ପାଠାଗାର କହିଲେ ଆମେ ସାଧାରଣତଃ ବିଭିନ୍ନ ପୁସ୍ତକର ଭଣ୍ଡାର ଘର ବୋଲି ବୁଝିଥାଉ। ମାତ୍ର କ୍ବିନ୍ସଲାଣ୍ଡ୍ ବିଶ୍ବବିଦ୍ୟାଳୟର ଏକ ପାଠାଗାରରେ ବହି ବଦଳରେ ବିଭିନ୍ନ ପ୍ରକାରର ତୁଷାରଖଣ୍ଡ ଦେଖିବାକୁ ମିଳିଥାଏ। ଧ୍ବଂସକାରୀ ଝଡ଼ର ପୂର୍ବାନୁମାନ କରିବାରେ ଏହି କୁଆପଥରଗୁଡ଼ିକର ଅଧ୍ୟୟନ ସହାୟକ ହେବ ବୋଲି ଗବେଷକମାନେ ଆଶାବାଦୀ ଅଛନ୍ତି।
କରକାପାତର ପାରମ୍ପରିକ ବୈଜ୍ଞାନିକ ମଡେଲ୍ ପ୍ରସ୍ତୁତ କଲା ବେଳେ କୁଆପଥରଗୁଡ଼ିକୁ ଗୋଲାକାର ବୋଲି ଧରିନିଆଯାଇଥାଏ। ତେବେ ସେଥିରେ ଅଣଗୋଲାକାର ତଥା ପ୍ରାକୃତିକ ଆକୃତିର କୁଆପଥର ସାମିଲ କଲେ କି ପରିବର୍ତ୍ତନ ଘଟୁଛି, ତାହା ଜାଣିବାକୁ ଗବେଷକମାନେ ଚେଷ୍ଟା କରିଥିଲେ। ଶେଷରେ ଏଥିରେ ନାଟକୀୟ ପରିବର୍ତ୍ତନ ପରିଲକ୍ଷିତ ହୋଇଥିଲା ବୋଲି ଗବେଷକମାନେ କହିଛନ୍ତି। କାରଣ କୁଆପଥର ଖସିବା ପରେ ତାହା ତାହାର ବେଗ ଓ ପରିପାର୍ଶ୍ବ ଉପରେ ନିର୍ଭର କରି ବିଭିନ୍ନ ଆକାର ଧାରଣ କରିବା ସହ ଭିନ୍ନ ଭିନ୍ନ ସ୍ଥାନରେ ପଡ଼ିଥାଏ। ତେଣୁ ପାଣିପାଗ ମଡେଲିଂକୁ ଅଧିକ ସଠିକ୍ କରିବା ପାଇଁ ବିଭିନ୍ନ ଆକୃତିର କୁଆପଥରଗୁଡ଼ିକ ଏକ ପ୍ରକୃଷ୍ଟ ଭିତ୍ତି ପ୍ରଦାନ କରିପାରିବ। ଭବିଷ୍ୟତରେ ଏହି କୁଆପଥର ମଡେଲିଂ ବ୍ୟବହାର କରି କୁଆପଥର କେତେ ବଡ଼ ହୋଇପାରିବ ଓ ତାହା କେଉଁଠାରେ ପଡ଼ିବ, ସେ ସମ୍ପର୍କରେ ପୂର୍ବାନୁମାନ କରିହେବ। ମୋଟାମୋଟି ଭାବେ କରକାପାତର ନିର୍ଭୁଲ୍ ଭବିଷ୍ୟବାଣୀ ଦ୍ବାରା ଲୋକଙ୍କୁ କୁଆପଥର ମାଡ଼ ସମୟରେ ସୁରକ୍ଷିତ ତଥା ନିରାପଦ ରହିବା ପାଇଁ ସତର୍କ କରାଇ ଦିଆଯାଇପାରିବ। ଫଳରେ ତଜ୍ଜନିତ କ୍ଷୟକ୍ଷତି ମଧ୍ୟ ହ୍ରାସ ପାଇବ। କୁଆପଥର ମାଡ଼ ପ୍ରତି ସମ୍ବେଦନଶୀଳ ବୀମା, କୃଷି ଓ ସୋଲାର୍ ଫାର୍ମିଂ ଭଳି ଶିଳ୍ପ ମଧ୍ୟ ଏହା ଦ୍ବାରା ବିଶେଷ ଭାବେ ଲାଭାନ୍ବିତ ହୋଇପାରିବେ।
9