କିସ୍କିନ୍ଧ୍ୟାପତି ଋକ୍ଷରାଜଙ୍କର ଦୁଇପୁତ୍ର ଥିଲେ ବାଳି ଓ ସୁଗ୍ରୀବ। ଏମାନେ ପ୍ରତ୍ୟେକେ ଥିଲେ ଦିବ୍ୟଜନ୍ମା। କାରଣ ସ୍ୱୟଂ କିସ୍କିନ୍ଧ୍ୟାପତି ଋକ୍ଷରାଜଙ୍କର ଜନ୍ମ ମଧ୍ୟ ଏକ ଦିବ୍ୟସତ୍ତାରୁ ହୋଇଥିଲା। ଏକଦା ପ୍ରଜାପିତା ବ୍ରହ୍ମାଙ୍କ ଚକ୍ଷୁରୁ ନିଃସୃତ ଅଶ୍ରୁବିନ୍ଦୁ ଭୂପତିତ ହେବାରୁ ସେଥିରୁ ଏକ ଦିବ୍ୟ ବାନରଙ୍କର ସୃଷ୍ଟି ହେଲା। ତାଙ୍କର ନାମ ଥିଲା ଋକ୍ଷରାଜ। ଏକଦା ଉତ୍ତରମେରୁ ପର୍ବତରେ ବୁଲୁବୁଲୁ ସେ ତୃଷାର୍ତ୍ତ ହେଲେ। ସମ୍ମୁଖରେ ଏକ ନିର୍ମଳ ସରୋବର ଦେଖି ସେଥିରୁ ଜଳପାନ କରିବା ଉଦ୍ଦେଶ୍ୟରେ ଅବତରଣ କଲେ। ସେହି ସମୟରେ ଜଳ ମଧ୍ୟରେ ନିଜର ପ୍ରତିବିମ୍ବ ଦେଖି ଭ୍ରମବଶତଃ ତାହାକୁ ଏକ ପ୍ରତିଦ୍ୱନ୍ଦ୍ୱୀ ଭାବି ସେ ଜଳ ମଧ୍ୟକୁ ଲମ୍ଫ ପ୍ରଦାନକଲେ। ନିଜର ଭ୍ରାନ୍ତି ବୁଝିପାରି ସେ ଯେତେବେଳେ ଜଳ ମଧ୍ୟରୁ ଉପରକୁ ଉଠିଲେ, ତାଙ୍କର ଶରୀର ଏକ ଅନିନ୍ଦ୍ୟସୁନ୍ଦରୀ ନାରୀରେ ରୂପାନ୍ତରିତ ହୋଇଯାଇଥିଲା। ଏହି ସମୟରେ ଦେବରାଜ ଇନ୍ଦ୍ରଙ୍କର ଦୃଷ୍ଟି ସେହି ମନମୋହିନୀ ରୂପବତୀଙ୍କ ଉପରେ ପଡ଼ିବାରୁ ତାଙ୍କର ଚିତ୍ତଚାଞ୍ଚଲ୍ୟ ଜାତ ହେଲା। ତାଙ୍କର ଶରୀରରୁ ସ୍ୱେଦବିନ୍ଦୁ ନିଃସୃତ ହୋଇ ସେହି ନାରୀର କେଶଦାମରେ ପଡ଼ିବାରୁ ସେଥିରୁ ଏକ ଅମିତ ବଳଶାଳୀ ପୁତ୍ରସନ୍ତାନ ଜାତ ହେଲା। ତାହାର ନାମ ହେଲା ‘ବାଳୀ’। ଏହି ସମୟରେ ସୂର୍ଯ୍ୟ ମଧ୍ୟଆକାଶ ମାର୍ଗରେ ଗତି କଲାବେଳେ ତାଙ୍କର ଦୃଷ୍ଟି ମଧ୍ୟ ସେହି ସୁନ୍ଦରୀ ନାରୀ ଉପରେ ପଡ଼ିବାରୁ ତାଙ୍କର ମଧ୍ୟ ଚିତ୍ତଚାଞ୍ଚଲ୍ୟ ଜାତ ହେଲା। ତାଙ୍କର ତେଜ ସେହି ସୁନ୍ଦରୀର ଗ୍ରୀବା ଉପରେ ପଡ଼ିବାରୁ ସେଥିରୁ ମଧ୍ୟ ଏକ ସନ୍ତାନ ଜାତ ହେଲା। ତାହାର ନାମ ହେଲା ସୁଗ୍ରୀବ। ରୂପ, ଲାବଣ୍ୟ, ବଳ ଓ ବିକ୍ରମରେ ଏହି