Sunday, January 12, 2025
Home ସମ୍ପାଦକୀୟ ବିଷ ବୃକ୍ଷର ବୀଜ

ବିଷ ବୃକ୍ଷର ବୀଜ

by
0 comment

ମହିଳାମାନଙ୍କୁ ନ୍ୟୂନ ଦୃଷ୍ଟିରେ ଦେଖି ହାସ୍ୟ ପରିହାସ ସୃଷ୍ଟିର ଉଦ୍ୟମ ଏବେ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ଅସଂଖ୍ୟ ଭିଡିଓମାନଙ୍କରେ ସ୍ପଷ୍ଟ। ଏହି ସବୁ କ୍ଷୁଦ୍ର ଭିଡିଓ କାହାଣୀମାନଙ୍କରେ ଗୃହିଣୀମାନଙ୍କୁ ସାଧାରଣତଃ ଉପଦ୍ରବ ସୃଷ୍ଟିକାରୀ କଠୋର ପତି-ନିର୍ଯାତକ ରୂପେ ଚିତ୍ରଣ କରାଯାଏ, ଯାହାଙ୍କ ପିତ୍ରାଳୟ ଗମନର ସମ୍ବାଦ ଅଗତ୍ୟା ପତି ସକାଶେ ମୁକ୍ତିର ପରମ ଉଲ୍ଲାସ ସୃଷ୍ଟି କରିଥାଏ। ମହିଳାଙ୍କୁ ନ୍ୟୂନ ଦର୍ଶାଇ ହାସ୍ୟରୋଳ ସୃଷ୍ଟି କରିବାର ଦୃଷ୍ଟାନ୍ତ ଏବର ନୁହେଁ। ପ୍ରାଚୀନ ଲୋକକଥା ଓ ଲୋକଗୀତିରେ ମଧ୍ୟ ଏ ସବୁର ପ୍ରଚୁର ଦୃଷ୍ଟାନ୍ତ ବିଦ୍ୟମାନ।

ଭୁବନେଶ୍ବର ଉପକଣ୍ଠସ୍ଥ ଭରତପୁର ଥାନାରେ ଜନୈକା ମହିଳାଙ୍କ ପ୍ରତି ଥାନା ଆଇ.ଆଇ.ସି.ଙ୍କ ଦ୍ବାରା ପ୍ରଦର୍ଶିତ ଅତ୍ୟନ୍ତ ଅଶ୍ଳୀଳ ଆଚରଣର ଅଭିଯୋଗ ରାଜ୍ୟ ଭିତରେ ଓ ବାହାରେ ଅପନିନ୍ଦା ଓ ବିବାଦର ତୁମୂଳ ତରଙ୍ଗ ସୃଷ୍ଟି କରିଛି। ଏହି ସଂଦର୍ଭରେ ଗଲା ୨୬ ତାରିଖରେ ଏହି ପୃଷ୍ଠାରେ ପ୍ରକାଶିତ ‘ରୁଗ୍‌ଣ ମାନସିକତା‌’ ଶୀର୍ଷକଧାରୀ ଅଗ୍ରଲେଖରେ ଅତ୍ୟନ୍ତ ଯଥାର୍ଥ ଭାବେ ପ୍ରତିପାଦନ କରାଯାଇଥିଲା ଯେ କୌଣସି ମହିଳା ପରିଧାନ କରିଥିବା ପୋଷାକ ବା ତାଙ୍କ ଆଚରଣ ଓ ଅଭ୍ୟାସ ତାଙ୍କୁ କୌଣସି ପ୍ରକାରର ନିର୍ଯାତନାର ଶରବ୍ୟ ହେବା ଲାଗି କଦାଚିତ୍‌ ଯୋଗ୍ୟ କରି ନ ଥାଏ। କେବଳ ସେତିକି ନୁହେଁ, ସେହି ଆଲେଖ୍ୟରେ ଗଭୀର ମର୍ମବେଦନା ମଧ୍ୟ ପ୍ରକାଶିତ ହୋଇଥିଲା ଯେ ଏଭଳି ଏକ ଅତ୍ୟନ୍ତ ସ୍ପର୍ଶକା‌ତର ଘଟଣାରେ ଜନମତର ଐକ୍ୟ-ତାନ ଶୁଣା ନ ଯାଇ ବିଭାଜିତ ମତର କୋଳାହଳ ଶ୍ରୁତିଗୋଚର ହେଉଛି; ସଂପୃକ୍ତ ଆଇ.ଆଇ.ସି.