Monday, February 24, 2025
Home Home ନବୀନ ସରକାରର ଗୁମର ଖୋଲିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ନବୀନ ସରକାରର ଗୁମର ଖୋଲିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

by
0 comment

କେନ୍ଦୁଝର,୧୪ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ୩ ଦିନିଆ କେନ୍ଦୁଝର ଗସ୍ତ ଅବସରରେ ସୋମବାର ପଦ୍ମପୁର ଲକ୍ଷ୍ମୀ ପଡ଼ିଆଠାରେ ଭାଜପାର ଏକ ମେଗା ସଦସ୍ୟତା ସଂଗ୍ରହ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ମୁଖ୍ୟମନ୍ତ୍ରୀ ଉପସ୍ଥିତ ଲୋକଙ୍କୁ ନୂତନ ସଦସ୍ୟ ଭାବେ ଭାଜପାରେ ଯୋଡ଼ିଥିଲେ। ଏହି ଅବସରରେ ଭାଜପା ସରକାରଙ୍କ ଯୋଜନା ବିଷୟରେ ବୁଝାଇଥିଲେ। ବିଜେଡିକୁ ଟାର୍ଗେଟ କରି ପୂର୍ବ ସରକାର ସମୟରେ ଅଧିକାରୀ ମଞ୍ଚରେ ବସୁଥିଲେ ଏବଂ ନେତା, ମନ୍ତ୍ରୀ ମଞ୍ଚ ତଳେ ରହୁଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ହେଲେ ଭାଜପା ସରକାରରେ ସରପଞ୍ଚ ଓ ଓ୍ବାର୍ଡମେମ୍ବର ବି ମଞ୍ଚରେ ବସୁଥିବା କହିଥିଲେ। ଏଥିସହ ପୂର୍ବ ସରକାର ଅଧିକାରୀଙ୍କୁ ପଠାଇ ତାଙ୍କ ଜରିଆରେ ନେଇଥିବା ଅଭିଯୋଗର ସମାଧାନ ହୋଇଛି କି ବୋଲି ପ୍ରଶ୍ନ କରିଥିଲେ।

ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ଭାରତୀୟ ଜନତା ପାର୍ଟିର ସଦସ୍ୟ ହେବାକୁ ସମସ୍ତଙ୍କୁ ଆହ୍ବାନ ଦେଇଥିଲେ। ପଦ୍ମପୁର ମାଟି ମା’ ଲକ୍ଷ୍ମୀଙ୍କ ମାଟି, ଏଠାକାର ଜନତା ବିପୁଳ ପରିମାଣର ଭୋଟ ଦେଇ ଭାଜପାକୁ ଜିତାଇଛନ୍ତି। ମୋଦି ଡବଲ ଇଞ୍ଜିନ ସରକାର ମାଗିଥିଲେ, ଆପଣମାନେ ୨୧ ରୁ ୨୦ ଏମ୍‌ପି ଜିତାଇଛନ୍ତି। ମୋଦି ଏ ଦାନକୁୁ ଭୁଲି ନାହାନ୍ତି। ଆଉ ଅଭିଯୋଗ ନେଇ ଭୁବନେଶର ଯିବାକୁ ପଡ଼ିବ ନାହିଁ, ଆଜି ସରକାର ଆପଣଙ୍କ ପାଖକୁ ଆସିଛନ୍ତି। ଏହି ଜିଲାକୁ ଏକ ନମ୍ବର କରିବା ପାଇଁ ଆପଣମାନଙ୍କ ସହଯୋଗ ଦରକାର ବୋଲି କହିଥିଲେ।

ବିଜେଡିକୁ ଟାର୍ଗେଟ କରି କହିଥିଲେ, ପୂର୍ବ ସରକାରରେ ଜଣେ ଅଧିକାରୀ ଆସି ଦରଖାସ୍ତ ନେଉଥିଲେ, ଆଉ ସମାଧାନ ହୋଇଯିବ କହୁଥିଲେ। ସମସ୍ୟାର ସମାଧାନ ହୋଇଛି କି ବୋଲି ମୁଖ୍ୟମନ୍ତ୍ରୀ ପଚାରିଥିଲେ। ସେତେବେଳେ ଜଣେ ସଚିବ ମଞ୍ଚରେ ଭାଷଣ ଦେଉଥିଲେ, ନେତା, ମନ୍ତ୍ରୀ ତଳେ ଠିଆ ହେଉଥିଲେ। ଆଜି ମଞ୍ଚରେ ସରପଞ୍ଚ, ଓ୍ବାର୍ଡ ମେମ୍ବର ବସିଛନ୍ତି। ଏଠାରେ ତାଙ୍କର ବସିବାର ଅଧିକାର ଅଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ପୂର୍ବ ସରକାର ଲୋକଙ୍କ ପାଖକୁ ଗଲେ ନାହିଁ। ଅଫିସରଙ୍କୁ ପଠାଇଲେ। ଗଣତନ୍ତ୍ର ବଦଳରେ ଅମଲାତନ୍ତ୍ର ଚାଲିଲା, ତେଣୁ ଲୋକେ ସରକାର ପରିବର୍ତ୍ତନ କଲେ। ଭାଜପାର ସରକାର ଆସିବା ପରେ ଜିଲାର ମଣ୍ଡୁଆରେ ମଧ୍ୟ ଏକ ଅଭିଯୋଗ ପ୍ରକୋଷ୍ଠର କ୍ୟାମ୍ପ ଅଫିସ ଖୋଲିଛି। ଭୁବନେଶ୍ୱର ଯିବା ଦରକାର ନାହିଁ, ସେହିଠାରେ ଅଭିଯୋଗ ଦେବେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଅନେକ ଲୋକଙ୍କ ଅଭିଯୋଗପତ୍ର ଗ୍ରହଣ କରିଥିଲେ। ଜିଲାର ଉନ୍ନତି ପାଇଁ ଏଠାରେ ନିଶ୍ଚୟ ଷ୍ଟିଲ ପ୍ଲାଣ୍ଟ ସ୍ଥାପନ ହେବ। ଜିଲାର ପିଲାମାନେ ଚାକିରି ପାଇବେ, ମେଡିକାଲ କଲେଜ ଫୁଲଫ୍ଲେଜ୍‌ଡ ଚାଲିବ। ସୁଭଦ୍ରା ଯୋଜନାରେ ଏକ କୋଟି ମହିଳା ପର୍ଯ୍ୟାୟ କ୍ରମେ ୫୦ ହଜାର ଟଙ୍କା ପାଇବେ। ଏଥିସହ ଜଗନ୍ନାଥ ମନ୍ଦିର ୪ ଦ୍ୱାର, ରତ୍ନ ଭଣ୍ଡାର ଖୋଲାଯାଇଛି, ଧାନର ଏମ୍‌ଏସ୍‌ପି ମୂଲ୍ୟ ୩୧୦୦ ହୋଇଛି ବୋଲି କହିଥିଲେ। ତାଙ୍କ ସହ ଏମ୍‌ପି ଅନନ୍ତ ନାଏକ ଓ ତେଲକୋଇ ବିଧାୟକ ଫକିର ନାଏକ ଯୋଗଦେଇଥିଲେ।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od