ଭୁବନେଶ୍ବର: ଓଡ଼ିଶାର ଲୋକପ୍ରିୟ ଏଫ୍ଏମ୍ ଷ୍ଟେସନ ରେଡ଼ିଓ ଚକ୍ଲେଟ୍ ୧୦୪ ଏଫ୍ଏମ୍ ଇତିମଧ୍ୟରେ ସଫଳତାର ସହ ସତର ବର୍ଷର ଯାତ୍ରା ସମ୍ପୂର୍ଣ୍ଣ କରି ନିଜର ଅଷ୍ଟାଦଶ ବର୍ଷରେ ପଦାର୍ପଣ କରିଛି। ୨୦୦୭ ମସିହା ମେ’ ୪ ତାରିଖରେ ପ୍ରଥମ ଓଡ଼ିଆ ଏଫ୍ଏମ୍ ଷ୍ଟେସନ ଭାବରେ ‘ସମ୍ବାଦ’ ପରିବାରରେ ଜନ୍ମ ନେଇଥିଲା ରେଡ଼ିଓ ଚକ୍ଲେଟ୍। ଆରମ୍ଭ ବର୍ଷରୁ ହିଁ ଶ୍ରୋତାମାନଙ୍କ ନମ୍ବର ୱାନ୍ ପସନ୍ଦ ହୋଇ ରହି ଆସିଛି ୧୦୪ ଏଫ୍ଏମ୍। ଆଜି ସତର ବର୍ଷ ପୂର୍ତ୍ତି ଉପଲକ୍ଷେ ‘ସମ୍ବାଦ ଭବନ’ ପରିସରରେ ରେଡ଼ିଓ ଚକ୍ଲେଟ୍ର ଜନ୍ମଦିନ ଉତ୍ସବ ପାଳିତ ହୋଇଥିଲା। ଏହି ଉତ୍ସବରେ ରେଡ଼ିଓ ଚକ୍ଲେଟ୍ର ସମସ୍ତ କର୍ମଚାରୀଙ୍କ ସହ ‘ସମ୍ବାଦ’ ପରିବାରର ଗୁରୁଜନମାନେ ଉପସ୍ଥିତ ଥିଲେ। ସବୁ ବର୍ଷ ପରି ଏ ବର୍ଷ ମଧ୍ୟ ଜନ୍ମଦିନ ପାଳନ ଖୁସିରେ ଛେନାପୋଡ଼ କଟାଯାଇଥିଲା। ଏହି ପରିପ୍ରେକ୍ଷୀରେ ‘ସମ୍ବାଦ’ ପରିବାରର କାର୍ଯ୍ୟନିର୍ବାହୀ ନିର୍ଦେଶିକା ତନୟା ପଟ୍ଟନାୟକ କହିଥିଲେ, ସତର ବର୍ଷରେ ବହୁତ କିଛି ବଦଳିଛି। କିନ୍ତୁ ଶ୍ରୋତାମାନଙ୍କୁ ଓଡ଼ିଆ ପରମ୍ପରାରେ ବାନ୍ଧିରଖି ମନୋରଞ୍ଜନ ଯୋଗାଇବାର ଯେଉଁ ପ୍ରଚେଷ୍ଟା ସତର ବର୍ଷ ପୂର୍ବରୁ ଆରମ୍ଭ ହୋଇଥିଲା, ତାହା ଏବେ ବି ଜାରି ରହିଛି ଏବଂ ଆଗକୁ ମଧ୍ୟ ଜାରି ରହିବ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ ଯେ ଅବସରରେ ରେଡ଼ିଓ ଚକ୍ଲେଟ୍ ଟିମ୍ରେ ଯୋଗ ଦେଇଛନ୍ତି ଦୁଇଜଣ ନୂଆ ସଦସ୍ୟ- ଆର୍.ଜେ ମହେଶ ଓ ସୁଧାଂଶୁ। ରେଡ଼ିଓ ଚକ୍ଲେଟ୍କୁ ଏତେ ବର୍ଷ ଧରି ସ୍ନେହ ଓ ଭଲପାଇବା ଦେଇ ଆସୁଥିବା ଶ୍ରୋତାମାନଙ୍କୁ ଏହି ଅବସରରେ ଚକ୍ଲେଟ୍ ପରିବାର କୃତଜ୍ଞତା ଜ୍ଞାପନ କରିବା ସହିତ ଅଭିନନ୍ଦନ ଜଣାଇଛି।