Monday, January 13, 2025
Monday, January 13, 2025
Home Latest ମାଫିଆଙ୍କ କବ୍‌ଜାରେ କଳାପଥର ଠାକୁରାଣୀ: ଠାକୁରାଣୀ ଅପୂଜା, ଅଖିଆ ପଡ଼ିଛନ୍ତି

ମାଫିଆଙ୍କ କବ୍‌ଜାରେ କଳାପଥର ଠାକୁରାଣୀ: ଠାକୁରାଣୀ ଅପୂଜା, ଅଖିଆ ପଡ଼ିଛନ୍ତି

by
0 comment

ଗଁଦିଆ: କେବେ ସଞ୍ଜ ନଇଁଲେ ତାଟି କବାଟ ପଡ଼ୁଥିଲା। ଆଜି ସୂର୍ଯ୍ୟାସ୍ତ ପରେ ପାହାଡ଼ କୋରୁଛନ୍ତି ମାଫିଆ। ଏପରିକି ଠାକୁରାଣୀଙ୍କୁ ବି ମାଫିଆ ଛାଡ଼ିନାହାନ୍ତି। ପାହାଡ଼ ଗିଳୁଥିବା ମାଫିଆଙ୍କୁ ରାଜନୈତିକ ଓ ପ୍ରାଶାସନିକ ସହଯୋଗ ମିଳୁଥିବା ଅଭିଯୋଗ ହୋଇ ଆସୁଥିଲା ବେଳେ ଏହାକୁ ନେଇ କେହି ମୁହଁ ଖୋଲୁନାହାନ୍ତି। ଏହା ହେଉଛି ଗ୍ରାନାଇଟ୍‌ ତଥା କଳାପଥରରେ ପରିପୂର୍ଣ୍ଣ ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ୍‌ ନିହଲପ୍ରସାଦ ପଞ୍ଚାୟତ ନୂଆକଷ୍ଟିପାଳ ଗ୍ରାମର ଚିତ୍ର। ଯେଉଁଠି ଶବର ସଂପ୍ରଦାୟଙ୍କ ଆରାଧ୍ୟ କଳାପଥର ଠାକୁରାଣୀଙ୍କ ଉପରେ ପଥର ମାଫିଆଙ୍କ ନଜର ପଡ଼ିଛି। ଏକ କ୍ରସର୍‌ କେମିତି ପାହାଡ଼କୁ ଗିଳିଦେବା ସହ ଗ୍ରାମର ଆରାଧ୍ୟ ଗ୍ରାମ ଦେବତୀଙ୍କ ପୂଜା କରାଇ ଦେଉନି, ତାହା ସାମନାକୁ ଆସିଛି।

ନୂଆକଷ୍ଟିପାଳ ଗ୍ରାମ ସଂଲଗ୍ନ ପାହାଡ଼ ଗଛଲତାରେ ପରିପୂର୍ଣ୍ଣ ଥିଲା। ସନ୍ଧ୍ୟା ହେଲେ ବନ୍ୟଜନ୍ତୁଙ୍କ ରଡ଼ିରେ ପାହାଡ଼ କଡ଼ର ଏହି ଗାଁରେ ତାଟି କବାଟ ପଡ଼ୁଥିଲା। କିନ୍ତୁ ଜଙ୍ଗଲରେ ଥିବା କଳାପଥର ଉପରେ ମାଫିଆଙ୍କ ନଜର ପଡ଼ିବା ଦିନଠୁ ସବୁ କିଛି ବଦଳି ଯାଇଛି। ପ୍ରଶାସନକୁ ହାତବାରିସି କରି ଶବରମାନଙ୍କ ଘର ନିକଟରେ ଆଖିବୁଜା ପ୍ରଦୂଷଣ କରୁଥିବା କ୍ରସର୍‌କୁ ଅନୁମତି ମିଳିଛି। ଫଳରେ ପାହାଡ଼ର ଛାତି ଚିରି କଳାପଥର ଲୁଟ୍‌ ହେଉଛି। ପାହାଡ଼ ଉପରେ ଥିବା କଳାପଥର ଠାକୁରାଣୀଙ୍କ ନିକଟକୁ ଶବରମାନେ ଆଉ ପୂଜା କରିବାକୁ ଯାଇ ପାରୁନାହାନ୍ତି। ଏପରିକି ଏଠାରେ ପ୍ରତିବର୍ଷ ହେଉଥିବା ଯଜ୍ଞ ଓ ଯାତ୍ରା ମଧ୍ୟ ବନ୍ଦ ହୋଇଯାଇଛି। 

