Tuesday, March 4, 2025
Home ଆମ ଓଡ଼ିଶା ବିଦ୍ୟାଳୟରେ ପଶି ଦୁଇ ଛାତ୍ରଙ୍କୁ ପିଟିଲେ ୬ ନାବାଳକ

ବିଦ୍ୟାଳୟରେ ପଶି ଦୁଇ ଛାତ୍ରଙ୍କୁ ପିଟିଲେ ୬ ନାବାଳକ

by
0 comment

ନୟାଗଡ଼: ବିଦ୍ୟାଳୟରେ ପଶି ଦୁଇ ଛାତ୍ରଙ୍କୁ ଶ୍ରେଣୀଗୃହରୁ ଟାଣି ଆଣି ମାଡ଼ ମାରିଲେ ୬ ନାବାଳକ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନୟାଗଡ଼ ବ୍ଲକ ମାଛିପଡ଼ା ଶ୍ୟାମବନ୍ଧୁ ଉଚ୍ଚ ବିଦ୍ୟାଳୟରେ। ଛାତ୍ରଦ୍ବୟ ଆହତ ହୋଇଥିବା ବେଳେ ଚିକିତ୍ସା ପାଇଁ ସେମାନଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେମାନେ ହେଲେ ଦଶମ ଶ୍ରେଣୀର ଅନିଲ ସାହୁ ଓ ଶୁଭମ୍‌ ବାଡ଼ତିଆ। ଏନେଇ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଫକିର ପ୍ରଧାନ ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ଅଭିଯୋଗ ଅନୁସାରେ, ଗତ ୨୪ ତାରିଖରେ ଉକ୍ତ ବିଦ୍ୟାଳୟରେ ଦୁଇ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା। ପରେ ଏହାର ସମାଧାନ ପାଇଁ ନିଷ୍ପତ୍ତି ହୋଇଥିଲା। କିନ୍ତୁ ତାହା ନହୋଇ ଉକ୍ତ ଘଟଣାକୁ କେନ୍ଦ୍ରକରି ଶୁକ୍ରବାର ପ୍ରାୟ ୧୦ଟା ବେଳେ ବେଲବଣି ଗ୍ରାମର ରାହୁଲ ନାୟକ, ସୁରେଶ ଚନ୍ଦ୍ର ନାୟକଙ୍କ ସମେତ ପ୍ରାୟ ୨୦ଜଣ ଯୁବକ ବେଲବଣି ଗ୍ରାମ ସଭାପତିଙ୍କ କୁପରାମର୍ଶ କ୍ରମେ ବିଦ୍ୟାଳୟକୁ ଆସି ଗାଳିଗୁଲଜ କରିଥିଲେ। ପରେ ଅନିଲ ଓ ଶୁଭମଙ୍କୁ ଶ୍ରେଣୀଗୃହରୁ ବାରଣ୍ଡାକୁ ଟାଣି ଆଣି ଆକ୍ରମଣ କରିଥିଲେ। ବିଦ୍ୟାଳୟ ପରିସରରେ ଏଭଳି କାଣ୍ଡ ଦେଖି ପ୍ରଧାନଶିକ୍ଷକଙ୍କ ସମେତ ସହକର୍ମୀ ଶରତ କୁମାର ବେହେରା, ସନ୍ନ୍ୟାସୀ ପ୍ରଧାନ, ବାଳକୃଷ୍ଣ ସାହୁ, ଗ୍ରାମର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପୂର୍ବତନ ସଭାପତି ସୁରେଶ କୁମାର ସାହୁ ଏବଂ ଗ୍ରାମ୍ୟ କମିଟିର ସଭ୍ୟ ବ୍ରଜ କିଶୋର ସାହୁ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ।

ଆମ୍ଭେମାନେ ହରିଜନ ଆଦିବାସୀ ଲୋକ, ମକଦ୍ଦମା କରି ଫସେଇ ଦେବୁ ଆଦି ନାନା ପ୍ରକାର କଥା କହି ଧମକ ଦେଇଥିବା ପ୍ରଧାନଶିକ୍ଷକ ଏତଲାରେ ଉଲ୍ଲେଖ କରିଛନ୍ତି। ଏହାର ତଦନ୍ତ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଅନୁରୋଧ କରିଛନ୍ତି। ଅନ୍ୟପକ୍ଷେ ନୟାଗଡ଼ ଏସଡିପିଓ ସୁଦର୍ଶନ ଗାଙ୍ଗୋଇ କହିଛନ୍ତି ଯେ, ସଦର ଥାନା ଆଇଆଇସି ବିଜୟ ସାହୁ ଉକ୍ତ ଘଟଣାର ତଦନ୍ତ କରୁଛନ୍ତି। ଅଭିଯୋଗକୁ ଭିତ୍ତି କରି ୬ ଆକ୍ରମଣକାରୀ ନାବାଳକଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି।

ପୁଲିସ କାର୍ଯ୍ୟାଳୟର ସୂଚନାନୁସାରେ, ଏଥିପାଇଁ ଏକ ସ୍ବତନ୍ତ୍ର ପୁଲିସ ଦଳ ଗଠନ କରାଯାଇଛି। ଡିଏସପି ସୁବାସ ପଣ୍ଡାଙ୍କୁ ଏହି ଘଟଣାର ତଦାରଖ କରିବାକୁ କୁହାଯାଇଛି। ସିଡିଏମଓଙ୍କୁ ଆହତ ଛାତ୍ରଦ୍ବୟଙ୍କ ଚିକିତ୍ସା କ୍ଷେତ୍ରରେ ସହଯୋଗ କରିବାକୁ ନିର୍ଦେଶ ଦିଆଯାଇଛି।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od