ଙ୍କ ସମର୍ଥନରେ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଥିବା ଅନେକ ଭିଡିଓ ଦ୍ବାରା ଏକ ଧାରଣା ଓ ବ୍ୟାଖ୍ୟାନ ସୃଷ୍ଟି କରାଯାଉଛି ଯେ ଶଂସିତ ମହିଳା ଜଣକ ଉଗ୍ରା, ନିଶାଗ୍ରସ୍ତା ଓ ଉଚ୍ଛୃଙ୍ଖଳ; ଅର୍ଥାତ୍‌ ସେ ଦିନ ତାଙ୍କ ଆଚରଣ ଦ୍ବାରା ତାଙ୍କ ଉପରେ ଯାତନାର ଝଡ଼ ବହିଯାଉ ବୋଲି ଅଗତ୍ୟା ସେ ପରୋକ୍ଷରେ ଆମନ୍ତ୍ରଣ ଜଣାଇଥିଲେ! ପ୍ରାବନ୍ଧିକଙ୍କ ଭାଷାରେ ଏହା ହିଁ ‘ରୁଗ୍‌ଣ ମାନସିକତା।’ ଏହି ମତ ସହିତ ଦ୍ବି-ମତ ହେବାର ଲେଶ ମାତ୍ର କାରଣ ନାହିଁ। କିନ୍ତୁ କଥା ହେଲା, ଏହି ‘ରୁଗ୍‌ଣ ମାନସିକତା’ର ବୀଜ କିଭଳି ଆମ ସମସ୍ତଙ୍କ ମଧ୍ୟରେ ସଂଗୋପିତ ଭାବେ ପୋତା ହୋଇ ଆମମାନଙ୍କ ଦ୍ବାରା ପ୍ରଦତ୍ତ ଖାଦ୍ୟସାରରେ ପରିପୁଷ୍ଟ ହୋଇ ଏକ ବିଶାଳ ବିଷ ବୃକ୍ଷ ରୂପେ ଶାଖା ମେଲାଇଛି, ତାହା ମଧ୍ୟ ଆଲୋଚନାର ବିଷୟବସ୍ତୁ ହେବା ଉଚିତ।
ଏ ସଂଦର୍ଭରେ ଉଦାହରଣମାନ ଭରପୂର, କିନ୍ତୁ ସେ ସମସ୍ତ ଉପରେ ଚର୍ଚ୍ଚା ସ୍ତମ୍ଭର କ୍ଷୁଦ୍ର କଳେବର ଦୃଷ୍ଟିରୁ ଅସମ୍ଭବ। ତେଣୁ ମାତ୍ର ତିନିଟି ଚିତ୍ରରୁ ଏ ସଂପର୍କରେ ଏକ ସ୍ପଷ୍ଟ ଆଭାସ ମିଳିଯିବ। 
ପ୍ରଥମ ଚିତ୍ର: ବିଭିନ୍ନ ସର୍ବେକ୍ଷଣ ଓ ଅନୁଶୀଳନମାନ ବାରମ୍ବାର ସୂଚେଇ ଦେଇ ଆସିଛନ୍ତି ଯେ ପ୍ରାୟ ୬୦ ପ୍ରତିଶତ ଭାରତୀୟ ମହିଳା ରକ୍ତହୀନତାର ଶିକାର, ଯାହା ପ୍ରସବକାଳୀନ ମୃତ୍ୟୁ ଠାରୁ ଆରମ୍ଭ କରି ସେମାନଙ୍କ ସକାଶେ ଅନେକ ଦୁରାରୋଗ୍ୟ ବ୍ୟାଧିର କାରଣ ହୋଇଥାଏ। ଏଭଳି ସ୍ଥିତିର ଏକମାତ୍ର କାରଣ ହେଲା ସର୍ବଦା ଚଳଚଞ୍ଚଳ ଓ କର୍ମବ୍ୟସ୍ତ ରହି ବସ୍ତୁତଃ ପରିବାରକୁ ସମ୍ଭାଳୁଥିବା ଏହି ବର୍ଗଙ୍କ ଭୋଜନ ଗ୍ରହଣ ଦୃଶ୍ୟ ପ୍ରାୟତଃ ଦୃଷ୍ଟି ଆଢୁଆଳରେ ରହେ; ପରିବାରର ଅନ୍ୟ ସଦସ୍ୟମାନଙ୍କ ଭୋଜନ ଉପରାନ୍ତ ଅବଶିଷ୍ଟାଂଶକୁ ସେମାନେ ସନ୍ତର୍ପଣରେ ଆହାର କରନ୍ତି; ଯାହା