ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ପରଲୋକ ହୋଇଯାଇଛି । ସେ ଦିଲ୍ଲୀ ଏମ୍ସର ଜରୁରୀକାଳୀନ ୱାର୍ଡରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ଆଜି ସନ୍ଧ୍ୟାରେ ଅଚାନକ ମନମୋହନ ସିଂହଙ୍କ ସ୍ୱାସ୍ଥ୍ୟ ଖରାପ ହେବାରୁ ତାଙ୍କୁ ଦିଲ୍ଲୀ ଏମ୍ସକୁ ନିଆଯାଇଥିଲା ଏବଂ ସେଠାରେ ଜରୁରୀକାଳୀନ ୱାର୍ଡରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ପରଲୋକ ହୋଇଥିବା ନେଇ ଏମ୍ସ ତରଫରୁ ବୁଲେଟିନ ଜାରି କରାଯାଇଛି। ସେ ବର୍ହାକ୍ୟଜନିତ ରୋଗରେ ପୀଡିତ ଥିଲେ ବୋଲି ଏମ୍ସ ପକ୍ଷରୁ ସୂଚନା ଦିଆଯାଇଛି ।
ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଓ ଅର୍ଥନୀତିଜ୍ଞ ତଥା ବିଶିଷ୍ଟ ଶିକ୍ଷାବିତ ମନମୋହନ ସିଂହ ୯୨ ବର୍ଷ ବୟସରେ ପରଲୋକ ହୋଇଛି। ଆଜି ସନ୍ଧ୍ୟାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ବିଗିଡ଼ିବାରୁ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା। ଏମ୍ସର ଏମର୍ଜେନ୍ସି ୱାର୍ଡରେ ଏକ ବିଶେଷଜ୍ଞ ଡାକ୍ତରୀ ଦଳ ତାଙ୍କର ଚିକିତ୍ସା କରିଥିଲେ, କିନ୍ତୁ ସେମାନଙ୍କ ସମସ୍ତ ଚେଷ୍ଟା ବ୍ୟର୍ଥ ହୋଇଥିଲା ଓ ଶ୍ରୀ ସିଂହଙ୍କ ଚିରନିଦ୍ରାରେ ଶୋଇଯାଇଥିଲେ ।
ଜୀବନର ଯାତ୍ରା:
୧୯୩୨ ମସିହାରେ ପାକିସ୍ତାନର ପଞ୍ଜାବ ଅଞ୍ଚଳରେ ଜନ୍ମଗ୍ରହଣ କରିଥିବା ମନମୋହନ ସିଂହ, ତାଙ୍କ ଶିକ୍ଷାର ଆରମ୍ଭ ପଞ୍ଜାବ ବିଶ୍ୱବିଦ୍ୟାଳୟରୁ ହୋଇଥିଲା। ପରେ ସେ ବ୍ରିଟେନର କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରୁ ଅର୍ଥଶାସ୍ତ୍ରରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ସେ ଭାରତର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦବୀ ଦାୟିତ୍ୱ ଭଳିଭାବେ ନିବାହ କରିଥିଲେ।
ଗୁରୁତ୍ୱପୂର୍ଣ୍ଣ ଅବଦାନ:
୧୯୯୧ରେ ଭାରତ ଗଭୀର ଆର୍ଥିକ ସଙ୍କଟ ସମୟରେ ପ୍ରଧାନମନ୍ତ୍ରୀ ପିଭି ନରସିଂହ ରାଓଙ୍କ କ୍ୟାବିନେଟରେ ତାଙ୍କୁ ଅର୍ଥମନ୍ତ୍ରୀ ଭାବେ ନିଯୁକ୍ତ କରାଯାଇଥିଲା। ସେ ଏକ ବୈପ୍ଳବିକ ଅର୍ଥନୀତିକ ସଂସ୍କାର ଆଣି, ଦେଶକୁ ଆର୍ଥିକ କ୍ଷେତ୍ରରେ ମଜବୁତ କରିଥିଲେ। ତାଙ୍କର ଏହି ଉଦ୍ୟମ ଭାରତକୁ ବିଶ୍ୱ ଦରବାରରେ ଅର୍ଥନୀତିର ଦୃଢ଼ ପ୍ଲାଟଫର୍ମ ତିଆରି କରିଦେଇଥିଲା।
ପ୍ରଧାନମନ୍ତ୍ରୀ ପଦବୀ:
୨୦୦୪ରେ, ଯୁପିଏର କ୍ଷମତାରୋହଣ ପରେ ମନମୋହନ ସିଂହ ପ୍ରଥମ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ହୋଇଥିଲେ। ସେ ଦଶବର୍ଷ ଧରି (୨୦୦୪-୨୦୧୪) ପ୍ରଧାନମନ୍ତ୍ରୀ ରହି ଦେଶକୁ ଆଗକୁ ବଢ଼ାଇଥିଲେ। ସେ ଦେଶର ଏକମାତ୍ର ପ୍ରଧାନମନ୍ତ୍ରୀ ଥିଲେ ଯିଏ ଲୋକସଭା ନ ଥାଇ ରାଜ୍ୟସଭାକୁ ପ୍ରତିନିଧିତ୍ୱ କରୁଥିଲେ।
ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏହା ସହିତ ବିଭିନ୍ନ କଂଗ୍ରେସ ନେତା ଓ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି।