
ବାଲେଶ୍ୱର,୨୪।୧୦(ବାଞ୍ଛାନିଧି ଦେ): ବାତ୍ୟା ମୁକାବିଲା ଏବଂ ପରିଚାଳନା ବିଷୟରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି ବାଲେଶ୍ୱର ଏମ୍ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ। ଗୁରୁବାର ଦିନ ତମାମ ଏମ୍ପି ଷଡ଼ଙ୍ଗୀ ବସ୍ତା, ବାଲିଆପାଳ ଏବଂ ଜଳେଶ୍ୱର ବ୍ଲକର ବିଭିନ୍ନ ଅଞ୍ଚଳରୁ ବାତ୍ୟା ଆଶ୍ରୟସ୍ଥଳୀକୁ ଆସିଥିବା ଲୋକଙ୍କୁ ଭେଟି ସେମାନଙ୍କ ସୁବିଧା ଅସୁବିଧା ବିଷୟରେ ଆଲୋଚନା କରିଥିଲେ।
ଏପରିକି ସମସ୍ତଙ୍କ ପାଇଁ ପୌଷ୍ଟିକ ଖାଦ୍ୟ, ପାନୀୟ ଜଳର ବ୍ୟବସ୍ଥା, ବିଶେଷ କରି ଶିଶୁ ଓ ବୃଦ୍ଧ ବ୍ୟକ୍ତିଙ୍କ ପାଇଁ ଅଧିକ ଧ୍ୟାନ ଦେବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏପରିକି ବିସ୍ଥାପିତଙ୍କ ଘରକୁ ସୁରକ୍ଷା ଦେବା ପାଇଁ ପୋଲିସ ପ୍ରଶାସନକୁ ଅବଗତ କରାଇଥିଲେ। ଶୁନ୍ୟ କ୍ଷୟକ୍ଷତି ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାରର ବନ୍ଦୋବସ୍ତ କରାଯାଇଛି, ଯେକୌଣସି ପରିସ୍ଥିତିକୁ ମୁକାବିଲା କରିବା ପାଇଁ ପୋଲିସ, ପ୍ରଶାସନ, ଅଗ୍ନିଶମ ବାହିନୀ, ଏନ୍ଡ଼ିଆରଏଫ, ଓଡ଼ିଆରଏଫ, ବନ ବିଭାଗ ଓ ସ୍ବାସ୍ଥ୍ୟ ବିଭାଗ ପ୍ରସ୍ତୁତ ରହିଛନ୍ତି। ଏ’ବାବଦରେ ଏମ୍ପି ଷଡ଼ଙ୍ଗୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ଫୋନରେ କଥା ହୋଇ ଆଲୋଚନା କରିଥିଲେ।
ଉକ୍ତ ତିନୋଟି ବ୍ଲକର ସମସ୍ତ ସ୍ଥାୟୀ ଓ ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀ ବୁଲି କାର୍ଯ୍ୟର ତଦାରଖ କରି ଆବଶ୍ୟକୀୟ ପଦକ୍ଷେପ ନେବାକୁ ନିୟୋଜିତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହା ସହିତ ଲୋକଙ୍କୁ ଭୟଭୀତ ନ ହୋଇ ସରକାରଙ୍କ ସୂଚନା ମୂତାକ ନିର୍ଦ୍ଦେଶ ପାଳନ କରିବା ପାଇଁ ଅନୁରୋଧ କରିଥିଲେ। ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ମଧ୍ୟ ଏମ୍ପିଙ୍କ ସହିତ ବହୁ ବାତ୍ୟା ଆଶ୍ରୟସ୍ଥଳୀ ବୁଲି ସ୍ଥିତି ଅନୁଧ୍ୟାନ କରିଥିଲେ l ବାତ୍ୟା ଆଶ୍ରୟସ୍ଥଳୀରେ ଏମ୍ପି ନିଜେ ଲୋକଙ୍କୁ ରନ୍ଧା ଖାଦ୍ୟ ପରଷି ଥିଲେ।