Friday, February 21, 2025
Friday, February 21, 2025
Home Latest ରଜରେ ଶପଥ ନେଇଥିଲେ ରାଜ୍ୟର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ

ରଜରେ ଶପଥ ନେଇଥିଲେ ରାଜ୍ୟର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ

by
0 comment

ରଜରେ ଶପଥ ନେଇଥିଲେ ରାଜ୍ୟର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ

ସ୍ବରାଜ ମିଶ୍ର

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

ଏବେ ଏବେ ନିର୍ବାଚନ ସରିଛି। ରାଜ୍ୟରେ ନୂଆ ସରକାର ଗଠନକୁ ନେଇ ପ୍ରବଳ ଉତ୍ସାହ। ରାତି ପାହିଲେ ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ। ପୁଣି ଦିନ କେଇଟା ପରେ ପାଳିତ ହେବ ରାଜ୍ୟର ସବୁଠାରୁ ଜନପ୍ରିୟ ଗଣପର୍ବ ‘ରଜ’। ଗଭୀର ଉଲ୍ଲାସର ସହ ଏଥିରେ ସାମିଲ ହେବେ ରାଜ୍ୟର ସବୁ ବର୍ଗ ଓ ସବୁ ବୟସର ମହିଳା। ଏଣୁ ଏଥର ବିଧାନସଭାକୁ ନିର୍ବାଚିତ ହୋଇ ଆସିଥିବା ୧୧ ଜଣ ବିଧାୟିକାଙ୍କ ପାଇଁ ଏଇ ରଜ ହେବ ଆହୁରି ଖାସ୍ ଏବଂ ଆହୁରି ତାତ୍ପର୍ଯ୍ୟପୂର୍ଣ୍ଣ। କିନ୍ତୁ ଜାଣନ୍ତି କି, ଓଡ଼ିଶା ନିର୍ବାଚନ ଇତିହାସରେ ଏମିତି ଏକ ନିର୍ବାଚନ ଥିଲା ଯେଉଁଥିରେ କେହି ଜଣେ ବି ମହିଳା ବିଧାନସଭାକୁ ନିର୍ବାଚିତ ହୋଇ ନ ଥିଲେ। ଆଉ ସବୁଠାରୁ ବେଶୀ କୌତୂହଳର କଥା ଯେ ମାତ୍ର ବ‌ର୍ଷକ ପରେ ସେହି ବିଧାନସଭାକୁ ପ୍ରବେଶ କରିଥିଲେ ଜଣେ ମହିଳା। ତା’ ପୁଣି ମୁଖ୍ୟମନ୍ତ୍ରୀ ହିସାବରେ ଶପଥ ନେଇ, ଠିକ୍ ରଜ ସଂକ୍ରାନ୍ତିରେ। ସେ ଓଡ଼ିଶାର ସର୍ବପ୍ରଥମ ଓ ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ- ଶ୍ରୀମତୀ ନନ୍ଦିନୀ ଶତପଥୀ।

୧୯୭୧ ମସିହାରେ ଅନୁଷ୍ଠିତ ସ୍ବାଧୀନତା ପରବର୍ତ୍ତୀ ଓଡ଼ିଶା ବିଧାନସଭାର ୫ମ ସାଧାରଣ ନିର୍ବାଚନ ଅନେକ ଦୃଷ୍ଟିରୁ ତାତ୍ପର୍ଯ୍ୟପୂର୍ଣ୍ଣ ଥିଲା। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥାଟି ହେଲା ଯେ ଏହି ବିଧାନସଭାରେ ଜଣେ ବି ମହିଳା ନ ଥିଲେ। ଏପରି ନୁହେଁ ଯେ ସେଥର ନିର୍ବାଚନରେ କେହି ମହିଳା ପ୍ରତିଦ୍ବନ୍ଦ୍ବିତା କରି ନ ଥିଲେ। ବିଧାନସଭାର ୧୪୦ଟି ଆସନ ପାଇଁ ମୋଟ ୮୩୫ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୧୨ ଜଣ ଥିଲେ ମହିଳା। ସେମାନଙ୍କ ମଧ୍ୟରେ ବେଶ୍ କେତେଜଣ ଟାଣୁଆ ଓ ଜନପ୍ରିୟ ନେତ୍ରୀ ମଧ୍ୟ ଥିଲେ। ମାତ୍ର ସେମାନଙ୍କ ଭିତରୁ କେହି ଜଣେ ବି ନିର୍ବାଚନ ଜିଣିପାରି ନ ଥିଲେ। ଆଠଗଡ଼ରୁ ସ୍ବତନ୍ତ୍ର ଦଳ ତରଫରୁ ପ୍ରାର୍ଥୀ ହୋଇଥିବା ରାଣୀ ରାସମଞ୍ଜରୀ ଦେବୀ ରାଧାନାଥ ରଥଙ୍କ ଠାରୁ ମାତ୍ର ୯୪୯ ଖଣ୍ଡ ଭୋଟରେ ନିର୍ବାଚନ ହାରିଥିବା ବେଳେ ଭଟଲି ଆସନରୁ ପୂର୍ବରୁ ଦୁଇ ଦୁଇ ଥର ନିର୍ବାଚନ ଜିଣି ମନ୍ତ୍ରୀ ପଦରେ ରହି ସାରିଥିବା ସରସ୍ବତୀ ପ୍ରଧାନ ଉତ୍କଳ କଂଗ୍ରେସ ଟିକେଟରେ ଲଢ଼ି ପରାଜିତ ହୋଇଯାଇଥିଲେ। ସେହିପରି ଖଲ୍ଲିକୋଟରୁ ଚନ୍ଦ୍ରପ୍ରିୟା ମର୍ଦ୍ଦରାଜ, ସୁକିନ୍ଦାରୁ ଆନନ୍ଦମଞ୍ଜରୀ ଦେବୀ, ଚୌଦ୍ବାରରୁ ବସନ୍ତ କୁମାରୀ ଦେବୀ, ପିପିଲିରୁ କୁନ୍ତଳା କୁମାରୀ ଆଚାର୍ଯ୍ୟ ଓ ବାଲିକୁଦା ଆସନରୁ ପ୍ରଜା ସୋସାଲିଷ୍ଟ ପାର୍ଟିର ମୀରା ଦାସଙ୍କ ସମେତ ସମସ୍ତ ମହିଳା ପ୍ରାର୍ଥୀ ଦୁର୍ଭାଗ୍ୟପୂର୍ଣ୍ଣ ଭାବରେ ପରାଜୟର ସାମନା କରିଥିଲେ।

