Friday, January 10, 2025
Friday, January 10, 2025
Home Latest ଯୋଗାଣ ଅଧିକାରୀଙ୍କୁ ତାଲା ଠୁଙ୍କିଲେ: ବରଗଡ଼ରେ ଧାନକିଣା ଉତ୍ତେଜନା

ଯୋଗାଣ ଅଧିକାରୀଙ୍କୁ ତାଲା ଠୁଙ୍କିଲେ: ବରଗଡ଼ରେ ଧାନକିଣା ଉତ୍ତେଜନା

by
0 comment

ବରଗଡ଼: ବରଗଡ଼ ଜିଲ୍ଲାରେ ଧାନକିଣା ପ୍ରକ୍ରିୟାରେ ଯୋଗାଣ ବିଭାଗ ଅଧିକାରୀ-ମିଲର୍ସଙ୍କ ମଧୁଚନ୍ଦ୍ରିକା ସାମ୍ନାକୁ ଆସିଛି। ଚାଷୀ ମଣ୍ଡିକୁ ଧାନ ଆଣି ବହୁଦିନ ଅପେକ୍ଷା କରି ରହୁଛି। କଟ୍‌ନି ଛଟ୍‌ନି ନହେଲେ ମିଲର୍ସ ମଣ୍ଡିରୁ ଧାନ ଉଠାଉ ନାହାନ୍ତି। ଆଉ ସରକାରୀ ବାବୁମାନେ କହୁଛନ୍ତି ମିଲର୍ସ ଧାନ ନ ନେଲେ କିଭଳି କିଣିବୁ? ଏଭଳି ପରିସ୍ଥିତିକୁ ନେଇ ବରଗଡ଼ରେ ମଙ୍ଗଳବାର ଉତ୍ତେଜନା ଦେଖାଦେଇଛି। ଚାଷୀମାନେ ମୁଖ୍ୟ ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଘେରାଉ କରିଥିଲେ। ସମାଧାନ ନ ହେବାରୁ ଉତ୍ତେଜିତ ଚାଷୀ ମୁଖ୍ୟ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ତାଙ୍କ ଚାମ୍ବର୍‌ରେ ପୂରାଇ ତାଲା ପକାଇ ଦେଇଥିଲେ। ପ୍ରାୟ ଘଣ୍ଟାଏ କାଳ ଚିଫ୍‌ ସିଏସ୍‌ଓ ଫସି ରହିଥିଲେ। ପୁଲିସ ଓ ତହସିଲଦାର ପହଞ୍ଚି ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା । 

ବରପାଲି ବ୍ଲକ୍‌ କୁମ୍ଭାରୀ ଗ୍ରାମର ପୂର୍ଣ୍ଣଚନ୍ଦ୍ର ଭୋଇ ଧାନ ବିକିବାକୁ ଗତ ସପ୍ତାହେ ହେଲା ମଣ୍ଡିରେ ଜଗି ବସିଛନ୍ତି। କିନ୍ତୁ ଧାନ କିଣାଯାଇନି। ସେହିପରି ଅନ୍ୟଜଣେ ଚାଷୀ ସୁବୋଧ ମାଝୀ ୫ ଦିନ ହେଲା ଧାନ ନେଇ ମଣ୍ଡିକୁ ଯାଇଥିଲେ ହେଁ ତାହା କିଣାଯାଇନି। ଦିବାକର ବୁଦ୍ଧିଆଙ୍କ ୭୫ କୁଇଣ୍ଟାଲ ଧାନ ବି ମଣ୍ଡିରେ ଗଦା ହୋଇଛି। ସଂପୃକ୍ତ ଚାଷୀମାନଙ୍କୁ ପଚାରିଲେ କଟ୍‌ନି ଛଟ୍‌ନି ନହେଲେ କାହା ଧାନ ବି କିଣାଯାଉନି ବୋଲି କହିଛନ୍ତି। ମିଲର୍ସ-ଅଧିକାରୀଙ୍କ ମଧୁଚନ୍ଦ୍ରିକାରେ ଚାଷୀ ହନ୍ତସନ୍ତ ହେଉଥିବା କହିଛନ୍ତି। 