ଯଥେଷ୍ଟ ହୋଇ ନ ପାରେ ଏବଂ ରକ୍ତ ହିମୋଗ୍ଲୋବିନ୍‌ ବର୍ଦ୍ଧକ ପୁଷ୍ଟିଯୁକ୍ତ ଖାଦ୍ୟ ସେମାନଙ୍କ ଭାଗ୍ୟରେ ଜୁଟି ନ ଥାଏ। କିନ୍ତୁ ବିଡ଼ମ୍ବନାଟି ହେଲା ଏଭଳି ବଞ୍ଚିତ ରହିବାକୁ ଏହି ମହିଳାମାନେ ପାରିବାରିକ ସଂସ୍କୃତିର ଏକ ଅଂଶ ଭାବେ ବିନା ଦ୍ବିଧାରେ ସ୍ବୀକାର କରନ୍ତି ଏବଂ ତାହାର ବ୍ୟତିକ୍ରମ ସେମାନଙ୍କୁ ତୀବ୍ର ଗ୍ଳାନି ଜର୍ଜର ମଧ୍ୟ କରେ! 
ଦ୍ବିତୀୟ ଚିତ୍ର: ‘ବିଶ୍ବ ସ୍ବାସ୍ଥ୍ୟ ସଂଗଠନ’ ବା ‘ଡବ୍ଲୁ.ଏଚ୍‌.ଓ.’ ଓ ଅନ୍ୟାନ୍ୟ ଅନେକ ଗବେଷକ ସଂସ୍ଥାର ରିପୋର୍ଟମାନ କହନ୍ତି ଯେ ଭାରତୀୟ ପରିବାରରେ ମହିଳାମାନେ ତୁଳନାତ୍ମକ ଭାବେ ଅଧିକ ସଂଖ୍ୟାରେ ‘କ୍ରନିକ୍’ ବା ‘ଦୀର୍ଘକାଳିକ’ ବ୍ୟାଧିର ଶିକାର ହୋଇଥାଆନ୍ତି, ଯାହାର କାରଣ ରୋଗର ଲକ୍ଷଣ ପ୍ରକାଶିତ ହେବା ମାତ୍ରକେ ସେମାନଙ୍କ ଚିକିତ୍ସା କରା ନ ଯାଇ ତହିଁରେ ଅନେକ ବିଳମ୍ବ କରି ଦିଆଯାଏ ଏବଂ ଅଧିକାଂଶ ଭାରତୀୟ ମହିଳା ଡାକ୍ତରଖାନା ଯିବା ଲାଗି ମଧ୍ୟ ଅନୁମୋଦନ ଓ ସାହଚର୍ଯ୍ୟ ଲୋଡ଼ନ୍ତି। ପ୍ରସିଦ୍ଧ ପତ୍ରିକା ‘ଦ ଲାନ୍‌ସେଟ୍’ରେ ପ୍ରକାଶିତ ଏକ ତଥ୍ୟ ଅନୁଯାୟୀ ଭାରତରେ ପ୍ରତି ବର୍ଷ ହାରାହାରି ୭୦ ହଜାର ଜଣ ମହିଳା ଜରାୟୁ ଗ୍ରୀବା କର୍କଟ ରୋଗରେ ପ୍ରାଣ ହରାନ୍ତି, ଯାହାର କାରଣ ବିଳମ୍ବିତ ଚିକିତ୍ସା। ପ୍ରାଥମିକ ଅବସ୍ଥାରେ ରୋଗ ଚିହ୍ନଟ ଓ ଶୁଶ୍ରୂଷା ସେମାନଙ୍କୁ ଅଧିକାଂଶ କ୍ଷେତ୍ରରେ ଆରୋଗ୍ୟ ପ୍ରଦାନ କରନ୍ତା। ୨୦୧୮ ମସିହାରେ ଉତ୍ତରପ୍ରଦେଶ, ହରିୟାଣା, ବିହାରରେ ହୋଇଥିବା ଏକ ସର୍ବେକ୍ଷଣ ପରେ ସେ ରାଜ୍ୟ ତ୍ରୟର ଡାକ୍ତରଖାନାମାନଙ୍କରେ ପୁରୁଷ ଓ ମହିଳା ରୋଗୀଙ୍କ ଉପସ୍ଥାନ ସଂଖ୍ୟାକୁ ହିସାବ କରି କୁହାଯାଇଥିଲା ଯେ ୪୮ ପ୍ରତିଶତ ମହିଳା ରୋଗଗ୍ରସ୍ତ ହୋଇଥିବା ସତ୍ତ୍ବେ ଡାକ୍ତରଖାନା ଆସି ନ ଥିବାର ସମ୍ଭାବନା ଅତ୍ୟନ୍ତ ଦୃଢ଼!
