ଭୁବନେଶ୍ବର: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାରକୁ ଖୋଲିବା ନେଇ ଆଉ ଏକ ବଡ ଖବର ଆସିଛି। ଜୁଲାଇ ୧୪ ତାରିଖରେ ଏହା ଖୋଲିବା ପ୍ରାୟତଃ ସ୍ପଷ୍ଟ ଏନେଇ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
ଗଣମାଧ୍ୟମକୁ ପ୍ରତିକିୟା ଦେଇ ଆଇନ ମନ୍ତ୍ରୀ କହିଛନ୍ତି, ପୂର୍ବରୁ ଯାଞ୍ଚ କମିଟି ଯେଉଁ ସୁପାରିଶ କରିଥିଲା ସେଥିରେ ପରିଚାଳନା କମିଟି ମୋହର ମାରିଛି । ପରିଚାଳନା କମିଟିର ବୈଠକରେ ହୋଇଥିବା ସୁପାରିଶ ସରକାରଙ୍କ ପାଖରେ ପହଞ୍ଚିବା ପରେ ଏହାର ଯାଞ୍ଚ କରାଯିବ।
ଯେଉଁ ଏସଓପି ସୁପାରିଶ ଆସିବ ତାହାକୁ ନେଇ ବିଭିନ୍ନ ଦିଗରେ ତର୍ଜମା କରାଯିବା ପରେ ଖୋଲିବା ନେଇ ନିଷ୍ପତ୍ତି ନିଆଯିବ। ନୀତିକାନ୍ତି ସହ ଖାପଖୁଆଇ ସବୁ ଦିଗକୁ ସୁବିଧା ହେବା ଭଳି ନିଷ୍ପତ୍ତି ନିଆଯିବ। ଯାଞ୍ଚ କମିଟି ଯେଉଁ ତାରିଖ ଧାର୍ଯ୍ୟ କରିଛି ସେହି ତାରିଖରେ ରତ୍ନଭଣ୍ଡାର ଖୋଲିବା ପ୍ରାୟତଃ ସ୍ପଷ୍ଟ ବୋଲି ଆଇନମନ୍ତ୍ରୀ କହିଛନ୍ତି ।
ସୂଚନାଯୋଗ୍ୟ ରତ୍ନଭଣ୍ଡାର ଯାଞ୍ଚ କମିଟି ବୈଠକରେ ଆସନ୍ତା ୧୪ ତାରିଖରେ ରତ୍ନଭଣ୍ଡାର ଖୋଲିବା ନେଇ ନିଷ୍ପତ୍ତି ହୋଇଥିଲା। ଚାବି କାମ କରୁ କି ନ କରୁ ରତ୍ନଭଣ୍ଡାର ଖୋଲାଯିବ ବୋଲି ଯାଞ୍ଚ କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ କହିଥିଲେ। ତେବେ ବୁଧବାର ପରିଚାଳନା କମିଟି ବୈଠକରେ ଯାଞ୍ଚ କମିଟିର ପ୍ରସ୍ତାବ ଉପରେ ମୋହର ବାଜିଥିଲା।