ବାରିପଦା: ୨୧ ଦିନର ଅପରେସନ୍ ସଫଳ ହୋଇଛି। ଆଜି ଧରାପଡ଼ିଛି ବାଘୁଣୀ ‘ଜୀନତ୍’। ପଶ୍ଚିମବଙ୍ଗର ବାଙ୍କୁଡ଼ା ଜିଲ୍ଲାରେ ବାଘୁଣୀକୁ ଟ୍ରାଙ୍କୁଲାଇଜ୍ କରିବାରେ ସଫଳ ହୋଇଛି ବନ ବିଭାଗ। ଏନେଇ ସୂଚନା ଦେଇଛନ୍ତି ବନ୍ୟପ୍ରାଣୀ ଆର୍ସିସିଏଫ୍ ପ୍ରକାଶଚାନ୍ଦ ଗୋଗିନାନୀ। ‘ଜୀନତ୍’କୁ ଅଲିପୁର ଚିଡ଼ିଆଖାନାକୁ ନିଆଯାଇ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ। ସେଠାରେ ଚିକିତ୍ସା ଓ ଅନ୍ୟାନ୍ୟ ପ୍ରକ୍ରିୟା ଶେଷ ହେବାପରେ ଜୀନତ୍କୁ ଶିମିଳିପାଳକୁ ଫେରାଇ ଅଣାଯିବ ବୋଲି କହିଛନ୍ତି ଶ୍ରୀ ଗୋଗିନାନୀ।
ସୂଚନାଯୋଗ୍ୟ, ଚଳିତ ମାସ ୮ ତାରିଖ, ରବିବାର ରାତିରେ ବାଙ୍ଗିରିପୋଷି ରେଞ୍ଜ ଦେଇ ଶିମିଳିପାଳରୁ ଝାଡ଼ଖଣ୍ଡ ପଳାଇଥିଲା ‘ଜୀନତ୍’। ସେଠାରେ ୧୦ ଦିନ ଧରି ଆତଙ୍କ ଖେଳାଇବା ପରେ ଓଡ଼ିଶାମୁହାଁ ନହୋଇ ସମୀନ୍ତବର୍ତ୍ତୀ ପଶ୍ଚିମବଙ୍ଗକୁ ଚାଲି ଯାଇଥିଲା। ୧୮ ତାରିଖରୁ ପଶ୍ଚିମବଙ୍ଗ ସୀମାରେ ପଶିଥିବା ‘ଜୀନତ୍’ ଝାଡ଼ଗ୍ରାମ, ପୁରୁଲିଆ ଜିଲ୍ଲା ହୋଇ ଶେଷରେ ବାଙ୍କୁଡ଼ା ଜିଲ୍ଲାରେ ପ୍ରବେଶ କରିଥିଲା। ତେବେ ବାଘୁଣୀଟି ଦିନକୁ ଦିନ ହିଂସ୍ର ହେଉଥିବାରୁ ବାଙ୍କୁଡ଼ାରେ ହିଁ କାବୁ କରିବା ପାଇଁ ନିଷ୍ପତ୍ତି ନେଇଥିଲା ବନ ବିଭାଗ।
ଗତକାଲି ଅପରାହ୍ଣରେ ‘ଜୀନତ୍’କୁ ରାଣୀବନ୍ଧ ଥାନା ଅଧୀନ ଗୋସାଇଁଡ଼ିହି ଗାଁ ନିକଟସ୍ଥ ଗ୍ରାମ୍ୟ ଜଙ୍ଗଲରେ ଠାବ କରିବା ପରେ ଶିମିଳିପାଳ ଓ ବାଙ୍କୁଡ଼ା ବନ ବିଭାଗ କର୍ମଚାରୀ, ସୁନ୍ଦରବନର ସ୍ବତନ୍ତ୍ର ଟିମ୍ ଉକ୍ତ ଜଙ୍ଗଲକୁ ଚାରିପଟୁ ଘେରି ଯାଇଥିଲେ। ଗତକାଲି ରାତିରୁ ବାଘୁଣୀକୁ ଧରିବା ପାଇଁ ଆରମ୍ଭ ହୋଇଥିବା ପ୍ରାୟାସ ଆଜି ଅପରାହ୍ଣ ୪ଟାରେ ଶେଷ ହୋଇଥିଲା। ବନ କର୍ମଚାରୀମାନେ ‘ଜୀନତ୍’କୁ ସଫଳତାର ସହ ଟ୍ରାଙ୍କୁଲାଇଜ୍ କରିବା ପରେ ଜଙ୍ଗଲରେ ବସାଇଥିବା ଯନ୍ତାରେ ପୂରାଇଥିଲେ। ଉପସ୍ଥିତ ପ୍ରାଣୀ ଚିକିତ୍ସାଧିକାରୀ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରିବା ପରେ ଅଲିପୁର ଚିଡ଼ିଆଖାନାକୁ ନିଆଯାଇଛି। ସେଠାରେ ଜୀନତ୍ର ସ୍ବାସ୍ଥ୍ୟାବସ୍ଥା ଉପରେ କିଛି ଦିନ ନଜର ରଖିବା ପରେ ଶିମିଳିପାଳକୁ ଫେରାଇ ଅଣାଯିବ ବୋଲି ସୂଚନା ମିଳିଛି। ଜୀନତ୍କୁ ଧରାଯିବା ପରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଟୁଇଟ୍ କରିଛନ୍ତି। ଏଥିପାଇଁ ସେ ସ୍ଥାନୀୟ ଜିଲ୍ଲା ପ୍ରଶାସନ ସହ ପଞ୍ଚାୟତ ପ୍ରତିନିଧି ଓ ସ୍ଥାନୀୟ ଜନତାଙ୍କ ସହଯୋଗ ପାଇଁ ଧନ୍ୟବାଦ ଜଣାଇଛନ୍ତି। ସେହିପରି ବନ ବିଭାଗର ମିଳିତ ଉଦ୍ୟମକୁ ମମତା ପ୍ରଶଂସା କରିଛନ୍ତି।