ବାହୁବଳୀ, ଶଙ୍କରଙ୍କୁ ଟ୍ରାଙ୍କୁଲାଇଜ୍: ବନ କର୍ମଚାରୀଙ୍କୁ ଅତ୍ୟାଧୁନିକ ଜ୍ଞାନକୌଶଳ ତାଲିମ
ଓଡ଼ିଶାରେ ଦକ୍ଷିଣ ଆଫ୍ରିକା ବନ୍ୟପ୍ରାଣୀ ବିଶେଷଜ୍ଞ ଦଳ
ଭୁବନେଶ୍ବର/ବାରଙ୍ଗ: ନନ୍ଦନକାନନ ପ୍ରାଣୀ ଉଦ୍ୟାନର ବାଘ ‘ବାହୁବଳୀ’ ଓ ଭାଲୁ ‘ଶଙ୍କର’ଙ୍କୁ ଟ୍ରାଙ୍କୁଲାଇଜ୍ କରାଯାଇଛି। ବାହୁବଳୀକୁ ଟ୍ରାଙ୍କୁଲାଇଜ୍ କରାଯିବା ପରେ ସୁରକ୍ଷିତ ଭାବେ ତାକୁ ପ୍ରାଣୀ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ବିଦେଶରୁ ଆସିଥିବା ବିଶେଷଜ୍ଞଙ୍କ ଉପସ୍ଥିତିରେ ଏକ୍ସରେ କରାଯାଇଥିଲା। ଶରୀରରେ ଟ୍ରାଙ୍କୁଲାଇଜ୍ର କ’ଣ ପ୍ରଭାବ ପଡ଼ୁଛି ସେ ନେଇ ଡାକ୍ତରୀ ଦଳ ଯାଞ୍ଚ କରିଥିଲେ। ପାଖାପାଖି ଦୁଇ ଘଣ୍ଟା ଧରି ବାହୁବଳୀ ଶରୀରର ଟିକିନିଖି ଅନୁଧ୍ୟାନ କରିଥିଲେ ମଧ୍ୟ କୁପ୍ରଭାବର ଲକ୍ଷଣ ଦେଖିବାକୁ ମିଳିନଥିଲା। ଏହାପରେ ବିଶେଷଜ୍ଞ ଦଳ ସମାନ ଢଙ୍ଗରେ ଭାଲୁ ଶଙ୍କରର ମଧ୍ୟ ଯାଞ୍ଚ କରିଥିଲେ। ବନ୍ୟପ୍ରାଣୀଙ୍କ ଉଦ୍ଧାର, ଚିକିତ୍ସା, ସୁରକ୍ଷା, ସ୍ଥାନାନ୍ତର ସମୟରେ କିଭଳି ସତର୍କତା ଅବଲମ୍ବନ କରାଯିବ ସେନେଇ ବନ ବିଭାଗ ପକ୍ଷରୁ ଚାଲିଥିବା ତାଲିମ ଶିବିରର ତୃତୀୟ ଦିନରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନର କର୍ମଚାରୀଙ୍କୁ ଏଭଳି ଭାବେ ପ୍ରଶିକ୍ଷଣ ଦିଆଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ବନ କର୍ମଚାରୀଙ୍କୁ ଅତ୍ୟାଧୁନିକ ଜ୍ଞାନକୌଶଳ ତାଲିମ
ଓଡ଼ିଶାରେ ଦକ୍ଷିଣ ଆଫ୍ରିକା ବନ୍ୟପ୍ରାଣୀ ବିଶେଷଜ୍ଞ ଦଳ
ମଣିଷ-ବନ୍ୟଜନ୍ତୁଙ୍କ ଲଢ଼େଇ ରୋକିବାକୁ ପ୍ରୟାସ
ସୋମବାର ଓ ମଙ୍ଗଳବାର ମଧ୍ୟ ପ୍ରାଣୀ ଉଦ୍ୟାନରେ ତାଲିମ କାର୍ଯ୍ୟକ୍ରମ ଜାରି ରହିବ। ଗୟଳ ଓ ନୀଳଗାଈଙ୍କୁ ଧରିବା, ସ୍ଥାନାନ୍ତର ପରି ବିଭିନ୍ନ ବିଷୟ ଉପରେ ୨୯ତାରିଖରେ ପ୍ରଶିକ୍ଷଣ ଦିଆଯିବ। ଚନ୍ଦକା-ଡମପଡ଼ା ଅଭୟାରଣ୍ୟରେ ଗୟଳ ଛାଡ଼ିବାକୁ ବନ ବିଭାଗ ଯୋଜନା କରିଛି। ତେଣୁ ଗୟଳଙ୍କୁ ଧରିବା, ସେମାନଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରିବା ସମ୍ପର୍କରେ ଚନ୍ଦକା କର୍ମଚାରୀଙ୍କୁ ତାଲିମ ଦିଆଯିବ। ଭରତପୁର ଜଙ୍ଗଲରେ ଥିବା ମଇଁଷଙ୍କ ସ୍ଥାନାନ୍ତର ସମ୍ପର୍କରେ ମଧ୍ୟ ବନ କର୍ମଚାରୀଙ୍କୁ ବିଶେଷଜ୍ଞ ଦଳ ତାଲିମ ଦେବେ। ବନ୍ୟଜନ୍ତୁଙ୍କ ଉଦ୍ଧାର ସମୟରେ ମେସିନ୍ର ପ୍ରୟୋଗ କିଭଳି କରିବେ ସେନେଇ ମଧ୍ୟ କୁହାଯାଇଛି। ବିଭିନ୍ନ ପ୍ରଜାତିର ପ୍ରାଣୀଙ୍କ ପାଇଁ ଭିନ୍ନ ଭିନ୍ନ କୌଶଳ ସମ୍ପର୍କରେ ନନ୍ଦନକାନନ କର୍ମଚାରୀଙ୍କ ଉପସ୍ଥିତିରେ ତାଲିମ ଦିଆଯାଉଛି। ୩୦ ତାରିଖରେ ହାତୀଙ୍କ ଉପରେ ପ୍ରଶିକ୍ଷଣ ଦିଆଯିବାର କାର୍ଯ୍ୟକ୍ରମ ରହିଛି। ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗ ମାଧ୍ୟମରେ ମଣିଷ ଓ ବନ୍ୟପ୍ରାଣୀଙ୍କ ଲଢ଼େଇକୁ କିଭଳି ରୋକାଯାଇ ପାରିବ ସେନେଇ ଓଡ଼ିଶା ବନ ବିଭାଗ ପକ୍ଷରୁ ଡେରାଡୁନ୍ସ୍ଥିତ ୱାଇଡ୍ଲାଇଫ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଓ ଦକ୍ଷିଣ ଆଫ୍ରିକାର ୱାଇଲ୍ଡଲାଇଫ୍ ଫାର୍ମାସ୍ୟୁଟିକାଲ ସହଯୋଗରେ ତାଲିମ ଶିବିର ଜାରି ରହିଛି। ରାଜ୍ୟର ସଂରକ୍ଷିତ ଜଙ୍ଗଲ ଓ ପ୍ରାଣୀ ଉଦ୍ୟାନରେ କାର୍ଯ୍ୟରତ ବନ କର୍ମଚାରୀ, ପ୍ରାଣୀ ଚିକିତ୍ସକଙ୍କୁ ୭ ଦିନିଆ ତାଲିମ ଦିଆଯାଉଛି। ପିସିସିଏଫ୍ ଦେବୀଦତ୍ତ ବିଶ୍ବାଳ, ପିସିସିଏଫ୍(ବନ୍ୟପ୍ରାଣୀ) ସୁଶାନ୍ତ ନନ୍ଦଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଚାଲିଥିବା ଏହି ତାଲିମ କାର୍ଯ୍ୟକ୍ରମରେ ୱାଇଲ୍ଡଲାଇଫ୍ ଫାର୍ମାସ୍ୟୁଟିକାଲର ପରିଚାଳନା ନିର୍ଦ୍ଦେଶକ କୋବସ୍ ରାଥ୍, ବିଶେଷଜ୍ଞ ଆଲେକ୍ଜାଣ୍ଡାର ସେମଜୋନୋଭ୍, ପରାଗ ନିଗମ, ବିକାଶ ପାଣ୍ଡବ, ନନ୍ଦନକାନନ ନିର୍ଦ୍ଦେଶକ ମନୋଜ ଭି ନାୟର ପ୍ରମୁଖ ଦିଗଦର୍ଶନ ଦେଇଛନ୍ତି।
ସୂଚନାଯୋଗ୍ୟ ଯେ ଜୈବ ବିବିଧତା ଦୃଷ୍ଟିରୁ ଓଡ଼ିଶା ବେଶ ସମୃଦ୍ଧ ହୋଇଥିଲେ ମଧ୍ୟ ମଣିଷ-ବନ୍ୟଜନ୍ତୁଙ୍କ ଲଢ଼େଇ ଦ୍ବାରା ସେଗୁଡ଼ିକର ସଂରକ୍ଷଣ ଏବେ ଆହ୍ବାନ ସୃଷ୍ଟି କରିଛି। ଏହି ଲଢ଼େଇ ଦ୍ବାରା ଲୋକଙ୍କ ମୃତ୍ୟୁ ଓ ଆହତ, ଘରଦ୍ବାର ଭାଙ୍ଗିବା, ଫସଲ ନଷ୍ଟ ଭଳି ସମସ୍ୟା ସୃଷ୍ଟି ହେଉଛି। ଗତ ୫ ବର୍ଷ ମଧ୍ୟରେ ବନ୍ୟପ୍ରାଣୀଙ୍କ ଆକ୍ରମଣରେ ୭୫୮ଜଣଙ୍କ ଜୀବନ ଯାଇଥିବା ବେଳେ ୧,୮୬୬ଜଣ ଆହତ, ୧,୦୩୫ଟି ଗାଈଗୋରୁଙ୍କର ମୃତ୍ୟୁ ହୋଇଛି। ୧୦ହଜାର ୨୫୯ଟି ଘର ଭାଙ୍ଗିଥିବା ବେଳେ ୨ଲକ୍ଷ ୪୩ହଜାର ୭୩୩ଟି ଶସ୍ୟ ନଷ୍ଟ ଘଟଣା ସାମ୍ନାକୁ ଆସିଛି।