Sunday, January 12, 2025
Home ଅଭିମତ ଧର୍ମ କର୍ମ

ଧର୍ମ କର୍ମ

by
0 comment

ଧର୍ମ କର୍ମ

Twitter

ମନୁଙ୍କ ପଦକମାନ ଆମ ପାଇଁ ଯେତିକି ଗୁରୁତ୍ବପୂର୍ଣ୍ଣ, ଗୀତା ପ୍ରତି ଯୁବପିଢ଼ିଙ୍କର ଧ୍ୟାନ ଆକର୍ଷଣ କରିବାରେ ତାଙ୍କର ଅବଦାନ ଆମକୁ ତତୋଽଧିକ ଗୁରୁତ୍ବପୂର୍ଣ୍ଣ ମନେ ହୋଇଥାଏ। ସେ ପ୍ରମାଣ କରିଦେଇଛନ୍ତି ଯେ ମହାଭାରତ ଯୁଦ୍ଧ ହେଉ କି ଗଣିତ ଗବେଷଣା ହେଉ କି ଅଲିମ୍ପିକ୍‌ସ ପ୍ରତିଯୋଗିତା ହେଉ- ସବୁଠିଁ ସଫଳତାର ଚାବିକାଠି ନିହିତ ଅଛି ଗୀତାରେ।

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

କୌଣସି ଅଲିମ୍ପିକ୍‌ସରେ ଦୁଇଟି ପଦକ ଜିଣିବାରେ ସ୍ବାଧୀନ ଭାରତର ପ୍ରଥମ କ୍ରୀଡ଼ାବିତ୍ ରୂପେ ସାରା ଦେଶକୁ ଗୌରବାନ୍ବିତ କରିଥିବା ହରିଆନାର ବନ୍ଧୁକଚାଳିକା ଯୁବତୀ ମନୁ ଭାକର୍‌ ତାଙ୍କର ସଫଳତାପ୍ରାପ୍ତି ପରେ ପ୍ରଦାନ କରିଥିବା ବିନମ୍ର ପ୍ରତିକ୍ରିୟାରେ ପୁଣିଥରେ ପ୍ରମାଣ କରିଦେଇଛନ୍ତି ଯେ ଆଜିର ଚାପଗ୍ରସ୍ତ ଦୁନିଆରେ ଅସୁମାରି ସଂଖ୍ୟାରେ ଚାପମୋଚନକାରୀ ପ୍ରେରଣାଦାୟକ ପ୍ରବଚକମାନଙ୍କର ଆବିର୍ଭାବ ଦେଖାଯାଉଥିଲେ ହେଁ, ଏହି ବ୍ୟାପାରରେ ଯିଏ ହେଉଛନ୍ତି ସର୍ବକାଳୀନ ସର୍ବଶ୍ରେଷ୍ଠ, ସେ ଆଉ କେହି ନୁହନ୍ତି, ସେ ହେଉଛନ୍ତି ଶ୍ରୀମଦ୍‌ଭଗବଦ୍‌ଗୀତାର ଚିରନ୍ତନ ଅମୃତବାଣୀ ଯାହାଙ୍କର ଶ୍ରୀମୁଖରୁ ନିଃସୃତ ହୋଇଥିଲା, ସେଇ ଭଗବାନ ଶ୍ରୀକୃଷ୍ଣ।
