Wednesday, February 19, 2025
Wednesday, February 19, 2025
Home Latest ମୁଖ୍ୟ ନିର୍ବାଚନ କମିସନର ନିଯୁକ୍ତି ମାମଲା: ଶୁଣାଣିରୁ ଓହରିଲେ ପ୍ରଧାନ ବିଚାରପତି

ମୁଖ୍ୟ ନିର୍ବାଚନ କମିସନର ନିଯୁକ୍ତି ମାମଲା: ଶୁଣାଣିରୁ ଓହରିଲେ ପ୍ରଧାନ ବିଚାରପତି

by
0 comment

ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିସନର ଓ ନିର୍ବାଚନ କମିସନର ନିଯୁକ୍ତି କମିଟିରୁ ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତିଙ୍କୁ ହଟାଇବା ପାଇଁ ସରକାର ଆଇନ ଆଣିଥିବା ବେଳେ ଏହା ବିରୋଧରେ ହୋଇଥିବା ଆବେଦନର ଶୁଣାଣିରୁ ପ୍ରଧାନ ବିଚାରପତି ସଞ୍ଜୀବ ଖାନ୍ନା ଓହରି ଯାଇଛନ୍ତି। ଏହି ମାମଲାକୁ ଅନ୍ୟ ଖଣ୍ଡପୀଠକୁ ପଠାଯାଇଛି ଏବଂ ଜାନୁଆରି ୬ରୁ ଶୁଣାଣି ଆରମ୍ଭ ହେବ।

ଯେତେବେଳେ ଏହି ଆଇନ ବିରୋଧରେ ଶୁଣାଣି ପାଇଁ ଖଣ୍ଡପୀଠ ଗଠନ ହୋଇଥିଲା ସେତେବେଳେ ତତ୍କାଳୀନ ବିଚାରପତି ଖାନ୍ନା ଉକ୍ତ ଦୁଇ ଜଣିଆ ଖଣ୍ଡପୀଠର ସଦସ୍ୟ ଥିଲେ। ଗତ ମାର୍ଚ୍ଚ ମାସରେ ଏ ସଂକ୍ରାନ୍ତ ଆବେଦନଗୁଡ଼ିକର ଶୁଣାଣି ଆରମ୍ଭ ହୋଇଥିଲା ଏବଂ ପରବର୍ତ୍ତୀ ସମୟରେ ଖଣ୍ଡପୀଠ ଏକ ଅନ୍ତରୀଣ ଆଦେଶ ଦେଇଥିଲେ। ଏବେ ଜଷ୍ଟିସ୍‌ ଖାନ୍ନା ପ୍ରଧାନ ବିଚାରପତି ନିଯୁକ୍ତ ହୋଇଥିବାରୁ ଏ ସଂକ୍ରାନ୍ତ ଶୁଣାଣିରୁ ଓହରି ଯାଇଛନ୍ତି। ଗତବର୍ଷ ସୁପ୍ରିମ୍ କୋର୍ଟ ନିର୍ବାଚନ ଆୟୋଗଙ୍କୁ ବ୍ୟବସ୍ଥାପିକାର ହସ୍ତକ୍ଷେପରୁ ରକ୍ଷା କରିବା ଉଦ୍ଦେଶ୍ୟରେ ଏକ ରାୟରେ କହିଥିଲେ ଯେ ମୁଖ୍ୟ ନିର୍ବାଚନ କମିସନର ଏବଂ ନିର୍ବାଚନ କମିସନରଙ୍କୁ ପ୍ରଧାନମନ୍ତ୍ରୀ, ବିରୋଧୀ ଦଳ ନେତା ଏବଂ ପ୍ରଧାନ ବିଚାରପତିଙ୍କୁ ନେଇ ଗଠିତ ତିନି ଜଣିଆ ପ୍ୟାନେଲ୍ 
ଦ୍ୱାରା ନିଯୁକ୍ତ କରାଯିବ। ତେବେ ଏହାର କିଛି ମାସ ପରେ ସରକାର ସଂସଦର ଶୀତକାଳୀନ ଅଧିବେଶନରେ ମୁଖ୍ୟ ନିର୍ବାଚନ କମିସନର ଏବଂ ଅନ୍ୟ ନିର୍ବାଚନ କମିସନର ନିଯୁକ୍ତି ବିଲ୍ ଆଗତ କରି ପାରିତ କରିଥିଲେ, ଯେଉଁଥିରେ ପ୍ରଧାନ ବିଚାରପତିଙ୍କୁ ନିଯୁକ୍ତି କମିଟିରୁ ହଟାଯାଇଥିଲା। 

ଏହା ବିରୋଧରେ ହୋଇଥିବା ଏକ ଆବେଦନର ଶୁଣାଣି କରି ତତ୍କାଳୀନ ବିଚାରପତି ଖାନ୍ନା ଏବଂ ଜଷ୍ଟିସ ଦୀପଙ୍କର ଦତ୍ତ ନୂଆ ଆଇନ ଉପରେ ରୋକ୍ ଲଗାଇବାକୁ ମନା କରିଦେଇଥିଲେ। ସୂଚନାଯୋଗ୍ୟ, ନିର୍ବାଚନ କମିସନର ନିଯୁକ୍ତି ପାଇଁ ବଦଳିଥିବା ନିୟମକୁ ବିରୋଧୀ ଦଳମାନେ କଡ଼ା ସମାଲୋଚନା କରିବା ସହ ଶାସକ ଦଳ, ସରକାରୀ ଅନୁଷ୍ଠାନଗୁଡ଼ିକୁ ଯୋଜନାବଦ୍ଧ ଭାବେ ନଷ୍ଟ କରୁଥିବା ଅଭିଯୋଗ କରିଥିଲେ।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od