ବାଲିଯାତ୍ରା ପାଇଁ ଉପକୂଳ ସୁରକ୍ଷା କବଚ ସହ ଖେଳ: ଶହ ଶହ ଟ୍ରିପ୍ ବାଲି ବୋହିନେଲେ
ପାରାଦୀପ ବାଲିଯାତ୍ରାକୁ ଜାକଜମକରେ ଆୟୋଜନ କରିବା ପାଇଁ ପରିବେଶକୁ ବଳି ପକାଇ ଦେଇଛି ପ୍ରଶାସନ। ଅଧିକରୁ ଅଧିକ ଷ୍ଟଲ ଖୋଲି ରେକର୍ଡ କରିବା ଯୋଜନାରେ ପ୍ରାକୃତିକ ପରିବେଶକୁ ମାଟିରେ ମିଶାଇ ଚାଲିଛନ୍ତି।
Updated
ଜଗତସିଂହପୁର: ପାରାଦୀପ ବାଲିଯାତ୍ରାକୁ ଜାକଜମକରେ ଆୟୋଜନ କରିବା ପାଇଁ ପରିବେଶକୁ ବଳି ପକାଇ ଦେଇଛି ପ୍ରଶାସନ। ଅଧିକରୁ ଅଧିକ ଷ୍ଟଲ ଖୋଲି ରେକର୍ଡ କରିବା ଯୋଜନାରେ ପ୍ରାକୃତିକ ପରିବେଶକୁ ମାଟିରେ ମିଶାଇ ଚାଲିଛନ୍ତି। ବେଳାଭୂମିର ସୁରକ୍ଷା କବଚ କୁହାଯାଉଥିବା ବାଲିକୁଦକୁ ତାଡ଼ି ବିରାଟ ବିରାଟ ଗାତ କରାଯାଇଛି। ଗାତ ଏତେ ଗଭୀର କରାଯାଇଛି ଯେ ସେଥିରୁ ପାଣି ବାହାରିଲାଣି। ବେଆଇନ ଭାବେ ବାଲିକୁଦ ଖୋଳିବାକୁ କିଏ ଅନୁମତି ଦେଲା ତାହାକୁ ନେଇ ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସବୁଠୁ ବଡ଼ କଥା ହେଲା ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକର ରାମତରା ଠାରୁ ଗଡ଼ହରିଶପୁର ପର୍ଯ୍ୟନ୍ତ ପ୍ରାୟ ୧୦ କିଲୋମିଟର ବେଳାଭୂମି, ପାରାଦୀପ ନେହରୁ ବଙ୍ଗଳା ନିକଟ ମୁହାଣ କ୍ଷୟ ହୋଇ ଚାଲିଛି। ଏଭଳି ସ୍ଥିତିରେ ପାରାଦୀପ ବେଳାଭୂମିରୁ ବାଲିକୁଦ ଖୋଳାଯିବା ନେଇ ଉଦ୍ବେଗ ପ୍ରକାଶ ପାଇଛି।
ବେଳାଭୂମିରେ ବାଲିକୁଦ ଖୋଳି ୩୦ ଫୁଟର ଗାଡ଼
ଶହ ଶହ ଟ୍ରିପ୍ ବାଲି ବୋହିନେଲେ
ଆସନ୍ତା ୧୪ ତାରିଖରୁ ଆରମ୍ଭ ହେବାକୁ ଯାଉଛି ପାରାଦୀପ ପ୍ରସିଦ୍ଧ କଳିଙ୍ଗ ବାଲିଯାତ୍ରା। ବାଲିଯାତ୍ରାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଷ୍ଟଲ ସଂଖ୍ୟା ବଢ଼ାଇବାକୁ ଲକ୍ଷ୍ୟ ରଖିଛି ପ୍ରଶାସନ। ବେଳାଭୂମି ଆଡ଼କୁ ତିଆରି କରାଯାଇଥିବା ଡାହାଣ ପାର୍ଶ୍ବ ପେଭର ବ୍ଲକ୍ ରାସ୍ତାକଡ଼ ଖାଲୁଆ ଥିବାରୁ ବାଲିରେ ପୋତା ଯାଉଛି। ବାଲିକୁଦକୁ ଜେସିବିରେ ପ୍ରାୟ ୩୦ ଫୁଟ ପର୍ଯ୍ୟନ୍ତ ଖୋଳି ସାରିଲେଣି। ଚାରି ଟ୍ରାକ୍ଟର ସାହାଯ୍ୟରେ ଅନବରତ ବାଲି ବୁହା ଚାଲିଛି। ଗତ ଦୁଇଦିନ ଧରି ଗୋଟିଏ ବାଲିକୁଦକୁ ଖୋଳି ପ୍ରାୟ ୩୦ ଫୁଟ ଗାତ କରାଯିବା ପରେ ଆଜି ବାମପାର୍ଶ୍ବରେ ଥିବା ପେଭର୍ ବ୍ଲକ ରାସ୍ତା ପାର୍ଶ୍ବରୁ ବାଲିକୁଦକୁ ଖୋଳାଯାଇ ସେଠାରୁ ମଧ୍ୟ ଶହ ଶହ ଟ୍ରିପ୍ ବାଲି ବୁହା ଚାଲିଛି।
ପରିବେଶବିତ୍ ଜୟକୃଷ୍ଣ ପାଣିଗ୍ରାହୀ କହିଚନ୍ତି ବେଳାଭୂମିରେ ପ୍ରାକୃତିକ ବାଲିକୁଦ ବାତ୍ୟା ସମୟରେ ଜୁଆର ରୋକିବାରେ ସହାୟକ ହୋଇଥାଏ। ସେଠାରେ ଲଟା ସୃଷ୍ଟି ହୋଇଥିବାରୁ ବିଭିନ୍ନ ପ୍ରାଣୀଙ୍କର ବାସସ୍ଥାନ ମଧ୍ୟ ହୋଇଛି। ଏହାକୁ ଖୋଳି ନଷ୍ଟ କଲେ ପରିବେଶ ସନ୍ତୁଳନ ବିଗିଡ଼ିବ। ଏ ସମ୍ପର୍କରେ ପାରାଦୀପ ଅତିରିକ୍ତ ଜିଲ୍ଲାପାଳ ନିରଞ୍ଜନ ବେହେରାଙ୍କୁ ଯୋଗାଯୋଗ କରାଯାଇଥିଲେ ବି ସେ କୌଣସି ମତ ରଖି ନାହାନ୍ତି।
Updated