ଦୁଇ ସନ୍ତାନ ଥିଲେ ଅନନ୍ୟ। ବ୍ରହ୍ମାଙ୍କ ନିର୍ଦ୍ଦେଶରେ ସେହି ସରୋବରରେ ପୁନଶ୍ଚ ସ୍ନାନ କରି ଋକ୍ଷରାଜ ତାଙ୍କର ପୂର୍ବରୂପ ଫେରିପାଇଲେ ଏବଂ ଦୁଇପୁତ୍ରଙ୍କୁ ଧରି କିସ୍କିନ୍ଧ୍ୟା ଯାଇ ସେଠାରେ ଏକ ସମୃଦ୍ଧ ବାନରରାଜ୍ୟ ପ୍ରତିଷ୍ଠା କଲେ। ପରବର୍ତ୍ତୀ କାଳରେ ଜ୍ୟେଷ୍ଠସନ୍ତାନ ଭାବରେ ବାଳୀ ହେଲେ କିସ୍କିନ୍ଧ୍ୟାର ରାଜା।
Sambad is now on WhatsApp
Join and get latest news updates delivered to you via WhatsApp
ବାଳୀ ଯେପରି ପରାକ୍ରମୀ ଥିଲେ ସେହିପରି ଥିଲେ ଅହଂକାରୀ। ଫଳରେ ତାଙ୍କର ଦୃଷ୍ଟିଭଙ୍ଗୀ ଥିଲା ଭ୍ରଷ୍ଟ ଓ ଏକଦିଗଦର୍ଶୀ। ଅପର ପକ୍ଷରେ ସୁଗ୍ରୀବ ଥିଲେ ସଂପୂର୍ଣ୍ଣ ବିପରୀତ। ଭାଇକୁ ସେ ଯେତିକି ଶ୍ରଦ୍ଧା କରୁଥିଲେ ସେତିକି ମଧ୍ୟ ଭକ୍ତି କରୁଥିଲେ। ସେ ଥିଲେ ବିନୟୀ, ଭଦ୍ର, ତଥା ପଣ୍ଡିତ ଓ ସମଦର୍ଶୀ। ତାଙ୍କର ଦେହର ରଙ୍ଗ ଥିଲା ସ୍ୱର୍ଣ୍ଣାଭ। ସୂର୍ଯ୍ୟଙ୍କ ପୁତ୍ର ହେତୁ ତାଙ୍କ ଶରୀରର ତେଜ ଅଗ୍ନିସଦୃଶ ହୋଇଥିଲା। ସେ ଥିଲେ ଅତ୍ୟନ୍ତ ବନ୍ଧୁବତ୍ସଳ। ତାଙ୍କର ରୂପ-ଗୁଣରେ ମୁଗ୍ଧ ହୋଇ ଗନ୍ଧର୍ବ କନ୍ୟା ରୂପା ଯେତେବେଳେ ତାଙ୍କୁ ପତି ରୂପେ ବରଣ କରିବାକୁ ଚାହିଁଲେ ଗନ୍ଧର୍ବରାଜ ସେଥିରେ ଅରାଜି ହେଲେ। ସୁଗ୍ରୀବଙ୍କ ସୁହୃଦ୍ ହନୁମାନ, ନଳ ନୀଳ, ଜାମ୍ବବାନ ଆଦିଙ୍କ ମଧ୍ୟସ୍ଥତାରେ ରମା ସହିତ ସୁଗ୍ରୀବଙ୍କର ବିବାହ ହୋଇଥିଲା। ଅହଂକାରୀ ବାଳୀ ନିରୀହ ସୁଗ୍ରୀବଙ୍କୁ କିସ୍କିନ୍ଧ୍ୟାରୁ ନିଷ୍କାସିତ କରିବାରୁ ସେ ଋଷ୍ୟମୁକରେ ଆଶ୍ରୟ ନେଇଥିଲେ। ସୁଗ୍ରୀବଙ୍କ ସନ୍ଧାନରେ ରାମ ସେଠାରେ ପହଞ୍ଚିଥିଲେ। ରାମ ଓ ସୁଗ୍ରୀବଙ୍କର ମିତ୍ରତା ଫଳରେ ଦୁଇ ସଂସ୍କୃତିର ମିତ୍ରତ୍ୱ ଓ ସମୀକରଣ ହୋଇଥିଲା।
-ଡକ୍ଟର ତୁଳସୀ ଓଝା