ନୂଆଦିଲ୍ଲୀ: ରୋହିଙ୍ଗ୍ୟା ଶରଣାର୍ଥୀମାନଙ୍କୁ ଏବେ ବାଂଲାଦେଶରେ ଆତଙ୍କବାଦୀ ତାଲିମ ଦିଆଯାଉଥିବା ନେଇ ଗୁଇନ୍ଦା ରିପୋର୍ଟ ପ୍ରକାଶ ପରେ ହଇଚଇ ସୃଷ୍ଟି ହୋଇଛି। ଆତଙ୍କବାଦୀଙ୍କୁ ପ୍ରଶିକ୍ଷଣ ଦେବା ପରେ ସେମାନଙ୍କୁ ମିଆଁମାରରେ ଚାଲିଥିବା ଗୃହଯୁଦ୍ଧରେ ସାମିଲ ହେବାକୁ ପଠାଯାଉଥିବା ଜଣାପଡ଼ିଛି। ଶେଖ୍ ହସିନା ସରକାରଙ୍କ ପତନ ପରଠାରୁ ଭାରତର ପଡ଼ୋଶୀ ଦେଶରେ ଇସ୍ଲାମିକ ଚରମପନ୍ଥୀଙ୍କ ହିଂସା ବଢ଼ିବାରେ ଲାଗିଛି। ଏବେ ରୋହିଙ୍ଗ୍ୟାମାନେ ଆତଙ୍କବାଦୀ ପାଲଟୁଥିବା ବେଳେ ଆଗକୁ ଭାରତ ପାଇଁ ଏହା ବଡ଼ ବିପଦ ସୃଷ୍ଟି କରିବ ବୋଲି ଆଶଙ୍କା ପ୍ରକାଶ ପାଇଲାଣି। ବାଂଲାଦେଶ ପାକିସ୍ତାନ ସହାୟତାରେ ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ପ୍ରଶିକ୍ଷଣ ଦେଉଛି । ୨୫୦ରୁ ଅଧିକ ରୋହିଙ୍ଗ୍ୟାଙ୍କୁ ତାଲିମ ଦିଆଯାଇଥିବା ବେଳେ ଏଥିପାଇଁ ସାଉଦି ଆରବ ଓ ମାଲେସିଆ ମାଧ୍ୟମରେ ୨.୮ କୋଟି ଟଙ୍କାର ପାଣ୍ଠି ଯୋଗାଇ ଦିଆଯାଇଛି।
ଏହି ବିପଜ୍ଜନକ କାର୍ଯ୍ୟ ଆଞ୍ଚଳିକ ଶାନ୍ତିକୁ ଭଣ୍ଡୁର କରିପାରେ ଏବଂ ଭାରତର ନିରାପତ୍ତା ଚିନ୍ତା ବଢ଼ାଇପାରେ ବୋଲି ସାମରିକ ବିଶେଷଜ୍ଞମାନେ ମତ ଦେଇଛନ୍ତି। ବାଂଲାଦେଶରେ ବିଶ୍ୱର ସର୍ବବୃହତ ଶରଣାର୍ଥୀ ଶିବିରରୁ ଆତଙ୍କୀ ଚୟନ କରାଯାଉଛି ଏବଂ ସେମାନଙ୍କୁ ସ୍ବତନ୍ତ୍ର ଶିବିରରେ ଅତ୍ୟାଧୁନିକ ଅସ୍ତ୍ର ଚାଳନା ଓ ବିଭିନ୍ନ ଆକ୍ରମଣ ନେଇ ତାଲିମ ପ୍ରଦାନ କରାଯାଉଛି । ବୌଦ୍ଧ ବହୁଳ ମିଆଁମାର ସେନା ହାତରେ ଗଣହତ୍ୟାରୁ ରକ୍ଷା ପାଇବା ପାଇଁ ୨୦୧୬ରେ ଲକ୍ଷାଧିକ ରୋହିଙ୍ଗ୍ୟା ବାଂଲାଦେଶକୁ ପଳାୟନ କରିବା ଆରମ୍ଭ କରିଥିଲା। ସେବେଠାରୁ ସେମାନେ ଭାରତ ଓ ବାଂଲାଦେଶ ସମେତ ଅନେକ ଦେଶର ବିଭିନ୍ନ ସ୍ଥାନରେ ବସବାସ କରିଛନ୍ତି। ତେବେ ରୋହିଙ୍ଗ୍ୟା ମୁସଲମାନଙ୍କୁ ପ୍ରଶିକ୍ଷଣ ଓ ସଶସ୍ତ୍ର କରାଯାଉଥିବା କଥାକୁ ମିଆଁମାର ସେନା ଅସ୍ୱୀକାର କରି କହିଛି ଯେ ସେମାନେ କେବଳ ନିଜ ବସତିଅଂଚଳର ସୁରକ୍ଷା ପାଇଁ ଏହି ପଦକ୍ଷେପ ନେଉଛନ୍ତି। ତେବେ ନାଗରିକତା ପ୍ରତିଶ୍ରୁତି ଦେଇ ଅତ୍ୟନ୍ତ ଯୋଜନାବଦ୍ଧ ଭାବେ ରୋହିଙ୍ଗ୍ୟାଙ୍କୁ ଆତଙ୍କୀ କରାଯାଉଥିବା ନେଇ ବିଭିନ୍ନ ଗୁଇନ୍ଦା ରିପୋର୍ଟ ପ୍ରକାଶ ପାଇଛି। ବାଂଲାଦେଶର ଜଣେ କୂଟନୀତି ବିଶେଷଜ୍ଞ ସାହାବ ଇନାମ ଖାନ୍ ଚେତାବନୀ ଦେଇଛନ୍ତି ଯେ ରୋହିଙ୍ଗ୍ୟା ଆତଙ୍କୀ ପାଲଟିବା ଦ୍ବାରା ଆଞ୍ଚଳିକ ଶାନ୍ତି ପ୍ରତି ଆଗକୁ ବଡ଼ ବିପଦ ଆସିବ। ବାଂଲାଦେଶ ସରକାରର ରଣନୀତି ଓ ସେନାର ଆଭିମୁଖ୍ୟ ଅତ୍ୟନ୍ତ ବିପଜ୍ଜନକ ହୋଇଥିବାରୁ ଏହା ଭାରତ ପାଇଁ ସୁରକ୍ଷା ଚ୍ୟାଲେଞ୍ଜ ସୃଷ୍ଟି କରିପାରେ। ସୂଚନାଯୋଗ୍ୟ, ରୋହିଙ୍ଗ୍ୟା ସଙ୍କଟ ଏବେ ଦକ୍ଷିଣ ଏସିଆରେ ଅନ୍ୟତମ ଜଟିଳ ସଙ୍କଟରେ ପରିଣତ ହୋଇଛି।