ଜୟପୁର: ଜୈବିକ ଚାଷ ଏବଂ ମାଣ୍ଡିଆ ଓ ଧାନ କିସମର ସଂରକ୍ଷଣ ପାଇଁ ଖ୍ୟାତି ଅର୍ଜନ କରିଥିବା ରାଇମତି ଘିଉରିଆଙ୍କୁ ଜାତୀୟସ୍ତରରେ ପୁରସ୍କୃତ କରାଯାଇଛି। ଶନିବାର ଟାଇମ୍ସ ନେଟ୍ୱର୍କ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ ସଂସଦୀୟ ବ୍ୟାପାର ଏବଂ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁଙ୍କ ଠାରୁ ଶ୍ରୀମତୀ ଘିଉରିଆ ‘ଅାମେଜିଂ ଇଣ୍ଡିଆନ୍ସ ଆୱାର୍ଡ ୨୦୨୪’ ଗ୍ରହଣ କରି ଓଡ଼ିଶା ତଥା ଦେଶ ପାଇଁ ଗୌରବ ଆଣିଛନ୍ତି।
ସେ ଏମ୍ଏସ୍ ସ୍ୱାମୀନାଥନ ଗବେଷଣା ପ୍ରତିଷ୍ଠାନ ସହିତ ୨୧ ବର୍ଷ ହେଲା ଜଡ଼ିତ ହୋଇ ଜୈବିକ କୃଷି ଓ ପାରମ୍ପରିକ ବିହନ ସଂରକ୍ଷଣ ଉପରେ କାର୍ଯ୍ୟ କରି ଆସିଛନ୍ତି। ଏହି ପୁରସ୍କାର ପାଇଁ ଏମ୍ଏସ୍ ସ୍ୱାମୀନାଥନ ଗବେଷଣା ପ୍ରତିଷ୍ଠାନ ରାଇମତିଙ୍କ ନିମନ୍ତେ ଆବେଦନ କରିବା ସହିତ ସମସ୍ତ ସାହାଯ୍ୟ ପ୍ରଦାନ କରିଥିଲା। ଏହି ପୁରସ୍କାର ନିମନ୍ତେ ୧୨ଟି ବର୍ଗ ରହିଥିବାବେଳେ ରାଇମତି ‘କୃଷି’ ବର୍ଗ ରେ ନାମାଙ୍କନ କରିଥିଲେ। ଏହି ୧୨ଟି ବର୍ଗରେ ପ୍ରାୟ ୫୦୦୦ରୁ ଊର୍ଦ୍ଧ୍ବ ଆବେଦନକାରୀ ଆବେଦନ କରିଥିଲେ। ସେ ମଧ୍ୟରୁ କୃଷି ବର୍ଗରେ ୫ ଜଣଙ୍କୁ ଅନ୍ତିମ ପର୍ଯ୍ୟାୟ ନିମନ୍ତେ ସ୍ୱତନ୍ତ୍ର ବିଚାରକମଣ୍ଡଳୀ ମନୋନୟନ କରିଥିଲେ। ସେହି ୫ ଜଣଙ୍କ ମଧ୍ୟରୁ ଶ୍ରୀମତୀ ଘିଉରିଆଙ୍କୁ ବିଜେତା ଘୋଷଣା କରାଯାଇଥିଲା।