Saturday, January 11, 2025
Saturday, January 11, 2025
Home ସମ୍ପାଦକୀୟ ଭାରତୀୟ ସଂବିଧାନର ମୂଳ ଚରିତ୍ର

ଭାରତୀୟ ସଂବିଧାନର ମୂଳ ଚରିତ୍ର

by
0 comment

ମହାମେଘବାହନ ଐର ଖାରବେଳ ସ୍ୱାଇଁ

ଭାରତୀୟ ସଂବିଧାନକୁ ନେଇ ବିରୋଧୀ ଓ ସରକାରୀ ଦଳମାନଙ୍କ ମଧ୍ୟରେ ଗୁରୁତର ବିବାଦ ଲାଗି ରହିଛି। ବିରୋଧୀମାନେ ଅଭିଯୋଗ ଆଣନ୍ତି ଯେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାର ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ନେଇ ଗତ ୨୦୧୪ରୁ ଏ ଯାବତ୍‌ ଶାସନ କ୍ଷମତାରେ ଥିବାରୁ ‘ଭାରତୀୟ ଜନତା ପାର୍ଟି’ର ଔଦ୍ଧତ୍ୟ ଓ ଏକାଧିପତ୍ୟ ବହୁ ପରିମାଣରେ ବଢ଼ିଯାଇଛି। ଭାରତୀୟ ଜନତା ପାର୍ଟି ନେତୃତ୍ୱାଧୀନ ‘ଏନ୍‌ଡିଏ’ ସରକାର ସଂବିଧାନକୁ କେବଳ ନିଜର ସୁବିଧା ପାଇଁ ବ୍ୟବହାର କରୁଛନ୍ତି। ଯାହା ଫଳରେ ଏ ଦେଶରେ ସଂଖ୍ୟାଲଘୁ, ଅନୁସୂଚିତ ଜାତି ଓ ଜନଜାତିର ମୌଳିକ ଅଧିକାର ସାବ୍ୟସ୍ତ ହୋଇପାରୁନାହିଁ। ମୁସଲମାନମାନଙ୍କ ଏ ଦେଶରେ କୌଣସି ସ୍ୱାଧୀନ ଅଧିକାର ରହୁ ନାହିଁ ଓ ଅନୁସୂଚିତ ଜାତି ତଥା ଜନଜାତିମାନଙ୍କୁ ଉଚ୍ଚ ଜାତିମାନେ ସବୁବେଳେ ଅବଜ୍ଞା କରି ଆସୁଛନ୍ତି। ମୋଦୀଙ୍କ ନେତୃତ୍ୱାଧୀନ ଏନ୍‌ଡିଏ ସରକାର ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ଅଗ୍ରାହ୍ୟ କରନ୍ତି। ତେଣୁ ଜନସାଧାରଣଙ୍କ ମନରେ ପ୍ରଶ୍ନ ଉଠେ ଯେ, ଏହି ଦୁଇଟି ଅଭିଯୋଗ ଓ ପ୍ରତ୍ୟାଭିଯୋଗ ମଧ୍ୟରେ ସତ କେଉଁଟି! ତେଣୁ ଭାରତୀୟ ସଂବିଧାନ କ’ଣ ଓ କେଉଁ ବାଟରେ ଏହା ଅସାଧାରଣ ସେ ସମ୍ପର୍କରେ ବିଶ୍ଳେଷଣ କରିବାର ଆବଶ୍ୟକତା ରହିଛି। ଏଠାରେ ଉଲ୍ଲେଖନୀୟ ଯେ, ଭାରତରେ ସାଧାରଣ ଜନତା ସେମାନଙ୍କର ନିର୍ବାଚିତ ପ୍ରତିନିଧିମାନଙ୍କ ସହ ଏକ ଧର୍ମନିରପେକ୍ଷ ସମ୍ପର୍କରେ ଜଡ଼ିତ। ପୃଥିବୀର କେତେକ ଦେଶରେ ଯେମିତି ସେଠାକାର ଜନସାଧାରଣ କେବଳ ଧର୍ମକୁ ନେଇ ସେମାନଙ୍କ ଲୋକ ପ୍ରତିନିଧିମାନଙ୍କ ସହିତ ଜଡ଼ିତ, ଭାରତରେ ସେଭଳି ହୋଇନଥାଏ। ସାଉଦି ଆରବ, ଇରାନ, ପାକିସ୍ତାନ ଆଦି ଇସଲାମୀୟ ଦେଶମାନଙ୍କର ଜନସାଧାରଣ ସେମାନଙ୍କର ଲୋକପ୍ରତିନିଧିମାନଙ୍କ ସହିତ କେବଳ ଧର୍ମ ନାଁରେ ବାନ୍ଧି ହୋଇ ରହିଥାନ୍ତି। ଏ ଦେଶମାନଙ୍କରେ ସାଧାରଣତଃ ଇସଲାମକୁ ଛାଡ଼ିଦେଲେ ଅନ୍ୟ କୌଣସି ଧର୍ମର ଲୋକମାନେ ଲୋକପ୍ରତିନିଧି ହିସାବରେ ନିର୍ବାଚିତ ହୋଇନଥାନ୍ତି। ପାକିସ୍ତାନ ପରି ଦେଶରେ ଅନ୍ୟ ଧର୍ମର ଲୋକମାନଙ୍କୁ କେବଳ କୋଟା ମାଧ୍ୟମରେ ପ୍ରତିନିଧିତ୍ୱ ଦିଆଯାଇଥାଏ। ସେ ସବୁ ଦେଶରେ ଯେ କୌଣସି ଧର୍ମର ଲୋକ ଏକ ନିର୍ବାଚନମଣ୍ଡଳୀରୁ ନିର୍ବାଚନ ଲଢ଼ିପାରନ୍ତି ନାହିଁ। ଭାରତରେ କିନ୍ତୁ ସେଭଳି ହୋଇ ନ ଥାଏ। 
ଭାରତର ଗଣତନ୍ତ୍ର ହେଉଛି ଏକ ଅସ୍ତ୍ର, ଯାହା ସାମାଜିକ ନ୍ୟାୟ ଓ ଅର୍ଥନୈତିକ ସାମ୍ୟ ହାସଲ ଦିଗରେ ଉଦ୍ଦିଷ୍ଟ। ଏ ଦେଶରେ ଯେ କୌଣସି ଧର୍ମର ବ୍ୟକ୍ତି ଯେ କୌଣସି ନିର୍ବାଚନରେ ଲଢ଼ିପାରନ୍ତି ଓ ଜିତିପାରନ୍ତି ମଧ୍ୟ। ଏଠାରେ ପ୍ରତିନିଧିତ୍ୱ ହେଉଛି ଧର୍ମନିରପେକ୍ଷତାର। କେରଳ, ମହାରାଷ୍ଟ୍ର ଓ ଆସାମ ପରି ରାଜ୍ୟମାନଙ୍କରେ ଅତୀତରେ ମୁସଲମାନମାନେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି, ଯଦିଓ ଏହି ରାଜ୍ୟମାନଙ୍କରେ ମୁସଲମାନମାନେ ସଂଖ୍ୟାଗରିଷ୍ଠ ନୁହନ୍ତି। କେରଳରେ ମୁସଲମାନମାନେ ପ୍ରାୟ ମୋଟ ଲୋକସଂଖ୍ୟାର ୨୪% ହୋଇଥିଲାବେଳେ ଆସାମରେ ସେମାନେ ପ୍ରାୟ ୩୦% ଓ ଏ. ଆର. ଆନ୍ତୁଲେ ମୁଖ୍ୟମନ୍ତ୍ରୀ ଥିବା ମହାରାଷ୍ଟ୍ରରେ ମୁସଲମାନମାନେ ୭-୮%ରୁ ଅଧିକା ନୁହନ୍ତି। କେରଳ ପରି ରାଜ୍ୟରେ ଏ. ଆନ୍ଥୋନୀ ଓ ଉମେନ ଚାଣ୍ଡିଙ୍କ ପରି ଖ୍ରୀଷ୍ଟିଆନ୍‌ମାନେ ମୁଖ୍ୟମନ୍ତ୍ରୀ ହୋଇଥିଲାବେଳେ ସେ ରାଜ୍ୟରେ ଖ୍ରୀଷ୍ଟିଆନ୍‌ଙ୍କ ସଂଖ୍ୟା ୧୯%ରୁ ଅଧିକ ନୁହେଁ। ଏହା ହିଁ ହେଉଛି ଭାରତୀୟ ଗଣତନ୍ତ୍ରର ଏକ ବହୁତ ବଡ଼ ସଫଳତା। ଭାରତରେ ସବୁବେଳେ ଦେଖାଯାଇଛି ବିଭିନ୍ନ ଧର୍ମର ଲୋକମାନେ ବିଭିନ୍ନ ଅନୁଷ୍ଠାନରେ ମିଳିମିଶି କାର୍ଯ୍ୟ କରିଛନ୍ତି। ଏହା ଛଡ଼ା ସାଂସ୍କୃତିକ କ୍ଷେତ୍ରରେ ମଧ୍ୟ ସର୍ବତ୍ର ସେମାନେ ମିଳିମିଶି କାମ କରିବା ଦେଖାଯାଇଥାଏ। ଏଠାରେ ସବୁଠାରୁ ବଡ଼ କଥା ହେଲା ଏ ଦେଶର ଲୋକସଭା ଓ ବିଧାନସଭାମାନଙ୍କରେ ସବୁ କିଛି ଧର୍ମନିରପେକ୍ଷତାର ପ୍ରତିନିଧିତ୍ବର କଥା କହେ। ଭାରତର ଗଣତନ୍ତ୍ର ସବୁ ଧର୍ମ ଓ ସଂସ୍କୃତିର ଲୋକମାନଙ୍କୁ ସମାନ ଆକାରରେ ବିଚାର କରିଥାଏ ଏବଂ ଭାରତର ସଂବିଧାନରେ ଏହି ଗଣତାନ୍ତ୍ରିକ ସମାନତା ହେଉଛି ଏକ ଅସାଧାରଣ ବିଭାବ।

ଭାରତର ସଂବିଧାନରେ ଏକ ବଡ଼ କଥା ହେଲା ଏଥିରେ ନୈତିକତା ରକ୍ଷା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି। କାରଣ ନୈତିକତା ବିନା କୌଣସି ସମାଜ ତିଷ୍ଠି ନପାରେ। ଭାରତର ନ୍ୟାୟପାଳିକାର ମୁଖ୍ୟ କାର୍ଯ୍ୟ ହେଲା ଏହି ସାଂବିଧାନିକ ନୈତିକତା ରକ୍ଷା କରିବା।

ଭାରତର ନ୍ୟାୟପାଳିକ ଯେତେବେଳେ କୌଣସି କଥାର ବିଚାର କରେ, ସେତେବେଳେ ତାହା ଧର୍ମକୁ ନେଇ ବିଚାର କରିନଥାଏ। ସଂବିଧାନର ଧାରା ୧୪ ଓ ୧୯ରେ ଯେଉଁ ସମାନତାର କଥା କୁହାଯାଇଛି, ତାହାକୁ ଏ ଦେଶର ନ୍ୟାୟପାଳିକା ସବୁବେଳେ ପ୍ରତିଷ୍ଠିତ କରି ରଖିଥାନ୍ତି ଓ ନ୍ୟାୟପାଳିକା ଜଣେ ବ୍ୟକ୍ତିର ଧର୍ମନିରପେକ୍ଷ କାର୍ଯ୍ୟକଳାପ ଉପରେ ବିଶେଷ ଗୁରୁତ୍ୱ ପ୍ରଦାନ କରିଥାଏ। 
କେବଳ ଧର୍ମ ନୁହେଁ, ଭାରତରେ ଜାତି, ଆଂଚଳିକତା ଓ ଭାଷାମାନଙ୍କୁ ମଧ୍ୟ ସମ୍ପୂର୍ଣ୍ଣ ସମାନ ଭାବେ ବିଚାର କରାଯାଇଥାଏ, ଯାହା ହେଉଛି ଏକ ଯୁକ୍ତିସିଦ୍ଧ ବ୍ୟବସ୍ଥା। ଉଦାହରଣ ସ୍ୱରୂପ ଭାରତର ନିର୍ବାଚନ କମିସନ ଯେଉଁ ଫଟୋ ପରିଚୟ ପତ୍ରଟି ଦେଇଥାନ୍ତି, ସେଥିରେ କେବଳ ନାମ, ଲିଙ୍ଗ ଓ ଠିକଣା ଦିଆଯାଇଥାଏ; କୌଣସି ଧର୍ମ, ଜାତି, ଭାଷା ଆଦିର ନାମ ତହିଁରେ ଉଲ୍ଲିଖିତ ନଥାଏ। 
ଅବଶ୍ୟ ଭାରତରେ ଅନୁସୂଚିତ ଜାତି ଓ ଜନଜାତିମାନଙ୍କର ଚିହ୍ନ ବିଭିନ୍ନ ପରିଚୟ ପତ୍ରରେ ପ୍ରଦାନ କରାଯାଇଥାଏ। ଏହାର ମୁଖ୍ୟ ଉଦ୍ଦେଶ୍ୟ ଏହି ଯେ ଏହି ବର୍ଗର ବ୍ୟକ୍ତିମାନେ ହଜାର ହଜାର ବର୍ଷ ଧରି ସମାଜରେ ଅସମାନ ହୋଇ ରହି ଆସିଛନ୍ତି ଓ ସେମାନଙ୍କ ଅସମାନତାକୁ ଦୂର କରିବାର ଆବଶ୍ୟକତା ରହିଛି। ସେଥି ପାଇଁ ଏହି ବର୍ଗର ଲୋକମାନଙ୍କୁ ବିଭିନ୍ନ ସରକାରୀ ଚାକିରି କ୍ଷେତ୍ରରେ ସ୍ୱତନ୍ତ୍ର ସୁବିଧା ପ୍ରଦାନ କରାଯାଇଥାଏ। ସାରା ପୃଥିବୀରେ ଭାରତ ବର୍ଷ ହେଉଛି ଏକମାତ୍ର ଦେଶ, ଯେଉଁଠି ଜାତି ହେଉଛି ଏକମାତ୍ର ବାସ୍ତବତା। ପୃଥିବୀର ଅନ୍ୟ କୌଣସି ଦେଶରେ ଜାତି ନାହିଁ ଏବଂ ଏହି ଜାତି ଭାରତରେ କେବଳ ହିନ୍ଦୁ ସମାଜ ମଧ୍ୟରେ ସୀମାବଦ୍ଧ। ଭାରତର ସଂବିଧାନ ଅନୁସୂଚିତ ଜାତି ଓ ଜନଜାତିମାନଙ୍କୁ ସ୍ୱତନ୍ତ୍ର ସୁବିଧା ଦେବାର ଅର୍ଥ ହେଲା ଏହି ଯେ, ଦୀର୍ଘ ଅତୀତରୁ ଏମାନଙ୍କ ମଧ୍ୟରେ ରହି ଆସିଥିବା ଅସମାନତାକୁ ଦୂର କରାଯିବା ଆବଶ୍ୟକ। 
ଭାରତରେ ସଂଖ୍ୟାଲଘୁମାନଙ୍କର ଶିକ୍ଷା ଅନୁଷ୍ଠାନ ଓ ଅନ୍ୟ ଧର୍ମ ଅନୁଷ୍ଠାନମାନଙ୍କ ସ୍ୱତନ୍ତ୍ର ସୁରକ୍ଷା ବିଷୟ ସଂବିଧାନରେ ସ୍ଥାନ ପାଇଛି। ଭାରତୀୟ ସଂବିଧାନର ଚିଠା ପ୍ରସ୍ତାବ କମିଟିର ଅଧ୍ୟକ୍ଷ ବାବାସାହେବ ଆମ୍ବେଦକରଙ୍କ ମତ ହେଲା ଯେ, ସଂଖ୍ୟାଗରିଷ୍ଠ ଓ ସଂଖ୍ୟାଲଘୁମାନେ ଦିନେ ମିଶିଯିବେ; ତେଣୁ ସେମାନଙ୍କୁ ସ୍ୱତନ୍ତ୍ର ସୁବିଧା ପ୍ରଦାନ କରାଯାଇଛି। 
ଏ ଦେଶରେ ଧର୍ମଗତ ସଂଖ୍ୟାଲଘୁମାନଙ୍କୁ ସଂବିଧାନ ବଳରେ ସୁରକ୍ଷା ପ୍ରଦାନ କରାଯାଇଛି। ଯେମିତି ସଂଖ୍ୟାଗରିଷ୍ଠମାନେ ଏମାନଙ୍କ ଉପରେ ଅତ୍ୟାଚାର କରି ନ ପାରନ୍ତି। ସଂବିଧାନରେ ସ୍ପଷ୍ଟ ଲେଖାଯାଇଛି ଯେ ଜାତି, ଭାଷା, ଧର୍ମ ଓ ଆଞ୍ଚଳିକତାକୁ ନେଇ କାହାରି ଉପରେ ବିଦ୍ୱେଷ ପୋଷଣ କରାଯାଇ ନ ପାରେ। ଜଣେ ବ୍ୟକ୍ତି ଯେଉଁ ଅଞ୍ଚଳର ନାଗରିକ ହେଉ ପଛ‌େକ ବା ଯେଉଁ ଭାଷା କହୁ ପଛକେ ବା ଯେଉଁ ଧର୍ମରେ ଅନୁପ୍ରାଣିତ ହୋଇଥାଉ ପଛକେ, ଏ ସବୁକୁ ରକ୍ଷା କରିବାର ଅଧିକାର ତା’ର ଅଛି। ଭାରତରେ ସଂଖ୍ୟାଲଘୁମାନଙ୍କର ଅନୁଷ୍ଠାନଗୁଡ଼ିକ ହେଉଛି ସ୍ୱୟଂଶାସିତ। ଏଥିରେ ସରକାର ବା ଅନ୍ୟ କେହି ହସ୍ତକ୍ଷେପ କରିପାରିବେ ନାହିଁ। ଏହା ହେଉଛି କ୍ଷମତାର ସନ୍ତୁଳନ ରକ୍ଷା। ଯେଉଁଥିରୁ ସାମାଜିକ ନ୍ୟାୟ ଓ ଗଣତନ୍ତ୍ର ଆସିଥାଏ। 
ଭାରତରେ ସବୁ ପ୍ରକାର ଦୁର୍ବଳ ଶ୍ରେଣୀର ବ୍ୟକ୍ତିମାନଙ୍କୁ ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ସରକାରୀ ସାହାଯ୍ୟମାନ ପ୍ରଦାନ କରାଯାଇଥାଏ; ଯାହା ହେଉଛି ବ୍ୟକ୍ତି ପ୍ରତି ରାଷ୍ଟ୍ରର ସମ୍ମାନ। ଏଠାରେ ଭାରତର ସଂବିଧାନ ଆଶା କରିଥାଏ ଯେ ସଂଖ୍ୟାଗୁରୁମାନେ ସଂଖ୍ୟାଲଘୁମାନଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରିବେ ଏବଂ ଏହା ଘଟିଥାଏ ମଧ୍ୟ। 
ଭାରତର ସଂବିଧାନରେ ଏକ ବଡ଼ କଥା ହେଲା ଏଥିରେ ନୈତିକତା ରକ୍ଷା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି। କାରଣ ନୈତିକତା ବିନା କୌଣସି ସମାଜ ତିଷ୍ଠି ନପାରେ। ଭାରତର ନ୍ୟାୟପାଳିକାର ମୁଖ୍ୟ କାର୍ଯ୍ୟ ହେଲା ଏହି ସାଂବିଧାନିକ ନୈତିକତା ରକ୍ଷା କରିବା। ଉଦାହରଣ ସ୍ୱରୂପ ଉତ୍ତର ପ୍ରଦେଶରେ ସେଠାକାର ସରକାର ଅପରାଧ କରିଥିବା ବ୍ୟକ୍ତିମାନଙ୍କର ଘର ଓ ବାଣିଜ୍ୟିକ ପ୍ରତିଷ୍ଠାନମାନଙ୍କୁ ବୁଲଡୋଜର୍‌ ଲଗାଇ ଭାଙ୍ଗି ଦେଉଥିବା ହେତୁ ସୁପ୍ରିମ୍‌ କୋର୍ଟ ଏଥିରେ ହସ୍ତକ୍ଷେପ କରିଛନ୍ତି ଓ ଏ ଧରଣର କାର୍ଯ୍ୟ ଠିକ୍ ବୋଲି ଅନେକ ଲୋକ ବିଚାର କରୁଥିଲେ ମଧ୍ୟ ସାଂବିଧାନିକ ନ୍ୟାୟ ଦୃଷ୍ଟିରୁ ଏହା ଠିକ୍ ନୁହେଁ ବୋଲି ସ୍ପଷ୍ଟ କହିଛନ୍ତି ଓ କାହାର ଘର ବୁଲଡୋଜର୍‌ ଲଗାଇ ଭାଙ୍ଗିବା ପୂର୍ବରୁ ସେ ସମ୍ପର୍କରେ ବିଚାର ହେବା ଓ ନିଜର ପକ୍ଷ ଉପସ୍ଥାପନ କରିବା ପାଇଁ ଘର ଭଙ୍ଗାଯାଉଥିବା ବ୍ୟକ୍ତି ବା ପ୍ରତିଷ୍ଠାନକୁ ଯଥାଯଥ ସୁଯୋଗ ଦେବା ପାଇଁ ସୁପ୍ରିମ୍‌ କୋର୍ଟ ଆଦେଶ ଦେଇଛନ୍ତି। ଏହା ସାଂବିଧାନିକ ଓ ନ୍ୟାୟିକ ପ୍ରତିନିଧିତ୍ୱର ସ୍ପଷ୍ଟ ସଂକେତ ଅଟେ। ଯଦିଓ ସୁପ୍ରିମ୍‌ କୋର୍ଟ ହସ୍ତକ୍ଷେପ କରି ଏପରି କଥା କହିଛନ୍ତି, ତଥାପି ଏହା ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ସ୍ୱାଭାବିକ ପ୍ରକ୍ରିୟା ଭାବରେ ଅନୁପାଳିତ ହେବା ଉଚିତ ବୋଲି ଆଶା କରାଯାଏ। 
ଯେହେତୁ ଭାରତର ସଂବିଧାନରେ ପୂର୍ବ ବର୍ଣ୍ଣିତ ପ୍ରସଙ୍ଗମାନ ଦୃଢ଼ୀଭୂତ ହୋଇ ରହିଛି ଓ ସରକାର ସଂବିଧାନକୁ ପାଳନ କରୁଛନ୍ତି କି ନାହିଁ ବୋଲି ଦେଖିବାକୁ ଉପରେ ବିଚାର ବିଭାଗ ରହିଛି, ଯାହା ହେଉଛି ସମ୍ପୂର୍ଣ୍ଣ ନିରପେକ୍ଷ ଓ ଏହା ଉପରେ କୌଣସି ସରକାରୀ ହସ୍ତକ୍ଷେପ ହେବା ସମ୍ଭବ ନୁହେଁ, ତେଣୁ ଭାରତର ସଂବିଧାନକୁ ଏଠାକାର ସରକାର ନିଜ ଇଚ୍ଛା ଅନୁସାରେ ବଦଳାଇ ଦେଇପାରିବେ ବୋଲି ଯେଉଁ ଯୁକ୍ତି ହେଉଛି, ତାହା ଯଥାର୍ଥ ନୁହେଁ। ଭାରତୀୟ ସଂବିଧାନ ସୁଦୃଢ଼ ରହିଛି ଏବଂ ଆଗକୁ ରହିବ ମଧ୍ୟ।
(ମତାମତ ଲେଖକଙ୍କ ନିଜସ୍ବ)  
ମୋ: ୯୪୩୭୦୨୦୨୯୦

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od