ଲଣ୍ଡନ: ଲେବର ପାର୍ଟିରେ ଏବେ ୧୯ ଜଣ ଭାରତୀୟ ବଂଶେଦ୍ଭବ ସାଂସଦ ଥିବା ସତ୍ତ୍ୱେ ନୂଆ ବ୍ରିଟିସ ପ୍ରଧାନମନ୍ତ୍ରୀଙ୍କ କ୍ୟାବିନେଟରେ କେବଳ ଜଣେ ଭାରତୀୟ ବଂଶୋଦ୍ଭବ ସାଂସଦ ଲିସା ନନ୍ଦୀ ସ୍ଥାନ ପାଇବା ଚର୍ଚ୍ଚାର ବିଷୟ ପାଲଟିଛି। ଜୁଲାଇ ୨୦୧୯ରେ ବୋରିସ୍ ଜନସନ୍ ଗଠନ କରିଥିବା କ୍ୟାବିନେଟ୍ଠାରୁ ଏହା ସଂପୂର୍ଣ୍ଣ ବିପରୀତ ବୋଲି କୁହାଯାଉଛି। ଗତ ୧୦ ବର୍ଷ ମଧ୍ୟରେ ବ୍ରଟିସ ଭାରତୀୟଙ୍କ କ୍ଷେତ୍ରରେ ଏବେ ସବୁଠୁ କମ୍ ପ୍ରତିନିଧିତ୍ବ ଥିବା ବେଳେ ଅନ୍ୟପଟେ କାଶ୍ମୀର ପ୍ରସଙ୍ଗରେ ଭାରତ ସରକାରଙ୍କୁ କଡ଼ା ସମାଲୋଚନା କରୁଥିବା ବ୍ରିଟିସ ପାକିସ୍ତାନୀ ସାଂସଦ ଶବାନା ମହମ୍ମଦଙ୍କୁ ନ୍ୟାୟ ସଚିବ ଭାବେ ନିଯୁକ୍ତ କରାଯାଇଛି। ମାଞ୍ଚେଷ୍ଟରରେ ଜନ୍ମିତ ଲିସା ନନ୍ଦୀ (୪୪) ଷ୍ଟାର୍ମରଙ୍କ କ୍ୟାବିନେଟ୍ରେ ସଂସ୍କୃତି, ଗଣମାଧ୍ୟମ ଏବଂ କ୍ରୀଡ଼ା ମନ୍ତ୍ରାଳୟ ଦାୟିତ୍ବରେ ଅଛନ୍ତି। ଲିସାଙ୍କ ପିତା ହେଉଛନ୍ତି କୋଲକାତାରେ ଜନ୍ମିତ ଶିକ୍ଷାବିତ୍ ଦୀପକ ନନ୍ଦୀ, ଯିଏ ବ୍ରିଟେନରେ ରୁହନ୍ତି ଏବଂ ଲେବର ପାର୍ଟିକୁ ୧୯୭୬ ମସିହାରୁ ବିଭିନ୍ନ ପ୍ରାଶାସନିକ କାର୍ଯ୍ୟରେ ସହାୟତା କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଏବେ ଷ୍ଟାର୍ମରଙ୍କ ନ୍ୟାୟ ସଚିବ ଥିବା ଶବାନା ମହମ୍ମଦ ୨୦୧୯ ଅଗଷ୍ଟ ୧୫ରେ ଲଣ୍ଡନରେ ଥିବା ଭାରତୀୟ ହାଇକମିସନ ବାହାରେ ଭାରତ ବିରୋଧୀ ଭାଷଣ ଦେଇଥିଲେ, ଯାହାକି ପରେ ହିଂସାତ୍ମକ ରୂପ ନେଇଥିଲା ଏବଂ ମିସନ କାର୍ଯ୍ୟାଳୟ ଉପରେ ଦଙ୍ଗାକାରୀମାନେ ଆକ୍ରମଣ କରିଥିଲେ। ଶବାନା ୨୦୧୯ରେ ବୋରିସ ଜନସନଙ୍କୁ ଏକ ଚିଠି ଲେଖି ଜମ୍ମୁ କାଶ୍ମୀରରେ ଭାରତ ସରକାରଙ୍କ କାର୍ଯ୍ୟକଳାପକୁ ବିରୋଧ କରିଥିଲେ। କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ବେଆଇନ ଓ ଅସାମ୍ବିଧାନିକ ଦର୍ଶାଇ ଏହାର ନିନ୍ଦା କରିବାକୁ ସେ ତତ୍କାଳୀନ ବ୍ରିଟିସ୍ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ଶବାନା ମହମ୍ମଦ ବର୍ମିଂହାମରେ ଜନ୍ମଗ୍ରହଣ କରିଥିଲେ ଏବଂ ତାଙ୍କ ପିତାମାତା ପିଓକେର ମୀରପୁରରେ ଜନ୍ମଗ୍ରହଣ କରିଥିଲେ। ସେ କାଶ୍ମୀରବାସୀଙ୍କ ଆତ୍ମନିର୍ଣ୍ଣୟ ଅଧିକାରକୁ ସମର୍ଥନ କରିବା ସହ ହାଉସ୍ ଅଫ୍ କମନ୍ସରେ କାଶ୍ମୀରକୁ ନେଇ ଭାରତର କାର୍ଯ୍ୟକଳାପକୁ ଅନେକ ଥର ନିନ୍ଦା କରିଛନ୍ତି। ଏହି ଅଞ୍ଚଳକୁ ସ୍ବାଧୀନ ପର୍ଯ୍ୟବେକ୍ଷକ ପଠାଇବାକୁ ମଧ୍ୟ ସେ ଅନେକ ଥର ଦାବି କରିଛନ୍ତି। ଏହି ଭାରତ ବିରୋଧୀ ସାଂସଦଙ୍କୁ ଷ୍ଟାର୍ମର ପ୍ରାଧ୍ୟାନ ଦେବା ଚର୍ଚ୍ଚାରେ ରହିଛି।