ପ୍ରାୟ ୧୫ ବର୍ଷ ହେବ ଓଲିଉଡ୍ ଇଣ୍ଡଷ୍ଟ୍ରିରେ ସକ୍ରିୟ ରହି ଲୋକଙ୍କ ମନୋରଞ୍ଜନ କରାଇ ଆସୁଛନ୍ତି ସେ। ୨୦୦୯ ମସିହାରେ ‘ଧୁଆଁ ଧୁଆଁ’ ଗୀତ ଜରିଆରେ ସଂଗୀତ କ୍ଷେତ୍ରରେ ନିଜର ଯାତ୍ରା ଆରମ୍ଭ କରିଛନ୍ତି। ‘ଫଗୁ ଫଗୁ ଆକାଶ ତଳେ’ ଗୀତ ଜରିଆରେ ସେ ଲୋକଙ୍କ ମନରେ ନିଜ ପାଇଁ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିବାରେ ସଫଳ ହେଲେ। ନିକଟରେ ରିଲିଜ୍ ହୋଇଥିବା ତାଙ୍କର ‘ସିଏ ମୋ ଜଗନ୍ନାଥ’ ଗୀତ ଏବେ ଟ୍ରେଣ୍ଡ୍ କରୁଛି। ଏ ସପ୍ତାହରେ ଓଲିଉଡ୍ର ଲୋକପ୍ରିୟ କଣ୍ଠଶିଳ୍ପୀ ସତ୍ୟଜିତ ପ୍ରଧାନଙ୍କ ସହ ଅଳ୍ପ ଆଳାପ।
Sambad is now on WhatsApp
Join and get latest news updates delivered to you via WhatsApp
୧. ଆପଣ ସଂଗୀତ ଶିଳ୍ପରେ ଅନେକ ବର୍ଷ ହେବ ଅଛନ୍ତି। ଅଭିନେତା ଭାବେ ସିନେମାରେ ସୁଯୋଗ ମିଳିଲେ କାମ କରିବେ କି?
ନାହିଁ ଅଭିନୟ କରିପାରିବିନି। ସଙ୍ଗୀତ ଛଡ଼ା ଆଉ କିଛି ମୁଁ କରିପାରିବିନି। ତେବେ ୮୦ ରୁ ଅଧିକ ସିନେମାରେ ମୁଁ କଣ୍ଠଦାନ କରିସାରିଲିଣି ।
୨. ଅଧିକାଂଶ ସମୟରେ ପ୍ରଶଂସକ ଆପଣଙ୍କୁ ଟୋପିରେ ଦେଖିଛନ୍ତି। ଏହି ଟୋପିକୁ ନେଇ ଆପଣଙ୍କ ଜୀବନରେ କିଛି ମଜାଦାର କଥା ଅଛି କି?
ମୋର ଜଣେ ବହୁତ୍ ବଡ଼ ଫ୍ୟାନ ମତେ ଗୋଟେ ଟୋପି ଉପହାର ଦେଇଥିଲେ ଏବଂ ମୁଁ ସେଇଟା ଏବେ ବି ପିନ୍ଧୁଛୁ। ବିନା ଟୋପିରେ ମଧ୍ୟ ମୋତେ ବହୁତ୍ ଦର୍ଶକ ମୋ କଣ୍ଠସ୍ବର ଶୁଣି ଚିହ୍ନିଦିଅନ୍ତି। ମୁଁ ଯେତେ ମାସ୍କ ପିନ୍ଧିଲେ ମଧ୍ୟ ଚିହ୍ନି ଦିଅନ୍ତି।
୩. ଆପଣଙ୍କର ପ୍ରେମ ବିବାହ ହୋଇଥିଲା ନା ବ୍ୟବସ୍ଥିତ? ପତ୍ନୀଙ୍କୁ ପ୍ରଥମେ କେଉଁଠି ଭେଟିଥିଲେ?
ଆମର ପ୍ରଥମେ ପ୍ରେମ ହୋଇଥିଲା। ପରେ ତାହାକୁ ଆମେ ବ୍ୟବସ୍ଥିିତର ରୂପ ଦେଇଥିଲୁ। ସୋସିଆଲ୍ ମିଡିଆ ଜରିଆରେ ଆମେ ପରସ୍ପରଙ୍କୁ ଜାଣିଥିଲୁ। ଆମ ଘର ପାଖରେ ପ୍ରଥମେ ଭେଟ ହୋଇଥିଲୁ।
୪. ଧରାଯାଉ ଆପଣଙ୍କ ପତ୍ନୀ ଆପଣଙ୍କ ଉପରେ ରାଗିଛନ୍ତି। ଗୀତ ଗାଇକି ମନାଇବେ ନା ଉପହାର ଦେଇ?
ଗୀତ ସହିତ ଉପହାର ଦେଇ ମୁଁ ମନାଇବାକୁ ଚାହିଁବି।
୫. ଏଥିରେ ସନ୍ଦେହ ନାହିଁ ଯେ ସଂଗୀତ କ୍ଷେତ୍ରରେ ଆପଣ ଧୁରନ୍ଧର। ଘର କାମରେ କେତେ ପାରଙ୍ଗମ? କେଉଁ ପ୍ରକାରର ଘର କାମ କରିବାରେ ରୁଚି ରଖନ୍ତି?
ଘରେ ମୁଁ ମୋ ଝିଅ ‘ୟୁନିକା’ର କାମ କରିବାରେ ଧୁରନ୍ଧର। ବାକି ସବୁ ଘର କାମ ମୋ ପ୍ରିୟ ଧର୍ମପତ୍ନୀ ବୁଝିନିଅନ୍ତି।
୬. ଯଦି ସୁଯୋଗ ମିଳେ ପରବର୍ତ୍ତୀ ଜନ୍ମରେ ବି ଆପଣ ଜଣେ କଣ୍ଠଶିଳ୍ପୀ ହେବାକୁ ଚାହିଁବେ ନା ଆଉ କିଛି ଅଧୁରା ସ୍ବପ୍ନକୁ ପୂରା କରିବେ?
ସଙ୍ଗୀତ ଛଡ଼ା ଆଉ କିଛି ମୁଁ କହିପାରିବିନି। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଏତିକି ପ୍ରାର୍ଥନା ଯେତେ ଜନ୍ମ ମିଳୁ କେବଳ କଣ୍ଠଶିଳ୍ପୀ ରୂପରେ ହିଁ ଜନ୍ମ ଦିଅନ୍ତୁ। ମୋ ଦର୍ଶକ ମୋ ଭଗବାନ, ସେମାନଙ୍କ ବିନା ମୁଁ କିଛି ନୁହେଁ। ସେମାନେ ମୋର ସର୍ବସ୍ବ।
୭. ମଞ୍ଚରେ ଗୀତ ଗାଇବା ବେଳେ ବେଶୀ ଉପଭୋଗ କରନ୍ତି ନା ଷ୍ଟୁଡିଓରେ?
ଦୁଇଟି ଜାଗାରେ ବହୁତ୍ ଉପଭୋଗ କରେ। ଅବଶ୍ୟ କଲେଜ ସୋ’ କରିବାକୁ ଟିକେ ବେଶି ମଜା ଲାଗେ।