ଗୋପାଳପୁର: ଡେଥ ଜୋନ ଭାବେ ପରିଚିତ ଜାତୀୟ ରାଜପଥ ନଂ ୧୬ ରେ ୨୪ ଘଣ୍ଟା ମଧ୍ୟରେ ଆଉ ଜଣଙ୍କ ପିକ ଅପ ଗାଡି ଧକ୍କା ରେ ଜୀବନ ଚାଲି ଯାଇଥିବା ବେଳେ ୨ ଦିନରେ ୩ ଟି ଅମୂଲ୍ୟ ଜିବନ ଚାଲିଯାଇଛି। ଆଜି ଭୋର୍ ୫ ଟା ବେଳେ ଜଣେ ପରିବା ବିକ୍ରି କରିବାକୁ ଆସିଥିବା ମହିଳା ଜଣଙ୍କ ରାସ୍ତା ପାର ହେଉଥିବା ବେଳେ ଏକ ପିକ ଅପ ଭ୍ୟାନ ଧକ୍କା ଦେବା ସହ ଚଢ଼ି ଯିବାରୁ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା। ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ମହିଳା ଜଣକ ହେଉଛନ୍ତି ଚିକରଡା ଗ୍ରାମର ମାଳତୀ ବେହେରା( ୬୫) ବୋଲି ପୁଲିସ ସୂଚନା ଦେଇଛି। ଘଟଣା ପରେ ରଣ୍ଢା ଅଞ୍ଚଳର ଅଞ୍ଚଳବାସୀ ଙ୍କ ପକ୍ଷରୁ ବାରମ୍ବାର ଏପରି ଦୁର୍ଘଟଣା ମାନ ଘଟୁଥିବାରୁ ଓଭରବ୍ରିଜ ନିର୍ମାଣ ଦାବି ନେଇ ଜାତୀୟ ରାଜପଥ ଅବରୋଧ କରିଥିଲେ।
ଆଜି ସକାଳୁ ପ୍ରତିଦିନ ଭଳି ରଣ୍ଢା ପରିବା ବଜାରରୁ ପରିବା ନେଇ ବ୍ରହ୍ମପୁରରେ ବିକ୍ର କରିବା ପାଇଁ ମୃତ ମାଳତୀ ନିଜ ଗାଁ ରୁ ଆସି ରଣ୍ଢା ଜାତୀୟ ରାଜପଥ ପାର ହେଉଥିଲେ ।ଏହି ସମୟରେ ଇଚ୍ଛାପୁର ରୁ ବ୍ରହ୍ମପୁର ପଟେ ଯାଉଥିବା ଗୋଟେ ମାଛ ବୋଝେଇ ପିକ୍ଆପ ଭ୍ୟାନ ମାଳତୀ କୁ ଧକ୍କା ଦେଇଥିଲା, ଫଳରେ ମାଳତୀ ଛିଟିକି ପଡ଼ି ଘଟଣାସ୍ଥଳରେ ହିଁ ତା’ର ମୃତ୍ୟୁ ଘଟିଥିଲା।ଘଟଣା ପରେ ସ୍ଥାନୀୟ ରଣ୍ଢା ଓ ଚିକରଡା ଗ୍ରାମବାସୀ କିଛି ସମୟ ପାଇଁ ରାସ୍ତାରୋକ କରିଥିଲେ, ଘଟଣାସ୍ଥଳରେ ଗୋଳନ୍ଥରା ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୁ ଆନ୍ଦୋଳନ କାରୀ ହଟିଥିଲେ ।
ପୁଲିସ ପକ୍ଷରୁ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ପଠାଇ ଦୁର୍ଘଟଣା ଘଟେଇଥିବା ପିକଅପ ଭ୍ୟାନ କୁ ଜବତ କରି ତଦନ୍ତ ଆରମ୍ଭ କରିଛି। ଅନ୍ୟ ପଟେ ରବିବାର ସକାଳେ ରଣ୍ଢା ଛକର ୪୦୦ ମିଟର ଦୂରରେ କନିଷିହାଟ ରୁ ରଣ୍ଢା ଯାଉଥିବା ଏକ ମୋଟରସାଇକେଲକୁ ଏକ କାର ଧକ୍କା ଦେବାରୁ ମଉସା ଓ ପୁତୁରା ର ମୃତ୍ୟୁ ଘଟିଥିଲା।
ଏହି କ୍ରମରେ ଆଜି ସନ୍ଧ୍ୟାରେ ତୁରନ୍ତ ରଣ୍ଢା ଛକ ଠାରେ ରଣ୍ଢା ଗ୍ରାମବାସୀ ଏବଂ ରଣ୍ଢା ସରପଞ୍ଚ ଅଜିତ ରାଉଳ ଙ୍କ ନେତୃତ୍ୱରେ ଜାତୀୟ ରାଜପଥ ଅବରୋଧ କରାଯାଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ରଣ୍ଢା ଛକ ରେ ଜାତୀୟ ରାଜପଥ ଓଭରବ୍ରିଜ ନିର୍ମାଣ ରେ ବିଳମ୍ବ କରୁଥିବାରୁ ଏହାକୁ ବିରୋଧ କରାଯିବା ତୁରନ୍ତ ବ୍ରିଜ କାମ ଆରମ୍ଭ ନକଲେ ଆଗାମୀ ଦିନରେ ପୁଣିଥରେ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ ବୋଲି ଅବରୋଧ ରେ ସାମିଲ ହୋଇଥିବା ବ୍ରହ୍ମପୁର ବିଧାୟକ ତଥା ଗୋପାଳପୁର ର ବିଧାୟକ ପ୍ରାର୍ଥୀ ବିକ୍ରମ ପଣ୍ଡା ମତପୋଷଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଉପାଧକ୍ଷା ରାଜେଶ୍ବରୀ ଦୋରା, ଜିଲ୍ଲା ପରିଷଦ ସଭ୍ୟ ଦିପକ ସାମନ୍ତ, ତପୋଇ ଦାସ,ଅଜିତ ଦାସ ଙ୍କ ସମେତ ଶତାଧିକ କର୍ମୀ ଉପସ୍ଥିତ ରହିଥିଲେ।