ଏହି ନିର୍ବାଚନରେ କୌଣସି ଦଳ ସଂଖ୍ୟାଗରିଷ୍ଠତା ହାସଲ କରି ନ ଥିବାରୁ ସ୍ବତନ୍ତ୍ର, ଉତ୍କଳ କଂଗ୍ରେସ ଓ ଝାଡ଼ଖଣ୍ଡ ଦଳ ମିଶି ବିଶ୍ବନାଥ ଦାସଙ୍କ ନେତୃତ୍ବରେ ମିଳିତ ମନ୍ତ୍ରିମଣ୍ଡଳ ଗଠନ କରିଥିଲେ। ମାତ୍ର ଏହି ସରକାର ଅଧିକ କାଳ ତିଷ୍ଠି ପାରି ନଥିଲା। ୧୯୭୨ ଜୁନ୍‌ରେ ବିଶ୍ବନାଥ ଦାସ ଇସ୍ତଫା ଦେବା ପରେ କଂଗ୍ରେସ ଦଳ ନୂଆ ସରକାର ଗଠନ କଲା ଏବଂ ଏହାର ନେତୃତ୍ବ ନେବା ପାଇଁ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଯାହାଙ୍କୁ ମନୋନୀତ କଲେ, ସେ ଥିଲେ ତାଙ୍କର ଘନିଷ୍ଠ ସହଯୋଗୀ, ଓଡ଼ିଆ ଝିଅ ନନ୍ଦିନୀ ଶତପଥୀ ।
୧୯୩୧ ମସିହା ଜୁନ୍ ୯ ତାରିଖରେ ଜନ୍ମ ନେଇଥିଲେ ପ୍ରଖ୍ୟାତ ଲେଖକ କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ କନ୍ୟା ନନ୍ଦିନୀ। ତାଙ୍କ ଛାତ୍ରୀଜୀବନ କଟକରେ ହିଁ କଟିଥିଲା। ପିଲାଟି ଦିନରୁ ସେ ଥିଲେ ଅତ୍ୟନ୍ତ ନିର୍ଭୀକ ଓ ସ୍ବାଧୀନଚେତା। ୧୯୩୯ ମସିହାରେ ମାତ୍ର ୮ ବର୍ଷ ବୟସରେ କଟକ ମ୍ୟୁନିସିପାଲଟି ପଡ଼ିଆରେ ନେତାଜୀ ସୁଭାଷ ବୋଷଙ୍କ ଭାଷଣ ଶୁଣି ସେ ଖୁବ୍ ପ୍ରଭାବିତ ହୋଇଥିଲେ। ଓଡ଼ିଶାରେ ସାମ୍ୟବାଦୀ ଆନ୍ଦୋଳନର ଅନ୍ୟତମ କର୍ଣ୍ଣଧାର ନିଜ କକେଇ ଭଗବତୀ ଚରଣ ପାଣିଗ୍ରାହୀଙ୍କ ଆଦର୍ଶରେ ସେ ପିଲାଟି ଦିନରୁ ଅନୁପ୍ରାଣିତ ହୋଇଥିଲେ। ରାଜ୍ୟ ରାଜନୀତିକୁ ଆସିବା ପରେ କଂଗ୍ରେସ ଦଳ ତରଫରୁ ୧୯୬୨ ଓ ୧୯୬୮ରେ ସେ ଦୁଇଥର ରାଜ୍ୟସଭାକୁ ଯାଇଥିଲେ। ଏହି ସମୟରେ ସେ ଇନ୍ଦିରା ଗାନ୍ଧୀଙ୍କ ମନ୍ତ୍ରିମଣ୍ଡଳରେ ସୂଚନା ଓ ପ୍ରସାରଣ ବିଭାଗର ଦାୟିତ୍ବ ସମ୍ଭାଳି ଥିଲେ ଏବଂ ଶ୍ରୀମତୀ ଗାନ୍ଧୀଙ୍କର ଭରସା ଓ ବିଶ୍ବାସ ଜିଣି ପାରିଥିଲେ। ଏଣୁ ୧୯୭୨ରେ ଓଡ଼ିଶାରେ ନବଗଠିତ କଂଗ୍ରେସ ମନ୍ତ୍ରିମଣ୍ଡଳର ନେତୃତ୍ବ ନେବା ପାଇଁ ଇନ୍ଦିରା ଗାନ୍ଧୀ ତାଙ୍କୁ ହିଁ ମନୋନୀତ କଲେ ଏବଂ ଜୁନ୍ ୧୪ ତାରିଖରେ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ରୂପେ ଶପଥ ନେଲେ।
ଓଡ଼ିଶାରେ ରଜପର୍ବ ମିଥୁନ ସଂକ୍ରାନ୍ତିର ଗୋଟିଏ ଦିନ ପୂର୍ବରୁ ଆରମ୍ଭ ହୋଇ ଦିନକ ପରେ ଶେଷ ହୁଏ। ଏହି ପର୍ବ ପ୍ରତିବର୍ଷ ପ୍ରାୟ ଜୁନ୍ ୧୩ରୁ ୧୫ ମଧ୍ୟରେ ପଡ଼ିଥାଏ। ୧୯୭୨ ମସିହାରେ ର‌ଜ ସଂକ୍ରାନ୍ତି ଜୁନ ୧୪ ତାରିଖରେ ପଡ଼ିଥିଲା ଏବଂ ଠିକ୍ ଏହିଦିନ ନନ୍ଦିନୀ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ହିସାବରେ ଶପଥ ନେଇଥିଲେ। ତାହା ଥିଲା ଓଡ଼ିଶା ପାଇଁ ଏକ ଐତିହାସିକ ଘଟଣା।

