ଭୁବନେଶ୍ବର: ଅଧିକାଂଶ ସ୍ଥାନରେ ସ୍ବୟଂ ସହାୟକ ଗୋଷ୍ଠୀ ଦ୍ବାରା ପ୍ରସ୍ତୁତ ଛତୁଆ ନିମ୍ନ ମାନର। ସେଥିରୁ କିଛି ପୁଷ୍ଟି ମିଳୁନି। ଏମିତି ଛତୁଆ କେବଳ ଗାଈଗୋରୁଙ୍କୁ ଦିଆଯାଏ। କିନ୍ତୁ ମାନ ଏତେ କମିଗଲାଣି ଯେ ଗାଈ ବି ଖାଉନାହାନ୍ତି। ଆଜି ବିଧାନସଭାରେ ବିଧାୟକମାନେ ଏମିତି ଉଦ୍ବେଗ ପ୍ରକାଶ କରିଥିଲେ। ଉଭୟ ଶାସକ ଓ ବିରୋଧୀଙ୍କ ସ୍ବର ଏକ ଥିଲା।
ଆଜି ପ୍ରଶ୍ନକାଳରେ ଛତୁଆର ମାନକୁ ନେଇ ସରଗରମ ଆଲୋଚନା ହୋଇଥିଲା। ବିଧାୟକମାନେ କହିଥିଲେ, ଛତୁଆର ମାନ ପରୀକ୍ଷଣ ଠିକ୍ ଭାବେ କରାଯାଉନି। ଯାଞ୍ଚ୍ ନାମକୁ ମାତ୍ର ହେଉଛି। ଛତୁଆ ପ୍ରସ୍ତୁତିରେ ସବୁଠାରୁ ବଡ଼ ଦୁର୍ନୀତି ହେଉଛି। ମାନ ଯାଞ୍ଚ୍ ପାଇଁ କଡ଼ାକଡ଼ି ବ୍ୟବସ୍ଥା ଗ୍ରହଣ କରାଯାଉ। କଂଗ୍ରେସ ସଭ୍ୟ ତାରାପ୍ରସାଦ ବାହିନୀପତି କହିଲେ, ଏସ୍ଏଚ୍ଜି ନାଁରେ ନିର୍ଦ୍ଦିଷ୍ଟ ଦଳର ମୁଖ୍ୟ ଲୋକମାନେ ଛତୁଆ ପ୍ରସ୍ତୁତି କାମ ମାଡ଼ି ବସିଛନ୍ତି। ବିଜେପି ସଭ୍ୟ ପଦ୍ମଲୋଚନ ପଣ୍ଡା କହିଲେ, ସବୁ ଛତୁଆ ବାଲା କୋଟିପତି। ଦୁର୍ନୀତି ତ ମାଡ଼ି ଯାଇଛି। ମନ୍ତ୍ରୀ କ’ଣ କରିବେ।
ଗୃହର ଉଦ୍ବେଗ ଦେଖି ବାଚସ୍ପତି ସୁରମା ପାଢ଼ୀ ନିର୍ଦ୍ଦେଶ ଦେଇଥିଲେ, ଗତ ୫ ବର୍ଷ ଭିତରେ ନିମ୍ନ ମାନର ଛତୁଆ ପ୍ରସ୍ତୁତି ଅଭିଯୋଗରେ କେତେ ସଂସ୍ଥାରେ ଯାଞ୍ଚ୍ ହୋଇଛି ଏବଂ କ’ଣ କାର୍ଯ୍ୟାନୁଷ୍ଠାନ ହୋଇଛି ତାହାର ବିବରଣୀ ମନ୍ତ୍ରୀ ଗୃହରେ ରଖନ୍ତୁ। ମହିଳା ଓ ଶିଶୁ ବିକାଶ ବିଭାଗ ଦାୟିତ୍ବରେ ଥିବା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଲେ, ଛତୁଆର ମାନ ନିୟମିତ ପରୀକ୍ଷା କରାଯାଉଛି। ଏଥି ପାଇଁ କମିଟି ରହିଛି। ଆଗକୁ ଯାଞ୍ଚ୍ କଡ଼ାକଡ଼ି କରାଯିବ। ବାଚସ୍ପତିଙ୍କ ନିର୍ଦ୍ଦେଶ ଅନୁଯାୟୀ ପାଞ୍ଚ ବର୍ଷର ତଥ୍ୟ ଗୃହରେ ଦିଆଯିବ। ସଞ୍ଜଳି ମୁର୍ମୁଙ୍କ ମୂଳ ପ୍ରଶ୍ନ ଉପରେ ବିଧାୟକ ଫକୀର ମୋହନ ନାଏକ, ନିହାର ରଞ୍ଜନ ମହାନନ୍ଦ, ଧ୍ରୁବ ଚରଣ ସାହୁ, ସିଦ୍ଧାନ୍ତ ମହାପାତ୍ର, ସନାତନ ବିଜୁଳି, ଅଶୋକ ଦାସ, ଆକାଶ ଦାସନାୟକ ଓ ନବକିଶୋର ମଲ୍ଲିକ ପ୍ରମୁଖ ଅତିରିକ୍ତ ପ୍ରଶ୍ନ କରିଥିଲେ।