ତୃତୀୟ ଦୃଶ୍ୟ: ନିକଟରେ ଦିଲ୍ଲୀରେ ହୋଇଥିବା ଏକ ସର୍ବେକ୍ଷଣ ରିପୋର୍ଟରୁ ଜଣା ପଡ଼ିଥିଲା ଯେ ସଂପ୍ରତି ସେଠାକାର ସରକାରୀ ସ୍କୁଲଗୁଡ଼ିକରେ ଛାତ୍ରୀମାନଙ୍କ ଉପସ୍ଥାନରେ ଆଖି ଦୃଶିଆ ବୃଦ୍ଧି ଘଟିଛି। ତେବେ, ବିଡ଼ମ୍ବନାଟି ହେଲା ଏଭଳି ଏକ ସକାରାତ୍ମକ ସମ୍ବାଦରେ ମଧ୍ୟ ଲିଙ୍ଗୀୟ ବିଦ୍ବେଷର ଚିହ୍ନ ‌େଦଖିବାକୁ ମିଳିଥାଏ। କାରଣ, ଅନେକ ପରିବାର ସ୍ବୀକାର କରିଥିଲେ ଯେ ଝିଅମାନଙ୍କୁ ସରକାରୀ ସ୍କୁଲକୁ ପଠାଇବା ପଛରେ ଉଦ୍ଦେଶ୍ୟ ଥିଲା ତଦ୍ଦ୍ବାରା ହେଉଥିବା ବ୍ୟୟ ସଂକୋଚନ ହେତୁ ପୁତ୍ର ସନ୍ତାନକୁ ବ୍ୟୟବହୁଳ ଘ‌େରାଇ ସ୍କୁଲକୁ ପଠାଇବା ସମ୍ଭବ ହୋଇଛି!
କେବଳ ଏହି ତିନିଟି ମାତ୍ର ଚିତ୍ରରୁ ସ୍ପଷ୍ଟ ହୋଇଥାଏ କିଭଳି ଆମ ପରିବାରରେ ଲିିଙ୍ଗୀୟ ବିଭାଜନ ଓ ମହିଳାମାନଙ୍କୁ ନ୍ୟୂନ ବୋଲି ବିଚାର କରିବାର ପ୍ରକରଣ ସର୍ବ ମାନ୍ୟତା ଲାଭ କରି ସାରିଛି। କିନ୍ତୁ ବିଡ଼ମ୍ବନାଟି ହେଲା, ଏ ସବୁ ଏମିତି ସ୍ବାଭାବିକ ହୋଇଯାଇଛି ଯେ ଏହାକୁ କେନ୍ଦ୍ର କରି ବିତର୍କର ସ୍ବର ପ୍ରାୟତଃ ଶୁଣିବାକୁ ମିଳି ନ ଥାଏ; ଏପରି କି ଆମେ ହୃଦ୍‌ବୋଧ କରି ପାରି ନ ଥାଉଁ ଯେ ନାରୀ ଶୋଷଣ ରୂପକ ବିଷ ବୃକ୍ଷ ଏକ ମହୀରୁହରେ ପରିଣତ ହେବା ପଛରେ ଆମେ ସଭିଏଁ ଜଣେ ଜଣେ ପୃଷ୍ଠପୋଷକ!