ଏକ ପୁରୁଷଭରା ବିଧାନସଭାରେ ସେ ଯେ କେବଳ ମୁଖ୍ୟମନ୍ତ୍ରୀ ଆସନରେ ବସିଲେ ସେତିକି ନୁହେଁ, ସେ ହେଲେ ସାରା ଦେଶରେ କୌଣସି ରାଜ୍ୟର ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିବାରେ ସୁ‌େଚତା କୃପାଲାନୀଙ୍କ ପରେ ଦ୍ବିତୀୟ ମହିଳା। ସେତେବେଳେ ତାଙ୍କର ବୟସ ଥିଲା ମାତ୍ର ୪୧ ବର୍ଷ। ସେ ଦୃଷ୍ଟିରୁ ରାଜ୍ୟର ସର୍ବକନିଷ୍ଠା ମୁଖ୍ୟମନ୍ତ୍ରୀ ହେବାର ରେକର୍ଡ ମଧ୍ୟ ତାଙ୍କ ନାମରେ ରହିଲା। ଯେହେତୁ ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କଲାବେଳେ ସେ ବିଧାନସଭାର ସଦସ୍ୟା ନ ଥିଲେ ତାଙ୍କୁ ଉପନିର୍ବାଚନ ଲଢ଼ି ବିଧାନସଭାକୁ ଆସିବାର ଥିଲା। ଏକ ପ୍ରବଳ ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ଉପନିର୍ବାଚନରେ କଟକ ନିର୍ବାଚନମଣ୍ଡଳୀରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରେନ ମିତ୍ରଙ୍କୁ ପରାଜିତ କରି ସେ ୧୯୭୨ ନଭେମ୍ବର ଶେଷ ସପ୍ତାହରେ ବିଧାନସଭାର ସଦସ୍ୟା ହୋଇଥିଲେ। ସେ ପଞ୍ଚମ ଓଡ଼ିଶା ବିଧାନସଭାର ଏକମାତ୍ର ମହିଳା ସଦସ୍ୟା, ଓଡ଼ିଶାର ପ୍ରଥମ, ଏକମାତ୍ର ଓ ସର୍ବକନିଷ୍ଠା ମହିଳା ମୁଖ୍ୟମନ୍ତ୍ରୀ, ଚିର ବନ୍ଦନୀୟା ଶ୍ରୀମତୀ ନନ୍ଦିନୀ ଶତପଥୀ।
ଆଜି ଜୟନ୍ତୀ ଅବସରରେ ସେହି ମହିୟସୀ ମହିଳାଙ୍କୁ କୋଟି କୋଟି ପ୍ରଣାମ।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od