ପ୍ରମୋଦ ସ୍ବାଇଁଙ୍କ ପ୍ରଯୋଜିତ ତଥା ଅଲ୍ରାଉଣ୍ଡର ସଞ୍ଜୟ ନାୟକଙ୍କ ନିର୍ଦ୍ଦେଶିତ ଓଡ଼ିଆ ଛବି ‘ତୁ ମୋ ଆଖିର ତାରା’ରୁ ହାସ୍ୟାଭିନେତା ଭାବେ କ୍ୟାରିଅର୍ ଆରମ୍ଭ କରିଥିବା ପପୁ ପମ୍ପମ୍ ପାଖାପାଖି କୋଡ଼ିଏ ବର୍ଷ ଧରି ଓଲିଉଡ୍ରେ ସକ୍ରିୟ ଅଛନ୍ତି। ଦର୍ଶକ ତାଙ୍କୁ ‘ରଙ୍ଗିଲା ଟୋକା’, ‘ଚଉକାଛକା’, ‘ଆମେ ତ ଟୋକା ଷଣ୍ଢମାର୍କା’, ‘ମିଷ୍ଟର କହ୍ନୈୟା’ ଓ ‘ଗାଁର ନାଁ ଗାଲୁଆପୁର’ ଭଳି ଓଡ଼ିଆ ଛବିରେ ନାୟକ ଭୂମିକାରେ ଦେଖିଛନ୍ତି। ଏହାଛଡ଼ା ଟେଲିଭିଜନ୍ରେ ପ୍ରିମିୟର୍ ହୋଇଥିବା ‘ଚୁଲ୍ବୁଲ୍ ପାଣ୍ଡେ’ ଓ ଟେଲି ସିନେମା ‘ଡିଟେକ୍ଟିଭ୍ କରନ ଅର୍ଜୁନ’ରେ ବି ତାଙ୍କୁ ନାୟକ ଭାବେ ଦେଖିବାକୁ ମିଳିଛି।
ପପୁ ପମ୍ପମ୍ ଏବେ ଅଭିନୟ ସହିତ ନିର୍ଦ୍ଦେଶନାରେ ପାଦ ରଖିଛନ୍ତି। କେ କେ ସାହୁଙ୍କ ପ୍ରଯୋଜନାରେ ନିର୍ମିତ ‘ଡଷ୍ଟବିନ୍’ରେ ସେ ନିର୍ଦ୍ଦେଶନା ଦେବା ସହ କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଛନ୍ତି। କେବଳ ସେତିକି ନୁହେଁ, ସେ ବି ଏହାର ସ୍ବର ସଂଯୋଜକ। ସସ୍ପେନ୍ସ୍ ଥ୍ରିଲର ‘ଡଷ୍ଟବିନ୍’ରେ ଜଣେ ନବାଗତାଙ୍କ ସହ ପରଦାରେ ରୋମାନ୍ସ୍ କରିବେ ପପୁ। ଏହି ଛବିରେ ତାଙ୍କ ବିପକ୍ଷରେ ନଜର ଆସିବେ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ପ୍ରାଚୀ। ଦର୍ଶକ ପ୍ରଥମ ଥର ଲାଗି ପପୁ-ପ୍ରାଚୀ ଯୋଡ଼ିଙ୍କୁ ଦେଖିବାକୁ ପାଇବେ।
ନାୟକ ଭାବେ ପପୁ ‘ରଙ୍ଗିଲା ଟୋକା’ରେ ଦେବଯାନୀ, ‘ମିଷ୍ଟର କହ୍ନେୟା’ରେ ଝିଲିକ୍, ‘ଚଉକାଛକା’ରେ ଲଭଲି, ‘ଆମେ ତ ଟୋକା ଷଣ୍ଢମାର୍କା’ରେ କୋଏଲ୍, ‘ଚୁଲ୍ବୁଲ୍ ପାଣ୍ଡେ’ରେ ହିତୈଷା ବାଗ ଓ ‘ଡିଟେକ୍ଟିଭ୍ କରନ ଅର୍ଜୁନ’ରେ ପ୍ରିୟଙ୍କା(ପିହୁ) ଓ ‘ଗାଁର ନାଁ ଗାଲୁଆପୁର’ରେ ମନୀଷାଙ୍କ ସହ ଅଭିନୟ କରିଛନ୍ତି। ତେଣେ ସେ ‘ଇଶ୍କ ଟ୍ରାଫିକ୍’ରେ ପ୍ରିୟଙ୍କା ସାହୁଙ୍କ ବିପକ୍ଷରେ ନାୟକ ବନିଛନ୍ତି। ‘ଡଷ୍ଟବିନ୍’ରେ ସୁକୁମାର ଟୁଡୁ, ଦୀପନ୍ୱିତ ଦାସ ମହାପାତ୍ର, ଚୌଧୁରୀ ଜୟପ୍ରକାଶ ଦାସ, ସ୍ମିତା ମହାନ୍ତି, ଜୀବନ ପଣ୍ଡା, ଅରବିନ୍ଦ ଷଡ଼ଙ୍ଗୀ, ଟୁକୁନା ଷ୍ଟାଇଲିସ୍ ଓ ମନୋଜ ସ୍ୱାଇଁ ପ୍ରମୁଖ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ନଜର ଆସିବେ।