ମନୁ ଭାକର୍ ଯେ ଜଣେ ଅସାମାନ୍ୟ ପ୍ରତିଭାଧାରିଣୀ କ୍ରୀଡ଼ାବିତ୍, ଏଥିରେ କୌଣସି ସନ୍ଦେହ ନାହିଁ। କିନ୍ତୁ ଘଟଣାଚକ୍ରରେ ଏଭଳି ବିରଳ ପ୍ରତିଭାଧରମାନେ ମଧ୍ୟ ବେଳେବେଳେ ଆତ୍ମବିଶ୍ବାସ ହରାଇ କେଉଁ ମାର୍ଗ ଅନୁସରଣ କରିବେ ତାହା ସ୍ଥିର କରି ନ ପାରି ଜୀବନର ଦୋଛକିରେ ଅଟକି ଯାଇଥାନ୍ତି। ତାଙ୍କ କ୍ୟାରିଅର୍‌ରେ ଏଇଭଳି ଏକ ସନ୍ଧିକ୍ଷଣରେ ଗୀତା ତାଙ୍କୁ କିପରି ବାଟ ଦେଖାଇଥିଲା ଓ ସେ ବାଟରେ ଅଗ୍ରସର ହୋଇ ସେ କିପରି ଆଜି ଏହି ସଫଳତା ହାସଲ କରିପାରିଛନ୍ତି, ମନୁ ଭାକର୍ ତାହା ତାଙ୍କର ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି। ଟୋକିଓ ଅଲିମ୍ପିକ୍‌ସରେ ଦୁଇଟି ଇଭେଣ୍ଟରେ ଫାଇନାଲ୍‌କୁ ଉନ୍ନୀତ ହେବାରେ ବିଫଳ ହେବା ପରେ ଭଗ୍ନହୃଦୟ ମନୁ ମାନସିକ ଶକ୍ତି ଆହରଣ କରିବା ପାଇଁ ନିଜକୁ ଭଗବଦ୍‌ଗୀତା ଅଧ୍ୟୟନରେ ନିମଜ୍ଜିତ କରିଦେଇଥିଲେ। ସେତେବେଳେ ସେ ସେଇ ପୂର୍ବୋକ୍ତ ଦୋଛକିରେ ଛିଡ଼ା ହୋଇଥିଲେ: କ୍ରୀଡ଼ା ଭୂମିରେ ଯୁଦ୍ଧ ଜାରି ରଖିବେ, ନା ସେଠା‌ରୁ ଅପସରି ଯିବେ।
ଏକ ଭିନ୍ନ କାରଣରୁ କୁରୁକ୍ଷେତ୍ରରେ ଅର୍ଜୁନ ମଧ୍ୟ ଏଇଭଳି ସଂଶୟର ସମ୍ମୁଖୀନ ହୋଇଥିଲେ। ସଖା ଶ୍ରୀକୃଷ୍ଣ ସେତେବେଳେ ତାଙ୍କୁ ଜ୍ଞାନ ଦେଇଥିଲେ ଯେ ‌େଯକୌଣସି ପରିସ୍ଥିତିରେ ମନୁଷ୍ୟ ନିଜର ସ୍ବାଭାବିକ ଧର୍ମକୁ ହିଁ ଅନୁସରଣ କରିବା ଉଚିତ। କ୍ଷତ୍ରିୟର ଧର୍ମ ହେଉଛି ଯୁଦ୍ଧ କରିବା, ଆଉ କ୍ଷତ୍ରିୟ ଅର୍ଜୁନଙ୍କ ପକ୍ଷରେ ଧର୍ମଯୁଦ୍ଧରେ ଅଂଶଗ୍ରହଣ କରିବା ନେଇ କୌଣସି ସଂଶୟ ବା ଦ୍ବିଧା ରହିବା ଉଚିତ ନୁହେଁ। ମନୁ ଗୀତାର ଶ୍ଳୋକମାନଙ୍କରେ ନିହିତ ବାଣୀସବୁକୁ ଆତ୍ମସ୍ଥ କରିବା ବେଳେ ଏହିଭଳି ଶ୍ଳୋକ ନିଶ୍ଚିତ ରୂପେ ତା‌ଙ୍କର ଧ୍ୟାନ ଆକର୍ଷଣ କରିଥିବ: ‘‘ସ୍ବଧର୍ମମପି ଚାବେକ୍ଷ ନ ବିକମ୍ପିତୁମର୍ହସି। ଧର୍ମ୍ୟାଦ୍ଧି ଯୁଦ୍ଧାଚ୍ଛ୍ରେୟୋ‌ଽନ୍ୟତ୍‌କ୍ଷତ୍ରିୟସ୍ୟ ନ ବିଦ୍ୟତେ।।’’ (ପୁଣି ନିଜର ଧର୍ମ ଦୃଷ୍ଟିରୁ ବି ତୁମେ ଭୟ କରିବା ଉଚିତ ନୁହେଁ; କାରଣ କ୍ଷତ୍ରିୟ ନିମନ୍ତେ ଧର୍ମମୟ ଯୁଦ୍ଧ ଠାରୁ ବଳି କଲ୍ୟାଣକର କର୍ତ୍ତବ୍ୟ ଆଉ କିଛି ନାହିଁ।।)
ଯାହା ସମସ୍ତ ଗୀତାନୁଗାମୀମାନେ ଭଲରୂପେ ଜାଣନ୍ତି, ତାହା ହେଲା, ଶ୍ରୀକୃଷ୍ଣଙ୍କର ଏହି ଉପଦେଶରେ ନିହିତ ଅସଲ ନିର୍ଦ୍ଦେଶ ଯୁଦ୍ଧ ନୁହେଁ, ଅସଲ ନିର୍ଦ୍ଦେଶ ହେଉଛି ଧର୍ମ ପାଳନ। ଯେଉଁଠି ଯୁଦ୍ଧ କରିବା ହେଉଛି ସଂପୃକ୍ତ ବ୍ୟକ୍ତିଙ୍କର ଧର୍ମ, ଯେମିତି କ୍ଷତ୍ରିୟ ଅର୍ଜୁନଙ୍କର, ସେଠାରେ ଯୁଦ୍ଧ କରିବା ହିଁ ହେଉଛି ଧର୍ମ ପାଳନ। ସେହିପରି ଏପରି କୌଣସି ଭିନ୍ନ ପରିସ୍ଥିତିର କଳ୍ପନା କରାଯାଇପାରେ, ଯେଉଁଠି ଯୁଦ୍ଧରେ ଅଂଶଗ୍ରହଣ ନ କରିବା ଦ୍ବାରା ହିଁ ଗୀତାର ଏହି ଉପଦେଶ ପାଳିତ ହୋଇଥା‌ଏ। ଏହାର ଏକ କିଂବଦନ୍ତି ପାଲଟିଥିବା ପ୍ରସିଦ୍ଧ ଉଦାହରଣ ଏକଦା ଦେଖିବାକୁ ମିଳିଥିଲା ମନୁ ଭାକର୍‌ଙ୍କ ପରି ଆଉ ଜଣେ ବିଚକ୍ଷଣ ପ୍ରତିଭାଧରଙ୍କ କ୍ଷେତ୍ରରେ, ଯାହା ଥିଲା ଏକ ଭିନ୍ନ କିସମର ପ୍ରତିଭା- ଗାଣିତିକ ପ୍ରତିଭା। ଏହି ପ୍ରତିଭାଧର ଜଣଙ୍କ ହେଉଛନ୍ତି ବିଂଶ ଶତାବ୍ଦୀର ଶ୍ରେଷ୍ଠତମ ଗଣିତଜ୍ଞମାନଙ୍କ ମଧ୍ୟରୁ ଅନ୍ୟତମ, ଫରାସୀ ଗଣିତପିପାସୁ ଆ‌େଣ୍ଡ୍ର ୱେଲ୍।
