Monday, February 24, 2025
Home Latest ଭରତପୁର ଥାନା ଘଟଣା: ୪ ପୁଲିସ କର୍ମଚାରୀଙ୍କୁ ମିଳିଲାନି ଅନ୍ତରୀଣ ସୁରକ୍ଷା

ଭରତପୁର ଥାନା ଘଟଣା: ୪ ପୁଲିସ କର୍ମଚାରୀଙ୍କୁ ମିଳିଲାନି ଅନ୍ତରୀଣ ସୁରକ୍ଷା

by
0 comment

କଟକ: ଭରତପୁର ଥାନା ଘଟଣାରେ ନିଲମ୍ବିତ ପୁଲିସ ସବ୍‌ଇନ୍‌ସପେକ୍ଟର ବୈଶାଳିନୀ ପଣ୍ଡା, ଏଏସ୍‌ଆଇ ସାଗରିକା ରଥ ଓ ସଲୀଳାମୟୀ ସାହୁ, କନଷ୍ଟେବଳ ବଳରାମ ହାଁସଦାଙ୍କ ଅଡ଼ୁଆ ବଢ଼ିଛି। ଜଷ୍ଟିସ୍‌ ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ ଅବକାଶକାଳୀନ ଖଣ୍ଡପୀଠରେ ଏହି ଚାରି ପୁଲିସ କର୍ମଚାରୀଙ୍କ ତରଫରୁ ଦାୟର ପୃଥକ ଆଗୁଆ ଜାମିନ ଆବେଦନଗୁଡ଼ିକର ଏକତ୍ର ପ୍ରାରମ୍ଭିକ ଶୁଣାଣି ହୋଇଥିଲା। ଶୁଣାଣି ସମୟରେ କେସ୍ ଡାଏରି ଦାଖଲ ପାଇଁ ସରକାରଙ୍କ ପକ୍ଷରୁ  ସମୟ‌ ଲୋଡ଼ାଯାଇଥିଲା। ଅନ୍ୟପକ୍ଷରେ ଅନ୍ତରୀଣ ସୁରକ୍ଷା ପ୍ରଦାନ ପାଇଁ ଆବେଦନକାରୀ ନିବେଦନ କରିଥିଲେ। ହାଇକୋର୍ଟ ଅକ୍ଟୋବର ୨୮କୁ ଆଗୁଆ ଜାମିନ ଆବେଦନଗୁଡ଼ିକର ପରବର୍ତ୍ତୀ ଶୁଣାଣି ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେହି ସମୟରେ କେସ୍ ଡାଏରି ସହିତ ତଦନ୍ତର ସାନି ସ୍ଥିତି ନେଇ ତଥ୍ୟ ଉପସ୍ଥାପନ ପାଇଁ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ଆବେଦନକାରୀଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ ପାଇଁ ହାଇକୋର୍ଟ ଆଜି ମନା କରିଛନ୍ତି।

ଉଲ୍ଲେଖଯୋଗ୍ୟ, ସେପ୍ଟେମ୍ବର ୧୫ ତାରିଖରେ ଭରତପୁର ଥାନାକୁ ଅଭିଯୋଗ କରିବା ଲାଗି ଯାଇଥିବା ସେନାର ଜଣେ କ୍ୟାପଟେନ୍ ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଦେବା ଘଟଣାକୁ ନେଇ କ୍ରାଇମବ୍ରାଞ୍ଚ ମାମଲା ରୁଜୁ କରିଥିଲା। ସରକାର ଭରତପୁର ଥାନାର ପୂର୍ବତନ ଆଇଆଇସି ଦୀନକୃଷ୍ଣ ମିଶ୍ର, ଏସ୍‌ଆଇ ବୈଶାଳିନୀ ପଣ୍ଡା, ଏଏସ୍‌ଆଇ ସାଗରିକା ରଥ, ସଲୀଳାମୟୀ ସାହୁ, କନଷ୍ଟେବଳ ବଳରାମ ହାଁସଦାଙ୍କୁ ଚାକିରିରୁ ନିଲମ୍ବନ କରିଥିଲେ। କ୍ରାଇମବ୍ରାଞ୍ଚ ମାମଲାରେ ସମ୍ଭାବ୍ୟ ଗିରଫଦାରୀ ଏଡ଼ାଇବା ପାଇଁ ଏହି ପାଞ୍ଚ ଜଣ ପୁଲିସ କର୍ମଚାରୀ ସେପ୍ଟେମ୍ବର ୩୦ରେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ ଦାୟର କରିଥିଲେ। ଆଜି ଅବକାଶକାଳୀନ ଖଣ୍ଡପୀଠରେ ଚାରିଜଣଙ୍କ ଆଗୁଆ ଜାମିନ ଆବେଦନର ପ୍ରାରମ୍ଭିକ ଶୁଣାଣି ହୋଇଥିଲା। ଆସନ୍ତା ସପ୍ତାହରେ ଭରତପୁର ଥାନାର ପୂର୍ବତନ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ଆଗୁଆ ଜାମିନ ଆବେଦନର ଶୁଣାଣି ହେବ। 

କ୍ରାଇମ୍‌ବ୍ରାଞ୍ଚ୍‌ ତଦନ୍ତର ସମୀକ୍ଷା କଲେ ନ୍ୟାୟିକ କମିସନ, ଖୁବ୍‌ଶୀଘ୍ର ହେବ ୧୬୪ଧାରାରେ ପୀଡ଼ିତାଙ୍କ ବୟାନ ରେକର୍ଡ

ଭୁବନେଶ୍ବର: ଭରତପୁର ଥାନାରେ କ୍ୟାପ୍‌ଟେନ୍‌ ଓ ତାଙ୍କ ବାନ୍ଧବୀଙ୍କୁ ଦିଆଯାଇଥିବା ନିର୍ଯାତନା ଅଭିଯୋଗ ମାମଲାର ସମୀକ୍ଷା କରିଛନ୍ତି ନ୍ୟାୟିକ କମିସନ। ଏହି ମାମଲାରେ କ୍ରାଇମ୍‌ବ୍ରାଞ୍ଚ୍‌ର ତଦନ୍ତ କେତେ ଦୂର ଆଗେଇଛି, ସେବାବଦରେ ଜଷ୍ଟିସ୍‌ ଚିତ୍ତରଞ୍ଜନ ଦାସ କମିସନ ତଥ୍ୟ ସଂଗ୍ରହ କରିଛି। ଭୁବନେଶ୍ବର ସର୍କିଟ୍‌ ହାଉସ୍‌ରେ ଜଷ୍ଟିସ୍‌ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଗୃହ ସଚିବ ଓ ସ୍ବତନ୍ତ୍ର ସଚିବଙ୍କୁ ପ୍ରଶାସନିକସ୍ତରରେ କମିସନ କିଛି ତଥ୍ୟ ମାଗିବା ସହ  ନିର୍ଦ୍ଦିଷ୍ଟ କେତେକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେପଟେ କ୍ରାଇମ୍‌ବ୍ରାଞ୍ଚ୍‌ ଏଡିଜି ଭରତପୁର ଥାନା ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଥାନାର ୫ପୁଲିସ ଅଧିକାରୀ ଓ କର୍ମଚାରୀଙ୍କୁ ନେଇ ହୋଇଥିବା ସାଇଣ୍ଟିଫିକ୍‌ ଟେଷ୍ଟ ରିପୋର୍ଟ ଶୀଘ୍ର ଦାଖଲ କରିବାକୁ ଗୁଜରାଟ ଡିଏଫ୍ଏସ୍‌ଏଲ୍‌କୁ  ଚିଠି ଲେଖାଯାଇଛି ବୋଲି ସୂଚନା ଦେଇଛନ୍ତି। ବଡ଼ କଥା ହେଉଛି ଏହି ମାମଲାରେ ଖୁବ୍‌ଶୀଘ୍ର ୧୬୪ଧାରାରେ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯିବ ବୋଲି ଏଡିଜି କହିଛନ୍ତି।
ଭରତପୁର ଥାନା ମାମଲାରେ ନ୍ୟାୟିକ କମିସନଙ୍କର ଏହା ଥିଲା ଦ୍ବିତୀୟ ବୈଠକ।

ଏହି ବୈଠକରେ ଗୃହ ସଚିବ ସତ୍ୟବ୍ରତ ସାହୁ, ସ୍ବତନ୍ତ୍ର ସଚିବ ରାଧାକୃଷ୍ଣ ଶର୍ମା, ଏଡିଜି କ୍ରାଇମ୍‌ବ୍ରାଞ୍ଚ୍‌ ବିନିୟତୋଷ ମିଶ୍ର ଉପସ୍ଥିତ ଥିଲେ। ସେହିଭଳି ଦୁଇ ତଦନ୍ତ ଅଧିକାରୀ ନୀଳିମା ପଣ୍ଡା ଓ ଡିଏସ୍‌ପି ନରେନ୍ଦ୍ର ବେହେରା ମଧ୍ୟ ଉପସ୍ଥିତ ଥିଲେ। ବୈଠକ ପରେ କମିସନଙ୍କ ସଚିବ ଶୁଭେନ୍ଦ୍ର ମହାନ୍ତି ଗଣମାଧ୍ୟମକୁ କହିଥିଲେ ଯେ ଗୃହ ସଚିବ ଓ ସ୍ବତନ୍ତ୍ର ସଚିବଙ୍କ ସହ ଆଲୋଚନା କରିବା ପରେ ପ୍ରଶାସନିକ ସ୍ତରରେ କେତେଗୁଡ଼ିଏ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେବାକୁ କମିସନ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଏହି ମାମଲାର ତଦନ୍ତ କରୁଥିବା କ୍ରାଇମ୍‌ବ୍ରାଞ୍ଚ୍‌ ଏଡିଜି ଓ ତଦନ୍ତ ଅଧିକାରୀଙ୍କଠାରୁ ତଦନ୍ତର ଅଗ୍ରଗତି ନେଇ କିଛି ତଥ୍ୟ ସଂଗ୍ରହ କରାଯାଇଛି। ତଦନ୍ତ ପ୍ରକ୍ରିୟା ଓ ଅଗ୍ରଗତିକୁ ନେଇ କମିସନ ସନ୍ତୋଷ ବ୍ୟକ୍ତ କରିଛନ୍ତି। ସେହିଭଳି ନ୍ୟାୟିକ ତଦନ୍ତ ପାଇଁ ବହୁ ସତ୍ୟପାଠ ଦାଖଲ ହୋଇଛି। ଚଳିତ ମାସ ୨୭ ତାରିଖ ପର୍ଯ୍ୟନ୍ତ ସତ୍ୟପାଠ ଦାଖଲ ହୋଇପାରିବ। ତେଣୁ ଆହୁରି କିଛି ସତ୍ୟପାଠ ଦାଖଲ ହେବା ଆଶା କରାଯାଉଛି ବୋଲି ଶ୍ରୀ ଦା‌ସ କହିଥିଲେ। ସେହିଭଳି କ୍ରାଇମ୍‌ବ୍ରାଞ୍ଚ୍‌ ଏଡିଜି ବିନୟତୋଷ ମିଶ୍ର ଗଣମାଧ୍ୟମକୁ ତଦନ୍ତ ପ୍ରକ୍ରିୟା ଉପରେ ସୂଚନା ଦେଇଥିଲେ।    

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od