Wednesday, February 19, 2025
Wednesday, February 19, 2025
Home ବିଶେଷ ମହାଶାକ୍ତ ପୀଠ

ମହାଶାକ୍ତ ପୀଠ

by
0 comment

ଇଂ. ପ୍ରଶାନ୍ତ କୁମାର ଆଚାର୍ଯ୍ୟ 

ବ୍ରହ୍ମାଣ୍ଡ ପୁରାଣ ଅନୁସାରେ ଶକ୍ତିପୀଠଗୁଡ଼ିକର ସଂଖ୍ୟା ହେଉଛି ୬୪। ଏହି ପୀଠଗୁଡିକ ଅଖଣ୍ଡ ଭାରତ (ଆଜିର ଭାରତ, ଭୁଟାନ, ବଙ୍ଗଳାଦେଶ, ନେପାଳ, ଶ୍ରୀଲଙ୍କା, ଦକ୍ଷିଣ ତିବ୍ବତ୍, ଦକ୍ଷିଣ ପାକିସ୍ତାନ)ରେ ଅବସ୍ଥିତ। ଆଦିଶଙ୍କରାଚାର୍ଯ୍ୟ ବିରଚିତ ‘ଅଷ୍ଟାଦଶ ଶାକ୍ତପୀଠ ସ୍ତୋତ୍ରମ୍‌’ରେ ଅଠରଟି ପୀଠକୁ ‘ମହାଶାକ୍ତ ପୀଠ’ର ମାନ୍ୟତା ଦିଆ ଯାଇଅଛି। ସେଗୁଡ଼ିକ ହେଉଛି: ୧. ଶଙ୍କରୀପୀଠମ୍ ଶ୍ରୀଲଙ୍କାର ତ୍ରିଙ୍କୋମାଲି (ଥିରିକୋଣମଲାଇ)ଠାରେ ଅବସ୍ଥିତ। ଏଠାକାର ଅଧିଷ୍ଠାତ୍ରୀ ଦେବୀ ଶଙ୍କରୀ। ୨. କାମାକ୍ଷୀ ଅମ୍ମାନ୍ ମନ୍ଦିର (ତାମିଲନାଡ଼ୁର କାଂଚୀପୁରମ୍‌)। ଏହାକୁ କାମକୋଟି ପୀଠ କୁହାଯାଏ। ଏଠାରେ ସତୀଙ୍କ  ମରଶରୀରର ନାଭି ପଡ଼ିଥିଲା। ୩. ଶ୍ରୀଂକାଳ ମନ୍ଦିର, ପଶ୍ଚିମବଙ୍ଗର ପଣ୍ଡୁଆଠାରେ ଅବସ୍ଥିତ। ଏଠାରେ ଦେବୀଙ୍କ ଶରୀରର ପେଟ ଅଂଶ ପଡ଼ିଥିଲା, ଠାକୁରାଣୀଙ୍କ ନାମ ଶୃଙ୍ଖଳା ଓ ପୀଠର ନାମ ଭବତାରିଣୀ। ୪. ମହୀଶୂର (କର୍ଣ୍ଣାଟକ)ର ଦେବୀ ଚାମୁଣ୍ଡେଶ୍ୱରୀ-ଅଧିଷ୍ଠିତା କ୍ରୌଂଚ ପୀଠ। ଏଠାରେ ସତୀଙ୍କର କେଶ ପଡ଼ିଥିଲା। ୫. ତେଲେଙ୍ଗାନାର ଆଲାମ୍‌ପୁରମ୍‌ର ଯୋଗିନୀ ପୀଠ। ଏଠାରେ ସତୀଙ୍କର ଦାନ୍ତ ପଡ଼ିଥିଲା ଓ ଏଠାର ଠାକୁରାଣୀ  ହେଉଛନ୍ତି ‘ଯୋଗୁଲାମ୍ବା ଦେବୀ’। ୬. ଆନ୍ଧ୍ରପ୍ରଦେଶର ଶ୍ରୀଶୈଳମ୍‌ଠାରେ ଶ୍ରୀଶୌଳପୀଠ ଅବସ୍ଥିତ। ଏଠାରେ ସତୀଙ୍କର ବେକ ପଡ଼ିଥିଲା। ଠାକୁରାଣୀ ଭ୍ରମରାମ୍ବିକା ଅଧିଷ୍ଠାନ କରୁଥିବା ମନ୍ଦିରର ନାମ ‘ଭ୍ରମରାମ୍ବା ମଲ୍ଲିକାର୍ଜ୍ଜୁନ ମନ୍ଦିର’। ୭. ମହାରାଷ୍ଟ୍ରର କୋହ୍ଲାପୁରଠାରେ ଶ୍ରୀପୀଠମ୍ ଅବସ୍ଥିତ। ଏଠାରେ ସତୀଙ୍କର ନେତ୍ର ପଡ଼ିଥିଲା। ଏଠାର ମହାଲକ୍ଷ୍ମୀ ମନ୍ଦିରରେ ଅୟି ଅମ୍ବାବାଈ ଦେବୀ (ଦେବୀ ମହାଲକ୍ଷ୍ମୀ) ପୂଜିତା। ୮. ମହାରାଷ୍ଟ୍ରର ମହୁରଠାରେ ସତୀଙ୍କର ବାମହାତ ପଡ଼ିଥିଲା। ଏହାକୁ ମୂଳ ପୀଠ କହନ୍ତି। ଏଠାରେ ରେଣୁକା ଠାକୁରାଣୀ  ପୂଜା ପାଉଛନ୍ତି। ୯. ମଧ୍ୟପ୍ରଦେଶ ଉଜ୍ଜୟିନୀଠାରେ ଅବସ୍ଥିତ ଉଜ୍ଜୟିନୀ ପୀଠ।

ଏଠାରେ ସତୀଙ୍କର ଓଠ ପଡ଼ିଥିଲା। ଠାକୁରାଣୀଙ୍କର ନାମ ମହାକାଳୀ ଓ ସେ ମହାକାଳେଶ୍ୱରଙ୍କ ମନ୍ଦିରରେ ପୂଜା ପାଉଛନ୍ତି। ୧୦. ଆନ୍ଧ୍ରପ୍ରଦେଶର ପୀଠାପୁରମ୍‌ଠାରେ ଅଛି ପୁଷ୍କରିଣୀ ପୀଠମ୍। ଏଠାରେ ସତୀଙ୍କର ପିଠି ପଡ଼ିଥିଲା। କୁକ୍କୁଟେଶ୍ୱର  ସ୍ୱାମୀଙ୍କ ମନ୍ଦିରରେ ଦେବୀ ପୁରୁହୁତିକ ପୂଜା ପାଉଛନ୍ତି। ଉଲ୍ଲେଖଯୋଗ୍ୟ ଯେ ପୀଠାପୁର ମୂଳରୁ ଓଡ଼ିଶାର ଅନ୍ତର୍ଭୁକ୍ତ  ଥିଲା। ବିରଜାଙ୍କ ମନ୍ଦିରରେ ଥିବା ନାଭିଗୟାରେ ପିଣ୍ଡଦାନ ପରେ ପୀଠାପୁରସ୍ଥ ପାଦଗୟାରେ ପିତୃପୁରୁଷଙ୍କୁ ପିଣ୍ଡଦାନ କରାଯାଏ। କିନ୍ତୁ ଏବେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଓ ରାଜମହେନ୍ଦ୍ରୀ ମଧ୍ୟବର୍ତୀ ଆନ୍ନାବରମ୍‌କୁ ପାଦଗୟା  ବୋଲି ଚିହ୍ନିତ କରାଯାଇଛି। ୧୧. ଓଡ଼ିଶାର ଯାଜପୁରଠାରେ ଅଛି ଉଡ୍ଡୀୟାନ ପୀଠ। ଏଠାରେ ସତୀଙ୍କର ତଳିପେଟ ପଡ଼ିଥିଲା। ଏକ ସ୍ୱତନ୍ତ୍ର ମନ୍ଦିରରେ ମା ବିରଜା ପୀଠେଶ୍ୱରୀ ଭାବରେ ପୂଜା ପାଉଛନ୍ତି। ୧୨. ଆନ୍ଧ୍ରପ୍ରଦେଶର ଦ୍ରକ୍ଷାରାମଠାରେ ଅବସ୍ଥିତ ଦ୍ରାକ୍ଷାରାମ ପୀଠରେ ପଡ଼ିଥିଲା ସତୀଙ୍କର ବାମ ଚିବୁକ ଓ ଅଧିଷ୍ଠାତ୍ରୀ ଦେବୀ ଭାବରେ ମାଣିକ୍ୟାମ୍ବା ଭୀମେଶ୍ୱରଙ୍କ ମନ୍ଦିରରେ ପୂଜା ପାଉଛନ୍ତି। ଓଡ଼ିଶାର ରାଜନୈତିକ ଇତିହାସରେ ଦ୍ରାକ୍ଷାରାମ ଗୁରୁତ୍ୱ ବହନ କରିଥାଏ। ଏଠାରେ ଚୋଡ଼ଗଙ୍ଗ ଦେବ ଶେଷନିଃଶ୍ୱାସ ତ୍ୟାଗ କରିଥିଲେ। ୧୩. ଆସାମର ଗୌହାଟୀଠାରେ ଅବସ୍ଥିତ କାମରୂପ ପୀଠ। ଏଠାର ଅଧିଷ୍ଠତ୍ରୀ ଦେବୀ କାମାକ୍ଷା। ସେଠାରେ ସତୀଙ୍କର ଯୋନି ପଡ଼ିଥିଲା। ଏଠାରେ ଯୋନି ପୂଜା କରାଯାଏ। ୧୪. ଉତ୍ତରପ୍ରଦେଶର ପ୍ରୟାଗରାଜଠାରେ ଅଛି ପ୍ରୟାଗ ପୀଠ। ଏଠାରେ ଦେବୀ ମାଧବେଶ୍ୱରୀ ଆଲୋପୀ ଦେବୀଙ୍କ ମନ୍ଦିରରେ ପୂଜା ପାଉଛନ୍ତି। ଏଠାରେ ସତୀଙ୍କର ଆଙ୍ଗୁଳି ପଡ଼ିଥିଲା। ୧୫. ହିମାଚଳ ପ୍ରଦେଶର ଜ୍ୱାଳାମୁଖୀଠାରେ ସତୀଙ୍କର ମୁଣ୍ଡ ପଡ଼ିଥିଲା ବୋଲି ଏଠାରେ ଅଛି ଜ୍ୱାଳାମୁଖୀ ପୀଠ। ଠାକୁରାଣୀ ହେଉଛନ୍ତି ଜ୍ୱାଳାମୁଖୀ। ୧୬. ବିହାରର ଗୟା ହେଉଛି ଗୟାପୀଠ ଓ ଏଠାରେ ଦେବୀ ମଙ୍ଗଳା ମଙ୍ଗଳାଗୌରୀ ମନ୍ଦିରରେ ପୂଜା ପାଉଛନ୍ତି। ଏଠାରେ ସତୀଙ୍କର ସ୍ତନ ପଡ଼ିଥିଲା। ୧୭. ଉତ୍ତରପ୍ରଦେଶର ବାରାଣସୀଠାରେ ଅଛି ବାରାଣସୀ ପୀଠ। ପୀଠଧୀଶ୍ୱରୀ ହେଉଛନ୍ତି ବିଶାଲାକ୍ଷୀ। ଏଠାରେ ସତୀଙ୍କର ନାସା ପଡ଼ିଥିଲା।  ୧୮. କାଶ୍ମୀରର (ଏବର ପିଓକେରେ) ଶାରଦାପୀଠରେ ଦେବୀ ଶାରଦା ଅଧିଷ୍ଠାତ୍ରୀ ଦେବୀ। ଏଠାରେ ସତୀଙ୍କର ଡାହାଣ ହାତ ପଡ଼ିଥିଲା। 

ଏହି ଅଠରଟି ପୀଠ ମଧ୍ୟରୁ ମାତୃଶକ୍ତିଙ୍କର ତିନି ଗୁରୁତ୍ୱପୂର୍ଣ୍ଣ ବିଭାବକୁ ନେଇ ପୀଠତ୍ରୟ ମାନ୍ୟତା ପାଇଛି। କାମାକ୍ଷା ସୃଷ୍ଟିର ପ୍ରତୀକ, ମଙ୍ଗଳାଗୌରୀ ପାଳନର ପ୍ରତୀକ ଏବଂ ମହାକାଳୀ ପ୍ରଳୟର ପ୍ରତୀକ। ବିଭିନ୍ନ ଆଖ୍ୟାୟିକାରେ ଶକ୍ତିପୀଠଗୁଡିକର ଉଦ୍ଭବ ସମ୍ପର୍କରେ ଭିନ୍ନ ଭିନ୍ନ କଥା କୁହାଯାଇଛି। ତେବେ ଏହିସବୁ ଆଖ୍ୟାୟିକା ଭିତରେ ସବୁଠାରୁ ଲୋକପ୍ରିୟ ଆଖ୍ୟାନ ସତୀଙ୍କର ମୃତ୍ୟୁକୁ ଆଧାର କରିଛି। 
ସ୍କନ୍ଦ ପୁରାଣ (ଶଙ୍କର ସଂହିତା) ଅନୁସାରେ ପୀଠସଂଖ୍ୟା ୧୯ ଏବଂ ଏହାର ତାଲିକାରେ ଅଳ୍ପ ପାର୍ଥକ୍ୟ ଅଛି। ଯଥା: ୧. ଶ୍ରୀଶଙ୍କରୀପୀଠମ୍‌ (ଶ୍ରୀଲଙ୍କାର ଥିରୁକୋଣମଲାଇ), ୨. ଶ୍ରସିଂହିକାପୀଠମ୍ (ସିଂହଳ), ୩. ଶ୍ରୀମାଣିକ୍ୟପୀଠମ୍ (ଦ୍ରାକ୍ଷାରାମ, ଆନ୍ଧ୍ରପ୍ରଦେଶ), ୪. ଶ୍ରୀଷଟ୍‌କଳାପୀଠମ୍ (ପୀଠାପୁର ଆନ୍ଧ୍ରପ୍ରଦେଶ), ୫. ଶ୍ରୀଭ୍ରମରାମ୍ବାପୀଠମ୍ (ଶ୍ରୀଶୈଳମ୍‌, ଆନ୍ଧ୍ରପ୍ରଦେଶ), ୬. ଶ୍ରୀବିଜୟାପୀଠମ୍‌, (ବିଜୟପୁର), ୭. ଉହାଲକ୍ଷ୍ମୀପୀଠମ୍ (ମହାରାଷ୍ଟ୍ର କୋଲ୍‌ହାପୁର), ୮. ପଦ୍ମାକ୍ଷୀରେଣୁକା ପୀଠ (ମହୁରା ଗଡ଼), ୯. କାମକୋଟି ପୀଠ (କାଂଚୀ, ତାମିଲନାଡୁ), ୧୦. କୁଚାନନ୍ଦ ପୀଠ (ଶାଳଗ୍ରାମ), ୧୧. ବିରଜାପୀଠ (ଯାଜପୁର ଓଡ଼ିଶା), ୧୨. ଭଦ୍ରେଶ୍ୱରୀ ପୀଠ (ହର୍ମ୍ମ୍ୟଗିରି), ୧୩. ମହାକାଳୀ ପୀଠ (ଉଜ୍ଜୟିନୀ), ୧୪. ବିନ୍ଧ୍ୟବାସିନୀ ପୀଠ (ବିନ୍ଧ୍ୟଗିରି), ୧୫. ମହାଯୋଗୀ ପୀଠ (ଅହିଛତ୍ର), ୧୬. କନ୍ୟକା ପୀଠ (କନ୍ୟାକୁମାରୀ), ୧୭. ବିଶାଳାକ୍ଷୀ ପୀଠ (ବାରାଣସୀ), ୧୮. ସରସ୍ୱତୀ ପୀଠ (କଶ୍ମୀର) ଏବଂ ୧୯. ଅଭିରାମୀ ପୀଠ (ପଦ୍ମଗିରି, ଦିଣ୍ଡିଗୁଳ)। 

କାଳିକା ପୁରାଣ ଓ ତନ୍ତ୍ର ଯାମଳ ଅନୁସାରେ ମହାତନ୍ତ୍ରର ପ୍ରଥମ ପୀଠ ଓଡ୍ରାଖ୍ୟଂ ବା ପ୍ରାଚୀନ ଓଡ଼ିଶା । ଏହାପରେ ଭାରତର ଅନ୍ୟ ତନ୍ତ୍ରପୀଠର ଗଣନା କରାଯାଇଥାଏ । ଅବଶ୍ୟ ଦେବୀ ସତୀଙ୍କ ଶରୀର ଖଣ୍ଡ ଖଣ୍ଡ ହୋଇ ପଡ଼ିଥିବା ସ୍ଥାନମାନ ତଦନୁସାରେ ମହିମାନ୍ୱିତ ହୋଇଛନ୍ତି । ଆମ ପୁରାଣ ଅନୁସାରେ ମହାଦେବୀଙ୍କ ମୃତଶରୀରକୁ ବହନ କରି ମହାଦେବ ରୁଦ୍ରମୂର୍ତି ଧରି ଯାଉଥିଲେ । ବିଶ୍ୱକୁ ରୁଦ୍ରଙ୍କ କୋପାନଳରୁ ରକ୍ଷା କରିବା ନିମିତ୍ତ ବିଷ୍ଣୁ ନିଜର ସୁଦର୍ଶନ ଚକ୍ରରେ ସତୀଙ୍କ ଶରୀରକୁ ୫୧ ଖଣ୍ଡରେ ବିଭକ୍ତ କରିଦେଲେ । ଏହି ଶରୀର ଖଣ୍ଡ ଯେଉଁଠାରେ ନିପତିତ ହେଲା ସେଠାରେ ଗଢ଼ିଉଠିଥିଲା ବିଭିନ୍ନ ନାମର ଶାକ୍ତ ମନ୍ଦିର । ଶିବଙ୍କର ରୋଷଯୁକ୍ତ ରୂପ ତେଣୁ ‌ଭୈରବ ନାମରେ ନାମିତ ହେଲା । ଆଜି ମଧ୍ୟ ଦେବୀ ଭୈରବୀ ଓ ଭୈରବ ରୂପୀ ଶିବ ପ୍ରପୂଜିତ । 

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od