ତେବେ ଆଣ୍ଡ୍ରେ ୱେଲ୍‌ଙ୍କର ପରିଚୟ ତାଙ୍କର ସାନ ଭଉଣୀଙ୍କ ପରିଚୟ ବିନା ସଦାବେଳେ ଅପୂର୍ଣ୍ଣ ହୋଇଥାଏ। ସେ ହେଉଛନ୍ତି ୧୯୪୩ରେ ମାତ୍ର ୩୪ ବର୍ଷ ବୟସରେ ଏକ ସାମ୍ୟବାଦୀ ଆଦର୍ଶ ଅନୁସରଣ କରି ନିଜର ସ୍ବାସ୍ଥ୍ୟ ପ୍ରତି ଅବହେଳା କରି ସ୍ବେଚ୍ଛାରେ ଇହଧାମ ତ୍ୟାଗ କରିଥିବା ବିଚକ୍ଷଣ ଗଣିତଜ୍ଞା, ଦାର୍ଶନିକା ଓ ଗୀତାଜ୍ଞାନୀ ସିମନ୍ ୱେଲ୍। କୁହାଯାଇଥାଏ, ଦୀର୍ଘଜୀବୀ ଆଣ୍ଡ୍ରେ (ସେ ୯୨ ବର୍ଷ ବୟସରେ ୧୯୯୮ରେ ପରଲୋକ ଗମନ କରିଥିଲେ) ତାଙ୍କର ସାରା ଜୀବନ ଗଣିତ ପ୍ରଶ୍ନମାନ ସମାଧାନ କରିବାରେ ବିତାଇଦେଲେ; ଭଉଣୀ ସିମନ୍ କିନ୍ତୁ ଜୀବନର ପ୍ରଶ୍ନ ସମାଧାନ କରିବା ପୂର୍ବରୁ ଦୁନିଆକୁ ଛାଡ଼ି ଚାଲିଗଲେ।
୧୯୯୧ରେ ପ୍ରକାଶିତ ଆଣ୍ଡ୍ରେ ୱେଲ୍‌ଙ୍କର ଆତ୍ମଚରିତ ‘ଦି ଆପ୍ରେଣ୍ଟିସ୍‌ସିପ୍ ଅଫ୍ ଏ ମାଥେମାଟିସିଆନ୍’ (‘ଜଣେ ଗଣିତଜ୍ଞଙ୍କର ତାଲିମ’)ରେ ତାଙ୍କ ଜୀବନକୁ ଦିଗ୍‌ଦର୍ଶନ ଦେବାରେ ଗୀତାର ଭୂମିକା ସମ୍ବନ୍ଧରେ ସୂଚନା ମିଳିଥାଏ। ଅାଣ୍ଡ୍ରେ ଏହି ପୁସ୍ତକରେ ସେ ଶିକାଗୋ ବିଶ୍ବବିଦ୍ୟାଳୟରେ ଯୋଗଦେବା ପର୍ଯ୍ୟନ୍ତ ତାଙ୍କ ଜୀବନର ପ୍ରଥମ ଚାରି ଦଶନ୍ଧିରେ ଘଟିଥିବା ଘଟଣାମାନଙ୍କ ସମ୍ବନ୍ଧରେ ପାଠକପାଠିକାମାନଙ୍କୁ ଅବଗତ କରାଇଛନ୍ତି। ଏଥିରେ ସେ ଭାରତ ଓ ଭାରତୀୟ ସଂସ୍କୃତି ତାଙ୍କ ଉପରେ ବିସ୍ତାର କରିଥିବା ଜୀବନବ୍ୟାପୀ ଦୁର୍ବାର ଆକର୍ଷଣର ଉନ୍ମେଷ ଓ ଅଗ୍ରଗତି ସମ୍ବନ୍ଧରେ ଦେଇଥିବା ସୂଚନା ଆମ ପାଇଁ ଏଠାରେ ପ୍ରାସଙ୍ଗିକତା ବହନ କରିଥାଏ। ଭାରତୀୟ ଶାସ୍ତ୍ରପୁରାଣ ପ୍ରତ୍ୟକ୍ଷ ଅଧ୍ୟୟନ କରିବା ଉଦ୍ଦେଶ୍ୟରେ ଆଣ୍ଡ୍ରେ ଓ ସିମନ୍ ପ୍ରଥମେ ସଂସ୍କୃତ ଭାଷା ଶିକ୍ଷା କଲେ। ଯେତେବେଳେ ସେ ସିଧାସଳଖ ଭଗବଦ୍‌ଗୀତା ଅଧ୍ୟୟନ କଲେ, ସିମନ୍‌ଙ୍କ ଭଳି ସେ ମଧ୍ୟ ଏହାର ଯାଦୁକରୀ ପ୍ରଭାବରେ ଜୀବନବ୍ୟାପୀ ସମ୍ମୋହିତ ହୋଇଗଲେ। ଗୀତା ଦ୍ବାରା ପ୍ରଦର୍ଶିତ ମାର୍ଗ ଅନୁସରଣ ତାଙ୍କ ପାଇଁ ଶେଷରେ ନୋବେଲ୍ ପ୍ରାଇଜ୍ ସମତୁଲ୍ୟ ଜାପାନ୍‌ର କ୍ୟୋଟୋ ପ୍ରାଇଜ୍ ଲାଭ କରିବାରେ ସହାୟକ ହୋଇଥିଲା।
ତେବେ ଯେଉଁ କାରଣରୁ ଆଣ୍ଡ୍ରେ ୱେଲ୍‌ଙ୍କ ଜୀବନ ଉପରେ ଗୀତାର ପ୍ରଭାବ ଏଠାରେ ଅବତାରଣା କରାଯାଉଛି, ତାହା ହେଉଛି ‌େସ ‌େଯତେବେଳେ ତାଙ୍କ ଜୀବନରେ ଏକ ଭୀଷଣ ସଂକଟ‌ର ସମ୍ମୁଖୀନ ହୋଇଥିଲେ, ସେତେବେଳେ ସେଥିରୁ ମୁକୁଳିବା ପାଇଁ ଗୀତା ତାଙ୍କୁ ଦେଖାଇଥିବା ବାଟ। ଦ୍ବିତୀୟ ବିଶ୍ବଯୁଦ୍ଧ ଆରମ୍ଭ ହୋଇଯିବା ପରେ ସମସ୍ତ ଫରାସୀ ଯୁବକମାନେ ସାମରିକ ବାହିନୀରେ ଯୋଗଦେବା ବାଧ୍ୟତାମୂଳକ ହୋଇଥିଲେ ହେଁ ଆଣ୍ଡ୍ରେ ତାହା କରି ନ ଥିଲେ ଓ ସେଥିପାଇଁ ଗିରଫ ହୋଇ କାରାବାସ ଭୋଗିଥିଲେ। ଉପରୋକ୍ତ ପୁସ୍ତକରେ ସେ ଏହି ଘଟଣାର ବିସ୍ତାରିତ ବର୍ଣ୍ଣନା କରି ନିଜର ଏତାଦୃଶ ଆଚରଣର ଯଥାର୍ଥତା ପ୍ରତିପାଦନ କରିବା ନିମିତ୍ତ ଭଗବଦ୍‌ଗୀତାର ଆଶ୍ରୟ ନେଇଛନ୍ତି। ସେଥିରେ ସେ ଲେଖିଛନ୍ତି ଯେ ଗୀତା ଅନୁସାରେ ତାଙ୍କର ‘ଧର୍ମ’ ବା ଜୀବନର ଲକ୍ଷ୍ୟ ହେଉଛି ଜଣେ ଗଣିତଜ୍ଞ ହେବା, କୌଣସି ଯୁଦ୍ଧରେ ସୈନିକ ହେବା ନୁହେଁ। ଭଗବାନ ଶ୍ରୀକୃଷ୍ଣଙ୍କ ଏହି ଉପଦେଶକୁ ଅକ୍ଷରେ ଅକ୍ଷରେ ପାଳନ କଲାଭଳି କାରାଗାରରେ ଥିବା ସମୟରେ ଆଣ୍ଡ୍ରେ ‘ଇଣ୍ଟିଗ୍ରେସନ୍ ଇନ୍ ଗ୍ରୁପ୍‌ସ’ ଉପରେ ଏକ ଅନୁଶୀଳନ ରଚନା କରିଥିଲେ, ଯାହା ଗାଣିତିକ ପରିସରରେ ଏକ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ତଥା ଉଚ୍ଚକୋଟୀର ନିବନ୍ଧ ରୂପେ ବିବେଚିତ ହୋଇଥାଏ।
