ସମାଜ ଡିଜିଟାଲ ଡେସ୍କ: ବାରବାଟୀ ଟିକେଟ କଳାବଜାରୀ ଘଟଣାରେ ପୁଲିସ ଶୁକ୍ରବାର ୭ ଜଣଙ୍କୁ ଗିରଫ କରିଛି। ପୃଥକ ପୃଥକ ୪ଟି ମାମଲାରେ ଏହି ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତମାନେ ନିର୍ଦ୍ଧାରିତ ଦରରେ ଟିକେଟ ହାତେଇବା ପରେ ତାହାକୁ ଚଢ଼ା ଦରରେ ଅନ୍ୟମାନଙ୍କୁ ବିକ୍ରି କରୁଥିଲେ।
ସୂଚନା ଅନୁସାରେ, ଆସନ୍ତା ୯ ତାରିଖରେ କଟକ ବାରବାଟୀ ପଡ଼ିଆରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦିନିକିଆ ମ୍ୟାଚ ଅନୁଷ୍ଠିତ ହେବ। ଏଥିପାଇଁ ୫ ତାରିଖରେ କାଉଣ୍ଟରରେ ଟିକେଟ ବିକ୍ରି ଆରମ୍ଭ ହୋଇଥିଲା। ବହୁ ଦୂରରୁ ହଜାର ହଜାର କ୍ରିକେଟପ୍ରେମୀ ଟିକେଟ ପାଇଁ ଆସି ରାତିରୁ ଧାଡ଼ିରେ ଛିଡ଼ା ହୋଇଥିଲେ ବି ଟିକେଟ ନ ପାଇ ନିରାଶ ହୋଇ ଫେରିଥିଲେ। ପ୍ରବଳ ଭିଡ଼ ଯୋଗୁ ଅପ୍ରୀତିକର ପରିସ୍ଥିତି ଉପୁଜିଥିଲା। ସନ୍ଧ୍ୟାରେ କାଉଣ୍ଟର ବନ୍ଦ ହେବାରୁ ଲୋକମାନେ ବାରିକେଡ ଭାଙ୍ଗି ଦେଇଥିଲେ। ଅନ୍ୟପଟେ ବହୁ ଲୋକ ଅସାଧୁ ଉପାୟରେ ଟିକେଟ ହାତେଇବା ପରେ ତାହାର କଳାବଜାରୀ କରି ଅଧିକ ମୂଲ୍ୟରେ ଲୋକଙ୍କୁ ବିକ୍ରି କରୁଥିବା ଅଭିଯୋଗ ହୋଇଥିଲା। ଏହା ପରେ ପୁଲିସ ତଦନ୍ତ କରି ୭ ଅଭିଯୁକ୍ତଙ୍କୁ ଗିରଫ କରିଛି।