Friday, January 10, 2025
Friday, January 10, 2025
Home ଆମ ଓଡ଼ିଶା ବିଜେପିର ଅନ୍ତସ୍ରୋତ ବିରୋଧରେ ରଣେନ୍ଦ୍ରଙ୍କ ବିଜୟ

ବିଜେପିର ଅନ୍ତସ୍ରୋତ ବିରୋଧରେ ରଣେନ୍ଦ୍ରଙ୍କ ବିଜୟ

by
0 comment

ଆଠଗଡ / ଗୁରୁଡିଝାଟିଆ: ସାରା ରାଜ୍ୟରେ ବିଜେପି ସପକ୍ଷରେ ଏବଂ ଶାସକ ଦଳ ବିରୋଧରେ ଥିବା ଅନ୍ତସ୍ରୋତ ବିରୋଧରେ ଲଢେଇ କରି ଶେଷରେ ବିଜୟୀ ହୋଇଛନ୍ତି ବରିଷ୍ଠ ବିଜେଡି ନେତା ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ଅଷ୍ଟମ ଥର ପାଇଁ ଲଗାଦାର ଆଠଗଡ ବିଧାୟକ ଭାବେ ବିଜୟୀ ହୋଇଥିବା ରଣେନ୍ଦ୍ରଙ୍କର ବିଜୟ ବ୍ୟବଧାନ ମାତ୍ର ୩୫୮୪ ରହିଥିବା ଜଣାପଡିଛି। ଆଠଗଡରେ ପୋଷ୍ଟାଲ ବ୍ୟାଲଟ ଓ ଇଭିଏମରେ ପଡିଥିବା ଭୋଟକୁ ମିଶାଇ ମୋଟ ୧୭୩୯୮୧ମତଦାନ ହୋଇଥିଲା।

ସେଥିମଧ୍ୟରୁ ବିଜେଡିର ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମୋଟ ୮୬୦୦୬ଖଣ୍ଡ ଭୋଟ ପାଇଥିବାବେଳେ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପି ପ୍ରାର୍ଥୀ ଅଭୟ କୁମାର ବାରିକ ମୋଟ ୮୨୪୨୨ଖଣ୍ଡ ଭୋଟ ପାଇଥିବାରୁ ବିଜୟ ବ୍ୟବଧାନ ୩୫୮୪ ରହିଛି। କଂଗ୍ରେସ ପ୍ରାର୍ଥୀ ସୁଦର୍ଶନ ସାହୁ ୨୪୦୫ଖଣ୍ଡ ଭୋଟ ପାଇ ୩ୟ ସ୍ଥାନରେ ରହିଥିବାବେଳେ ୭୪୦ଖଣ୍ଡ ଭୋଟ ନୋଟାରେ ପଡିଥିବା ଜଣାପଡିଛି। ପ୍ରଥମରୁ ବିଜେଡି ପ୍ରାର୍ଥୀ ରଣେନ୍ଦ୍ରଙ୍କର ବିଜେପି ପ୍ରାର୍ଥୀଙ୍କ ଠାରୁ ଭୋଟ ବ୍ୟବଧାନ ବହୁ କମ୍‌‌ ରହିଥିଲା।

ପ୍ରଥମ ରାଉଣ୍ଡରେ ରଣେନ୍ଦ୍ରଙ୍କୁ ୫୦୨୬ଖଣ୍ଡ ଭୋଟ ମିଳିଥିବାବେଳେ ବିଜେପିର ଅଭୟଙ୍କୁ ୫୦୨୩ ଭୋଟ ମିଳିଥିବାରୁ ବ୍ୟବଧାନ ମାତ୍ର ୩ଖଣ୍ଡ ରହିଥିଲା। ଏହି ଧାରାରେ ସ୍ୱଳ୍ପ ବ୍ୟବଧାନରେ ରଣେନ୍ଦ୍ର ୮ମ ରାଣ୍ଡ ପର୍ଯ୍ୟନ୍ତ ଅଭୟଙ୍କ ଠାରୁ ମାତ୍ର ୧୩୨୫ଭୋଟରେ ଆଗୁଆ ଥିଲା। ତେବେ ୯ମ ରାଉଣ୍ଡ ଠାରୁ ୧୩ତମ ରାଉଣ୍ଡ ପର୍ଯ୍ୟନ୍ତ ଅଭୟ ରଣେନ୍ଦ୍ରଙ୍କଠାରୁ ଆଗୁଆ ୬୩୪ଖଣ୍ଡ ଭୋଟରେ ଆଗୁଆ ରହିଥିଲେ।

ପୁନଃ ୧୪ତମ ରାଉଣ୍ଡରେ ରଣେନ୍ଦ୍ର ୮୯ଖଣ୍ଡ ଭୋଟରେ ଆଗୁଆ ରହିଲେ। ଏହିପରି ଆଗପଛ ହୋଇ ୧୬ରାଉଣ୍ଡ ଶେଷ ସୁଦ୍ଧା ପୁନର୍ବାର ରଣେନ୍ଦ୍ର ବିଜେପି ପାର୍ଥୀ ଅଭୟଙ୍କ ଠାରୁ ୪୯୮ଖଣ୍ଡ ଭୋଟରେ ଆଗୁଆ ହୋଇଥିଲେ। ଏହି ଧାରା ଶେଷ ପର୍ଯ୍ୟନ୍ତ ଅର୍ଥାତ୍‌‌ ୧୯ତମ ରାଉଣ୍ଡ ପର୍ଯ୍ୟନ୍ତ ଲାଗି ରହିବା ସହିତ ଶେଷରେ ରଣେନ୍ଦ୍ରଙ୍କୁ ୩୫୮୪ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିବା ନିର୍ବାଚନ ଅଧିକାରୀ ପ୍ରଶାନ୍ତ କୁମାର ତରାଇ ଘୋଷଣା କରିବା ସହ ବିଜୟ ପ୍ରମାଣପତ୍ର ପ୍ରଦାନ କରିଥିଲେ। ଭୋଟ ଗଣତି ପାଇଁ ଗୋପବନ୍ଧୁ ବିଜ୍ଞାନ କଲେଜରେ ବ୍ୟାପକ ପୁଲିସ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।

ତ୍ରିସ୍ତରୀୟ ପୁଲିସ ବ୍ୟବସ୍ଥା ମଧ୍ୟରେ ପ୍ରଥମେ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ, ତାପରକୁ ରାଜ୍ୟ ସଶସ୍ତ୍ର ପୁଲିସ ବାହିନୀ ଏବଂ ଶେଷରେ ସ୍ଥାନୀୟ ପୁଲିସ ବହୁ ସଂଖ୍ୟାରେ ନିୟୋଜିତ ହୋଇଥିଲେ। ବିଜୟ ପରେ ରଣେନ୍ଦ୍ରଙ୍କ ସମର୍ଥକ ତାଙ୍କୁ ସ୍ୱାଗତ କରିବା ସହ ଆତସବାଜି ଫୁଟାଇ ଖୁସି ମନାଇଥିଲେ। ସେହିପରି ବଡମ୍ବା ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳର ବରିଷ୍ଠ ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ଦେବୀପ୍ରସାଦ ମିଶ୍ରଙ୍କୁ ସ୍ୱାଧୀନ ପ୍ରାର୍ଥୀ ବିଜୟ କୁମାର ଦଳବେହେରା ୨୩୫୩୩ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିଥିବା ଜଣାପଡିଛି।

ବିଜୟ ପରେ ରଣେନ୍ଦ୍ର ନିଜ ପ୍ରତିକ୍ରିୟାରେ ଆଠଗଡବାସୀଙ୍କୁ ନିଜର କୃତଜ୍ଞତା ଜଣାଇବା ସହ ବିଜୟର ଶ୍ରେୟ ସମଗ୍ର ଆଠଗଡ ନିର୍ବାଚନ ମଣ୍ଡଳୀର ସମସ୍ତ ଅଧିବାସୀଙ୍କୁ ଦେଇଥିଲେ। ଆଠଗଡରେ ତାଙ୍କର ଭୋଟ ବ୍ୟବଧାନ କମିବା ଏବଂ ରାଜ୍ୟରେ ଶାସକ ଦଳର ବିପର୍ଯ୍ୟୟ ବିଷୟରେ ଗଣମାଧ୍ୟମ ପ୍ରତିନିଧିଙ୍କ ଉତ୍ତର ଦେବାକୁ ଯାଇ ଦଳ ପକ୍ଷରୁ ସମୀକ୍ଷା କରାଯିବ ଏବଂ ଆଗାମୀ ଦିନ ପାଇଁ ପ୍ରସ୍ତୁତ ହେବା ପାଇଁ ପଡିବ ବୋଲି ମତପ୍ରକାଶ କରିଥିଲେ।
ସେହିପରି ପରାଜୟ ବରଣ କରିଥିବା ବିଜେପି ପ୍ରାର୍ଥୀ ଅଭୟ କୁମାର ବାରିକ ନିଜ ପ୍ରତିକ୍ରିୟାରେ ଆଠଗଡବାସୀ ତାଙ୍କୁ ଅଭୁତପୂର୍ବ ସମର୍ଥନ ଦେଇଥିବାରୁ ପ୍ରଥମେ ସେମାନଙ୍କୁ କୃତଜ୍ଞତା ଜଣାଇବା ସଙ୍ଗେ ସଙ୍ଗେ ଆଗାମୀ ଦିନରେ ଆଠଗଡବାସୀଙ୍କ ସେବା ଓ ଅନ୍ୟାୟ ବିରୁଦ୍ଧରେ ଲଢେଇ ଜାରି ରହିବ ବୋଲି ମତବ୍ୟକ୍ତ କରିଥିଲେ।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od