Wednesday, November 27, 2024
Wednesday, November 27, 2024
Home Latest ପନ୍ତ, ଆୟରଙ୍କ ପାଇଁ ପେଡ଼ି ଖୋଲିଦେଲେ: ୨୭, ୨୬.୭୫ କୋଟିରେ ବିକ୍ରି ହୋଇ ଆଇପିଏଲ୍‌ର ଦାମୀ ଖେଳାଳି ହେଲେ

ପନ୍ତ, ଆୟରଙ୍କ ପାଇଁ ପେଡ଼ି ଖୋଲିଦେଲେ: ୨୭, ୨୬.୭୫ କୋଟିରେ ବିକ୍ରି ହୋଇ ଆଇପିଏଲ୍‌ର ଦାମୀ ଖେଳାଳି ହେଲେ

by
0 comment

ଜେଦା (ସାଉଦି ଆରବ): ଆଇପିଏଲ୍‌ ଖେଳାଳି ହାଟରେ ପୁଣି ଥରେ ନୂଆ କୀର୍ତ୍ତିମାନ ସ୍ଥାପିତ ହୋଇଛି। କିଛି ଖେଳାଳିଙ୍କ ବ୍ୟାଙ୍କ ବାଲାନ୍ସ ବହୁ କୋଟି ଟଙ୍କା ବଢ଼ିଛି। ଆଉ କିଛି ଖେଳାଳି ଆକାଶଛୁଆଁ ଦରରେ ବିକ୍ରି ହୋଇ ନିଜ ସମ୍ପତ୍ତି ଓ ବ୍ରାଣ୍ଡ ଭ୍ୟାଲ୍ୟୁକୁ ବହୁଗୁଣା କରିଛନ୍ତି। ଭାରତୀୟ କ୍ରିକେଟର୍‌ଙ୍କ ମଧ୍ୟରେ ଋଷଭ ପନ୍ତ ଏବଂ ବିଦେଶୀ ଖେଳାଳି ଭାବେ ଜୋସ୍ ବଟଲର୍‌ ସର୍ବାଧିକ ଦରରେ ବିକ୍ରି ହୋଇଛନ୍ତି। ୱିକେଟ୍‌ରକ୍ଷକ ବ୍ୟାଟର୍‌ ପନ୍ତ କିନ୍ତୁ ଆଇପିଏଲ୍ ଇତିହାସର ସବୁଠାରୁ ଦାମୀ ଖେଳାଳି ହେବାର ରେକର୍ଡ କରିଛନ୍ତି। 

