
ଭୁବନେଶ୍ୱର, ୨୩ା୧(ସୁନିତ୍ ମିଶ୍ର):ସରକାର ଏବଂ ସଙ୍ଗଠନ ମଧ୍ୟରେ କିପରି ଅଧିକ ସମନ୍ବୟ ରହିପାରିବ ତାକୁ ନେଇ ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ଏକ ଉଚ୍ଚସ୍ତରୀୟ ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ, ପ୍ରଭାରୀ ବିଜୟପାଲ ସିଂ ତୋମାର, ୨ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, କନକ ବର୍ଦ୍ଧନ ସିଂଦେଓ, ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ, ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏବଂ ଅନ୍ୟ ପଦାଧିକାରୀ ପ୍ରମୁଖ ବୈଠକରେ ସାମିଲ ହୋଇଛନ୍ତି। କ୍ୟାବିନେଟ୍ ବୈଠକ ଶେଷ ହେବା ପରେ ମୁଖ୍ୟମନ୍ତ୍ରୀ ଦଳୀୟ କାର୍ଯ୍ୟାଳୟକୁ ଆସି ପ୍ରାୟ ୪ ଘଣ୍ଟା ସମୟ ବିତାଇଥିବା ଜଣାପଡ଼ିଛି। ୪ଟା ପରେ ଆରମ୍ଭ ହୋଇଥିବା ବୈଠକରେ ମୁଖ୍ୟମନ୍ତ୍ରୀ ଆସନ୍ତା ୨୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତ ସମ୍ପର୍କରେ ଆଲୋଚନା କରିଥିଲେ । ଗତ ୭ ମାସ ମଧ୍ୟରେ ପ୍ରଧାନମନ୍ତ୍ରୀ ୫ମ ଥର ଲାଗି ଓଡ଼ିଶା ଗସ୍ତରେ ଆସୁଛନ୍ତି। ଗତ ୭ ମାସ ଭିତରେ ସେ ଗୁଜରାଟ ମଧ୍ୟ ଏତେଥର ଯାଇନାହାନ୍ତି। ତେଣୁ ଓଡ଼ିଶାକୁ ପ୍ରଧାନମନ୍ତ୍ରୀ ବିଶେଷ ଧ୍ୟାନ ଦେଉଥିବାରୁ ତାଙ୍କ ଗସ୍ତ କାର୍ଯ୍ୟକ୍ରମରେ ଗତଥର ତୁଳନାରେ ଅଧିକ ଭବ୍ୟ ସମ୍ବର୍ଦ୍ଧନା ଦେବା ନେଇ ବୈଠକରେ ଆଲୋଚନା ହୋଇଛି। ପ୍ରଧାନମନ୍ତ୍ରୀ ଆସନ୍ତା ୨୮ରେ ସକାଳ ୧୦ଟା ୩୫ରେ ପହଞ୍ଚିବେ। ତେଣୁ ଏହା ପୂର୍ବରୁ କିପରି ଅଧିକ ଲୋକ ବିମାନବନ୍ଦରଠାରେ ଏକତ୍ରିତ ହୋଇପାରିବେ ସେନେଇ ଆଲୋଚନା ହୋଇଛି। ଏହା ସହ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ୪ର୍ଥ ପର୍ଯ୍ୟାୟ ଟଙ୍କା ଜାନୁଆରୀ ଶେଷ ସପ୍ତାହ ବେଳକୁ ପ୍ରଦାନ କରାଯିବ। ଏହା ଯାଜପୁର ଜିଲାରେ ଅନୁଷ୍ଠିତ ହେବାକୁ ଥିବା ଆଲୋଚନା ହୋଇଛି। ଏହାସହ କ୍ୟାବିନେଟ୍ରେ ନିଆଯାଇଥିବା ନିଷ୍ପତ୍ତିଗୁଡ଼ିକ ଉପରେ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଜଳ ବିଶୋଧନ ଆଦି ବିଭିନ୍ନ ବିଷୟରେ ମଧ୍ୟ ଆଲୋଚନା ହୋଇଛି। ଦଳୀୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଏହି ବୈଠକ ସା ପ୍ରାୟ ୭ଟା ପର୍ଯ୍ୟନ୍ତ ଚାଲିଥିଲା। ଏହା ଭିତରେ ଦଳର ସାଙ୍ଗଠନିକ ନିର୍ବାଚନ ଆଦି ବିଷୟରେ ମଧ୍ୟ ଆଲୋଚନା ହୋଇଛି ।
ଏହାପରେ ମୁଖ୍ୟମନ୍ତ୍ରୀ ରାତି ପ୍ରାୟ ୮ଟା ପର୍ଯ୍ୟନ୍ତ ଦଳୀୟ କାର୍ଯ୍ୟାଳୟରେ ରହିଥିଲେ। ରାଜ୍ୟରେ ଭାଜପା ସରକାର ଆସିବା ପରେ ଦଳ ଆଣିଥିବା ନୂଆ ଯୋଜନାଗୁଡ଼ିକ କିପରି ଅଧିକରୁ ଅଧିକ ଲୋକମାନଙ୍କ ନିକଟରେ ପହଞ୍ଚିପାରିବ ତାହା ଉପରେ ବିଶେଷ ଭାବେ ଆଲୋଚନା ହୋଇଥିଲା। ଏହାସହ ପଞ୍ଚାୟତସ୍ତରରେ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ସବୁ ଯେପରି ପହଞ୍ଚିପାରିବ ତାହା ଉପରେ ମଧ୍ୟ ବିଶେଷ ଭାବେ ଆଲୋଚନା କରାଯାଇଥିବା ଜଣାପଡ଼ିଛି। ଆୟୁଷ୍ମାନ୍ ଭାରତ ଯୋଜନାର ବ୍ୟାପକ ପ୍ରଚାର, ସୁଭଦ୍ରା ଯୋଜନାରୁ ବାଦ୍ ପଡ଼ିଥିବା ମହିଳାଙ୍କୁ ସାମିଲ କରିବା ଆଦି ବିଷୟ ଉପରେ ମୁଖ୍ୟତଃ ବୈଠକରେ ଚର୍ଚ୍ଚା ହୋଇଛି। ଏହାସହ ମୁଖ୍ୟମନ୍ତ୍ରୀ ମୁଢ଼ି ଖାଇ ବ୍ୟକ୍ତିଗତ ଭାବେ ପ୍ରଭାରୀ ଏବଂ ଅନ୍ୟ କେତେଜଣଙ୍କ ସହ ଭେଟି ଚାଲିଯାଇଛନ୍ତି।