Sunday, February 23, 2025
Home Home Left ପୋଲିସ ସ୍ବାମୀଙ୍କୁ ମାରି ଦେଇଥିବା ଅଭିଯୋଗ ଆଣିଥିଲେ ସ୍ତ୍ରୀ: ଏସ୍‌ଆଇ, ହାବିଲଦାର ନିଲମ୍ବିତ

ପୋଲିସ ସ୍ବାମୀଙ୍କୁ ମାରି ଦେଇଥିବା ଅଭିଯୋଗ ଆଣିଥିଲେ ସ୍ତ୍ରୀ: ଏସ୍‌ଆଇ, ହାବିଲଦାର ନିଲମ୍ବିତ

by
0 comment

ଫୁଲବାଣୀ, ୧ା୧୦(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ଗୋଚ୍ଛାପଡା ଥାନା ଡାଙ୍ଗଣାମୁ ଘାଟି ରାସ୍ତାରୁ ଗତ ୨୬ ତାରିଖରେ ବୌଦ୍ଧ ଜିଲା କଣ୍ଟାମାଳ ଥାନା ବେହେରାପଡା ଗ୍ରାମର ଜ୍ୟେଷ୍ଠ ବଣ୍ଡକିଙ୍କ ମୃତଦେହ ଜବତ ଘଟଣାରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

ଏହି ଘଟଣାରେ ଜଣେ ଟ୍ରେନି ସବ୍‌ଇନ୍ସପେକ୍ଟର(ଏସ୍‌ଆଇ) ଅଜିତ ବେହେରା ଓ ଜଣେ ହାବିଲଦାର ରାମଚନ୍ଦ୍ର ନାୟକଙ୍କୁ ନିଲମ୍ବିତ କରାଯାଇଛି । ୩ଜଣ ହୋମଗାର୍ଡଙ୍କୁ କାର୍ଯ୍ୟରୁ ଅନ୍ତର କରାଯାଇଛି। ସେମାନେ ହେଲେ ଅଭିରାମ ମହାନନ୍ଦ, ଜଗବନ୍ଧୁ କହଁର ଓ ରତ୍ନାକର ନାୟକ। ଘଟଣାର ତଦନ୍ତ ପ୍ରକ୍ରିୟାରେ ବାଧା ଉପୁଜାଇବା ସମ୍ଭାବନା ଥିବାରୁ ସେମାନଙ୍କ ଉପରେ ଏହି କାର୍ଯ୍ୟାନୁଷ୍ଠାନ ହୋଇଥିବା ଅତିରିକ୍ତ ଏସ୍‌ପି ବଳଭଦ୍ର ଦୀପ କହିଛନ୍ତି ।

ଏ ସମ୍ପର୍କରେ ଅତିରିକ୍ତ ଏସ୍‌ପି ଦୀପ କହିଛନ୍ତି ଯେ, ଏହି ମାମଲାର ତଦନ୍ତ ପ୍ରକ୍ରିୟା ଏଯାଏ ଶେଷ ହୋଇନାହିଁ। ଜ୍ୟେଷ୍ଠଙ୍କ ସହ ଆସିଥିବା ଦାଶରଥିଙ୍କୁ ପଚରାଉଚରା ସରିନାହିଁ । କେବଳ ଜ୍ୟେଷ୍ଠଙ୍କ ବ୍ୟବଚ୍ଛେଦ ରିପୋର୍ଟ ହସ୍ତଗତ ହୋଇଛି । ଭିସେରା ରିପୋର୍ଟ ଆସିନାହିଁ  । ଘଟଣାରେ ପୋଲିସ ସମ୍ପୃକ୍ତି ନେଇ ଅଭିଯୋଗ ଥିବାରୁ ତଦନ୍ତ ଯେପରି ହେବାକଥା ସେପରି ଚାଲିଛି। ଘଟଣାରେ ଯାହାର ସମ୍ପୃକ୍ତି ଆସିବ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଏହି ଘଟଣାକୁ ଜିଲା ପୋଲିସ ମଧ୍ୟ ଗୁରୁତର ସହ ନେଇଛି। ଜ୍ୟେଷ୍ଠଙ୍କ ମୃତ୍ୟୁ ସ୍ବାଭାବିକ ନା ତାଙ୍କୁ ହତ୍ୟା କରାଯାଇଛି ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ବୋଲି ଏସ୍‌ପି ଦୀପ ସୂଚନା ଦେଇଛନ୍ତି।

ଜ୍ୟେଷ୍ଠ ତାଙ୍କର ଜଣେ ସହଯୋଗୀ ମାର୍ଡୋଲ ଗ୍ରାମର ଦାଶରଥି ଦିଗାଲଙ୍କ ସହ ଗତ ୨୬ ତାରିଖ ସକାଳ ୭ଟାରେ ଗୋଚ୍ଛାପଡା ଆସିଥିଲେ ା ଦିନ ପ୍ରାୟ ସାଢ଼େ ୧୨ଟାରେ ତାଙ୍କ ସ୍ତ୍ରୀ ସୁମନ୍ତି ବଣ୍ଡକି ଫୋନ କରିବାରୁ ମୋତେ ପୋଲିସ ଧରିଛି ବୋଲି କହି ଜ୍ୟେଷ୍ଠ ଫୋନ କାଟି ଦେଇଥିଲେ। ତାଙ୍କ ସମ୍ପର୍କୀୟମାନେ ଗୋଚ୍ଛାପଡା ଥାନାକୁ ପଚାରିବାରୁ ସେମାନେ କାହାରିକୁ ଗିରଫ କରି ନ ଥିବା କହିଥିଲେ। ସନ୍ଧ୍ୟାରେ ଥାନାକୁ ଯିବାରୁ ଗାଡି ଜବତ କରିଥିବା ପୋଲିସ କହିଥିଲା। ଦାଶରଥିଙ୍କୁ ଧରି ପୋଲିସ ଅଟକାଇଥିବା ସ୍ଥାନକୁ ଯାଇ ଖୋଜାଖୋଜି କରିବାରୁ ଜ୍ୟେଷ୍ଠଙ୍କ ମୃତଦେହ ମିଳିଥିଲା।

ସ୍ତ୍ରୀ ସୁମନ୍ତି ପୋଲିସ ତାଙ୍କ ସ୍ବାମୀଙ୍କୁ ମାରି ଦେଇଥିବା ନେଇ ଅଭିଯୋଗ ଆଣି ଗୋଚ୍ଛାପଡା ଥାନାରେ ଏତଲା ଦେଇଥିଲେ । ଘଟଣାରେ ପୋଲିସର ସମ୍ପୃକ୍ତି ଆସିବାରୁ ସଦର ଏସ୍‌ଡିପିଓ ସୁପ୍ରସନ୍ନ ମଲ୍ଲିକ, ଅତିରିକ୍ତ ଏସ୍‌ପି ଦୀପ, ଡିଏସ୍‌ପି କମଳ ପଣ୍ଡା ଏହାର ତଦନ୍ତ ଆରମ୍ଭ କରିଥିଲେ । ଏସ୍‌ପି ଶୁଭେନ୍ଦୁ କୁମାର ପାତ୍ର ମଧ୍ୟ ଘଟଣାର ଅନୁଧ୍ୟାନ କରୁଛନ୍ତି ।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od