ ସଂସ୍କୃତିର ଅନ୍ଧ ଅନୁକରଣ କରା ନ ଯାଇ ଓ ଷ୍ଟାଚ୍ୟୁଟିଏ ଗଢ଼ିଦେଇ ପୂଜ୍ୟପୂଜା ବା ସମ୍ମାନ ପ୍ରଦର୍ଶନ ଭଳି କାର୍ଯ୍ୟ ସରିଗଲା ବୋଲି ଭାବି ନ ନେଇ ବରଂ ସେହି ମହାନ ବ୍ୟକ୍ତିବିଶେଷଙ୍କ ଆଦର୍ଶ ଅନୁସରଣ କରିବା ଅଧିକ ଶ୍ରେୟସ୍କର ହେବ। ଏ କଥା ମଧ୍ୟ ଭୁଲିଗଲେ ହେବ ନାହିଁ ଯେ ଏବେ ଷ୍ଟାଚ୍ୟୁଗୁଡ଼ିକ ସେହି ବରେଣ୍ୟ ବ୍ୟକ୍ତିମାନଙ୍କ ମହାନତାର ପରିଚାୟକ ହେବା ପରିବର୍ତ୍ତେ ରାଜନୈତିକ ଅଭିସନ୍ଧି ସାଧନର ମାଧ୍ୟମ ଏବଂ ରାଜନୈତିକ ବିଭାଜନ ଓ ଧ୍ରୁବୀକରଣର କାରଣ ମଧ୍ୟ ହେଉଛନ୍ତି। କହିବା ଅନାବଶ୍ୟକ ଯେ ଏହି ବ୍ୟକ୍ତିମାନେ ଜୀବିତ ଥିଲେ ସେମାନଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପଛର ଉଦ୍ଦେଶ୍ୟ ଓ ସେଗୁଡ଼ିକ ଭୋଗୁଥିବା ଦଶା ନେଇ ଆଦୌ ସୁଖୀ ହୋଇ ନ ଥାଆନ୍ତେ!
 ମୋ: ୯୪୩୭୦୩୮୦୧୫

 profile image

Updated

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od