ନୂଆଦିଲ୍ଲୀ: ହିନ୍ଦୁ ଧର୍ମର ବିଶ୍ୱାସ ଅନୁସାରେ ମହାକୁମ୍ଭ ସ୍ନାନଦ୍ୱାରା ପାପ କ୍ଷୟ ହୁଏ, ଏହା ମୋକ୍ଷ ପ୍ରାପ୍ତିର ମାର୍ଗ । ଜ୍ୟୋତିଷ ଶାସ୍ତ୍ରମତରେ ମଧ୍ୟ ମକର ସଂକ୍ରାନ୍ତିଠାରୁ ମହା ଶିବରାତ୍ରି ପର୍ଯ୍ୟନ୍ତ ମହାକୁମ୍ଭ ସ୍ନାନ ଆଧ୍ୟାତ୍ମିକ, ଶାରୀରିକ ଓ ମାନସିକ ଶକ୍ତିର ବିକାଶ କରିଥାଏ।
ଏହି ବିଶ୍ବାସ ରଖି ଏଯାବତ କୋଟିକୋଟି ଶ୍ରଦ୍ଧାଳୁ ପ୍ରୟାଗରାଜରେ ଆୟୋଜିତ ହୋଇଥିବା ମହାକୁମ୍ଭ ମେଳାରେ ପହଞ୍ଚି ସଙ୍ଗମରେ ସ୍ନାନ ରଖି ପୂର୍ଣ୍ଣ୍ୟ ଅର୍ଜନ କରିଥିବା କୁହାଯାଉଛି।
ଝାଡ଼ଖଣ୍ଡର ରାମଗଢ଼ ଜିଲ୍ଲାର ଅରଗଡ୍ଡା ସରକାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ମା’କୁ ଘରେ ବନ୍ଦୀ କରି ଜଣେ ସିସିଏଲ କର୍ମଚାରୀ ଗତସୋମବାର ସ୍ତ୍ରୀ ଓ ନିଜ ପିଲାଙ୍କୁ ଧରି ପବିତ୍ର ବୁଡ଼ ପକାଇବା ପାଇଁ ପ୍ରୟାଗରାଜର ମହାକୁମ୍ଭରେ ସ୍ନାନ କରି ପୂର୍ଣ୍ଣ୍ୟ ଅର୍ଜନ କରିବା ପାଇଁ ଚାଲି ଯାଇଥିଲେ।
ଗତବୁଧବାର ରାତିରେ ବୃଦ୍ଧ ମା’ ଭୋକ ଉପବାସରେ ଆଉଟପାଉଟ ହୋଇ ଚିତ୍କାର କରିଥିଲେ। ବୃଦ୍ଧାଙ୍କ ଚିତ୍କାର ଶୁଣି ପଡ଼ିଶାଲୋକ ଘଟଣାସ୍ଥଳରେ ପହଞ୍ଚିଥିଲେ। ବାହାରପାର୍ଶ୍ବରୁ ତାଲା ପଡ଼ିଥିବା ବେଳେ ଭିତରପାର୍ଶ୍ବରୁ ଜଣେ ବୃଦ୍ଧଙ୍କ କାନ୍ଦିବା ସ୍ବର ଶୁଣିବାକୁ ମିଳିଥିଲା। ଏହାପରେ ପଡ଼ିଶାଘରରଲୋକ ତାଲା ଭାଙ୍ଗି ଭିତରକୁ ପଶିଥିଲେ। ଭିତରେ ବୃଦ୍ଧ ଜଣକ ଭୋକଉପବାସରେ କାନ୍ଦୁଥିବାର ଦେଖିବାକୁ ମିଳିଥିଲା।
ପୁଲିସ ଏହି ଘଟଣା ସମ୍ପର୍କରେ ଫୋନ କରି ବୃଦ୍ଧଙ୍କ ପୁଅଙ୍କ ସହିତ କଥା ହୋଇଥିଲେ। ପୁଅ କହିଥିଲେ, ‘ଘରେ ସମସ୍ତ ପ୍ରକାର ଖାଦ୍ୟ ସାମଗ୍ରୀ ରଖି ଆମେ ମହାକୁମ୍ଭ ମେଳାକୁ ଆସିଥିଲୁ। ମା’ର ସ୍ବାସ୍ଥ୍ୟାବସ୍ଥା ଭଲ ନଥିଲା। ତେଣୁ ସେ ନଆସି ଆମମାନଙ୍କୁ ଯିବାକୁ କହିଥିଲା। ’
ବୃଦ୍ଧାଙ୍କ ବିବାହିତ ଝିଅ ଏହି ଘଟଣା ବିଷୟରେ ଜାଣିବା ପରେ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୃଦ୍ଧାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଛି। ଏଥିସହିତ ଝିଅ ଅଭିଯୋଗ କରି କହିଛନ୍ତି, ‘ ଭାଇ ମହାକୁମ୍ଭକୁ ଯିବା ପୂର୍ବରୁ ମା’କୁ ମୋ ପାଖରେ ଛାଡ଼ି ଯାଇ ପାରି ଥାଆନ୍ତା। କିନ୍ତୁ ସେ ମୋତେ କିଛି ନଜଣାଇ ମା’କୁ ଘର ଭିତରେ ବନ୍ଦୀ କରି ଯିବା ଅପରାଧ।’
ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରି ବୃଦ୍ଧଙ୍କ ପୁଅଙ୍କ ଫେରିବା ବାଟକୁ ଅପେକ୍ଷା କରିଛି।