ରବିବାର ସାଉଦି ଆରବର ଜେଦାଠାରେ ଅନୁଷ୍ଠିତ ମେଗା ନିଲାମରେ ପନ୍ତ ପୂର୍ବର ସବୁ‌ ରେକର୍ଡ ଭାଙ୍ଗି ଦେଇଛନ୍ତି। ତାଙ୍କୁ ଲକ୍ଷ୍ନୌ ସୁପର ଜାଏଣ୍ଟ୍‌ସ ୨୭ କୋଟି ଟଙ୍କାରେ କିଣି ସମସ୍ତଙ୍କୁ ଚକିତ କରି ଦେଇଛି। ଭାରତୀୟ କ୍ରିକେଟ୍‌ର ଅନ୍ୟତମ ସଫଳ ନାୟକ ତଥା କୋଲ୍‌କାତା ନାଇଟ୍ ରାଇଡର୍ସର ପୂର୍ବତନ ଅଧିନାୟକ ଶ୍ରେୟସ୍ ଆୟର୍ ମଧ୍ୟ ମାଲେମାଲ ହୋଇଛନ୍ତି। ଆଇପିଏଲ୍ ଇତିହାସର ଦ୍ବିତୀୟ ମହଙ୍ଗା ଖେଳାଳି ଭାବେ ତାଙ୍କୁ ନେବା ଲାଗି ପଞ୍ଜାବ କିଙ୍ଗ୍ସ ୨୬.୭୫ କୋଟି ଟଙ୍କା ଖର୍ଚ୍ଚ କରିଛି। ମାର୍କ୍ୟୁ ଖେଳାଳି ତାଲିକାରେ ରହି ନିଲାମକୁ ଯାଇଥିବା କେଏଲ୍ ରାହୁଲ କିନ୍ତୁ ପନ୍ତ ଓ ଆୟରଙ୍କଠାରୁ ଢେର କମ୍ ଟଙ୍କା ପାଇଛନ୍ତି। ତାଙ୍କୁ ନେବା ଲାଗି ଦିଲ୍ଲୀ କ୍ୟାପିଟାଲ୍ସ ଓ ଚେନ୍ନାଇ ସୁପରକିଙ୍ଗ୍ସ ଭିଡ଼ାଭିଡ଼ି ହୋଇଥିଲେ। ଚେନ୍ନାଇ ୧୨.୨୫ କୋଟି ଟଙ୍କା ଡାକିଥିଲା ବେଳେ ଦିଲ୍ଲୀ ୧୪ କୋଟି ଟଙ୍କାର ବିଡ୍ ଦେଇଥିଲା। ପୁରୁଣା ଦଳ ଲକ୍ଷ୍ନୌ ସୁପର ଜାଏଣ୍ଟ୍‌ସ ‘ରାଇଟ୍‌ ଟୁ ମ୍ୟାଚ୍ କାର୍ଡ’ ଉପଯୋଗ ନ କରିବାରୁ ରାହୁଲଙ୍କୁ ଅପେକ୍ଷାକୃତ ଶସ୍ତାରେ ପାଇ ଯାଇଥିଲା। ସେପଟେ ୨କୋଟିର ମୂଳଦର ଥିବା ଯୁବ ତାରକା ଭେଙ୍କଟେଶ ଆୟରଙ୍କୁ ନେବା ଲାଗି କୋଲ୍‌କାତା ନାଇଟ୍ ରାଇଡର୍ସ ପୂରା ସିନ୍ଦୁକ ଖୋଲି ଦେଇଥିଲା। ନିଲାମ ତାଲିକାକୁ ଛାଡ଼ିବା ପରେ ପାଖାପାଖି ୧୨ ଗୁଣ ଟଙ୍କା ଦେଇ ପୁଣି ଥରେ ତାଙ୍କୁ କିଣିଥିଲା। ଆୟରଙ୍କ ମୂଲ୍ୟ ୨୩.୭୫ କୋଟିରେ ପହଞ୍ଚିବା ପରେ ସେ ତୃତୀୟ ଦାମୀ ‌ଖେଳାଳି ହୋଇଥିଲେ। ତେବେ ମୁମ୍ବାଇ ଇଣ୍ଡିଆନ୍ସ, ପଞ୍ଜାବ କିଙ୍ଗ୍ସ ଓ ସନ୍‌ରାଇଜର୍ସ ହାଇଦ୍ରାବାଦ ଭିତରେ ତ୍ରିମୁଖୀ ଲଢ଼େଇ ହୋଇଥିଲେ ମଧ୍ୟ ଭାରତୀୟ ୱିକେଟ୍‌ରକ୍ଷକ ଈଶାନ୍‌ କିଶନ କେବଳ ୧୧.୨୫ କୋଟି ଟଙ୍କା ପାଇଥିଲେ। ତାଙ୍କୁ ମୂଳଦର ୨ କୋଟିର ୬ଗୁଣରୁ କିଛିଟା କମ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦ କିଣିଥିଲା। ଯୁବ ୱିକେଟ୍‌ରକ୍ଷକ ଜିତେଶ ଶର୍ମା କିନ୍ତୁ ଆଶାଠାରୁ ଅଧିକ ପାଇଥିଲେ। ଲକ୍ଷ୍ନୌ ସୁପର ଜାଏଣ୍ଟ୍‌ସ, ଚେନ୍ନାଇ ସୁପରକିଙ୍ଗ୍ସ, ପଞ୍ଜାବ କିଙ୍ଗ୍ସକୁ ପଛରେ ପକାଇ ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ ତାଙ୍କୁ ୧୧ କୋଟି ଟଙ୍କାରେ ନେଇଥିଲା। ସେ ନିଜ ମୂଳଦରର ୧୧ଗୁଣ ଟଙ୍କା ପାଇଥିଲେ। ପୂର୍ବରୁ ଆଇପିଏଲ୍‌ର ସବୁଠାରୁ ଦାମୀ ଖେଳାଳି ରେକର୍ଡ ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ମିଚେଲ୍‌ ଷ୍ଟାର୍କଙ୍କ ନାଁରେ ଥିଲା। ଗତବର୍ଷର ମିନି ନିଲାମରେ ୨୪.୭୫ କୋଟି ଟଙ୍କାରେ କୋଲ୍‌କାତା ନାଇଟ୍ ରାଇଡର୍ସକୁ ସେ ବିକ୍ରି ହୋଇଥିଲେ।

