ଭୁବନେଶ୍ୱର: ଉତ୍କଳର ପରିଚୟ ଓ ପ୍ରତିଷ୍ଠାର ପୁନରୁଥ୍ଥାନ ଥିଲା ଉତ୍କଳଗୌରବ ମଧୁସୂଦନ ଦାସଙ୍କର ଜୀବନବ୍ୟାପୀ ସାଧାନର ଲକ୍ଷ୍ୟ। ସେ ଓଡ଼ିଆ ଜାତୀୟତାର ଜନକ, ନବଜାଗରଣର ପ୍ରବର୍ତ୍ତକ ଥିଲେ ବୋଲି ଉତ୍କଳଗୌରବ ମଧୁସୂଦନ ଦାସଙ୍କ ରାଜ୍ୟସ୍ତରୀୟ ଜୟନ୍ତୀରେ ଅତିଥିମାନେ ପ୍ରକାଶ କରିଛନ୍ତି। ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଜୟଦେବ ଭବନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା, ବିହାର ଓ ଝାଡ଼ଖଣ୍ଡର ପ୍ରଧାନ ମୁଖ୍ୟ ଆୟକର ଆୟୁକ୍ତ ମନୋରଞ୍ଜନ ପାଣିଗ୍ରାହୀ ଯୋଗଦେଇ ସ୍ୱତନ୍ତ୍ର ଓଡ଼ିଶା ଗଠନର ମୁଖ୍ୟ ବିନ୍ଧାଣୀ ମଧୁବାବୁ ଜଣେ ଆଇନଜୀବୀ, ସମାଜସେବୀ ଓ ସାହିତ୍ୟ ସଂସ୍କୃତିପ୍ରାଣ ଭାବରେ କୋଟି କୋଟି ଓଡ଼ିଆଙ୍କ ହୃଦୟରେ ଚିର ଅମର ହୋଇ ରହିବେ ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ଶାସନ ସଚିବ ସୁଶାନ୍ତ କୁମାର ଦାଶ ମଧୁବାବୁ ଓଡ଼ିଆମାନଙ୍କ ଭିତରେ ଜାତୀୟତାର ମହାପ୍ରବାହ ସୃଷ୍ଟି କରିବା ଲକ୍ଷ୍ୟରେ ସମ୍ମିଳନୀର ମହାମନ୍ତ୍ର ଘୋଷଣା କରି ସମସ୍ତ ଓଡ଼ିଆ ଜାତି ମଧ୍ୟରେ ଉଦ୍ବେଳନ ସୃଷ୍ଟି କରିଥିଲେ ବୋଲି କହିଥିଲେ। ବିଶିଷ୍ଟ ଶିକ୍ଷାବିତ୍ ତଥା ଲେଖକ ଭାଗବତ ଶୁକ୍ଳ ମୁଖ୍ୟବକ୍ତା ଭାବେ ଯୋଗଦେଇ ଉତ୍କଳଗୌରବ ମଧୁସୂଦନଙ୍କ ଜୀବନୀ, କୃତୀ ଓ କୀର୍ତ୍ତି ଉପରେ ସାରଗର୍ଭକ ବକ୍ତବ୍ୟ ରଖିଥିଲେ। ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ସରୋଜ କୁମାର ସାମଲ କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ। ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ (ବୈଷୟିକ) ସୁରେନ୍ଦ୍ରନାଥ ପରିଡ଼ା ଧନ୍ୟବାଦ ଦେଇଥିଲେ। ଉପନିର୍ଦ୍ଦେଶକ ସୁଚେତା ପ୍ରିୟଦର୍ଶିନୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସୂଚନା ଓ ଲୋକସଂପର୍କ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ସନ୍ତୋଷ କୁମାର ଦାସ, ଯୁଗ୍ମ ନିର୍ଦ୍ଦେଶକ ବିଶ୍ୱଜିତ ଦାଶ, ଉପନିର୍ଦ୍ଦେଶକ ଦୀପ୍ତିମୟୀ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଭୁବନେଶ୍ୱର ଓକିଲ ସଂଘ
ଭୁବନେଶ୍ୱର : ମଧୁବାବୁଙ୍କ ଜୟନ୍ତୀ ଅବସରରେ ଭୁବନେଶ୍ୱର ଓକିଲ ସଂଘ ତରଫରୁ ଭଞ୍ଜକଳା ମଣ୍ଡପରେ ‘ସ୍ୱାଭିମାନ ଦିବସ’ ଓ ‘ଆଇନଜୀବୀ ଦିବସ’ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ହାଇକୋର୍ଟର ଜଷ୍ଟିସ୍ ଗୌରୀଶଙ୍କର ଶତପଥୀ ଯୋଗଦେଇଥିଲେ। ଜଷ୍ଟିସ୍ ଶତପଥୀ ତାଙ୍କ ଅଭିଭାଷଣରେ କହିଥିଲେ ଯେ ମଧୁବାବୁ ଓଡ଼ିଆ ସ୍ୱାଭିମାନର ପ୍ରତୀକ। ତାଙ୍କର କାର୍ଯ୍ୟଧାରା, ତ୍ୟାଗ ଓ ସଂଘର୍ଷ ଚିରସ୍ମରଣୀୟ। ତାଙ୍କ ଆଦର୍ଶ ସବୁବେଳେ ଓଡ଼ିଆ ଜାତି ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ସେ କହିଥିଲେ। କାର୍ଯ୍ୟକ୍ରମର ମୁଖ୍ୟବକ୍ତା ଅଧ୍ୟାପକ ବିଜୟ କୁମାର ବହିଦାର ମଧୁବାବୁଙ୍କ ପରି ଓକିଲମାନେ ଜନସାଧାରଣଙ୍କୁ ନ୍ୟାୟ ପ୍ରଦାନ କରିବା ଲାଗି କାମ କରିବା ଦରକାର ବୋଲି ସେ ଆହ୍ୱାନ ଦେଇଥିଲେ। ଭୁବନେଶ୍ୱର ଓକିଲ ସଂଘର ସଭାପତି କୁନ୍ଦନ ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଂଘର ସମ୍ପାଦକ ଦୀପକ କୁମାର ଦାଶ ସ୍ବାଗତ ଭାଷଣ ଦେଇଥିଲେ। ଉପସଭାପତି ଦୁର୍ଗା ପ୍ରସାଦ ସାହୁ ଧନ୍ୟବାଦ ଦେଇଥିଲେ। ଯୁଗ୍ମ ସମ୍ପାଦକ ଅନ୍ତର୍ଯ୍ୟାମୀ ବିଶ୍ବାଳଙ୍କ ସଂଯୋଜନାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ସହ-ସମ୍ପାଦକ କୁଳଦୀପ୍ ରାଉତରାୟ, କୋଷାଧ୍ୟକ୍ଷ ଜଗଦୀଶ ବେହେରା ଓ କାର୍ଯ୍ୟକାରୀ କମିଟିର ସଭ୍ୟମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ
ଖଣ୍ଡଗିରି: ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁ ଉଦ୍ଘାଟନ କରି ଉତ୍କଳ ଗୌରବ ମଧୁସୂଦନଙ୍କ ସ୍ୱତନ୍ତ୍ର ଓଡ଼ିଶା ଗଠନରେ ଥିବା ତ୍ୟାଗପୂର୍ଣ୍ଣ ଅବଦାନ ଓ ସ୍ୱାଭିମାନୀ ଓଡ଼ିଆ ଜାତି ପାଇଁ ତାଙ୍କର ନିଷ୍ଠାପର ଉଦ୍ୟମ ସଂପର୍କରେ ବକ୍ତବ୍ୟ ରଖିଥିଲେ। ସମ୍ମାନିତ ଅତିଥି ଭାବେ ପ୍ରାଧ୍ୟାପକ ଲଳିତ କୁମାର ଲେଙ୍କା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୀବନୀ ଓ ଓଡ଼ିଶାର ବିଛିନ୍ନାଞ୍ଚଳରେ ଏକତ୍ରୀକରଣ ପାଇଁ ଜୀବନବ୍ୟାପୀ ସଂଗ୍ରାମ ସଂପର୍କରେ ଆଲୋଚନା କରିଥିଲେ। ସହକାରୀ ପ୍ରଫେସର ଆଶିଷ ମହାପାତ୍ର, ଅଜୟ କୁମାର ବିଶ୍ବାଳ ତଥା ଛାତ୍ରଛାତ୍ରୀଙ୍କ ପକ୍ଷରୁ ଦୀପାଳି ଦାସ, ଉର୍ମିଳା ପଣ୍ଡା, ଲିଜା ସେନାପତି, ସନ୍ଧ୍ୟାରାଣୀ ସୂତାର ପ୍ରମୁଖ ମଧୁବାବୁଙ୍କ ତ୍ୟାଗ ଓ ଅବଦାନ ସଂପର୍କରେ ଆଲୋଚନା କରିଥିଲେ। ବିଭାଗୀୟ ମୁଖ୍ୟ ଚକ୍ରଧର ବେହେରା ଧନ୍ୟବାଦ ଦେଇଥିବାବେଳେ ଅଧ୍ୟାପକ ଜ୍ଞାନରଞ୍ଜନ ପଣ୍ଡା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।