 କୁମ୍ଭାରୀ ଗାଁରେ ଏଥର ନୂଆ ମଣ୍ଡି ଆରମ୍ଭ ହୋଇଥିବାରୁ ଗ୍ରାମବାସୀ ବୈଠକ କରି ମଣ୍ଡିକୁ ଦଲାଲମୁକ୍ତ କରିବାକୁ ନିଷ୍ପତ୍ତି ନେଇଥିଲେ। ଏପରିକି ୬୦ ଜଣିଆ କମିଟି ଗଠନ କରି ଭଲରେ କେମିତି ଧାନ କିଣାବିକା ହେବ ସେ ନେଇ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଥିଲେ। ଏ ସବୁ ସତ୍ତ୍ବେ ମଣ୍ଡିରେ ଦଲାଲରାଜ୍‌ ଚାଲିଥିଲା। ଚାଷୀଙ୍କ ଧାନ ମଣ୍ଡିରେ କିଣାଗଲା ନାହିଁ। ଏବେ ବି ସେଠାରେ ୫ ହଜାରରୁ ଅଧିକ ପ୍ୟାକେଟ୍‌ ଧାନ ପଡ଼ିରହିଛି। କଟ୍‌ନି ଛଟ୍‌ନି ନହେଲେ ମିଲର୍ସଙ୍କ ଏଜେଣ୍ଟ ଧାନ ନେବାକୁ ମନା କରୁଛନ୍ତି। ଏଭଳି ସ୍ଥିତିରେ ଚାଷୀମାନେ ଆଜି ସିଏସ୍‌ଓଙ୍କୁ ଅଭିଯୋଗ କରିବାକୁ ପହଞ୍ଚିଥିଲେ। ଅଧିକାରୀମାନେ ସମସ୍ୟା ଶୁଣି ସମାଧାନ ପ୍ରତିଶ୍ରୁତି ଦେବା ପରିବର୍ତ୍ତେ ଗ୍ରେନ୍‌ ଆନାଲାଇଜର୍‌ ମେସିନ କଥା କହିଥିଲେ। ଯାହାକୁ ନେଇ ଚାଷୀମାନେ ତାତିଥିଲେ। ମୁଖ୍ୟ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ତାଙ୍କ ଚାମ୍ବରରେ ରଖି ବାହାରୁ ତାଲା ପକାଇ ଧାରଣାରେ ବସିଥିଲେ। ମଣ୍ଡିରୁ ଧାନ ନ ଉଠିବା ଯାଏଁ ଆନ୍ଦୋଳନ ଚାଲିବ ବୋଲି ଚେତାବନୀ ଦେଇଥିଲେ। ଖବର ପାଇ ତହସିଲଦାର ସୋନାଲି ପଟ୍ଟନାୟକ, ଏସିଏସ୍‌ଓ ଦିବ୍ୟସିଂ ବଡ଼ମାଳି, ପୁଲିସ ଅଧିକାରୀ ପହଞ୍ଚି ବୁଝାସୁଝା କରି ସମସ୍ତ ଚାଷୀଙ୍କ ଧାନ କିଣାଯିବ ବୋଲି କହିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଏ ନେଇ ମୁଖ୍ୟ ଜିଲ୍ଲା ଯୋଗାଣ ଅଧିକାରୀ ରାଜକିଶୋର ପାଣିଗ୍ରାହୀଙ୍କୁ ପଚାରିବାରେ ଚାଷୀଙ୍କ ସମସ୍ୟାର ଶୀଘ୍ର ସମାଧାନ କରାଯିବ ବୋଲି କହିଛନ୍ତି।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od