ମନୁ ଭାକର୍‌ଙ୍କର ଧର୍ମ ସେଇଭଳି ହେଉଛି ବନ୍ଧୁକ ଚାଳନାରେ ଉତ୍କର୍ଷ ହାସଲ କରିଚାଲି ପ୍ରତିଯୋଗିତାରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଉଦ୍ୟମ ଅବ୍ୟାହତ ରଖିବା। ତାଙ୍କର ସଫଳତା ପ୍ରାପ୍ତି ପରେ ସେ ଏବେ ଏକ ଜାତୀୟ କିଂବଦନ୍ତିରେ ପରିଣତ ହୋଇଯାଇଛନ୍ତି କି ବୋଲି ସାମ୍ବାଦିକମାନେ ତାଙ୍କୁ ଯେତେବେଳେ ପ୍ରଶ୍ନ କଲେ, ସେ ସେମାନଙ୍କ ପାଇଁ ଗୀତାର ସେଇ ମନ୍ତ୍ରର ପୁନରାବୃତ୍ତି କରିଥିଲେ, ଯାହାକୁ ସେ ତାଙ୍କର ଟୋକିଓ ବିଫଳତା ପରଠାରୁ କାୟମନୋବାକ୍ୟରେ ଅନୁସରଣ କରିଆସୁଛନ୍ତି: ‘‘କର୍ମଣ୍ୟେବାଧିକାରସ୍ତେ ମା ଫଳେଷୁ କଦାଚନ। ମା କର୍ମଫଳହେତୁର୍ଭୂର୍ମା ତେ ସଙ୍ଗୋଽସ୍ତ୍ବକର୍ମଣି।।’’ (କର୍ମ କରିବାରେ ହିଁ ତୁମର ଅଧିକାର ରହିଛି, କର୍ମର ଫଳ ଉପରେ କେବେ ହେଲେ ନୁହେଁ। ତେଣୁ ତୁମେ କର୍ମ ଫଳର କାରଣ ହୁଅ ନାହିଁ ତଥା ତୁମର କର୍ମ ନ କରିବାରେ ବି ଆସକ୍ତି ନ ହେଉ।।)
ମନୁଙ୍କ ପଦକମାନ ଆମ ପାଇଁ ଯେତିକି ଗୁରୁତ୍ବପୂର୍ଣ୍ଣ, ଗୀତା ପ୍ରତି ଯୁବପିଢ଼ିଙ୍କର ଧ୍ୟାନ ଆକର୍ଷଣ କରିବାରେ ତାଙ୍କର ଅବଦାନ ଆମକୁ ତତୋଽଧିକ ଗୁରୁତ୍ବପୂର୍ଣ୍ଣ ମନେ ହୋଇଥାଏ। ସେ ପ୍ରମାଣ କରିଦେଇଛନ୍ତି ଯେ ମହାଭାରତ ଯୁଦ୍ଧ ହେଉ କି ଗଣିତ ଗବେଷଣା ହେଉ କି ଅଲିମ୍ପିକ୍‌ସ ପ୍ରତିଯୋଗିତା ହେଉ- ସବୁଠିଁ ସଫଳତାର ଚାବିକାଠି ନିହିତ ଅଛି ଗୀତାରେ।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od