ଠାକୁରାଣୀ ଅପୂଜା, ଅଖିଆ ପଡ଼ିଛନ୍ତି
ପାହାଡ଼ କୋରି ଜଙ୍ଗଲ ଗିଳିଦେଲେଣି

ନିକଟରେ ପାହାଡ଼ ପର୍ବତ ସୁରକ୍ଷା ମଞ୍ଚର ସଭାପତି ସତୀଶ ବିଶ୍ବାଳଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଠାକୁରାଣୀ ପୀଠ ପର୍ଯ୍ୟନ୍ତ ଯାଇଥିଲା। ଶତାଧିକ ଶବର ବି ସାମିଲ୍‌ ଥିଲେ। ସେମାନେ ଠାକୁରାଣୀଙ୍କ ଦୁରବସ୍ଥା ସଂପର୍କରେ କହିଥିଲେ, ଆମେ ଯାହା ଫଳମୂଳ ପାଉ ପ୍ରଥମେ ଠାକୁରାଣୀଙ୍କ ନିକଟରେ ଭୋଗ ଲଗାଉ। ଯଜ୍ଞ ଓ ମେଳା ଆମର ମୁଖ୍ୟ ପର୍ବ। ଏହି ସମୟରେ ଠାକୁରାଣୀ ଥିବା ଜଙ୍ଗଲ ତଳେ ଦୋକାନ ବଜାର ବସୁଥିଲା। ହେଲେ ପାହାଡ଼ ମାଫିଆ ସାଜିଥିବା କ୍ରସର୍‌ ମାଲିକ ପାହାଡ଼କୁ କୋରି ଖାଇ ଦେଇଛି। ଶେଷକୁ ଠାକୁରାଣୀଙ୍କୁ ବି ପରିତ୍ୟକ୍ତ କରି ପକାଇ ଦେଇଛନ୍ତି। ଏଠାକୁ ପୂଜା କରିବାକୁ ସେମାନେ ଯାଇ ପାରୁନାହାନ୍ତି। କିଛିଦିନ ମଧ୍ୟରେ ପଥର ବ୍ଲାଷ୍ଟିଂ ଯୋଗୁଁ ଠାକୁରାଣୀ ଭୁଶୁଡ଼ି ପଡ଼ିବା ସମ୍ଭାବନା ଦେଖାଦେଇଛି। ଏ ନେଇ ସତୀଶ ବିଶ୍ୱାଳ କହିଛନ୍ତି ଯେ ପାହାଡ଼ ଖାଦାନରେ ୧୪୪ ଧାରା ଜାରି ହୋଇଥିଲେ ମଧ୍ୟ ବେଧଡ଼କ ପଥର ଲୁଟ୍‌ ଚାଲିଛି। ସମୂହ ବିରୋଧ ପରେ ପାହାଡ଼ ଲୁଟ୍‌ରେ ନିୟୋଜିତ ୨୧ଟି ହାଇୱା ଜବତ ହୋଇଛି। ହେଲେ ଏହାର ତିନିଦିନ ପରେ ପୁଣି ପାହାଡ଼ରୁ ଲୁଟ୍‌ ଚାଲିଛି। ଏ ଦିଗରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଆସିଥିବା ନିର୍ଦ୍ଦେଶକୁ ସ୍ଥାନୀୟ ଖଣି ଅଧିକାରୀ ଓ ପୁଲିସ ଭ୍ରୂକ୍ଷେପ କରୁନାହାନ୍ତି। ମୁଖ୍ୟମନ୍ତ୍ରୀ ତୁରନ୍ତ ଏହି ଘଟଣାରେ ହସ୍ତକ୍ଷେପ କରିବାକୁ ସେ ଦାବି କରିଛନ୍ତି। ଅନ୍ୟପଟେ ଘଟଣା ସଂପର୍କରେ ଖଣି ଅଧିକାରୀଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇନାହିଁ।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od