ଅନ୍ୟ ଅନ୍ତର୍ଜାତୀୟ ଖେଳାଳିଙ୍କ ମଧ୍ୟରେ ସ୍ପିନର୍‌ ୟୁଝବେନ୍ଦ୍ର ଚହଲ ସବୁଠାରୁ ଦାମୀ ସ୍ପିନର୍‌ ଭାବେ ୧୮ କୋଟି ଟଙ୍କାରେ ପଞ୍ଜାବ କିଙ୍ଗ୍ସକୁ ବିକ୍ରି ହୋଇଥିଲେ। ସେହିଭଳି ଅର୍ଶଦୀପ ସିଂହ ୧୮ କୋଟି (ପଞ୍ଜାବ କିଙ୍ଗ୍ସ), ମହମ୍ମଦ ସିରାଜ ୧୨.୨୫ କୋଟି (ଗୁଜରାଟ ଟାଇଟନ୍ସ), ମହମ୍ମଦ ସାମି ୧୦ କୋଟି (ଲକ୍ଷ୍ନୌ ସୁପର ଜାଏଣ୍ଟ୍‌ସ), ଦ୍ରୁତ ବୋଲର ଟି. ନଟରାଜନ୍‌ ୧୦.୭୫ କୋଟି (ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ), ଆୱେସ ଖାନ୍ ୯.୭୫ କୋଟି (ଲକ୍ଷ୍ନୌ ସୁପର ଜାଏଣ୍ଟସ୍), ଅଭିଜ୍ଞ ସ୍ପିନର୍‌ ଆର୍‌ ଅଶ୍ବିନ ୯.୭୫ କୋଟି (ଚେନ୍ନାଇ ସୁପରକିଙ୍ଗ୍ସ), ସ୍ପିଡଷ୍ଟାର୍ ହର୍ଷଲ ପଟେଲ ୮ କୋଟି (ସନ୍‌ରାଇଜର୍ସ ହାଇଦ୍ରାବାଦ) ଟଙ୍କାରେ ବିକ୍ରି ହୋଇଥିଲେ। ବିଦେଶୀ ଖେଳାଳିଙ୍କ ମଧ୍ୟରେ ଇଂଲଣ୍ଡର ଜୋସ୍ ବଟଲର୍‌ ୧୫.୭୫ କୋଟି (ଗୁଜରାଟ ଟାଇଟନ୍ସ), ଟ୍ରେଣ୍ଟ ବୋଲ୍ଟ ୧୨.୫ କୋଟି (ମୁମ୍ବାଇ ଇଣ୍ଡିଆନ୍ସ), ଜୋଫ୍ରା ଆର୍ଚର୍‌ ୧୨.୫ କୋଟି (ରାଜସ୍ଥାନ ରୟାଲ୍ସ), ଜୋସ୍ ହାଜଲେଉଡ୍ ୧୨.୫ କୋଟି (ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ), ମିଚେଲ୍‌ ଷ୍ଟାର୍କ ୧୧.୭୫ କୋଟି (ଦିଲ୍ଲୀ କ୍ୟାପିଟାଲ୍‌ସ), ମାର୍କସ୍‌ ଷ୍ଟୋଇନିସ୍ ୧୧ କୋଟି  (ପଞ୍ଜାବ କିଙ୍ଗ୍ସ), କାଗିସୋ ରବାଡ଼ା ୧୦.୭୫ କୋଟି (ଗୁଜରାଟ ଟାଇଟନ୍ସ), ଜେକ୍ ଫ୍ରେଜର ମ୍ୟାକଗର୍କ ୯ କୋଟି (ଦିଲ୍ଲୀ କ୍ୟାପିଟାଲ୍ସ), ଲିଅମ ଲିଭିଂଷ୍ଟୋନ ୮.୭୫‌ କୋଟି (ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ), ଡେଭିଡ୍ ମିଲର୍‌ ୭.୫ କୋଟି (ଲକ୍ଷ୍ନୌ ସୁପର ଜାଏଣ୍ଟସ୍), ୱାନିନ୍ଦୁ ହସରଙ୍ଗା ୫.୨୫ କୋଟି (ରାଜସ୍ଥାନ ରୟାଲ୍ସ), ରାଚିନ ରବୀନ୍ଦ୍ର ୪ କୋଟି (ଚେନ୍ନାଇ ସୁପର କିଙ୍ଗ୍ସ), ଗ୍ଲେନ୍ ମ୍ୟାକ୍ସୱେଲ୍ ୪.୨ କୋଟି (ପଞ୍ଜାବ କିଙ୍ଗ୍ସ), କ୍ବିଣ୍ଟନ୍ ଡି’ କକ୍ ୩.୬୦ କୋଟି (କେକେଆର୍‌) ଟଙ୍କାରେ ବିକ୍ରି ହୋଇଛନ୍ତି। 
 

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od