ବଡ଼ମ୍ବା : ବଡ଼ମ୍ବା ବନାଞ୍ଚଳର ୩ଟି ଦନ୍ତା ହାତୀ ଘଟଣା କ୍ରମେ ଏକ ପଙ୍କପୂର୍ଣ୍ଣ ନାଳରେ ଫସି ରହିଥିବା ଜାଣିବାକୁ ମିଳିଛି । ଖାଦ୍ୟ ଅନ୍ୱେଷଣରେ ଜଙ୍ଗଲରୁ ଗାଁ ଅଭିମୁଖେ ଚାଲି ଆସିଥିବା ଏହି ହାତୀମାନଙ୍କୁ ଉଦ୍ଧାର କରିବା ଲାଗି ବନବିଭାଗ ଏବଂ ପ୍ରଶାସନ ଉଦ୍ୟମ କରିଥିଲେ। ଦୀର୍ଘ ପ୍ରାୟ ୧୨ ଘଣ୍ଟା ପରେ ବଡ଼ମ୍ବ। ବନାଞ୍ଚଳରେ ପଙ୍କ ନାଳରେ ଫସିଥିବା ୩ ଦନ୍ତାହାତୀ ସୁରକ୍ଷିତ ଉଦ୍ଧାର କରାଯାଇଥିଲା ଏବଂ ହାତୀଗୁଡ଼ିକ ଜଙ୍ଗଲକୁ ବାହୁଡ଼ି ଯାଇଥିଲେ।
ଘଟଣାରୁ ପ୍ରକାଶ ବଡ଼ମ୍ବା ବ୍ଲକ ଅନ୍ତର୍ଗତ ବେଲିଆପାଳ ଗ୍ରାମ ଅଭିମୁଖେ ନିକଟସ୍ଥ ଗୋପପୁର ରେଞ୍ଜ ଅଧିନସ୍ଥ ନାଗା ତୋଟା ଜଙ୍ଗଲରୁ ଏହି ହାତୀ ମାନେ ଆମ୍ବ, ପଣସ, କଦଳୀ ଖାଇବାକୁ ଗାଁ ଅଭିମୁଖେ ମୁଁହାଇଥିଲେ । ତେବେ ରବିବାର ଭୋର ସମୟରେ ହାତୀମାନେ ଜଙ୍ଗଲକୁ ଫେରିବା ବାଟରେ ଗ୍ରାମ ନିକଟସ୍ଥ ଏକ ଦଳ ଭର୍ତ୍ତି ନାଳରେ ଫସି ଯାଇଥିଲେ । ନାଳ ପଙ୍କରେ ହାତୀମାନେ ଲଟପଟ ହେଉଥିବା ଜାଣି ଗ୍ରାମବାସୀ ବନ ବିଭାଗକୁ ଜଣାଇଥିଲେ । ଏହି ସମ୍ୱେଦନଶୀଳ ଖବର ପାଇ ପ୍ରଥମେ ସ୍ଥାନୀୟ ବନ ବିଭାଗ ଅଧିକାରୀ ଓ କର୍ମଚାରୀ ବାଲିଝରୀ ଅଗ୍ନିଶମ ବିଭାଗ ଆଗ୍ନିକଙ୍କ ସହିତ ଘଟଣାସ୍ଥଳରେ ପହଞ୍ଚିଥିଲେ । ପରେ ପରେ ଆଠଗଡ଼ ବନଖଣ୍ଡ ଅଧିକାରୀ ଡ. ଯଜ୍ଞଦତ୍ତ ପତି, ଏସିଏଫ୍ ଡ.ଚିଚିଲିଚି ବିଶ୍ୱାଳ, ବଡ଼ମ୍ବା ତହସିଲଦାର ଶାଶ୍ଵତ ରଞ୍ଜନ ଦାଶ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ହାତୀମାନଙ୍କ ସୁରକ୍ଷିତ ଉଦ୍ଧାର ଓ ଉପୁଜିଥିବା ସମସ୍ୟାର ସମାଧାନ ନେଇ ସ୍ଥିତିିର ସମୀକ୍ଷା କରିଥିଲେ ।
ଅନଗୁଳ, ଢେଙ୍କାନାଳ ବନ୍ୟଜନ୍ତୁ ( ୱାଇଲଡ ଲାଇଫ ) ସୁରକ୍ଷାକାରୀ ଅଧିକାରୀ ଏବଂ ନରସିଂହପୁର ବନାଞ୍ଚଳର ଅଭିଜ୍ଞ କର୍ମକର୍ତ୍ତାମାନେ ହାତୀଙ୍କ ଉଦ୍ଧାର ଲାଗି ଘଟଣସ୍ଥଳରେ ପହଞ୍ଚିଥିଲେ। ଦୀର୍ଘ ପ୍ରାୟ ୧୨ ଘଣ୍ଟା ପରେ ବଡ଼ମ୍ବ। ବନାଞ୍ଚଳରେ ପଙ୍କ ନାଳରେ ଫସିଥିବା ୩ ଦନ୍ତାହାତୀ ସୁରକ୍ଷିତ ଉଦ୍ଧାର କରାଯାଇଥିଲା ଏବଂ ହାତୀଗୁଡ଼ିକ ଜଙ୍ଗଲକୁ ବାହୁଡ଼ି ଯାଇଥିଲେ। ବଡ଼ମ୍ବା ବନାଞ୍ଚଳ ଅଧିକାରୀ ପ୍ରଭାତ କୁମାର ରାଉତ, ବନପାଳ କୃଷ୍ଣଚନ୍ଦ୍ର ସ୍ଵାଇଁଙ୍କ ସମେତ ଅନ୍ୟ ସ୍ଥାନୀୟ କର୍ମଚାରୀମାନେ ହାତୀଗୁଡ଼ିକୁ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ।