Monday, February 24, 2025
Home Latest ସଂସଦ, ବିଧାନସଭାରେ ଆଦାନୀ ତାତି: ଉଭୟ ଗୃହ ମୁଲତବୀ

ସଂସଦ, ବିଧାନସଭାରେ ଆଦାନୀ ତାତି: ଉଭୟ ଗୃହ ମୁଲତବୀ

by
0 comment

ନୂଆଦିଲ୍ଲୀ: ଆମେରିକାରେ ଆଦାନୀଙ୍କୁ ଦୋଷାରୋପ ମାମଲାକୁ ନେଇ ବୁଧବାର ସଂସଦ ଭିତରେ ଓ ବାହାରେ ଝଡ଼ ଉଠିଛି। ଆମେରିକା ଦୋଷାରୋପରେ ଏହି ବିଲିୟନେୟାରଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ନାହିଁ ବୋଲି ଆଦାନୀ ଗ୍ରୁପ୍ ପକ୍ଷରୁ କୁହାଯାଇଥିଲେ ମଧ୍ୟ ସଂସଦରେ ଆଦାନୀ ଲାଞ୍ଚ ମାମଲା ପ୍ରତିଫଳିତ ହୋଇଥିଲା। ଏହା ଉପରେ ଆଲୋଚନା ପାଇଁ ଅନେକ ବିରୋଧୀ ଦଳ ନେତା ନୋଟିସ୍ ଦେବା ସହ ସଂସଦରେ  ପ୍ରବଳ ହଙ୍ଗାମା କରିଛନ୍ତି। ହଟ୍ଟଗୋଳ ଜାରି ରହିବାରୁ ଉଭୟ ଗୃହକୁ ମୁଲତବୀ ରଖାଯାଇଥିଲା। କଂଗ୍ରେସ ଏବେ ଭାରତ-ବିରୋଧୀ ତଥା ଚୀନ୍-ସମର୍ଥକ ଆମେରିକୀୟ ନିବେଶକ ଜର୍ଜ ସୋରସଙ୍କ ‘ଷଡ଼୍‌ଯନ୍ତ୍ର’  କାର୍ଯ୍ୟକାରୀ କରୁଛି ବୋଲି ବିଜେପି ଅଭିଯୋଗ କରିଛି। 

ଉଭୟ ଗୃହ ମୁଲତବୀ
ଆଦାନୀଙ୍କୁ ବାନ୍ଧ: କଂଗ୍ରେସ
ସୋରସ୍ ସ୍କ୍ରିପ୍ଟ: ବିଜେପି

ସଂସଦ ପରିସରରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି  ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଆଦାନୀଙ୍କ ଗିରଫ ଦାବିକୁ ଦୋହରାଇ କହିଥିଲେ ଯେ ଶିଳ୍ପପତି ଆଦାନୀ ଆମେରିକୀୟ ପ୍ରସିକ୍ୟୁଟରଙ୍କ ଅଭିଯୋଗକୁ କେବେ ବି ଗ୍ରହଣ କରିବେ ନାହିଁ। ସେ କହିଥିଲେ, ଛୋଟ ଛୋଟ ଅଭିଯୋଗରେ ଶହ ଶହ ଲୋକଙ୍କୁ ଗିରଫ କରାଯାଉଛି। ଆମେରିକାରେ ହଜାର ହଜାର କୋଟି ଟଙ୍କା ପାଇଁ ଆଦାନୀଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ସେ ଜେଲରେ ରହିବା ଉଚିତ। ସରକାର ତାଙ୍କୁ ସୁରକ୍ଷା ଦେଉଛନ୍ତି ବୋଲି ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି। ଗତ ସପ୍ତାହରେ ନ୍ୟୁୟର୍କର ଏକ ଅଦାଲତ ଗୌତମ ଆଦାନୀ ଓ ତାଙ୍କ ପୁତୁରାଙ୍କୁ ୨୦୨୦-୨୪ ମଧ୍ୟରେ ସୌରଶକ୍ତି ଚୁକ୍ତି ହାସଲ ପାଇଁ ଭାରତରେ ରାଜ୍ୟ ସରକାରଙ୍କ ଅଧିକାରୀମାନଙ୍କୁ ୨୦୨୯ କୋଟି ଟଙ୍କା ଲାଞ୍ଚ ଦେବାକୁ ପ୍ରତିଶ୍ରୁତି ଦେଇଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିଥିଲେ। ଆଦାନୀ ଗ୍ରୁପ୍ ଓ ପୂର୍ବତନ ଆଟର୍ଣ୍ଣି ଜେନେରାଲ ମୁକୁଲ ରୋହତଗୀ ଦାବି କରିଛନ୍ତି ଯେ ଏହି ଅଭିଯୋଗରେ ଗୁରୁତ୍ୱପୂର୍ଣ୍ଣ ଲାଞ୍ଚ କିମ୍ବା ନ୍ୟାୟ ପ୍ରକ୍ରିୟାରେ ବାଧା ସୃଷ୍ଟି ନେଇ ଆଦାନୀଙ୍କ ନାମ ନାହିଁ। ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ରୋହତଗୀଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ମୋଦାନୀ (ମୋଦୀ+ଆଦାନୀ) ଇକୋସିଷ୍ଟମ୍ ଅସ୍ୱୀକାର ମାଧ୍ୟମରେ କ୍ଷତି ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛି। ଏହି ହାସ୍ୟାସ୍ପଦ ପ୍ରୟାସ ଆମେରିକୀୟ ଏଜେନ୍ସିମାନଙ୍କ ଦ୍ୱାରା ଲଗାଯାଇଥିବା ଅଭିଯୋଗର ଗମ୍ଭୀରତାକୁ ହ୍ରାସ କରିପାରିବ ନାହିଁ। 

ଅପରପକ୍ଷେ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଟମ୍ ବଡ଼କ୍କନ ଅଭିଯୋଗ କରିଛନ୍ତି ଯେ କଂଗ୍ରେସ ଆମେରିକାର ନିବେଶକ ଜର୍ଜ ସୋରସଙ୍କ ସ୍କ୍ରିପ୍ଟ ପଢ଼ୁଛି। ସେ କହିଛନ୍ତି, ଏହା କଂଗ୍ରେସର ଆକ୍ରମଣ ନୁହେଁ ବରଂ ଭାରତରେ ସୋରସ୍ ସ୍କ୍ରିପ୍ଟକୁ କାର୍ଯ୍ୟକାରୀ କରାଯିବ‌ାର ପ୍ରକ୍ରିୟା। ଆମେରିକୀୟ ପ୍ରଶାସନ ମଧ୍ୟ ଅନୁଭବ କରିଛି ଯେ ଏହା ଏକ ମାମଲା ଯାହା ପାଇଁ ସୋରସ ପାଣ୍ଠି ଯୋଗାଇଛନ୍ତି। ଏହା ଏକ ସ୍କ୍ରିପ୍ଟ ଯାହା ଭାରତକୁ ଅର୍ଥନୈତିକ ଭାବେ ଦୁର୍ବଳ କରିବା ପାଇଁ ଭାରତ ବାହାରେ ଲେଖାଯାଇଛି ବୋଲି ବଡ଼କ୍କନ କହିଛନ୍ତି। ଏତଲା ଦାଏର କରିବାକୁ ମଧ୍ୟ କଂଗ୍ରେସକୁ ଚ୍ୟାଲେଞ୍ଜ ଦେଇଛନ୍ତି ବଡ଼କ୍କନ। ସେମାନଙ୍କ ପାଖରେ ଆଇନଗତ ବିକଳ୍ପ ରହିଛି। ତା’ପରେ ତଦନ୍ତ ହେବ, ସେହି ତଦନ୍ତରେ ତାହା ଭୁଲ୍ ପ୍ରମାଣିତ ହେବ ଏବଂ ସୋରସ ଲିଙ୍କ୍ ପଦାକୁ ଆସିବ ବୋଲି ବିଜେପି ନେତା କହିଛନ୍ତି।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od