ମହିଳାମାନଙ୍କୁ ନ୍ୟୂନ ଦୃଷ୍ଟିରେ ଦେଖି ହାସ୍ୟ ପରିହାସ ସୃଷ୍ଟିର ଉଦ୍ୟମ ଏବେ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ଅସଂଖ୍ୟ ଭିଡିଓମାନଙ୍କରେ ସ୍ପଷ୍ଟ। ଏହି ସବୁ କ୍ଷୁଦ୍ର ଭିଡିଓ କାହାଣୀମାନଙ୍କରେ ଗୃହିଣୀମାନଙ୍କୁ ସାଧାରଣତଃ ଉପଦ୍ରବ ସୃଷ୍ଟିକାରୀ କଠୋର ପତି-ନିର୍ଯାତକ ରୂପେ ଚିତ୍ରଣ କରାଯାଏ, ଯାହାଙ୍କ ପିତ୍ରାଳୟ ଗମନର ସମ୍ବାଦ ଅଗତ୍ୟା ପତି ସକାଶେ ମୁକ୍ତିର ପରମ ଉଲ୍ଲାସ ସୃଷ୍ଟି କରିଥାଏ। ମହିଳାଙ୍କୁ ନ୍ୟୂନ ଦର୍ଶାଇ ହାସ୍ୟରୋଳ ସୃଷ୍ଟି କରିବାର ଦୃଷ୍ଟାନ୍ତ ଏବର ନୁହେଁ। ପ୍ରାଚୀନ ଲୋକକଥା ଓ ଲୋକଗୀତିରେ ମଧ୍ୟ ଏ ସବୁର ପ୍ରଚୁର ଦୃଷ୍ଟାନ୍ତ ବିଦ୍ୟମାନ। ଏ ସଂଦର୍ଭରେ ଓଡ଼ିଆ ଲୋକକଥାର ଅନ୍ୟତମ ନାୟକ ଗୋପାଳ ଭାଣ୍ଡଙ୍କ ସଂପର୍କିତ ଏକ କାହାଣୀ ସ୍ମରଣକୁ ଆସିଥାଏ; ଯହିଁରେ ବର୍ଣ୍ଣିତ ଅଛି କିଭଳି ପତ୍ନୀଙ୍କ ପିଠିରେ ଏକ ଠେଙ୍ଗା ଦ୍ବାରା ନିର୍ଘାତ ପ୍ରହାର କରିଥିବା ଗୋପାଳଙ୍କୁ ଏପରି କରିବାର କାରଣ ପଚରା ଯାଆନ୍ତେ ସେ ନିର୍ଦ୍ବନ୍ଦ୍ବରେ କହିଥିଲେ ଯେ ଏକ ମନୋରମ ସକାଳେ ସେ ଖୁସ ମିଜାଜରେ ଥିବା ବେଳେ ଅଗତ୍ୟା ପତ୍ନୀଙ୍କ ପୃଷ୍ଠଦେଶ ତାଙ୍କ ଆଖିରେ ପଡ଼ିଯିବାରୁ ଏବଂ ପାଖ କାନ୍ଥରେ ଠେଙ୍ଗାଟିଏ ଡେରା ହୋଇଥିବାରୁ ତହିଁରେ ପାହାରଟିଏ ପକାଇବାର ଲୋଭ ସେ ଅଗତ୍ୟା ସଂବରଣ କରିପାରିଲେ ନାହିଁ! ଆମର ଦୁର୍ଭାଗ୍ୟ ଯେ ଏଭଳି କାହାଣୀ ଯୁଗ ଯୁଗ ଧରି କେବଳ ହାସ୍ୟରୋଳ ହିଁ ସୃଷ୍ଟି କରି ଆସିଛି; ଦୁଃଖ ବା ବିମର୍ଷବୋଧ ନୁହେଁ! 
ଏହାର ଅର୍ଥ ମହିଳାମାନଙ୍କୁ ହୀନ ବୋଲି ବିଚାର କରିବା, ସେମାନଙ୍କୁ ନ୍ୟୂନ କରି ଦେଖାଇବା, ହାସ୍ୟରୋଳ ସୃଷ୍ଟି କରିବାରେ ସେମାନଙ୍କ ଅସହାୟତା ଓ ସହନଶୀଳତାର ସୁଯୋଗ ନେବା ଇତ୍ୟାଦି ହେଉଛି ଆମ ଭିତରେ ସ୍ବାଭାବିକତା ଲାଭ କରି ସାରିଥିବା ‘ଲିଙ୍ଗୀୟ ବୈଷମ୍ୟ’ର ସେହି ବୀଜ, ଯାହାକୁ ସ୍ବୀକାର କରି ଓ ସହ୍ୟ କରି ଆମେ ସମସ୍ତେ ନାରୀ ନିର୍ଯାତନା ଓ ଶୋଷଣର ବିଷ ବୃକ୍ଷକୁ ଜଳ ସିଞ୍ଚନ କରି ଚାଲିଛୁ!

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od