Friday, January 10, 2025
Friday, January 10, 2025
Home ଦେଶ- ବିଦେଶ ମହିଳାଙ୍କ ଶରୀର ଗଠନକୁ ନେଇ ମନ୍ତବ୍ୟ ବି ଯୌନ ଉତ୍ପୀଡ଼ନ: କେରଳ ହାଇକୋର୍ଟ

ମହିଳାଙ୍କ ଶରୀର ଗଠନକୁ ନେଇ ମନ୍ତବ୍ୟ ବି ଯୌନ ଉତ୍ପୀଡ଼ନ: କେରଳ ହାଇକୋର୍ଟ

by
0 comment

ଥିରୁବନନ୍ତପୁରମ: ମହିଳାଙ୍କ ‘ଶରୀର ଗଠନ’କୁ ନେଇ ମନ୍ତବ୍ୟ ମଧ୍ୟ ଯୌନ ଉତ୍ପୀଡ଼ନ ଏବଂ ଏହା ଦଣ୍ଡନୀୟ ଅପରାଧ ବୋଲି କେରଳ ହାଇକୋର୍ଟ ରାୟ ଦେଇଛନ୍ତି। କେରଳ ଷ୍ଟେଟ୍ ଇଲେକ୍ଟ୍ରିସିଟି ବୋର୍ଡ (କେଏସ୍ଇବି)ର ଜଣେ ପୂର୍ବତନ କର୍ମଚାରୀ ତାଙ୍କ ବିରୋଧରେ ଜଣେ ମହିଳା ସହକର୍ମୀଙ୍କ ଦ୍ୱାରା ଦାୟର ହୋଇଥିବା ଯୌନ ନିର୍ଯାତନା ମାମଲାକୁ ରଦ୍ଦ କରିବା ପାଇଁ କରିଥିବା ଆବେଦନକୁ ଖାରଜ କରି ଜଷ୍ଟିସ୍ ଏ ବଦରୁଦ୍ଦିନ ଏହି ରାୟ ଦେଇଛନ୍ତି। 

ମହିଳା ଜଣକ ଅଭିଯୋଗ କରିଛନ୍ତି ଯେ ଅଭିଯୁକ୍ତ ୨୦୧୩ରୁ ତାଙ୍କ ବିରୋଧରେ ଅଶ୍ଳୀଳ ଭାଷା ବ୍ୟବହାର କରିଥିଲେ ଏବଂ ୨୦୧୬-୧୭ରେ ତାଙ୍କୁ ଆପତ୍ତିଜନକ ମେସେଜ ପଠାଇବା ସହ ଭଏସ୍ କଲ୍ କରି ମାନସିକ ନିର୍ଯାତନା ଦେଉଥିଲେ। ଏନେଇ କେଏସ୍ଇବି କର୍ତ୍ତୃପକ୍ଷ ଓ ପୁଲିସ ନିକଟରେ ଅଭିଯୋଗ କରିବା ସତ୍ତ୍ୱେ ସେ ମେସେଜ୍ ଜରିଆରେ ତାଙ୍କୁ ହଇରାଣ କରୁଥିବା  ଅଭିଯୋଗ କରିଛନ୍ତି। ଅଭିଯୁକ୍ତଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ସଂହିତା (ଆଇପିସି)  ଧାରା ୩୫୪ଏ (ଯୌନ ଉତ୍ପୀଡ଼ନ) ଏବଂ ୫୦୯ (ଜଣେ ମହିଳାଙ୍କ ସମ୍ମାନକୁ ଆଘାତ କରିବା) ଏବଂ କେରଳ ପୁଲିସ ଆଇନର ଧାରା ୧୨୦(ଓ) ଅନୁଯାୟୀ ମାମଲା ରୁଜୁ ହୋଇଛି।

ଏହି ଅଭିଯୋଗ  ରଦ୍ଦ କରିବା ପାଇଁ ଆବେଦନ କରି ଅଭିଯୁକ୍ତ ଯୁକ୍ତି ବାଢ଼ିଥିଲେ ଯେ ଆଇପିସିର ସମ୍ପୃକ୍ତ ଧାରା ଏବଂ କେରଳ ପୁଲିସ ଆକ୍ଟ ଅନୁଯାୟୀ କେବଳ ଜଣେ ବ୍ୟକ୍ତିଙ୍କ ‘ସୁନ୍ଦର ଶରୀର ଗଠନ’ ବିଷୟରେ ମନ୍ତବ୍ୟକୁ ଯୌନ ଉତ୍ପୀଡ଼ନ ମନ୍ତବ୍ୟ ଭାବରେ ବିବେଚନା କରାଯାଇପାରିବ ନାହିଁ। ତେବେ ଅଭିଯୁକ୍ତଙ୍କ ମେସେଜ୍ ଓ କଲ୍‌ରେ ଅଶ୍ଳୀଳ ଶବ୍ଦ ରହିଛି ଏବଂ ଅପମାନିତ କରିବା ଉଦ୍ଦେଶ୍ୟରେ ଏଭଳି କରାଯାଇଛି ବୋଲି ପୀଡ଼ିତା ଦର୍ଶାଇଛନ୍ତି।ଏହି ଯୁକ୍ତିରେ ସହମତି ପ୍ରକାଶ କରି ଅଦାଲତ କହିଛନ୍ତି ଯେ ଏହି ଅଭିଯୋଗ ପ୍ରାଥମିକ ଦୃଷ୍ଟିରୁ ଆଇପିସିର ଧାରା ୩୫୪ଏ, ୫୦୯ ଏବଂ କେରଳ ପୁଲିସ ଆଇନର ଧାରା ୧୨୦(ଓ) ଅନୁଯାୟୀ ଅପରାଧକୁ ପ୍ରତିପାଦିତ କରୁଛି।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od